ଚନ୍ଦ୍ରିକା
ଚନ୍ଦ୍ରିକା
ଅଧର ତୁମର ରକ୍ତ ଗୋଲାପ
ମୁଖ ଉଦ୍ୟାନର ଶୋଭା,
ଚଞ୍ଚଳ ନୟନା ଚଞ୍ଚଳ ମତି ଗୋ
ଲାଗୁଅଛ ସତେ ରମ୍ଭା।
କଳାମେଘି ଘନ କେଶରେ ନାଇଛ
କୁସୁମ ସଜ୍ଜିତ ମାଳା,
ଚାହାଣୀ ରେ ତୁମ ଦେଉଛ ହାଣି
ଅତି ଅଲିଅଳି ବାଳା।
କାନ ଝୁମୁକା ତୁମ ଗାଏ ସଙ୍ଗୀତ
ତୋଳି ପ୍ରୀତିର ମୂର୍ଚ୍ଛନା,
ମଥାର ଟିକିଲି ପ୍ରାଚୀ ଦିଗେ ଭାନୁ
ମନେ ଆଣଇ ଭାବନା।
ନୟନ ଦୁଇଟି ସୁନୀଳ ସାଗର
ଭଉଁରୀ ଯେ ବେନି ଡୋଳା,
ବୁଡ଼ିଗଲେ ଥରେ ହୃଦ,ମନ ହଜେ
ଅଜାଣତେ ବୁଡ଼େ ଭେଳା।
ଆଖିରେ ଆଖିଏ ଲାଜ ରଖିଅଛ
ଲାଜକୁଳୀ ଲାଗ ସତେ
କାହା ଇଶାରାରେ ମଥାକୁ ନୁଆଁଇ
ଲାଜେଇ ଯାଉଛ ଏତେ।
ଆପାଦ ବକ୍ଷ ପାଟବସ୍ତ୍ର ଆବୃତା
ଶାଳୀନତା ଅଙ୍ଗ ଭଙ୍ଗୀ,
ହସ୍ତେ ରୁଣୁଝୁଣୁ ଚୁଡ଼ିର ରାଗିଣୀ
ଦେଉଅଛି ଧ୍ୟାନ ଭାଙ୍ଗି।
ଗଜଗତି ତୁମ ଅଳସୀ ଚାଲିରେ
ଫୁଟୁଛି ପଦୁଅଁ କଢ଼ି,
ରାଜହଂସୀ ଚାହିଁ ଜଳୁଛି ଇର୍ଷାରେ
ଦେଉଅଛି ମୁହଁ ମୋଡ଼ି।
ପାଦ ପାଉଁଜି ଛମ୍ ଛମ୍ ଶବଦେ
ଶିହରଣ ଖେଳେ ତନୁ,
ବାରବାର କର୍ଣ୍ଣେ ପ୍ରତିଧ୍ୱନୀ ହୁଏ
ପାଶୋରି ନହୁଏ ମନୁ।
ବିଧାତା ଗଢ଼ିଛି କେଡ଼େ ଯତନରେ
କାହିଁ କେତେ ଯୁଗଧରି,
ଯୁବକ କୂଳକୁ ଦଇବ ହିଁ ସାହା
ରୂପ,ଗୁଣେ ଯିବେ ମରି।
