Mitanjali Satapathy

Others

4.8  

Mitanjali Satapathy

Others

ଚୁଡ଼ି

ଚୁଡ଼ି

7 mins
626


ଅମୀୟ ପଟ୍ଟନାୟକ ମିତ୍ରାଦେବୀଙ୍କ କୋକେଇ ପାଖରେ ବସି ଭାବୁଛନ୍ତି, ଯେମିତିକି ସେ ଭାବନାର ଅନ୍ତ ନାହିଁ । ଆଜି ମିତ୍ରାଦେବୀ ଶୋଇଛନ୍ତି ମହାନିଦ୍ରାରେ, ସେ ନିଦ୍ରା ଆଉ ଭାଙ୍ଗିବ ନାହିଁ । ସେ ପୁନର୍ବାର ଆଖି ଖୋଲି ଏ ସୁନ୍ଦର ପୃଥିବୀକୁ ଦେଖିବେ ନାହିଁ । ପାଟି ଖୋଲି ମିଠା ମିଠା ଦୁଇ ପଦ କଥା ସ୍ୱାମୀଙ୍କୁ କହିବେ ନାହିଁ । ନିଜ ହାତରେ ପଣତରେ ସ୍ୱାମୀଙ୍କ ଦେହ ମୁହଁରୁ ଝାଳ ପୋଛି ଦେବେ ନାହିଁ । ସେ ଆଉ ଏ ପୁରରେ ନାହାନ୍ତି, ଯେଉଁଠାକୁ ଯାଇଛନ୍ତି ସେଠାରୁ ଫେରିବେ ନାହିଁ । ବିଚରା କେଉଁ ଏକ ଅଶୁଭ ମୁହୂର୍ତ୍ତରେ ଏ ଘରେ ପାଦ ଦେଇଥିଲେ ଯେ ସୁଖର ମୁଖ ବି ଦିନେ ହେଲେ ଦେଖିଲେ ନାହିଁ । ତଥାପି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ମୁହଁରେ ସବୁବେଳେ ହସ ଉକୁଟି ଉଠୁଥିଲା ।


ଅମୀୟ ପଟ୍ଟନାୟକ ଥିଲେ ଘରର ବଡପୁଅ । ତାଙ୍କ ତଳକୁ ତଳ ଆହୁରି ସାନସାନ ଛଅ ଟି ଭାଇଭଉଣୀ ।ମିତ୍ରାଦେବୀ ଯେତେବେଳେ ଏ ଘରେ ପାଦ ଦେଲେ ସବା ସାନ ଭାଇଟି ସେତେବେଳେ ଆଂଠୁ ପକାଉଥିଲା । ଶାଶୁଙ୍କର ଏହି ସମୟରେ ଦେହ ଖରାପ ହେବାରୁ ଏତେଗୁଡିଏ ପିଲାଙ୍କର ଦାୟିତ୍ୱକୁ ନେଇ ଘରକଥା ସବୁ ଦେଖାଶୁଣା କରିବା ଅସମ୍ଭବ ହୋଇପଡିଲା । ଏଣୁ ଚିନ୍ତା କଲେ ବଡ଼ପୁଅକୁ ବିବାହ କରିଦେଲେ, ଘରକୁ ବୋହୂଟିଏ ଆସିଲେ ଘରକଥା ବୁଝାବୁଝି କରିବ । ମାତ୍ର ଅମୀୟଙ୍କର ବୟସ ବେଶୀ ହୋଇନଥିବାରୁ ବାପା ରାଜି ହେଲେ ନାହିଁ । କିଛିଦିନ ଏମିତି କଟୁକଟୁ ଶାଶୁଙ୍କର ଦେହ ଅଧିକ ଖରାପ ହେଲା ।ଏଣୁ ବାଧ୍ୟ ହୋଇ ଅମୀୟବାବୁଙ୍କୁ ମିତ୍ରାଦେବୀଙ୍କ ସହିତ ବିବାହ କରିଦେଲେ । ବିବାହର ମାତ୍ର ଦେଢ଼ ମାସ ପରେ ଶାଶୁ ସବୁଦିନ ପାଇଁ ଇହ ଜଗତରୁ ବିଦାୟ ନେଇ ଯାଇଥିଲେ । ଅମୀୟବାବୁଙ୍କ ମୁଣ୍ଡରେ ସତେଯେମିତି ବଜ୍ରପାତ ହେଲା । କେମିତି ଏ ବିଶାଳ ସଂସାରକୁ ଚଳାଇବେ ।ମାତ୍ର କୋଡ଼ିଏ ବର୍ଷର ପୁଅ ସିଏ । ମିତ୍ରାଦେବୀଙ୍କୁ ବି ସେମିତି କିଛି ବୟସ ହୋଇଯାଇ ନଥିଲା । କହିବାକୁ ଗଲେ ସଂସାର ବିଷୟରେ ସେମାନେ ସମ୍ପୂର୍ଣ୍ଣ ଅନଭିଜ୍ଞ । ତଥାପି ସେହି ମୁହୂର୍ତ୍ତରେ ମିତ୍ରାଦେବୀ ଅମୀୟବାବୁଙ୍କୁ ସାହସ ଦେଇ କହିଥିଲେ ''ଦେଖ ତୁମେ ଏମିତି ଭାଙ୍ଗି ପଡିଲେ ସାନସାନ ଭାଇଭଉଣୀଙ୍କ ଅବସ୍ଥା କଣ ହେବ । ଶ୍ୱଶୁର ତ ଶାଶୁଙ୍କ ଚିନ୍ତାରେ ପିଲାଛୁଆଙ୍କ କଥା ଭୁଲିଗଲେଣି । ଏଣୁ ସବୁ ଚିନ୍ତା ବର୍ତ୍ତମାନ ଆମ ଉପରେ'' । ଏହି କେତୋଟି କଥା ଅମୀୟବାବୁଙ୍କୁ ସାହସ,ଶକ୍ତି ସବୁ କିଛି ଯେମିତି ଦେଇଥିଲା ।ମିତ୍ରାଦେବୀ ସଖାଳୁ ଉଠି ରାତି ପର୍ଯ୍ୟନ୍ତ ଠିକ୍ ଗୋଟିଏ ଯନ୍ତ୍ରଚାଳିତ ମେସିନ ପରି ଚାଲିଥାନ୍ତି । ସତରେ ଯେମିତିକି ତାଙ୍କର କେବେ କ୍ଲାନ୍ତି ନଥାଏ କିମ୍ବା ଦୁଃଖ ନଥାଏ । ସବୁଠାରୁ ଅଧିକ ଚିନ୍ତା ସାନପିଲାଟିକୁ କେମିତି ସିଏ ମାଆର ସ୍ନେହ ମମତା ଦେଇ ମଣିଷ କରିବେ । ଏଣୁ ନିଜେ ମା ହେବା ପୂର୍ବରୁ ସିଏ ଜିତୁର ମା ହୋଇଯାଇଥିଲେ । ଅନ୍ୟମାନେ ତ ଟିକିଏ ବଡ ହୋଇ ଯାଇଥିଲେ । ଯାହାହେଉ ଆଠ ନଅ ମାସର ପିଲାଟିକୁ ନିଜ ହାତରେ ଖୁଆଇ ପିଆଇ, କୋଳେଇକାଖେଇ ଏତେ ବଡ କରି ସମାଜରେ ମଣିଷ ପରି ମଣିଷଟିଏ କରି ଛିଡ଼ା କରିପାରିଛନ୍ତି । ରନ୍ଧାବଢ଼ା ସାରି ସମସ୍ତଙ୍କୁ ଖାଇବାକୁ ଦେଇ ଶେଷରେ ସିଏ ନିଜେ ଖାଇବସନ୍ତି ।ଅଧିକାଂଶ ଦିନ ତାଙ୍କ ବେଳକୁ ଭାତ ସାଙ୍ଗରେ ତରକାରୀ ନଥାଏ ତ କେଉଁଦିନ ଭାତ ବି ସରିଯାଇଥାଏ । ହେଲେ ତାଙ୍କର ଏ ଅବସ୍ଥା ଦେଖୁଛି ବା କିଏ? ଯିଏ ଦେଖିବା କଥା ସେ ତ ଆରପାରିରେ । ଶ୍ୱଶୁର ତ ଏକପ୍ରକାର ବିଛଣା ଧରିଲେଣି ଶାଶୁଙ୍କ ବିଛେଦରେ । ମିତ୍ରାଦେବୀତ ନିଜେ ସବୁ ବୁଝାବୁଝି କରୁଛନ୍ତି । କେତେଥର ଯଦିଓ ଅମୀୟଙ୍କ ଆଖିରେ ଏସବୁ ପଡିଛି, ସେ ନଦେଖିବା ପରି ଚୁପ ରହିଯାଇଛନ୍ତି । କଣ ବା ସିଏ କରିବେ ।


x   x   x   x   x


ଅମୀୟବାବୁ ଯେତେବେଳେ ଘରୁ ସାଇକେଲଟିଏ ଧରି ବାହାରନ୍ତି ,ସାଇକେଲ ପଛରେ କେତେବେଳେ କୋଉ ଭଉଣୀକୁ କଲେଜରୁ ଆଣିବେ । କେତେବେଳେ ବାପାଙ୍କୁ ନେଇ ଡାକ୍ତର ପାଖକୁ ଯାଉଥିବେତ,କେତେବେଳେ ଘର ପାଇଁ ପରିବାବ୍ୟାଗ ଯାକିଥିବେ। ଯାହାହେଉ ତାଙ୍କର ସେହି ଅବସ୍ଥା ମଧ୍ୟରେ ଦୁଇଟି ଭଉଣୀଙ୍କର ବିବାହ ସମ୍ପନ୍ନ କରିଦେଇଛନ୍ତି । ତାଙ୍କର କ୍ଷମତାନୁସାରେ ବେଶୀ ଭଲଘର ନହେଲେ ମଧ୍ୟ ଭଲ ଘରେ ବିବାହ ଦେଇଛନ୍ତି । ସବୁ ଭାଇମାନେ କଲେଜ ଗଲେଣି । ତାଙ୍କର ମଧ୍ୟ ଝିଅଟିଏ ହୋଇ ସ୍କୁଲ ଗଲାଣି । ଏଣୁ ଖର୍ଚ୍ଚର ମାପ ପୂର୍ବଅପେକ୍ଷା ଅଧିକ ହେଲାଣି ।ଏତେ ସବୁଚିନ୍ତା ଭିତରେ ମିତ୍ରାଦେବୀଙ୍କ ବିଷୟରେ କେବେ କିଛି ଚିନ୍ତା କରିବାକୁ ବେଳ ହୋଇନି ଅମୀୟବାବୁଙ୍କର । ସ୍ୱାମୀଙ୍କୁ ମଧ୍ୟ କେବେ କିଛି କହି ମନରେ ଦୁଃଖ ଦେବାକୁ ଚାହୁଁ ନଥିଲେ ମିତ୍ରାଦେବୀ । କେବେହେଲେ ତାଙ୍କପାଖରେ ଅଳି କରୁନଥିଲେ ମୋ ପାଇଁ ଶାଢ଼ୀଟିଏ ଆଣିଦିଅ କିମ୍ବା ଗହଣାଟିଏ କରିଦିଅ । ବରଂ ନିଜର ସମସ୍ତ ଗହଣାକୁ ନଣନ୍ଦମାନଙ୍କୁ ବାହାଘରରେ ଦେଇ ଅମୀୟବାବୁଙ୍କର ବୋଝ ହାଲୁକା କରିଦେଇଥିଲେ । ତା ଛଡା ବର୍ଷକରେ ଦୁଇଖଣ୍ଡ ଶାଢ଼ୀ ପ୍ରଥମାଷ୍ଟମୀ , ସାବିତ୍ରୀଅମାବାସ୍ୟାରେ ବାପଘରୁ ପାଉଥିଲେ । ପୁଣି ମଝିରେ ଯେତେବେଳେ ବାପଘରକୁ ଯାଆନ୍ତି ଆସିବା ବେଳେ ବୋଉ ତାଙ୍କର ଦୁଇ ତିନିଖଣ୍ଡ ଶାଢ଼ୀ ଦେଇଦେଉଥିଲେ । ଝିଅଟି ମଧ୍ୟ ଅଜାଆଈଙ୍କର ଗୋଟିଏ ବୋଲି ନାତୁଣୀ ହୋଇଥିବାରୁ ପ୍ରଥମାଷ୍ଟମୀ ଛାଡି ଚାରିପାଞ୍ଚଖଣ୍ଡ ଫ୍ରକପେଣ୍ଟ ପାଇଯାଉଥିଲା । ଏଣୁ ଲୁଗାପଟା ପାଇଁ ମଧ୍ୟ ସ୍ୱାମୀଙ୍କୁ ଦିନେ ଚିନ୍ତା କରିବାକୁ ପଡୁନଥିଲା ।


    ଆସ୍ତେ ଆସ୍ତେ ମିତ୍ରାଦେବୀଙ୍କର ବୟସ ବଢୁଥାଏ । ବୟସ ବଢିବା ସାଙ୍ଗେସାଙ୍ଗେ କାମର ମାତ୍ରା ବି ବଢୁଥାଏ । ତାସାଙ୍ଗକୁ ତାଙ୍କର ବଗିଚା ସଉକ ବି ଥିଲା । ଏଣୁ ଘରର ସବୁ କାମ କରିବାସହିତ ବଗିଚା କାମ ନିଜ ହାତରେ କରୁଥିଲେ । ଦିନସାରା ଯେତେ କାମ କଲେ ମଧ୍ୟ ସନ୍ଧ୍ୟାବେଳେ କିଛି ସମୟ ବଗିଚାରେ ନ କଟାଇଲେ ତାଙ୍କୁ ଭଲ ଲାଗେ ନାହିଁ । ସେ ବୁଲିବା ସମୟରେ କେଉଁ ଗଛ ମୂଳରେ ବସି ମନ୍ଦା ତିଆରି କରୁଥିବେ ତ,କେଉଁଠି ଘାସ ଉପାଡ଼ୁଥିବେ ତ, କେଉଁ ଗଛରୁ ଶୁଖିଲାପତ୍ର ଛିଣ୍ଡାଉଥିବେ । ଯାହାବି ହେଉ ସେଠାରେ ଘଣ୍ଟାଏ ରହିଲେ ସିଏ ପରମ ସନ୍ତୋଷ ଲାଭ କରନ୍ତି । କିନ୍ତୁ ବର୍ତ୍ତମାନ ଆଉ କାମକୁ ସେତେ ଭଲ ପାରୁନାହାନ୍ତି । କେତେଥର ଭାବନ୍ତି ସ୍ୱାମୀଙ୍କୁ କହିବେ ଏଥର ଗୋଟିଏ ଭଲ ପିଲା ରଖ, ସିଏ ମୋତେ କାମଦାମରେ ସାହାଯ୍ୟ କରିବ । ଦେଖନ୍ତି ପଡ଼ିଶାଘରର ବୋହୁ ଏକାବୟସର ,କିନ୍ତୁ ସେ କେତେ ସୁଖରେ ଅଛି । କାଉ କୋଇଲି ରାବ ନଦେବା ପୂର୍ବରୁ କାମତୁଣୀ ଆସି ଘର ଅଗଣା ପହଁରା ମାରି,ବାସନ ମଜାମଜି କରି ଚା ଜଳଖିଆ କରି ଦେଇ ଯାଉଛି । ତାପରେ ଆଉ ଗୋଟିଏ ଲୋକ ଆସି ଗାଈଗୁହାଳ ସଫାକରି, ଖୀର ଦୁହିଁ ଦେଇଯାଉଛି । ମାତ୍ର ମିତ୍ରାଦେବୀଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ ଏମିତିକି ଦେହ ଖରାପ ହେଲେବି ନିଜେ ସବୁ କରିବାକୁ ବାଧ୍ୟ । ବେଳେ ବେଳେ ଭାବନ୍ତି ଲୋକଟିଏ ଏସବୁ କାମକରୁଥିଲେ, ଅନ୍ତତ ମାସକୁ କିଛି ଟଙ୍କା ନେଉଥାନ୍ତା, ଯାହାହେଉ ନିଜ ହାତରେ ନିଜେ ସବୁ କରି ଦେଉଥିବାରୁ ସେତକ ଟଙ୍କାରେତ ଅନ୍ତତ ପିଲାର ଟ୍ୟୁସନ ଖର୍ଚ୍ଚ ଉଠିଯାଉଛି । ଏଣୁ ସବୁ କାମ ନିଜ ହାତରେ କରିନିଅନ୍ତି।


x   x   x   x   x


ହଠାତ କାହିଁକି କେଜାଣି ସେଦିନ ଅମୀୟବାବୁ ବଜାର ଯିବାକୁ ବାହାରିବା ବେଳେ ମିତ୍ରାଦେବୀ ସ୍ତ୍ରୀସୁଲଭ ଗୁଣରେ ବାଟ ଓଗାଳି ଠିଆ ହେଲେ । ବାହା ହୋଇ ଆସିବାଠାରୁ କେବେ କିଛି ମାଗି ନଥିବା ଲୋକଟି ଅଳି କରି ବସିଲା "ଆଜି ବଜାରରୁ ମୋ ପାଇଁ ସୁନ୍ଦର ଲାଲ୍ କାଚ ଚୁଡ଼ି ଆଣିବ, ଦେଖୁନ ମୋ ହାତର ସବୁ ଚୁଡ଼ି ଭାଙ୍ଗିଗଲାଣି, ହାତଟା କେମିତି ଲାଣ୍ଡିଆ ଲାଣ୍ଡିଆ ଦେଖାଯାଉଛି, ମନେ ପକାଇ ନିଶ୍ଚୟ ଆଣିବ, ଭୁଲିବ ନାହିଁ " । ଅମୀୟବାବୁ ସେଦିନ ଖୋଜି ଖୋଜି ସ୍ତ୍ରୀଙ୍କମନକୁ ପାଇବା ପରି, ହାତକୁ ମାନିବାପରି ଲାଲ୍ ଚୁଡ଼ିରେ ସୁନେଲି ରଙ୍ଗ ଲାଗି ଚକ୍ ଚକ୍ କରୁଥିବା ଦୁଇମୁଠା ଚୁଡ଼ି ଧରି ଘରକୁ ଫେରିଲେ । ଘରେ ପହଞ୍ଚି ଦେଖନ୍ତିତ ସ୍ତ୍ରୀ ଶୋଇ ପଡିଛନ୍ତି । ନିଦରୁ ନ ଉଠାଇ ନିଜେ ଦୁଇ ହାତରେ ସବୁ ଚୁଡ଼ି ପିନ୍ଧାଇ ଦେଖିଲେ ଯେ ଗୋରା ହାତଟା ବିବାହର ପଚିଶବର୍ଷ ପରେ ମଧ୍ୟ ଠିକ ବିବାହ ବେଦୀର ହାତ ପରି ଦେଖ ଯାଉଛି ।


ସତେ ଯେମିତି ସେ ହାତର କିଛି ପରିବର୍ତ୍ତନ ହୋଇନାହିଁ । ଖୁବ୍ ଖୁସି ହୋଇ ଆଲୁରାଇତ କେଶଗୁଚ୍ଛକୁ ସଜାଡ଼ି ଦେଇ ମୁଣ୍ଡରେ ସିନ୍ଦୁର ଟୋପାଟିଏ ଲଗାଇ ଦେଇ ଡାକିଲେ, "ଦେଖ ମିତ୍ରା ତୁମର କହିବା ମୁତାବକ ଠିକ୍ ଜିନିଷ ଆଣିଛି । ବାହାଘର ପରେ ଏହା ହେଉଛି ତୁମକୁ ମୋର ପ୍ରଥମ ଉପହାର" । ଆଉ ଦେଖ ବିବାହ ବେଦୀରେ ତୁମ ହାତ ଯେମିତି ସୁନାଚୁଡ଼ି ଲାଲ୍ ରଙ୍ଗର କାଚଚୁଡ଼ିରେ ଚକ୍ ଚକ୍ କରୁଥିଲା ,ଆଜି ମଧ୍ୟ ଠିକ୍ ସେମିତି ଦେଖା ଯାଉଛି ।ଏଥର ପ୍ରତି ସପ୍ତାହରେ ତୁମପାଇଁ ଚୁଡ଼ି ଆଣିବି । ମୋର ଆଉ ସେମିତି ଖର୍ଚ୍ଚ ନାହିଁ । ସବୁ ଭାଇମାନଙ୍କୁତ ନିଜ ନିଜ ଗୋଡ଼ରେ ଠିଆ କରାଇଦେଇଛି । ଭଉଣୀମାନେ ବାହା ହୋଇ ତାଙ୍କର ସଂସାର କଲେଣି । ଗତବର୍ଷ ବି ଆମଝିଅ ଝୁନୁକୁ ଭଲ ଘର ଭଲ ବର ଦେଖି ବିବାହ କରିଦେଇଛୁ ।ହେଲେ ସମସ୍ତଙ୍କ ଚିନ୍ତା ମଧ୍ୟରେ ତୁମ କଥା ଦିନେ ଚିନ୍ତା କରିନାହିଁ କିମ୍ବା ତୁମ ମନ ବୁଝି ନାହିଁ । ଦେଖ ଆଜିଠାରୁ ମୁଁ କେବଳ ତୁମର, ତୁମ କଥା ତୁମ ମନହିଁ ବୁଝିବି । ଅବଶ୍ୟ ଆଜି ଏଠାରେ ବେଦୀ ନାହିଁ କି ବ୍ରାହ୍ମଣ ମନ୍ତ୍ର ପାଠ କରୁନାହିଁ କିମ୍ବା ତୁମେ ମୁଣ୍ଡରେ ଦୁଇହାତ ଲମ୍ବର ଓଢ଼ଣା ଟାଣି ବସିନାହଁ । ରୋଷଣୀ ନାହିଁ କି ବାଜା ର ଶବ୍ଦ ନାହିଁ । ବରଯାତ୍ରୀମାନଙ୍କର ଭିଡ଼ ନାହିଁ କି ଆମ ଉପରକୁ କେହି ଦୁବ, ଅକ୍ଷତ, ଫୁଲ ପକାଇ ଆଶୀର୍ବାଦ କରୁନାହାନ୍ତି । ସେଦିନ ତୁମର ଓଢ଼ଣା ଭିତରୁ ମୁହଁଟି ଦେଖି ନପାରୁଥିଲେ ମଧ୍ୟ ବ୍ରାହ୍ମଣ ଯେତେବେଳେ କଳସ ଉପରେ ଆମଦୁଇଜଣଙ୍କହାତକୁ ରଖି ଗଣ୍ଠି ପକାଉଥିଲା, ମୁଁ କେବଳ ତୁମର ସେହି ସୁକୋମଳ, ସୁନ୍ଦର ଗୋରା ତକ୍ ତକ୍ ହାତଟିକୁ ଅପଲକ ନୟନରେ ଚାହିଁ ରହିଥିଲି । ସତରେ ସେତେବେଳେ ଭାବୁଥିଲି ଭଗବାନ ବୋଧହୁଏ ସୃଷ୍ଟିର ସମସ୍ତ ସୌନ୍ଦର୍ଯ୍ୟକୁ ତୁମର ଏହି ହାତ ଉପରେ ଅଜାଡ଼ି ଦେଇଛନ୍ତି । ମନେ ମନେ ସେଦିନ ସେହି ବେଦୀ ଉପରେ ଭଗବତ ବିଶ୍ୱାସ କରୁନଥିବା ତୁମର ଏହି ପତି ଅମୀୟ ଭଗବାନଙ୍କୁ ବିନମ୍ର ପ୍ରଣତି ଯାଇଥିଲା, ତୁମକୁ ଜୀବନସାଥୀ ରୂପେ ପାଇ ଏବଂ ସେହି ଦିନରୁ କେମିତି କେଜାଣି ଭଗବାନଙ୍କୁ ବିଶ୍ୱାସ କରି ଶିଖିଲା ।

    

ସେଦିନ ତୁମେ ତମ ଘରୁ ସମସ୍ତଙ୍କ ପାଖରୁ ବିଦାୟ ନେଇ ଆସିବା ବେଳେ, ତୁମର ବୋଉ ମୋର ହାତ ଧରି କଇଁ କଇଁ ହୋଇ କାନ୍ଦି କହୁଥିଲେ, ଦେଖ ବାବୁ ମୋ ଝିଅର କିଛି ଦୋଷ ଧରିବନି, କାମରେ ଖୁଣିବନି, ଖୁବ ଗେଲ୍ହବସରରେ ବଢ଼ିଛି । ଆଜି ପର୍ଯ୍ୟନ୍ତ ସେ ନିଜ ହାତରେ କିଛି କାମ କରିନି । ମାଛରୁ କଣ୍ଟା ଛଡ଼ାଇ ଖାଇନି । ପିଲା ଖେଳ, ପାଠ ପଢ଼ା ତାର ସରିନି । କେମିତି ଯାଇ ଶାଶୁ ଘରେ ଚଳିବ, ତାକୁ ନିଜର ବୋଲି ଭାବିବ, ଟାଣ କଥା କହିବନି । ସତରେ କିନ୍ତୁ ତୁମର ସେହି ସୁକୋମଳ ଦୁଇହାତ ଏତେବଡ ପରିବାରକୁ ଚଳାଇ ନେଲା । ତୁମର ସବୁ କାମ ଥିଲା ନିଖୁଣ । ସାହିପଡ଼ିଶା ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ । ସମସ୍ତେ ତୁମକୁ କେତେ ଭଲ ପାଇ ବସିଲେ । ଦିନେ ଦୁଇଦିନ ଯେତେବେଳେ ତୁମେ ବାପଘରକୁ ଯାଅ, ତୁମର ଅନୁପସ୍ଥିତିରେ ଘରଟି ଶ୍ରୀହୀନ ହୋଇ ଉଠେ । ସମସ୍ତଙ୍କ ମୁହଁରୁ ମିଳେ ତମର ପ୍ରଶଂସା । ବାପାଙ୍କ ପାଇଁ ବୋଧହୁଏ ତୁମେ ଥିଲ ସବୁ ଆଶା ଭରସାର ଉତ୍ସ । ତୁମେ ଏ ଘରେ ପାଦ ଦେବା ପରେ ସତେ ଯେମିତି ବାପା ଆମ ସବୁ ଭାଇ ଭଉଣୀଙ୍କୁ ଭୁଲି ଯାଇଥିଲେ । ଯାହା ଯେତେବେଳେ ତାଙ୍କର ଦରକାର ହେଉଥିଲା ସେ କେବଳ ତମକୁହିଁ କହୁଥିଲେ । ବାପାତ ତୁମର ଅନୁପସ୍ଥିତି ମୋଟେ ସହ୍ୟ କରିପାରୁନଥିଲେ । ପାଟି ଖୋଲି ନ କହିଲେ ମଧ୍ୟ, ତୁମେ ଯେତେବେଳେ ଘରୁ ବାହାର ତାଙ୍କର ମୁହଁଟି ହିଁ ସୁଚାଇଦିଏ । ଏଣୁ ଶେଷରେ ତୁମେ ତୁମର ବାପଘରକୁ ଯିବା ମଧ୍ୟ ବନ୍ଦ କରି ଦେଇଥିଲ । ପ୍ରକୃତରେ କାହାରି ମନରେ ଦୁଃଖ ନଦେବା ପାଇଁ, ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ତୁମେ ବହୁତ କିଛି ତ୍ୟାଗ କରିଛ । ଏଇଥିପାଇଁ ବହୁତ ଜଣ ମୋତେ ପ୍ରକାରାନ୍ତରେ ମଧ୍ୟ କହିଛନ୍ତି ସତରେ ଅମୀୟ ତୁ ବଡ ଭାଗ୍ୟବାନ । କେତେ ଦେବଦେବୀ ପୁଜିଥିଲୁ କିରେ ମିତ୍ରା ପରି ସ୍ତ୍ରୀଟିଏ ପାଇଛୁ । ଆମ ଏ ଗାଁରେ ଗୋଟିଏ ବି ବୋହୂ ତା ସମାନ ହେବେ ନାହିଁ । କିନ୍ତୁ ତମର ଖୁସି ପାଇଁ ମୁଁ କିଛି କରିପାରିଲିନି । ଆଜି ପାଖରୁ ମୁଁ ତୁମ କଥା ବୁଝିବି । ଉଠ ମିତ୍ରା ! ଉଠ, ଦେଖ ଚୁଡ଼ି ଗୁଡ଼ିକ ତମ ହାତକୁ କେମିତି ମାନୁଛି । କିନ୍ତୁ ଏ କଣ ଯେତେ ଡାକିଲେ ବି ମିତ୍ରାଦେବୀ ଯେ ଆଉ ଆଖି ଖୋଲିଚାହୁଁ ନାହାନ୍ତି । ଚିରଦିନ ପାଇଁ ଆଖି ବନ୍ଦ କରିଦେଇଛନ୍ତି । ଆଉ କେବେ ଚୁଡ଼ି ଆଣି ସେହି ହାତରେ ପିନ୍ଧାଇ ପାରିବେ ନାହିଁ । ଏହି ମୁଠାକ ଚୁଡ଼ି ଯେମିତି ସ୍ୱାମୀଙ୍କ ହାତରୁ ପିନ୍ଧିବା ପାଇଁ ସେ ଅପେକ୍ଷା କରିଥିଲେ । ଅମୀୟବାବୁଙ୍କ ଦୁଇ ନେତ୍ରରୁ କେବଳ ଅମାନିଆ ଲୁହ ବୁନ୍ଦା ଗୁଡ଼ିକ ଖସି ପଡ଼ୁଥିଲେ । ସଧବାର ପ୍ରତୀକ ସ୍ୱରୂପ ମିତ୍ରାଦେବୀଙ୍କର ସିମନ୍ତିନୀ ସିନ୍ଦୂରରେ ସତେ ଯେମିତି ବାଳସୂର୍ଯ୍ୟଙ୍କର ରକ୍ତିମ ଆଭାକୁ ତିରସ୍କାର କରୁଥିଲା । ହଠାତ 'ରାମନାମ ସତ୍ୟହେ, ହରିନାମ ସତ୍ୟହେ' ରେ ତାଙ୍କର ଚିନ୍ତାରେ ଭଟ୍ଟା ପଡିଲା । ମିତ୍ରାଦେବୀଙ୍କୁ ତାଙ୍କ ପାଖରୁ ନେଇଯାଉଥିଲେ ଗାଁ ଲୋକମାନେ ।



Rate this content
Log in

More oriya story from Mitanjali Satapathy