ବିଶ୍ଳେଷଣ କେବଳ
ବିଶ୍ଳେଷଣ କେବଳ
ହା ହା ହା ହା ହା
ହସି ଉଠିଲା ପଶୁ ରାଜ । ପିଠି ଉପରେ ସାମାନ୍ୟ ଏକ ମୂଷା । କାକୁତି ମିନତୀ ହୋଇ କହୁଚି, ଛାଡ଼ି ଦିଅ ମଣିମା, ମୁଁ ତୁମର ବହୁତ୍ ଉପକାର କରିବି । ପୁଣି କିଛି ଦିନ ପରେ ସିଂହ ଯେତେ ବେଳେ ଯନ୍ତାରେ ପଡି ଛଟ ପଟ ହଉଥିଲା, ସେ ମୂଷା ପିଲାଟି କୁଆଡେ ପଡି ଉଠିକି ଦୌଡିଲା,ସେ ଯନ୍ତାଟିକୁ କାଟିଦେଲା । କେତେ ଦୂର ସତ୍ୟ? କିପରି ସମ୍ଭବ? କେଜାଣି? ହେଇଥିବ । ପଶୁମାନଙ୍କର ବୋଧହୁଏ ବିଚାର ଶକ୍ତି ଥାଏ । ନ ହେଲେ କୁକୁରକୁ ଭାତ ମୁଠାଟେ ଦେଇଥିଲେ ସେ ତମ ଦୁଆରେ ସେମିତି ପଡି ରହିଥିବ । ବିପଦରେ ନିଶ୍ଚୟ ସାହାଯ୍ୟ କରିବ । ନହେଲେ ଏତେ ଭୟଙ୍କର ସାପ କେଳାର ନିର୍ଦ୍ଦେଶରେ ଚୁପ୍ ଚାପ୍ ସୁନା ପିଲା ପରି ଡବାରେ ପଶନ୍ତି ଏବଂ ବାହାରନ୍ତି । ଖାଲି କଣ କୁକୁର କି ସାପ,ସବୁ ପଶୁ ପକ୍ଷୀ ମଣିଷର ଭାରି ବିଶ୍ଵସ୍ତ । ..............
ଅଧା ବୁଜା ଶିଶୁ ସାହିତ୍ୟ ବହି ଟିକୁ ଟେବୁଲ୍ ଉପରେ ରଖି ଖାଲି ବିଶ୍ଳେଷଣ କରୁ ଥାଆନ୍ତି ପରୀକ୍ଷିତ ବାବୁ । ଆହା, ବିଚରା ପରୀକ୍ଷିତ ବାବୁ,କେବେ ଠାରୁ ଚାକିରୀରୁ ଅବସର ନେଲେଣି । ଏବେ ଧାର କରଜରେ ବୁଡ଼ିକି ଅଛନ୍ତି । ବ୍ୟାଙ୍କ ଋଣ କୁଆଡେ ଶୁଝି ପାରିଲେନି ବୋଲି ଘର ନିଲାମ
ହେବ ବୋଲି ଲୋକେ କହୁଛନ୍ତି । କଣ କରିବେ ଏ ଘଡ଼ିସନ୍ଧି ମୁହୂର୍ତ୍ତ ରେ?ଆଜି ନିରୁପାୟ ହୋଇ ବଡ଼ ପୁଅକୁ ଫୋନ କଲେ । ସେ ତା ପରିବାର ଧରି ବିଦେଶରେ ରହେ ।
*******ଆରେ ପୁଅ,କିଛି କିଛି ଟଙ୍କା ଶୁଝି ଲେ ସିନା ବ୍ୟାଙ୍କ ଋଣ ଧୀରେ ଧୀରେ କମିବ । ଘର କୁଆଡେ ନିଲାମ ହବ ବୋଲି ନୋଟିସ ଆସିଚି । ତୋ ବୋଉର ମୋର କୁଆଡେ ଯିବୁ?
******ବାପା,ଏ ମାସରେ ସ୍କୁଲ ଫିସ ବହୁତ୍ ଦବାକୁ ପଡ଼ିବ ପିଲାଙ୍କ ଖର୍ଚ୍ଚରେ ମୁଁ ଲଣ୍ଡା ହେଇ ଗଲିଣି ବାପା । (ଭିତରୁ କସ୍ତୁରୀର ଗର୍ଜନ,ଲମ୍ବା ତାଲିକାକୁ ଗାଇ ଲାଗିଚି ଗୋଟେ ମାସ ସାରା ଖର୍ଚ୍ଚର ହିସାବ) ଝାପସା କସ୍ତୁରୀର ପାଟିକୁ ଶଶୁର ଶୁଣି ପାରୁଥିଲେ । ମନରେ ନୈରାଶ୍ୟର ଚିହ୍ନ । ବିଷାଦର ବଳୟରେ ପରୀକ୍ଷିତ ବାବୁ । କୋଉଠୁ ଆଣିବୁ ଏତେ ଟଙ୍କା । ସାନ ପୁଅ ଆର ପଟ ଗଳିରେ ଘରଜ୍ୱାଇଁ ହୋଇ ରହୁଚି । ଦୟା ଦାନ କଲା ପରି କେତେବେଳେ କେମିତି ଆସି ବାପା ବୋଉଙ୍କ ଟିକେ ଦେଖିକି ଯାଉଚି । ତାକୁ ସାହାଯ୍ୟ ମାଗି ଅଯଥା ତୁଣ୍ଡ ସାରିବା କଥା ସିନା । ଝିଅମାନଙ୍କୁ ସାହାଯ୍ୟ ମାଗିବା ନିହାତି ଲଜ୍ଜ୍ୟାକର କଥା ନିଶ୍ଚୟ । କଣ ଭାବିବେ ଲୋକେ ? ପୁଣି ଥରେ ବିଶ୍ଳେଷଣର ବଳୟ ଭିତରେ ପରୀକ୍ଷିତ ବାବୁ । ଏ ସିଂହ କଣ ଏତେ ଉପକାର କରିଥିଲା । ଗୋଟେ ବାପା ମାଆଠୁ ଅଧିକ? ସ୍ୱପ୍ନରେ ବି ଦେଖି ନ ଥିବା ସେ ଆମେରିକାର
ପ୍ରାଚୁର୍ଯ୍ୟ ନଗରୀଟା ଆଖି ଆଗରେ ଜଳ ଜଳ ହୋଇ ଅନୁମାନ କରି ହୁଏ । ଏତେ ବୈଭବ ଆଜି ତାକୁ କିଏ ଦେଇଛି । କେତେ ଧାର ଉଧାର କରି କୋଉ ମାସରେ କଣ ତାର ସ୍କୁଲ ଫିସ ବନ୍ଦ
କରିଥିଲି? କାହା ଲାଗି ଆଜି ଏତେ କରଜରେ ବୁଡ଼ିଚି? ଆଜି ମତେ ପଇସାର ହିସାବ ବତାଉଚି ।
ଏମିତି ବିଭିନ୍ନ ଦୁଶ୍ଚିନ୍ତାରେ ଛଟପଟ ପରୀକ୍ଷିତ ବାବୁ । ସମୟର ଚକ ତଳେ ଯନ୍ତ୍ରଣାର ଦିନ କେତୋଟି କଟି ଯାଉଥାଏ । ହେଲେ କେତେଦିନ ଏମିତି କାଳ ରାତି ଭିତରେ ପ୍ରମାଦ ଗଣୁ ଥିବେ, ମୁଣ୍ଡ ଉପରେ ଯେପରି ଛଞ୍ଚାଣ ପଲ ପଲ ହୋଇ ଉଡୁଚନ୍ତି । ଚିନ୍ତା ଅଧିକରୁ ଅଧିକ ଶରୀରକୁ ଜାବୁଡ଼ି ଧରୁଚି । କାନ୍ଥ ଘଡ଼ିର ଟିକ୍ ଟିକ ସୁର ଶାବଳ ପିଟିଲା ପରି ଲାଗୁଚି । ଶ୍ୱାନ କେତେଟାଙ୍କର ରଡ଼ି ଅଧିକ ବ୍ୟତି ବ୍ୟସ୍ତ କରି ପକାଉଛି । ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା କେବଳ କଡ ଲେଉଟାଉଚି । ତା ଭିତରେ କେତେବେଳେ ଝଲସି ଗଲା ପୂର୍ବ ଦିଗ । ଘଣ୍ଟା ଚକଟାର ରାତିଟା କୌଣସି ପ୍ରକାରେ ସରି ଯାଇଚି । ଆଜି ସୂର୍ଯ୍ୟଙ୍କ କିରଣ ଅଧିକ ତେଜୀୟାନ୍ ଦିଶୁଛି । ଅଧା ବୁଜା ଶିଶୁ ସାହିତ୍ୟ ବହିଟି ଟେବୁଲ ଉପରେ ପଡ଼ି ରହିଛି । ତା ଉପରେ ଆଶ୍ରୟ ନେଇଛି ଗୋଲେଇ ଚଷମା । କେତେ ଆଉ ବିଶ୍ଳେଷଣ କରୁଥିବେ? ଦାଣ୍ଡ ଦୁଆରୁ ଘର ଭିତରକୁ ଆସୁ ଥିଲା ଏକ ଜଣାଶୁଣା ଚେହେରା । ଗାଁର ଶେଷ ମୁଣ୍ଡରେ ବୋଧହୁଏ ତାର ଘର । ଏବେ କିନ୍ତୁ ଯଥେଷ୍ଟ ବଡ଼ ହୋଇ ଗଲାଣି ଝିଅଟି । ବୟସ ତ ହୋଇ ଗଲାଣି,ପରୀକ୍ଷିତ ମଉସାଙ୍କ ସ୍ମୃତି ଶକ୍ତି କମି ଗଲାଣି । ଆଉ ତାର ନାଁ ମନେ ପଡୁନି ।
ତେବେ ସେ ଝିଅଟି କବାଟକୁ ଆସି ଠକ୍ ଠକ୍ କଲା ।
- ମଉସା, ଆପଣ ରାଜି ହୋଇଲେ ମୁଁ ଏକ ପ୍ରସ୍ତାବ ଦେବି ।
- କଣ,କହୁନୁରେ ମାଆ ।
- ଆପଣ ଯଦି ରାଜି ହୁଅନ୍ତେ, ତେବେ ଆମେ ଆପଣଙ୍କ ସାମ୍ନା ପଟୁ କେତେଟା ରୁମ୍ ନେଇ ଅଫିସ କରନ୍ତୁ । କମ୍ପ୍ୟୁଟର ରୁମ୍ କରନ୍ତୁ । ପ୍ରତି ମାସରେ ପଇସା ଦବାରେ ମୋଟେ ଅବହେଳା କରିବିନି ମଉସା ।
(ଅଜଣା ପୁଲକରେ ଶିହରୀ ଉଠିଲା ପରୀକ୍ଷିତ ମଉସାଙ୍କ ଦେହ । ଆକଣ୍ଠ ଖୁସିକୁ ମନେ ମନେ - - ହଁରେ ମା,ଏଥିରେ ନାରାଜ ହେବାର କଣ ଅଛି? କିଏ ଅଛିରେ ମାଆ ଆମ ଘରେ, ଆମେ ଖାଲି ବୁଢ଼ା ବୁଢ଼ୀ ଦୁଇଟା, ଆସୁନ । ଆମ ଘରଟା ହେଲେ ଟିକେ ଘର ପରି ଲାଗିବ । ପିଲା ମାନେ ନାତି ନାତୁଣୀ ସବୁ ବାହାରେ,କୋଉ ଅକାଳେ ସକାଳେ କିଏ ଆସୁଚି ଯେ ।
- ହଉ ମଉସା ଧନ୍ୟବାଦ୍ ।
- ଆରେ ମାଆ ତୋ ନାଁଟା ମୋର ମନେ ପଡୁନି ରେ ।
- ମିନାକ୍ଷୀ ।
- ହଁ ହଁ ହଁ,,,,
ପୁଣି ଥରେ ବିଶ୍ଳେଷଣର ବଳୟ ଭିତରେ ପରୀକ୍ଷିତ ବାବୁ । ଏ ଝିଅଟି ବୋଧହୁଏ ଆମ ଘର କଥା କାହାଠୁ ଶୁଣିଛି?ନହେଲେ ଏମିତି ଦେବଦୂତ ସାଜି କାଇଁ ଆସିଥାନ୍ତା?ହଉ ଯାହା ହେଲା ଭଲ ହେଲା । ସୁଅ ମୁହଁରେ ପତରଟେ ପରି ସାମାନ୍ୟ ଚିନ୍ତା ମୁଣ୍ଡରୁ ଓହ୍ଲାଇ ଗଲା । ହେଲେ ଏ ଏମିତି କେତେ ଟଙ୍କା ଦବ?ଏ ତ ସମୁଦ୍ରକୁ ଶଙ୍ଖେ! ତଥାପି ମଣିଷ ମନରେ ଆଶା ଟିକେ ତ ଅଛି । ଦେଖିବା କଣ ହଉଚି! ପୁଣି,ଥରେ ଦେବ ଦୂତ ମିନାକ୍ଷୀ ।
- ମଉସା, ମୁଁ ଜାଣିଚି ଆପଣ ବହୁତ୍ ଧାର କରଜରେ ବୁଡିକି ଅଛନ୍ତି । ପ୍ରଥମ ମାସର ଟଙ୍କା ମୁଁ ଆପଣଙ୍କୁ ଦେଇ ଦଉଚି ଆପଣ ବ୍ୟାଙ୍କ ଋଣ ଶୁଝିବା ଆରମ୍ଭ କରନ୍ତୁ ।
କୃତ୍ୟ କୃତ୍ୟ ହୋଇ ଗଲେ ପରୀକ୍ଷିତ ମଉସା,କାହିଁକି ସାରା ଦୁନିଆଁକୁ ଅବିବେକୀ ବୋଲି କହିବା?କାହିଁକି କହିବା ଯେହଜି ଯାଇଚି ମାନବିକତା,କେତେ ହୃଦୟରେ ଏମିତି ଲୁଚି ରହିଛି ମାନବିକତା । ସେ ଝିଅଟି ଭିତରେ ଥିବା ମାନବିକତାକୁ ହୃଦୟରୁ କୃତଜ୍ଞତା ଜଣାଉଥିଲେ ପରୀକ୍ଷିତ ମଉସା । ( ଭଗବାନ୍ ତୋର ମଙ୍ଗଳ କରନ୍ତୁ ଲୋ ଝିଅ)
ପୁଣି ଥରେ ବିଶ୍ଳେଷଣର ବଳୟ ଭିତରେ ପରୀକ୍ଷିତ ବାବୁ କାହିଁକି ଏ ଦୁନିଆଁରେ ସମସ୍ତେ ଏତେ ପୁଅ ପୁଅ ହୁଅନ୍ତି କେଜାଣି? ଝିଅଟେ ହେବ ଯଦି ଜଣା ପଡିଲା ତେବେ ତାକୁ ପେଟ ଭିତରୁ ବିଦା କରିଦିଅ । ଆଉ ପୁଅ ଟିଏ ହେଲେ କେତେ ମାନସିକ,ଲକ୍ଷେ ଚମ୍ପା ଚଢ଼େଇବି,ବାଳକ ଭୋଜିଟିଏ କରିବି ଇତ୍ୟାଦି,କଣ ପାଇଁ?ଏ ବୟସର ଅପରାହ୍ନରେ ବାର ଦୁଆର ଶୁଣ୍ଢି ପିଣ୍ଡା ହବା ପାଇଁ????? ଚିନ୍ତାର ପାହାଡ଼କୁ ପିଠିରେ ଲଦି ଲଦି ଛଟ ପଟ ହୋଇ ଜଳନ୍ତା ଜୁଇ ପର୍ଯ୍ୟନ୍ତ ଘୁଷୁରି
ଘୁଷୁରି ଯିବା ପାଇଁ????ଝିଅ ଟିଏ ହେଲେ ଚିନ୍ତା ମାଡ଼ି ବସେ ଏତେ ଜାନିଯଉତକ ଦେଇ କଣ ଝିଅ ବିଦା କରିହେବ?
- କିନ୍ତୁ ସେଇ ଚିନ୍ତା ଗ୍ରସ୍ତ ମନ ଧୀରେ ଧୀରେ ହାଲୁକା ହେବାକୁ ଲାଗିଲା । ଦିନକୁ ଦିନ ବାର୍ଦ୍ଧକ୍ୟର ଯନ୍ତ୍ରଣା ବଢ଼ିବାକୁ ଲାଗୁଥାଏ, ଦେବ ଦୂତ ସାଜି ଆସି ଥିବା ଝିଅଟି କରଜର ତାଲିକା ମାଗିଲା ମଉସାଙ୍କୁ । ଏତେ କମ୍ ଦିନରେ ସେ ଖୁବ୍ ବିଶ୍ୱାସୀ ହୋଇ ଗଲା ପରୀକ୍ଷିତ ବାବୁଙ୍କ ର । ମନ ଭିତରେ ଖାଲି ଖୁସିର ଲହରୀ,ମିନାକ୍ଷୀର ଅଫିସ ମଧ୍ୟ ଦ୍ରୁତ ଉନ୍ନତିର ପଥ ରେ । ସବୁ ଦାୟିତ୍ଵ ସେ ପରୀକ୍ଷିତ ବାବୁଙ୍କଠୁ ନେଇ ଗଲା ।
(ପରୀକ୍ଷିତ ବାବୁଙ୍କର ଶେଷ ଇଚ୍ଛା ଓ ଅନୁରୋଧ ରକ୍ଷା କଲା ମିନାକ୍ଷୀ,ନିଜର ଅନିଚ୍ଛା ସତ୍ତ୍ୱେ ସୁନ୍ଦର ଚିତ୍ରିତ ରଙ୍ଗ ବେରଙ୍ଗ ଅକ୍ଷରରେ ଘରର ଶୀର୍ଷରେ ଠିଆ କଲା ନାମ ଫଳକ ଟିଏ
ମିନାକ୍ଷୀ କାର୍ଯ୍ୟାଳୟ)
ଟେବୁଲ୍ ଉପରେ ଦର ବୁଜା ଶିଶୁ ସାହିତ୍ୟ ବହିଟି । ତା ଉପରେ ଆଶ୍ରୟ ନେଇଛି ଗୋଲେଇ ଚଷମା । ବିଶ୍ଵସ୍ତ ମୂଷା ପିଲାଟି ମଣିମା ମଣିମା ଡାକ ଛାଡ଼ି ପଡି ଉଠି ଦୌଡୁଛି, ଯନ୍ତାରେ ପଡି ଛଟ ପଟ ପଶୁରାଜ, ବିଳମ୍ବେ ମୂଷା ପିଲା ପହଞ୍ଚି ଯାଏ,ଟିକ ଟିକ କରି ଯନ୍ତାଟିକୁ କାଟି ପକାଏ ।
ପୁନଶ୍ଚ ବିଶ୍ଳେଷଣର ବଳୟ ଭିତରେ ପରୀକ୍ଷିତ ବାବୁ । ଆତ୍ମୀୟତାର ସଂଜ୍ଞା କଣ ହୋଇ ପାରେ? କିଏ ଏ ସଂସାରରେ ନିଜର?କେବଳ ମାନବିକତା ଶବ୍ଦଟି ବୋଧହୁଏ ସମସ୍ତଙ୍କୁ ନିଜର
କରି ରଖି ପାରେ । ଖାଲି ପରୀକ୍ଷିତ ବାବୁ କାହିଁକି? ବାର୍ଦ୍ଧକ୍ୟ ଆସିଲେ ସମସ୍ତେ ଏମିତି ପରୀକ୍ଷିତ ବାବୁଙ୍କ ପରି ହୋଇ ଯାଆନ୍ତି । ବୟସର ଅପରାହ୍ନରେ ସମସ୍ତଙ୍କର ଏଇ ଏକା ପ୍ରକାର ସମସ୍ୟା ।
ତଥାପି,ସେ ବିଶ୍ଳେଷଣ ଭିତରେ ପରୀକ୍ଷିତ ବାବୁ ଖୋଜୁଥିଲେ ପୁତ୍ର ଜନ୍ମର ସାର୍ଥକତା, ପିତୃତ୍ଵର ଦ୍ୱାହି ଦେଇ ଖୋଜୁଥିଲେ ଆଞ୍ଜୁଳାଏ ଆତ୍ମ ତୃପ୍ତି ।