Rajalakshmi Raj

Others

4  

Rajalakshmi Raj

Others

ବିବଶତାର ଖୁସି

ବିବଶତାର ଖୁସି

2 mins
480


  ସକାଳେ ବାଲକୋନୀରେ ବସି ପେପର୍ ପଢ଼ିଲା ବେଳେ ସାମ୍ନା ବାରଣ୍ଡାରେ ଥିବା ଚଉଁରା ଆଡକୁ ଆଖି ଆପେ ଟାଣି ହୋଇଯାଏ। ମୋର ଏହି ଗୋଟିଏ ବର୍ଷର ରହଣି କାଳ ମଧ୍ୟରେ ମାଳତୀ ଦେବୀଙ୍କୁ ଦେଖିବା ଯେମିତି ନିତିଦିନିଆ ଅଭ୍ଯାସ ହେଇଯାଇଥିଲା। ଘଣ୍ଟା କଣ୍ଟାରେ ସାତ ବାଜୁ ନବାଜୁ ମାଳତୀ ଦେବୀଙ୍କ ପୂଜା ଘଣ୍ଟି କିନ୍ତୁ ବାଜି ଯାଉଥିଲା। ସେଥିରେ ଆଜି ଯାଏଁ କେବେ ଏପାଖ ସେପାଖ ହୋଇନି। କିନ୍ତୁ!! ଆଜି!! ଏ କଣ? ସେ ଏବେଯାଏଁ ପୂଜା ପାଇଁ କେମିତି ଆସିନାହାନ୍ତି?

କିଛି ସମୟ ଅପେକ୍ଷା ପରେ ମୁଁ ଭିତରକୁ ଚାଲି ଆସିଲି ମୋ ଦୈନନ୍ଦିନ କାର୍ଯ୍ୟାରମ୍ଭ ପାଇଁ। ଏମିତି ହିଁ ଦୁଇ /ତିନି ଦିନ ବିତିଗଲା, କିନ୍ତୁ ମାଳତୀ ଦେବୀ ବାହାରି ନଥିଲେ ଘରୁ। ସେଦିନ ମୋ ମନ ଆଉ ସମ୍ଭାଳି ପାରିଲାନି। ଶୀଘ୍ର ଶୀଘ୍ର କାମ ସାରି ବାହାରି ପଡ଼ିଲି ମାଳତୀ ଦେବୀଙ୍କ ଘରକୁ।

  ଘରକୁ ଯାଇ ଦେଖେ ତ ମାଳତୀ ଦେବୀ ବିଛଣାରେ। ତିନି ଦିନ ହେବ ଦେହ ଅସୁସ୍ଥ। ସ୍ୱାମୀଙ୍କ ଦେଖାରେଖାରେ ସାମାନ୍ୟ ସୁସ୍ଥ ହେଇ ଆସିଲେଣି। ତାଙ୍କୁ ଦେଖି ମନ ଟିକେ ଆଶ୍ୱସ୍ତ ହେଲା। କିଛି ସମୟ ତାଙ୍କରି ପାଖେ ବସିଗଲି।କଥା ହଉ ହଉ ଜାଣିବାକୁ ପାଇଲି ବିଚାରି ଏକମାତ୍ର ପୁଅକୁ ଭାରି ମନେ ପକାନ୍ତି। 

  ହଁ, କେଉଁ ମା' ଅବା ତା ଛୁଆକୁ ମନେ ନ ପକାଏ ଯେ। ମା ପାଇଁ ନିଜ ସନ୍ତାନ ହିଁ ତ ସବୁକିଛି। ତାରି ଖୁସିରେ ସେ ଖୁସି, ତା ଦୁଃଖରେ ଦୁଃଖୀ। ମାଳତୀ ଦେବୀ କିଛି ଭିନ୍ନ ନଥିଲେ। ଗୋଟେ ବୋଲି ପୁଅ ଯେତେବେଳେ ମାଆଙ୍କର ଅଧିକ ଝୁରି ହେବାଟା ସ୍ୱାଭାବିକ ଥିଲା । 

  ସୁଦୂର ଆମେରିକାରେ ରହନ୍ତି ମାଳତୀ ଦେବୀଙ୍କ ପୁତ୍ର, ନିଜର ଛୋଟ ପରିବାର ସହ। ଦୀର୍ଘ ପନ୍ଦର ବର୍ଷ ହେବ ସେ ସେଠାରେ ରହି ଆସୁଛନ୍ତି। ପୁଅ ଝିଅ ସେଠାରେ ପାଠ ପଢ଼ନ୍ତି। ବର୍ଷକୁ ଥରେ ଏଠାକୁ ଆସି କିଛି ଦିନ ମା ବାପାଙ୍କ ସହ ରହି ପୁଣି ଚାଲି ଯାଆନ୍ତି ନିଜ କର୍ମସ୍ଥଳକୁ।

ଏହିପରି ଚାଲି ଆସିଛି ଦୀର୍ଘ ପନ୍ଦର ବର୍ଷ ହେବ। ପୁଅ ବହୁତ ଚେଷ୍ଟା କରିଛନ୍ତି ମା ବାପାଙ୍କୁ ନିଜ ପାଖକୁ ନେଇଯିବାକୁ। ପରେ ଯିବି କହି ସବୁବେଳେ ଆଡ଼େଇ ଆସିଛନ୍ତି ପୁଅର କଥାକୁ। ନିଜ ଘର, ନିଜ ଲୋକ, ନିଜ ଦେଶ ଛାଡ଼ି ଯିବାକୁ ମାଳତୀ ଦେବୀଙ୍କର କେବେ ଇଚ୍ଛା ହୁଏନି। ଯେଉଁ ଘରକୁ ସେ ସଙ୍ଖା ସିନ୍ଦୁର ପିନ୍ଧି ଆସିଥିଲେ ସେ ସେହି ଘରକୁ ହିଁ ନିଜ ସ୍ଵର୍ଗ କରିନେଇଥିଲେ। 

କଥା ହେବା ସମୟରେ ପୁଅଙ୍କ ଭିଡିଓ କଲ୍ ଆସିଥିଲା ବିଦେଶରୁ। ଭାରି ଖୁସିରେ, ଅସୁସ୍ଥ ଶରୀରର ଦୁର୍ବଳତାକୁ ଘୋଡାଇବାକୁ ଚେଷ୍ଟା କରିଥିଲେ ମାଳତୀ ଦେବୀ। କିନ୍ତୁ ପାରିଲେନି ସେ। ସେପଟୁ ପୁଅ ବି ଦୁଖରେ ଭାଙ୍ଗି ପଡୁଥିଲେ, ମା ପାଖରେ ରହି ନ ପାରିବାର ଦୁଃଖରେ । ଦୁହେଁ ବିବଶ ଥିଲେ ନିଜ ନିଜ ପରିସ୍ଥିତିରେ। କିଛି ସମୟ କଥା ହେଲା ପରେ ମୁଁ ଚାଲି ଆସିଲି। 

  ଦିନ କେଇଟା ପରେ ହଠାତ୍ ଦେଖିଲି ମାଳତୀ ଦେବୀଙ୍କ ବାରଣ୍ଡାରେ ଦୁଇଟି ଛୁଆ ଖେଳୁଛନ୍ତି, ଏପଟ ସେପଟ ଦୌଡ଼ି ଚାଲିଛନ୍ତି, ସେମାନଙ୍କ ପାଟିରେ ଘରଟା ଯେମିତି ଖୁସିରେ ଫାଟି ପଡୁଛି। ମାଳତୀ ଦେବୀଙ୍କ ଚେହେରାରୁ ମାପି ହେଉଥିଲା ତାଙ୍କ ଆନନ୍ଦକୁ। ହଁ, ତାଙ୍କ ପୁଅ ପିଲାମାନଙ୍କୁ ନେଇ ଆସିଯାଇଥିଲେ ଘରକୁ। ଏହି ବିଶ୍ଵବ୍ୟାପୀ ଯେଉଁ ରୋଗ ବ୍ୟାପିଛି, ତାରି କାରଣରୁ ପରିବାର ସହ ଫେରିଛନ୍ତି ଏ ଅସମୟରେ। ସେ ଯାହା ହେଉ ପଛେ ଏତେ ଦିନରେ ଯାଇ ମୁଁ ସେହି ମାଆର ମୁହଁରେ ମନଲାଖି ହସଟିଏ ଦେଖୁଥିଲି। ସମ୍ପୂର୍ଣ୍ଣ ପରିବାରକୁ ପାଖରେ ପାଇ ସମସ୍ତେ ଯେମିତି ଖୁସି ମନାଉ ଥିଲେ। 

  ନିଃସନ୍ଦେହ, ଏ ମହାମାରୀ ମାଳତୀ ଦେବୀଙ୍କ ପରି ଅନେକ ମାଆଙ୍କୁ ଏପରି ନିଆରା ଖୁସି ଭେଟି ଦେଇଛି। ଅହରହ କଳ ପରି ଚାଲୁଥିବା ମଣିଷ ସବୁ ଆଜି ଟିକେ ବିଶ୍ରାମ ନେଇଛନ୍ତି। ପ୍ରକୃତି ଯେପରି ଟିକେ ଶାନ୍ତି ପାଇଛି ଏ କଳ କାରଖାନା, ଗାଡ଼ିଘୋଡ଼ାର ବିକଟାଳ ଶବ୍ଦରୁ। ଏସବୁ ଏ ଭୟଙ୍କର ମହାମାରୀର ଅନ୍ୟ ଏକ ଦିଗ। ଏସବୁ ଅବଶ୍ୟ ବିବଶତାର ପରିଣାମ ହୋଇପାରେ, କିନ୍ତୁ କିଛି ବିବଶତା ଖୁସି ଦିଏ ଯେମିତି ମାଳତୀ ଦେବୀଙ୍କ ପରିବାର ପାଉଛି।


Rate this content
Log in