Manas Das

Children Stories

4.1  

Manas Das

Children Stories

ଭିଡିଓ

ଭିଡିଓ

6 mins
141


ନୂଆବର୍ଷ ହେଉ କି ରଜ ସଂକ୍ରାନ୍ତି ,କୁମାର ପୁର୍ଣିମା ଓଷା ହେଉ କି ଖୁଦୁରୁକୁଣୀ ,ଏକୋଇଶିଆ ପୂଜା ହେଉ କି ଜନ୍ମଦିନ ,ପୂଜା ପର୍ବ ପାଇଁ ପ୍ରସ୍ତୁତ ହେଉ ହେଉ ଗାଁ ର ପିଲାମାନଙ୍କର ଗୋଟିଏ ପ୍ରସ୍ତାବ ଆଉ ଜିଦ , ଏଥର ଭିଡିଓ ଆଣିବା ,ବହୁତ ମଜା ହେବ ।ବାସ ସେତିକିରେ କଥା ଶେଷ।ସମସ୍ତେ ରାଜି ।

 ହଁ ଆଜ୍ଞା ,ଭିଡିଓ ,କେହି କେହି ତାକୁ ମଫସଲିଆ ଭାଷାରେ ଭିଡୁଅ ବୋଲି କହନ୍ତି।ଯେତେବେଳେ କୌଣସି ପର୍ବ ପର୍ବାଣି ପାଖେଇ ଆସୁଥିଲା ,ସେତେବେଳେ ଆମର ଆରମ୍ଭ ହେଇ ଯାଉଥିଲା ଭିଡିଓ ଖୋଜା। ଅମୁକ ଗାଁ ରେ ଅଛି ,ସମୁକ ଗାଁ ରେ ଅଛି ,କେଉଁଠି ସେ ଭିଡିଓ ନାମକ ଯନ୍ତ୍ର ଟିଏ ଅଛି ଖବର ପାଇବାକୁ ଲାଗିଯାଉଥିଲା ପୁରା ଗୋଟେ ସପ୍ତାହ ।କାରଣ ସେ ଯନ୍ତ୍ରଟି କେବଳ ହାତଗଣତି ଚଳିବା ଘରର ଲୋକଙ୍କ ପାଖରେ ଥିଲା । ଯାହାଘରେ ସେ ଭିଡିଓଟି ଅଛି ସମାଜରେ ତାର ସମ୍ମାନ ବହୁତ । ଖୋଜି ଖୋଜି ନୟାନ୍ତ ହେଇସାରିବା ପରେ ,ଯଦି ମିଳିଗଲା ତାହେଲେ ସାଙ୍ଗେ ସାଙ୍ଗେ ବଇନା ଦେବାପାଇଁ ଦିନ ବାର ସ୍ଥିର । ମୁଁ ଟିକେ ସବୁଥିରେ ଆଗଭର ହେଇ ପଡୁଥିଲି ବୋଲି ଗାଁ ର ପିଲାମାନେ ମୋ ଉପରେ ଲଦି ଦେଉଥିଲେ ସବୁଯାକ ଝାମେଲା । ମୁଁ ବି ରେଡି ,ବାପା ବୋଉଙ୍କ ନଜରରୁ ନିଜକୁ ଦୁରେଇ ଦେଇ ନିଜ ପକେଟରୁ ଦଶ କି କୋଡିଏ ଧରି ବାଇସି ଇଞ୍ଚିଆ ବାପାଙ୍କ ହରକୁଲେସ ସାଇକେଲ ଧରି ଧାଉଁଥିଲି ଆମ ଗାଁ ରୁ ଭିଡିଓ ଖୋଜି ।ପଚାରି ପଚାରି ପହଁଚୁଥିଲି ଲକ୍ଷ ସ୍ଥଳରେ ।ଭିଡିଓ ଦୋକାନ ପାଖରେ ପହଞ୍ଚୁ ପହଞ୍ଚୁ ସେଠିକାର ବ୍ୟବସ୍ତା ଭିତରେ ଅପେକ୍ଷା କରିବାକୁ ପଡୁଥିଲା ଘଣ୍ଟା ଘଣ୍ଟା । ଭିଡିଓ ମାଲିକଙ୍କର ଭାଉ ସେତେବେଳେ କାହିଁ ରେ କଣ । ତା ଛଡା ଭାଉ ବି ହେବା ସ୍ୱାଭାବିକ ।

ନୂଆ କରି ଆଧୁନିକତା ର ଆଭାସ ପାଇ ଆସୁଥିବା ମଣିଷ ଟିଏ ସେତେବେଳେ ଖାଲି ଜାଣିଥିଲା ଯେ ମନୋରଞ୍ଜନର ଏକମାତ୍ର ମାଧ୍ୟମ ହେଉଛି ସେହି ଭିଡିଓ । ଯାହାକି ସର୍ବ ସାଧାରଣ ରେ ଖୋଲା ଆକାଶର ନୀଳ ଚାଦର ତଳେ ବାଢି ଦେଉଥିଲା ସମ୍ପର୍କର ନିଆରା ଅନୁଭବ । ଯୋଡି ଦେଉଥିଲା ମଣିଷ ସହିତ ମଣିଷର ଅନ୍ତରଙ୍ଗ ସୁତା ଖିଅଟିଏ। ସେଇଠି ପାଇଁ ହୁଏତ ତାହାର ଚାହିଦା ସେତେବେଳେ କାହିଁରେ କେତେ ଥିଲା ।

ମୋର ଦୋକାନ ଆଗରେ କିଛି ସମୟ ଅପେକ୍ଷା ପରେ ଦୋକାନ ଭିତରୁ ଶୁଭୁଥିଲା ଦୋକାନୀଙ୍କର ପ୍ରଶ୍ନ ହାତରେ ଗୋଟେ ଲମ୍ବା ଗାର ପକା ଖାତା ଓ କଲମ ସହିତ ।ନାଁ କଣ ? ଗାଁ କେଉଁଠି ? କେବେ ନେବ ? କ୍ୟାସେଟ କଣ ? ହିନ୍ଦୀ ନାଁ ଓଡ଼ିଆ ? କେତେଦିନ ରଖିବ ? କେମିତି ନେବ ? କେମିତି ଫେରେଇବ ? ଏଇମିତି କୋଟ କଚେରୀର ଜେରା ଠୁ ବି କମ ନଥିଲା ସେତେବେଳର ସେ ମୁହୂର୍ତ୍ତ । କିଛି ସମୟ ପରେ ପ୍ୟାଣ୍ଟ ର ଭିତର ପକେଟ ରେ ମୋଡି ମାଡି ହେଇ ସାଇତା ହୋଇଥିବା ଦଶ କି କୋଡିଏ ଟଙ୍କିଆ ନୋଟ ଯତ୍ନ ର ସହିତ ବାହାର କରି ବଢ଼େଇ ଦେଉଥିଲି ଦୋକାନୀ ଭାଇଙ୍କ ହାତକୁ ବଇନା ସୁରୂପ ଆଉ ଫେରୁଥିଲି ଗାଁ କୁ ବୀର ଦର୍ପରେ ।ସତେ ଯେପରି ସେଇ ସଙ୍ଗେ ସଙ୍ଗେ ଏକ ବିରାଟ ରାଜ୍ୟ ଜୟ କରି ମୁଁ ଫେରିଛି । ଗାଁ ରେ ପହଞ୍ଚୁ ପହଞ୍ଚୁ ମୋ ପାଖରେ ପିଲା ମାନଙ୍କର ନାହିଁ ନଥିବା ଭିଡ । ସେତେବେଳେ ମୁଁ ବି ଭାଉ ଖାଇ ଖାଇ କହୁଥିଲି ,ଶୁଣ ଅମୁକ ବାରେ ଭିଡିଓ ଆସିବା ଫାଇନାଲ ହେଲା । ସେଦିନ ର ବ୍ୟବସ୍ତା ଯେମିତି କିଛି ବ୍ୟତିକ୍ରମ ନ ହୁଏ । ମୋ ଖାତିର ରେ ମୁଁ ଭିଡିଓ ଆଣିଛି , ବାପରେ ବାପ ସେଠି ଯେଉଁ ଭିଡ ।ଖାଲି ମୁଁ ଯାଇଥିଲି ବୋଲି ସିନା। ସେତିକିରେ ଗାଁ ପିଲା ସବୁ ବୁଝିଯାଉଥିଲେ। କିନ୍ତୁ ପ୍ରକୃତରେ ଯେ ସେଠି ପହଞ୍ଚି ମୁଁ ଯେଉଁ ଡହଳ ବିକଳ ଆଉ ଦହଗଞ୍ଜ ହେଇଚି । ସେକଥା ମୁଁ ବି ଲାଜରେ କହିବାକୁ ପସନ୍ଦ କରେନି । ନ ହେଲେ ମୋ ଇଜ୍ଜତ ଚାଲିଯାଇ ଥାନ୍ତା ନା ।

ତାପରେ ଅପେକ୍ଷା ସେହି ଦିନକୁ ,ଯେଉଁ ଦିନ ଭିଡିଓ ନାମକ ଯନ୍ତ୍ର ଟିଏ ଆସି ଗାଁ ରେ ପହଞ୍ଚିବ। ଦିନ ଗଣୁ ଗଣୁ ସେଦିନ ଆସିଯାଏ ।ସକାଳୁ ସକାଳୁ ଗାଁ ର ପ୍ରତ୍ୟକ ଘରେ ଘରେ ଖୁସି ଓ ଆନନ୍ଦ ର ଲହରୀ । ପୋଖରୀ ତୁଠରୁ ଚୁଲି ମୁଣ୍ଡ ଯାଏ ସବୁଠି ଆଲୋଚନା ।ଘର ର ମହିଳା ମାନଙ୍କୁ ଘରର ପୁରୁଷ ଲୋକମାନଙ୍କର ତାଗିଦ ଆଜି ରାତିର ରୋଷେଇ ଶୀଘ୍ର ହେବା ଦରକାର । ଅର୍ଥାତ ସାତଟା ପୂର୍ବରୁ ହେଲେ ଭଲ । ନ ହେଲେ ବସିବାକୁ ଜାଗା ମିଳିବନି । ଛୋଟ ଛୋଟ ପିଲା ମାନଙ୍କୁ ମା ମାନେ ବୁଝେଇ ଶୁଝେଇ ରାତିରେ ନିଦ ନ ଆସିବା ଆଳ ଦେଖାଇ ଖରାବେଳେ ଜୋର ଜବରଦସ୍ତ ଶୋଇଦେବାରେ ବ୍ୟସ୍ତ ।

ଖରା ଟିକେ ନଇଁ ଆସିଲେ ଗାଁ ମୁଣ୍ଡରେ ପହଞ୍ଚିଯାଏ ରିକ୍ସା ଟିଏ । ମୁହଁରେ ପାଉଡର ଟିକେ ମାରି ଜଣକୁ ସାଥିରେ ଧରି ବାହାରି ପଡୁ ଭିଡିଓ ଆଣିବାକୁ । ବାଟସାରା ରିକ୍ସା ଵାଲା କୁ କହି କହି ଯିବାକୁ ପଡେ । ଶୁଣ ଆସିଲା ବେଳେ ଧୀରେ ଧୀରେ ଆସିବ।ନ ହେଲେ ସେ ଭିଡିଓ ଵାଲା ବିଗିଡିବ। ରାସ୍ତାରେ ଗଲାବେଳେ ଫିଲିମ ର ହିରୋ ଆଉ ଭିଲିଆନ ଙ୍କ ଗପରେ ଗପରେ ରାସ୍ତା ସରିଯାଏ ଆଉ ପହଞ୍ଚି ଯାଉ ଭିଡିଓ ଦୋକାନ ରେ । ଆମକୁ ଅପେକ୍ଷା କରି ରହିଥିବା ଭିଡିଓ ମାଲିକ ଟି ଏକ ରଙ୍ଗୀନ ଟିଭିଟିକୁ ଯତ୍ନର ସହିତ ଏକ ସୁନ୍ଦର ରଙ୍ଗୀନ ବେଡ଼ସିଟ ରେ ଗୁଡ଼େଇଦେଇ ରିକ୍ସାରେ ଆମ ହାତକୁ ଟେକିଦିଏ । ଆଉ କହେ ଧୀରେ ଧୀରେ ଦେଖିକି ଯିବ। ରାସ୍ତା ଯାହା ହେଇଛି ନା

 ଆମେ ବି ପୁରା ପ୍ରସ୍ତୁତ ହେଇକି ବସିଥାଉ ।ଟିକେ ହଲଚଲ ନାଇଁ ।

ତାପରେ ଧୀରେ ଧୀରେ ରିକ୍ସା ଅଗ୍ରସର ହୁଏ ଆମ ଗାଁ ଅଭିମୁଖେ । ରଙ୍ଗୀନ ଟିଭି ର କାଚ ପଟକୁ ପେଟ ଆଉ ଛାତିରେ ଚାପି କୁଣ୍ଢେଇ ବସିବାର ଯେଉଁ ଆନନ୍ଦ ସତେ ଯେମିତି ଗାଁ ରେ ପହଞ୍ଚୁ ପହଞ୍ଚୁ ଗାଁ ଲୋକଙ୍କ ପାଖରୁ ଏକ ସାର୍ଟିଫିକେଟ ମିଳିଯିବ ମୋତେ ।ରାସ୍ତାରେ ଫେରିଲା ବେଳେ ମନ ଭିତରେ ଯେଉଁ ଦମ୍ଭ ଆଉ ସାହସ କହିଲେ ନସରେ। ଦିନେ କାଳେ ଘରକୁ ପାଖ ଟିଉବୱେଲ ରୁ ବାଲଟିଏ ପାଣି ବୋହି ଘରକୁ ଆଣିବାର ଶକ୍ତି ନଥାଇ ମଧ୍ୟ ସେଦିନ ଏକ ଭାରୀ ଢାବଲ ରଙ୍ଗୀନ ଟିଭି କୁ କୋଳରେ କଷ୍ଟେମଷ୍ଟେ ଟେକିରଖିବାର ଦୁଖଦ ଅନୁଭୂତି କେବଳ ମୁଁ ହିଁ ଜାଣୁଥିଲି ।ବାଟରେ ଆସିଲା ବେଳେ ବାଟୋଇ ମାନ ଙ୍କର ପ୍ରଶ୍ନର ଉତ୍ତର ଦେଇଦେଇ ନାକେଦମ । ସମସ୍ତଙ୍କର ଖାଲି ଗୋଟିଏ ପ୍ରଶ୍ନ " କଉ ଗାଁ ରେ ଚାଲିବ ଓ କଉ ଫିଲିମି'

ଏମିତି ଏମିତି ମନ ଆନନ୍ଦରେ ଗାଁ ଛକ ପହଞ୍ଚିଯାଏ । ଗାଁ ଛକରେ ଆମକୁ ପାଛୋଟି ନେବାକୁ ଅପେକ୍ଷା କରିଥିବା ପିଲାମାନଙ୍କର ମୁହଁରେ ଖେଳିଯାଏ ଖୁସିର ଲହରୀ । ହୋ ହୋ ଘୋ ଘୋ ରେ ରିକ୍ସା ପଛେ ପଛେ ଧାଇଁ ଧାଇଁ ଆମକୁ ସ୍ୱାଗତ କରିବା ଢଙ୍ଗରେ ରିକ୍ସାର ଆଗରେ ପଛରେ ବାମରେ ଡାହାଣରେ ଆମକୁ ଘେରି କରି ଚାଲି ଚାଲି ଯାଉଥିଲେ ।ଲାଗୁଥିଲା ଯେମିତି ଆମେ କିଛି ସମୟର ରାଜା ଆଉ ବାଦଶାହ , ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥିବା ଭିଡିଓ ଚାଲିବାର ସ୍ଥାନ ରେ ରିକ୍ସା ପହଞ୍ଚି ଯାଏ ଆଉ ଠିକ ସମୟରେ ମଧ୍ୟ ଭିଡିଓ ଚାଳକ ସାଇକେଲ ଟିଏ ଧରି ପହଞ୍ଚିଯାଆନ୍ତି ।

ଯତ୍ନର ସହିତ ଭିଡିଓ ଟିକୁ ଧରା ଧରି କରି ତଳକୁ ରଖିଦେଇ ସାରିବା ପରେ ଆରମ୍ଭ ହୁଏ ଭିଡିଓ ଚଳାଇବାକୁ ଆସିଥିବା ବାବୁ ଙ୍କର ଚର୍ଚ୍ଚା। ସତେ ଯେମିତି ଅଷ୍ଟମଙ୍ଗୁଳାରେ ଶଶୁର ଘରେ ଜ୍ୱାଇଁ । ସନ୍ଧ୍ୟାବେଳେ ଟିଫିନ ,ତାପରେ ପାନ କୁ ଧୂମପାନ ବ୍ୟବସ୍ଥା। ରାତିରେ ଖାଦ୍ୟରେ ମାଛ ନହେଲେ କୁକୁଡ଼ା ଝୋଳ ଇତ୍ୟାଦିର ବ୍ୟବସ୍ଥା । ସବୁକିଛି ପ୍ରସ୍ତୁତ ହୋଇଥାଏ ପୂର୍ବରୁ । ନହେଲେ ଭିଡିଓ ଚାଳକ ଅସନ୍ତୁଷ୍ଠ ହେଲେ ଭିଡିଓ କୁଆଡେ ଝିଲମିଲ ହେବ ।ଠିକସେ ଛପା ଦେଖା ଯିବନି ।

ସେଇଥିପାଇଁ ଭିଡିଓ ଚାଳକଙ୍କୁ ଖୁସି କରାଇବା ପାଇଁ ଆପ୍ରଣେ ଉଦ୍ୟମ କରାଯାଇଥାଏ ।ଆମେ ମାନେ ତଳେ ବସି ତାଙ୍କ ପାଇଁ ଏକ ଚେୟାରର ବ୍ୟବସ୍ଥା କରିବାକୁ ପଡେ ।

ସନ୍ଧ୍ୟା ସାତଟା ପରେ ପିଲା ମାନଙ୍କ ଭିତରେ ଆରମ୍ଭ ହୋଇଯାଏ ଭିଡିଓ ଆଗରେ ବସିବାର ପ୍ରତିଯୋଗିତା । କିଏ ଅଖା ଖଣ୍ଡେ ଧରି ଯାଗା ରଖିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଉ କେହି କେହି ହେଂସ ଓ ମସିଣା ଧରି ଅଧିକ ଯାଗା ରଖିବାକୁ କସରତ କରିବାରେ ବ୍ୟସ୍ତ । ଏମିତି ଆରମ୍ଭରୁ ହୋ ହାଲା ଲାଗିରହେ କିଛି ସମୟ ପର୍ଯ୍ୟନ୍ତ । ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଚାଳକ ଜଣଙ୍କ ପ୍ରାଥମିକ ପର୍ଯାୟରେ ଭିଡିଓ ରେ ସେଟ କରିଦିଏ ଚିତ୍ରହାର କ୍ୟାସେଟ ,ତାହାପୁଣି ଟିଭିର ଭଲ୍ୟୁମ କୁ ବଢ଼େଇ ଦେଇ ।

ଟିଭି ପରଦାରେ ଆକର୍ଷଣୀୟ ଗୀତ ଓ ନାଚର ମାହୋଲ ଭିତରେ ଘୋ ଘୋ ଶୁଣାଯାଉଥିବା ଲୋକମାନଙ୍କର ପାଟି ଧୀରେ ଧୀରେ ନରମି ଆସେ ଓ ଭିଡିଓ ରେ ଆରମ୍ଭ ହୁଏ ପ୍ରଥମ ଶୋ । ରାତି ବଢି ବଢି ଚାଲେ ।ମୁଣ୍ଡ ଉପରେ ଜହ୍ନର ଝାପ୍ସା ଆଲୁଅ ସାଙ୍ଗକୁ ମୁଣ୍ଡ ଉପରେ ବିଞ୍ଚି ହୋଇ ପଡିଥିବା କାକରର ବିନ୍ଦୁ ଶୂନସାନ ରାତିକୁ ମନୋରଞ୍ଜନ ରେ ବାନ୍ଧି ରଖୁଥିଲା ସମସ୍ତଙ୍କୁ ରାତିସାରା । ମଝିରେ ମଝିରେ ଘନିଆ ଜେଜର ରହେମୁତୁଲା କମର ଅଲ୍ଲୀ ବିଡ଼ିର ଧୂଆଁ ରେ ଅତିଷ୍ଠ ହେଇ ପଛରୁ ଡାକ ଶୁଭୁଥିଲା ହୋ ।।ହୋ । ସେ ଶଳା ବୁଢାକୁ ଉଠେଇ ଦିଅ ହୋ । ବସେଇ ଦେବନି ଆମକୁ ।

ଟିକେ ପରେ ଟିକେ ମୋତିଆରି ପତ୍ରର ସତେଜ ଛିପ ଉପରେ ଭୁଲରେ ହାତ ପକେଇଦେଇ ମେଁକି ନାନୀର ଯେଉଁ ଅଚଞ୍ଛା ଗାଳି କାନରେ ଗୁଳି ଭଳି ପସିଯାଉଥିଲା ଟାଇଁ ଟାଇଁ। ଛୋଟ ଛୋଟ ଖପରା କାତି ବି ମଝିରେ ମଝିରେ ମୁଣ୍ଡରେ ବାଜୁଥାଏ । କିଏ ପକାଉଛି ,କେଉଁଠୁ ଆସୁଛି ,ସେଥିପାଇଁ ବି ମହାଭାରତ ସୃଷ୍ଟି ହୁଏ । କେବଳ ବୟସ୍କ ଗୁରୁଜନ ମାନଙ୍କର ଉପସ୍ଥିତି ପରିବେଶକୁ ଶୃଙ୍ଖଳିତ କରି ରଖେ । ସେପଟେ ଟିଭି ପରଦା ଭିତରେ କୁନ୍ତ୍ରିମ କାହାଣୀର କ୍ଳାଇମାକ୍ସ ସାଙ୍ଗକୁ ଟିଭି ପରଦା ବାହାରେ ଏହିଭଳି ଛୋଟ ମୋଟ ପ୍ରାକୃତିକ କାହାଣୀ ବେଶ ଆମୋଦ ଦେଉଥିଲା ଆମକୁ ।

ପୂର୍ବ ନିର୍ଦ୍ଧାରିତ ତିନୋଟି କ୍ୟାସେଟ ସରିଗଲା ପରେ ରାତି ପାହିଯାଏ। ରାତି ଅନିଦ୍ରାରେ ଅସ୍ତବ୍ୟସ୍ତ ହୋଇ ପୁଣି ଟିଭି କୁ ଯଥା ସ୍ଥାନରେ ପହଞ୍ଚାଇବାକୁ ବ୍ୟବସ୍ଥା କରିବାକୁ ପଡେ । ପୁଣି ସେହି ରିକ୍ସା ଆସି ପହଞ୍ଚି ଯାଏ ଆଉ ସମାନ ଢଙ୍ଗରେ ଭିଡିଓ ଟିକୁ ଫେରାଇବାକୁ ଯାଉ ।

ଭିଡିଓ ନାମକ ସେହି ଯନ୍ତ୍ରକୁ ମେଲାଣି ଦେବାକୁ ଆମ ପଛେ ପଛେ ଗାଁ ଛକ ଯାଏ ପିଲାମାନେ ରିକ୍ସାକୁ ଠେଲି ଠେଲି ଆମକୁ ବିଦାୟ ଦିଅନ୍ତି ମନ ଦୁଃଖରେ ।ଭିଡିଓ ଟିକୁ ଯତ୍ନର ସହ ଫେରାଇ ଦେଇ ଆସିବା ପରେ ଗାଁ ରେ ପହଞ୍ଚୁ ପହଞ୍ଚୁ ଛୋଟଠାରୁ ବଡ ପର୍ଯ୍ୟନ୍ତ ପଚାରି ବସନ୍ତି 


 ପୁଣି କେବେ ଆସିବ ଆମ ଗାଁ କୁ ଭିଡିଓ ।



Rate this content
Log in

More oriya story from Manas Das