ଦ ବିଗ୍ ଡାଡି ଅଫ ତାଡୋବା
ଦ ବିଗ୍ ଡାଡି ଅଫ ତାଡୋବା
କିମ୍ବଦନ୍ତୀ ଅନୁସାରେ...ଧେତ୍...... କିମ୍ବଦନ୍ତୀ ହେଉଛି ଇତିହାସ ର ଜାରଜ ସନ୍ତାନ ଯାହାକୁ ପ୍ରାୟତଃ ସମସ୍ତେ ଅସ୍ବୀକାର କରନ୍ତି । କିନ୍ତୁ ବାଘ କୁ କାହିଁକି ମାମୁଁ କୁହନ୍ତି ଏହା କେଉଁଠାରେ ଲିପିବଦ୍ଧ ନାହିଁ , ତେଣୁ ମାନିନେବା କୁ ହେବ ଯେ ବାଘ ପର୍ବତ ରାଜା ଙ୍କ ପୁତ୍ର ଆଉ ପର୍ବତନନ୍ଦିନୀ ମାତା ପାର୍ବତୀ ଙ୍କ ଭାଈ ତେଣୁ ବାଘ ଆମର ମାମୁଁ । ହୁଏତ ଆପଣ ଏହାକୁ ଅସ୍ବୀକାର କରି ପାରନ୍ତି କିନ୍ତୁ ମାତା ପାର୍ବତୀ ଯେ ଜଗତଜନନୀ ଆଉ ବାଘ ଆମର ମାମୁଁ ଏହାକୁ ଅସ୍ବୀକାର କରି ପାରିବେ ନାହିଁ।
ଆମର ତଥାକଥିତ ମାମୁଁ, ବାଘମାମୁଁ ର ଏ ସତ୍ୟ କାହାଣୀ ଟି ର ମୁକ ସାକ୍ଷୀ ହେଉଛି ତାଡୋବା ଜାତୀୟ ଉଦ୍ୟାନ।ଏକଦା ତାଡୋବା ର ମୋହାରଲି ଅଞ୍ଚଳ ର ତେଲିଆ ହ୍ରଦ ନିକଟ ରେ ବାସ କରୁଥିଲା ୟେଡାଆନ୍ନା ନାମକ ଏକ ଶକ୍ତିଶାଳୀ ବାଘ। ୟେଡାଆନ୍ନା ଯାହାର ଗର୍ଜନ ରେ ଥରି ଉଠୁଥିଲା ତାଡୋବା ର ମୋହାରଲି ଅଞ୍ଚଳ। । ଜଙ୍ଗଲ ର ନିୟମ ଅନୁସାରେ ଏଠି ପିତା ଅନ୍ତେ ପୁତ୍ର ରାଜା ହୁଏନି ବରଂ ରାଜା ସିଏ ହୁଏ ଯିଏ ଶକ୍ତିଶାଳୀ। ଆଉ ଯିଏ ଦୁର୍ବଳ ସିଏ କାହାର ଆହାର ବନି ଯାଏ ନହେଲେ ତାକୁ ଭୟ ଦେଖାଇ ତଡ଼ି ଦିଆଯାଏ।
ସାଧାରଣତଃ ,ପୁରୁଷ ବାଘ ମାନେ ଅନ୍ୟ ଏକ ପୁରୁଷ ବାଘ ର ସନ୍ତାନ ମାନଙ୍କୁ ମାରି ଦିଅନ୍ତି ଯଦ୍ୱାରା ଭବିଷ୍ୟତ ରେ କୌଣସି ବିପଦ ର ସମ୍ଭାବନା ରହିବନି ତତ୍ ସହିତ ତାଙ୍କର ବଂଶ ବୃଦ୍ଧି ହୋଇ ପାରିବ। ଆଉ ଏଇ ହୃଦୟ ବିଦାରକ ସତ୍ୟ କୁ ସାମ୍ନା କରିବାକୁ ପଡ଼େ ସବୁ ମା ବାଘୁଣୀ ମାନଙ୍କୁ। ଶେଷ ରେ ବଞ୍ଚିଥିବା ବାଘୁଣୀ ର ଛୁଆ ମାନେ ବଡ଼ ହେବା ପରେ ତାଙ୍କର ମଧ୍ୟ ପ୍ରତିଦ୍ବନ୍ଦିତା ହୁଏ ଭାଇ ଭଉଣୀ ମାନଙ୍କ ସହ ଆଉ କେବେ କେବେ ନିଜ ପିତା ମାତା ଙ୍କ ସହ ସହ । ଯିଏ ଜିତେ ସେ ସେହି ଅଞ୍ଚଳ ର ରାଜା ହୁଏ ଆଉ ଯିଏ ହାରି ଯାଏ ତାକୁ ଖୋଜିବାକୁ ପଡେ ନିଜ ପାଇଁ ଏକ ନୂତନ ରାଜ୍ୟ। କାରଣ ବାଘ ମାନେ ନିଜ ଇଲାକା ରେ ଏକା ରହିବାକୁ ପସନ୍ଦ କରନ୍ତି। ଜଙ୍ଗଲ ର ଏହି ନିୟମ ଗୁଡାକ ଖୁବ୍ ଭଲ ଭାବ ରେ ଜଣା ଥିଲା ୟେଡାଆନ୍ନା କୁ ସେଥି ପାଇଁ ସେ ଗୋଟେ ଗୋଟେ କରି ଆଖପାଖ ର ପୁରୁଷ ବାଘ ମାନଙ୍କୁ ମାରି ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଲା। କିଛି ବାଘ ୟେଡ଼ାଆନ୍ନା ଭୟ ରେ ମଧ୍ୟ ମୋହାରଲି ର ଘଞ୍ଚ ଜଙ୍ଗଲ ଛାଡ଼ି ତାଡୋବା ର ଅନ୍ୟ ଅଞ୍ଚଳ କୁ ପଳାୟନ କଲେ।
ଦିନେ ମୋହାରଲି ଆଖପାଖ ଅଞ୍ଚଳରେ ଗୋଟେ ପୁରୁଷ ବାଘ ର ପାଦ ଚିହ୍ନ ଦେଖା ଗଲା। ଯିଏ ନିଜ ପାଇଁ ସାମ୍ରାଜ୍ୟ ର ତଲାସରେ ଥିଲା। ଏଇ ଯୁବବାଘ ଟି ଏମିତି ଅନ୍ଦାଜ୍ ରେ ମୋହାରଲି ଅଞ୍ଚଳ କୁ ପ୍ରବେଶ କରୁଥିଲା ଯେମିତି ହୁଏତ ସେ ୟେଡାଅନ୍ନା ର ଶକ୍ତି ବିଷୟ ରେ ଅଜ୍ଞ ଅଥବା ସେ ତାକୁ ଖାତିର କରେନି। ୟେଡା ହୁଏତ କେବେ ଭାବି ନ ଥିଲା ତା ସାମ୍ରାଜ୍ୟ ଭିତରେ ଅନ୍ୟ କେଉଁ ପୁରୁଷ ବାଘ ଅନୁପ୍ରବେଶ କରିବାକୁ ଚେଷ୍ଟା ବି କରିବ ଆଶ୍ଚର୍ଯ୍ୟ ଚକିତ ୟେଡାଅନ୍ନା କୁ ଆହୁରି ଆଶ୍ଚର୍ଯ୍ୟ କରି ଆକ୍ରମଣ କରିଥିଲା ବାଘ ଟି। ଦୁଇ ଟି ଶକ୍ତିଶାଳୀ ବାଘ ଙ୍କ ଏ ଲଢେଇ ଅନେକ ଦିନ ଧରି ଚାଲିଲା । କେବଳ ମୋହାରଲି କାହିଁକି ପୂରା ତାଡୋବା ଥରି ଉଠିଥିଲା ଏହି ଯୁଦ୍ଧ ରେ । କାହିଁକି ନା ଏସିଆ ର ସବୁଠାରୁ ବଡ଼ ବାଘ ନିଜ ଇତିହାସ ରଚିବାକୁ ଯାଉଥିଲା ଏଇ ଯୁଦ୍ଧ ରୁ।ଯେମିତି ଗୋଟେ ରାଜ୍ୟ ରେ ଦୁଇଟି ରାଜା ରହି ପାରିବେନି ସେମିତି ଗୋଟେ ଅଞ୍ଚଳରେ ଦୁଇଟି ବାଘ ରହି ପାରିବେନି।ୟେଡାଆନ୍ନା ର ଆଠ ବର୍ଷର ଏକଛତ୍ରବାଦି ଶାସନ ର ଅନ୍ତ ଘଟାଇ ତାକୁ ମୋହରଲି ରୁ ବିତାଡିତ କଲା ତାର ସାନଭାଈ ୱାଗଦୋ ।ୱାଗଦୋ ଏସିଆ ର ବିଶାଳକାୟ ବାଘ। ଦ ବିଗ୍ ଡ଼ାଡି ଅଫ ତାଡୋବା।ସାଧାରଣତଃ ବାଘ ମାନଙ୍କ ଓଜନ ୨୦୦ କିଲୋଗ୍ରାମ ରୁ ୨୫୦ କିଲୋଗ୍ରାମ କିନ୍ତୁ ଦ ବିଗ୍ ଡ଼ାଡି ଅଫ ତାଡୋବା ର ଓଜନ ଥିଲା ପାଖାପାଖି ତିନି ଶହ କିଲୋଗ୍ରାମ । ୱାଗଦୋ ଯେବେ ମୋହାରଲି ଆସିଥିଲା ପ୍ରଥମେ ୟେଡଅନ୍ନା ଆଉ ମାଧୁରୀ ର ତିନୋଟି ଶାବକ ଙ୍କୁ ହତ୍ୟା କରିଥିଲା। ନିଜ ବଡ଼ଭାଈ ୟେଡାଅନ୍ନା କୁ ବିତାଡ଼ିତ କରିବା ପରେ ପରେ ୱାଗଦୋ ତାଡୋବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟ ରେ ଆତଙ୍କ ର ବାତାବରଣ ସୃଷ୍ଟି କରିଥିଲା।
ଧିରେ ଧିରେ ଆଖ ପାଖ ଅଞ୍ଚଳରେ ମଧ୍ୟ ୱାଗଦୋ ନିଜ ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଲା ଯଦ୍ୱାରା ତାଡୋବା ର ମଧ୍ୟବର୍ତ୍ତୀ ଅଞ୍ଚଳ ରେ ଦୃତ ଗତିରେ ପୁରୁଷ ବାଘ ମାନଙ୍କ ସଂଖ୍ୟା ହ୍ରାସ ପାଇଲା। ଯାହାକି କି ବନ ବିଭାଗ ର କର୍ମଚାରି ମାନଙ୍କ ପାଇଁ ମୁଣ୍ଡବଥା ର କାରଣ ସାଜିଲା। ବନବିଭାଗ ଏହାର ସମାଧାନ ନିମନ୍ତେ ପଦକ୍ଷେପ ନେବା ପୂର୍ବରୁ ରୁ ହିଁ ୱାଗଦୋ ତାଡୋବା ର ମଧ୍ୟବର୍ତ୍ତୀ ଅଞ୍ଚଳ କୁ ପୁରୁଷବାଘ ଶୂନ୍ୟ କରି ସାରିଥିଲା।ଆଉ ତାର ଏଇ ନୂତନ ସାମ୍ରାଜ୍ୟ ରେ ସାମ୍ରାଜ୍ଞୀ ଥିଲା ୟେଡ଼ାଅନ୍ନା ର ରାଣୀ ମାଧୁରୀ ।ସମୟ ବିତିବା ସହ ତାଡୋବା ର ସବୁ ବାଘ ଜାଣି ଯାଇଥିଲେ ଜଙ୍ଗଲ ରେ ବଞ୍ଚିବାକୁ ହେଲେ ୱାଗଦୋ ର ସାମ୍ରାଜ୍ୟ ରୁ ଦୂରେଇ ରହିବାକୁ ପଡିବ।ୱାଗଦୋ ପ୍ରତିଦିନ ନିଜ ସାମ୍ରାଜ୍ୟ ରେ ନିଜର ରାଜକୀୟ ଠାଣି ରେ ବୁଲୁଥିଲା। ୱାଗଦୋ ର ଏଭଳି ଆଚରଣ ପାଇଁ ବନ କର୍ମଚାରୀ ମାନେ ତାକୁ ଆୱାରା ମୁସାଫିର କହୁଥିଲେ। ୱାଗଦୋ ର ଆଉ ଏକ ନାମ ଥିଲା ସ୍କାରଫେସ। ଯୁବାବସ୍ଥାରେ ଶିକାର କରିବା ସମୟ ରେ ତା ଡାହାଣ ଆଖି ପାଖରେ ଏକ କ୍ଷତ ସୃଷ୍ଟି ହୋଇଥିଲା ଯାହା ଦ୍ଵାରା ଅନେକ ଦିନ ଯାଏଁ ସେ ଡାହାଣ ଆଖି ପୂରାପୂରି ଖୋଲି ପାରି ନ ଥିଲା । ଧିରେ ଧିରେ କ୍ଷତ ତ ଶୁଖିଗଲା ହେଲେ ଗୋଟେ ସ୍ଥାୟୀ ଚିହ୍ନ ( scar) ରହିଗଲା। ଯଦ୍ଵାରା ସେ ଅଧିକ ଭୟଙ୍କର ଦେଖା ଗଲା ଆଉ ସେବେ ଠୁ ୱାଗଦୋ ର ଆଉ ଏକ ନାମ ହେଲା ସ୍କାର ଫେସ୍।
ଆତଙ୍କ ର ଅନ୍ୟ ନାମ କୁହାଯାଉଥିବା ୱାଗଦୋ ଦିନେ ପ୍ରେମ ରେ ପଡ଼ିଗଲା , ନିଜ ସାମ୍ରାଜ୍ଞୀ ମାଧୁରୀ ର ପ୍ରେମ ରେ।ପ୍ରେମ ମଣିଷ କୁ ବିଲେଇ ବନେଇ ଦିଏ ଆଉ ଇଏ ତ ବାଘ ସେଇ ବିଲେଇ ପ୍ରଜାତି ର । ମାଧୁରୀ ର ପ୍ରେମ ତାକୁ ଏକ ଚଞ୍ଚଳ,ଉଦ୍ଧତ ବାଘ ରୁ ଏକ ଅଳସ ପାରିବାରିକ ପଶୁ ରେ ପରିଣତ କରିଥିଲା।ଯଦିଓ ସାମ୍ରାଜ୍ୟ ବଡ଼ ହେବା କାରଣ ରୁ ତା ସାମ୍ରାଜ୍ୟ ରେ ଏବେ ଆଠ ଟି ବାଘୁଣୀ ଥିଲେ କିନ୍ତୁ ମାଧୁରୀ ସର୍ବଦା ତା ଆଖି ର ପଲକ ରେ ରହୁଥିଲା। ମାଧୁରୀ ବି ୱାଗଦୋ ପ୍ରେମରେ ଏମିତି ତଲ୍ଲିନ ଥିଲା ରେ ସଫାରୀ ରେ ଆସୁଥିବା ପର୍ଯ୍ୟଟକ ମାନେ ଏ ଦୁହିଁ ଙ୍କ ପ୍ରେମ ଦେଖି ଇମୋସନାଲ୍ ହୋଇ ଯାଉଥିଲେ। ୱାଗଦୋ କୁ ଉପହାର ସ୍ଵରୂପ ମାଧୁରୀ ଦେଇଥିଲା ଚାରୋଟି ଶାବକ।
ଏମିତି ରେ ତ ବାଘୁଣୀ ମାନେ ହିଁ ଶାବକ ର ଯତ୍ନ ଦିଅନ୍ତି ପୁରୁଷ ବାଘ ଶାବକ ର ଯତ୍ନ ନେବାର ଘଟଣା କେବେ ସାମ୍ନା କୁ ଆସିନି। କିନ୍ତୁ ଏ କ୍ଷେତ୍ର ରେ ୱାଗଦୋ ର ପିଲା ମାନେ ଖୁବ୍ ଭାଗ୍ୟବାନ ଥିଲେ କାରଣ ତାଙ୍କ ପିତା ତାଡୋବା- ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟର ସମ୍ରାଟ ତାଙ୍କର ଯତ୍ନ ନେବା ସହ ସର୍ବଦା ରକ୍ଷା କରୁଥିଲା। କେବଳ ମାଧୁରୀ ର ଶାବକ ନୁହେଁ ନିଜର ଅନ୍ୟ ରାଣୀ ମାନଙ୍କ ଶାବକ ସହ ମଧ୍ୟ ୱାଗଦୋ ସମାନ ବ୍ୟବହାର କରୁଥିଲା। ଯଦିଓ ସେ ମାଧୁରୀ କୁ ଅଧିକ ଭଲ ପାଉଥିଲା ହେଲେ ନିଜ ଶାବକ ମାନଙ୍କ ସହ ସେ କେବେ ପାତର ଅନ୍ତର କରୁ ନଥିଲା ।ବନ କର୍ମଚାରୀ ଓ ସଫାରୀ ରେ ଆସୁଥିବା ପର୍ଯ୍ୟଟକ ଙ୍କ ମତ ରେ ୱାଗଦୋ ହେଉଛି ପ୍ରଥମ ପୁରୁଷ ବାଘ ଯିଏ ନିଜ ପରିବାର ସହ ସମୟ ବିତାଉ ଥିଲା। ୱାଗଦୋ ତାଡୋବା କୁ ଦେଇଛି ୪୦ ରୁ ଅଧିକ ଶାବକ । ସେଥି ପାଇଁ ତାକୁ ଦ ବିଗ୍ ଡାଡି ଅଫ ତାଡୋବା କୁହାଯାଏ।
ସମୟ ସହିତ ତାଳ ଦେଇ ୱାଗଦୋ ଆଉ ମାଧୁରୀ ଚାରୋଟି ଶାବକ ୱାଗଦୋ ଠାରୁ ମଧ୍ୟ ଅଧିକ ପ୍ରସିଦ୍ଧ ହୋଇଛନ୍ତି। ତାଙ୍କୁ ନେଇ ଏକ ଡକ୍ୟୁମେଣ୍ଟରି ମଧ୍ୟ ବନିଛି। ଏହି ଚାରି ଭଉଣୀ ସୋନମ୍ , ଗୀତା, ଲାରା ଆଉ ମୋନା ତେଲିଆ ଗ୍ୟାଙ୍ଗ ନାମ ରେ ସୁପରିଚିତ। ଗୀତା ଖୁବ୍ ବେପରୱା, ସୋନମ୍ ହୃଦୟ ହୀନ ,ଲାରା ଭୟାଳୁ,ମୋନା ଖୁବ୍ ଶକ୍ତିଶାଳୀ ଥିଲା ।ୱାଗଦୋ ର ଶିବା ନାମକ ଗୋଟେ ପୁଅ ବି ଅଛି ଯିଏ ଏବେ ତାଡୋବା ର କୋଲସା ଅଞ୍ଚଳ ରେ ନିଜ ସାମ୍ରାଜ୍ୟ ସ୍ଥାପନ କରିଛି । ସୋନମ ଅନ୍ୟ ତିନି ଭଉଣୀ ମୋନା , ଲାରା ଆଉ ଗୀତା କୁ ତଡି ଦେଇଛି ତେଲିଆ ହ୍ରଦ ନିକଟ ର ଦକ୍ଷିଣ ଦିଗ କୁ ।
କେବେ ସୂର୍ଯ୍ୟାସ୍ତ ହେଉ ନଥିବା ୱାଗଦୋ ର ସାମ୍ରାଜ୍ୟ ରେ ଦିନେ ଆବିର୍ଭାବ ହେଲା ବଜରଙ୍ଗ ନାମକ ବାଘ ର। ବଜରଙ୍ଗ ଆକ୍ରମଣ କଲା ୱାଗଦୋ କୁ ହେଲେ ୱାଗଦୋ କୋଉ ଛାଡ଼ିବା ବାଘ , ସେ ମଧ୍ୟ ପ୍ରତି ଆକ୍ରମଣ କଲା । ମୋହାରଲି ରେ ୱାଗଦୋ ଆଉ ବଜରଙ୍ଗ ର ଛକା ପଞ୍ଝା ସରିବା ଆଗରୁ ହିଁ ମାଧୁରୀ ନିଜ ଝିଅ ସୋନମ କୁ ମୋହାରଲି ଅଞ୍ଚଳ ଛାଡ଼ି ତାଡୋବା ର ବଫର ଜୋନ କୁ ଚାଲିଗଲା । ମାଧୁରୀ ଯିବା ପରେ ପ୍ରେମିକ ପ୍ରବର ୱାଗଦୋ ମଧ୍ୟ ନିଜ ବିଶାଳ ସାମ୍ରାଜ୍ୟ ର ମୋହ ତୁଟେଇ ମାଧୁରୀ ପଛେ ପଛେ ଚାଲିଗଲା। ସିହାଂହାନ ପାଇଁ ଲଢେ଼ଇ ତ ସବୁଠି ଦେଖିବାକୁ ମିଳେ ସେ ମଣିଷ ହେଉ କି ପଶୁ ହେଲେ ପ୍ରେମ ପାଇଁ ସିଂହାସନ ତ୍ୟାଗ ଖୁବ୍ ବିରଳ।
ମୋହାରଲି ଅଞ୍ଚଳ ରେ ଅନେକ ଦିନ ପର୍ଯ୍ୟନ୍ତ ବଜରଙ୍ଗ ସୋନମ୍ ସହ ରାଜ୍ କଲା। ହେଲେ ଦିନେ ଆଉ ଗୋଟେ ବାଘ ର ସାମ୍ରାଜ୍ୟ ଲାଳସା ବଜରଙ୍ଗ ର ମୃତ୍ୟୁ ର କାରଣ ହେଲା। ସେ ବାଘ ଥିଲା ଛୋଟା ମଟକା, ଏକଦା ତାଡୋବା ର ଉତ୍ତରାଞ୍ଚଳ ର ସମ୍ରାଟ ବୋଲାଉଥିବା ମଟକାସୁର ର ପୁଅ। ୱାଗଦୋ ଭଳି ମଟକାସୁର ମଧ୍ୟ ଭାରତ ର ବିଶାଳକାୟ ବାଘ ଭିତରୁ ଗୋଟେ । ତାଡୋବା କାହିଁକି ପୁରା ଭାରତ ରେ ମଟକାସୁର ସୁପ୍ରସିଦ୍ଧ। ୱାଗଦୋ କୁ ଶେଷ ଥର ପାଇଁ ଲୋକ ମାନେ ଯୁନୋନା ଅଞ୍ଚଳ ରେ ଦେଖିଥିଲେ । 2022 ମସିହା ମେ ମାସ 23 ତାରିଖ ରେ ତାଡୋବା ର ସିନାଲା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲ ରେ ଗ୍ରାମବାସୀ ଏକ ବାଘ ର ମୃତଦେହ ଦେଖି ବନ ବିଭାଗ କୁ ଖବର ଦେଇଥିଲେ।ବନ୍ କର୍ମଚାରୀ ତାହା ୱାଗଦୋ ର ଶବ ବୋଲି ଚିହ୍ନଟ କରିଥିଲେ। ପନ୍ଦର କୋଡ଼ିଏ ଦିନ ପୂର୍ବରୁ କ୍ୟାମେରା ରେ ୱାଗଦୋ ର ଗତିବିଧି କଏଦ୍ ହୋଇଥିଲା ଯେଉଁଥିରେ ସେ ଖୁବ୍ ଦୁର୍ବଳ ଆଉ ମଳିନ ଦେଖାଯାଉଥିଲା।ଶବ ବ୍ୟବଚ୍ଛେଦ ରୁ ଜଣା ପଡିଲା ମୃତ୍ୟୁ ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୨୧ ତାରିଖ ରେ ହୋଇଛି ମୃତ୍ୟୁ ର କାରଣ ବାର୍ଦ୍ଧକ୍ୟ ଓ ଦୁର୍ବଳତା ଥିଲା , ତା ସହ ୱାଗଦୋ ର ଶରୀର ରେ କିଛି ଛୋଟ ଛୋଟ କ୍ଷତ ମଧ୍ୟ ଥିଲା ଯାହା କି ମୃତ୍ୟୁ ର କାରଣ ନୁହେଁ।
ୱାଗଦୋ ର ମୃତ୍ୟୁ ସହ ଅନ୍ତ ଘଟିଲା ଗୋଟେ ବିଶାଳ ଆତଙ୍କ , ଗୋଟେ ନିଷ୍ଠାବାନ ପ୍ରେମିକ ଆଉ ସ୍ନେହୀ ପିତା ର କାହାଣୀ ର । ଏସିଆ ର ବୃହତ ବାଘ , ସ୍କାରଫେସ୍ , ୱାଗଦୋ ଦ ବିଗ୍ ଡାଡ଼ି ଅଫ ତାଡୋବା ର ।
