Dharitri Mallick

Others

4.8  

Dharitri Mallick

Others

ଭାଇ-ଭଉଣୀ

ଭାଇ-ଭଉଣୀ

3 mins
7.7K


ଭାଇ-ଭଉଣୀ

ଧରିତ୍ରୀ ମଲ୍ଲିକ

     ଜଣେ ବଡଭାଇ ଆଉ ଗୋଟେ ଛୋଟ ଭଉଣୀ ଥିଲେ । ସେ ଦୁଇଜଣଙ୍କ ମଧ୍ୟରେ ବହୁତ ସ୍ନେହଶ୍ରଦ୍ଧା ଥିଲା । ବଡଭାଇ ସବୁବେଳେ କାର୍ଯ୍ୟବ୍ୟସ୍ତ ଥାଆନ୍ତି । ହେଲେ ସାନଭଉଣୀ ପାଇଁ ଯେମିତି ହେଲେ ଅଳ୍ପ ସମୟ ବାହାର କରନ୍ତି । ସାନଭଉଣୀଟି ସବୁବେଳେ ବଡଭାଇଙ୍କୁ ପ୍ରଶ୍ନ ପଚାରି ପଚାରି ବିରକ୍ତ କରିଦିଏ । ବହୁତ ସମୟ ପର୍ଯ୍ୟନ୍ତ ବଡଭାଇଙ୍କ ସାଙ୍ଗରେ ସେ ସବୁଦିନ କଥା ହୁଏ । ଏମିତିକି କି ସକାଳେ କି ଦିନରେ, କି ସନ୍ଧ୍ୟାରେ କି ରାତିଅଧରେ... କିଛି ତା'ର ସମୟଜ୍ଞାନ ନଥାଏ । ସାନଭଉଣୀଟି ଜାଣିଥାଏ ବଡଭାଇ ଅଫିସ କାମରେ ବ୍ୟସ୍ତ ରୁହନ୍ତି, ତଥାପି ଅଫିସ ସମୟରେ ମଧ୍ୟ ଡିଷ୍ଟର୍ବ କରିଦିଏ । ଛୋଟପିଲାମାନେ ଯେତିକି ପ୍ରଶ୍ନ ସବୁଥିରେ କରନ୍ତି, ଠିକ ସେହିପରି ସାନଭଉଣୀଟି ଯେତେ ବଡ ହୋଇଗଲେ ମଧ୍ୟ ସେମିତି ଅସଂଖ୍ୟ ପ୍ରଶ୍ନ ପଚାରେ । ବଡଭାଇଟି ଜାଣିବାକୁ ଇଚ୍ଛା କରନ୍ତୁ କି ନକରନ୍ତୁ, ସେ ସବୁ ଖବର, ସବୁ ଘଟଣା ଆଉ ସବୁ କଥା ସେ ବଡଭାଇଙ୍କୁ ଜଣାଏ... ସାନଭଉଣୀ ସେମିତି ବକର ବକର ହୁଏ ।

     ବଡଭାଇଙ୍କୁ ସେ ଏତେ ସ୍ନେହ କରେ ଯେ, ସେ ଭୁଲିଯାଏ କ'ଣ ପଚାରିବା କଥା ଉଚିତ ଆଉ ଅନୁଚିତ । ସେ ତା'ର ବଡଭାଇଙ୍କ ଭିତରେ ଏକ ସାଙ୍ଗ ମଧ୍ୟ ଦେଖେ । ହେଲେ ବଡଭାଇ ସବୁବେଳେ ଡିଷ୍ଟର୍ବ ହେବା ଯୋଗୁ ତାକୁ ଖାଲି ହଁ ଆଉ ନା ରେ ଜବାବ ଦେଲେ, ଯାହାକି ସାନଭଉଣୀକୁ ବହୁତ ବାଧିଲା ଆଉ ସେ ବଡଭାଇଙ୍କର ଅଧେ କଥା ମଧ୍ୟ ବୁଝିପାରିନି; ତଥାପି ବୁଝିବାକୁ ଚେଷ୍ଟା କରେ । ଏଭଳି ଅବସ୍ଥାରେ ବେଳେବେଳେ କଳିଗୋଳ ଓ ଝଗଡା ମଧ୍ୟ ହୋଇଯାଏ । ହେଲେ ବଡଭାଇ ସବୁକଥାକୁ ହାଲକା ଭାବେ ନେଉଥିଲେ ମଧ୍ୟ ସାନଭଉଣୀଟି ନେଇପାରେନି ।

     ଧୀରେ ଧୀରେ ସାନଭଉଣୀଟି ବଡଭାଇଙ୍କୁ ଡିଷ୍ଟର୍ବ କରିବା କମାଇଦେଲା । ଆଉ ଆଗ ଭଳି ଲମ୍ବା ଲମ୍ବା ଚିଠି ନଲେଖି ଛୋଟ ଛୋଟ ଚିଠି ଲେଖିଲା । ତା'ପରେ ସେ ଛୋଟ ଚିଠିକୁ ବି ଆହୁରି ଛୋଟ ଛୋଟ କରିଦେଲା । ତା'ପରେ ଖାଲି ହଁ ଆଉ ନା ରେ କଥା ହେଲା । ଏମିତି କେତେଦିନ ପରେ ଭଉଣୀଟି ସେତକ ବି ବନ୍ଦ କରିଦେଲା । ହେଲେ ବଡଭାଇ କିଛି ଜାଣିପାରିଲେନି ଯେ, ତାଙ୍କ ସାନଭଉଣୀ ନିଜକୁ ଧୀରେ ଧୀରେ କରି ଏତେ ଛୋଟ କାହିଁକି କରିଦେଲା ?

     ବହୁତ ସମୟ ଏମିତି କେତେମାସ ବିତିଗଲାପରେ ଦେଖିଲେ ଆଉ ତାଙ୍କର ସେଇ ଛୋଟ ଭଉଣୀଟି କିଛି ବି କହୁନାହିଁ କି ତାଙ୍କୁ ଆଉ କାମରେ ଆଗ ଭଳି ଡିଷ୍ଟର୍ବ କରୁନାହିଁ । ଆଉ ଆଗ ଭଳି କିଛି ବି ଅଝଟ ଅଳି ମଧ୍ୟ କରୁନାହିଁ । ସାନଭଉଣୀଟି ଧୀରେ ଧୀରେ ନିରବ ହୋଇଗଲା । ଆଉ କିଛି ବି କଥା ହେଲାନାହିଁ ।

     ଦିନେ କିନ୍ତୁ ଏସବୁର କାରଣ ଜାଣିବା ପାଇଁ ଭଉଣୀକୁ ଚିଠି ଲେଖିଲେ ବଡଭାଇ । "କ'ଣ ହୋଇଛି ତୁମର ? କାହିଁକି କଥା ହେଉନ ? ଭଲ ଅଛ କି ନାହିଁ ?" ବାସ, ତା'ପରେ ଭଉଣୀଟି ଆଉ ନିଜକୁ ସମ୍ଭାଳି ନପାରି ଉତ୍ତର ଦେଲା ।

     "ଭାଇ, ମୁଁ ସବୁବେଳେ ତୁମ କାମରେ ଡିଷ୍ଟର୍ବ କରୁଥିଲି । ଯେତେବେଳେ ବହୁତ ପ୍ରଶ୍ନ ପଚାରେ, ସେତେବେଳେ ତୁମେ ମୋ ଉପରେ ବିରକ୍ତ ହୁଅ । ଯାହା କଥା ହେଲାବେଳକୁ ଝଗଡା ହେଇଯାଉଛି । ମୁଁ ବୟସରେ ତୁମଠାରୁ ବହୁତ ସାନ ହୋଇଥିବାରୁ ବହୁତ କିଛି କଥା ବୁଝିପାରେନି । ମୁଁ ସେଥିପାଇଁ ବହୁତ ପ୍ରଶ୍ନ କରେ । ତା ମାନେ ନୁହେଁ ଯେ ମୁଁ କିଛି ତୁମ ବିଷୟରେ ତନାଘନା କରୁଛି କିମ୍ବା ମୁଁ ତୁମ ଲାଇଫରେ କିଛି ହସ୍ତକ୍ଷେପ କରିବାକୁ ଚାହୁଁଛି । ମୁଁ ସେମିତି କେବେ ଦିନେ ଚିନ୍ତା ମଧ୍ୟ କରିନି । ମୁଁ ଆଉ ତୁମ ଲାଇଫରେ କେବେ ବି କୌଣସି ପ୍ରକାର ହସ୍ତକ୍ଷେପ କରିବି ନାହିଁ । ଈଶ୍ୱରଙ୍କ ନିକଟରେ ମୁଁ ସବୁବେଳେ ତୁମର ମଙ୍ଗଳ କାମନା କରୁଥିବି । ଭାଇ, ତୁମେ ସବୁବେଳେ ହସଖୁସିରେ ରୁହ । ମୁଁ ଆଉ ବେଶୀ କିଛି ଚାହୁଁନି । ତୁମେ ମୋତେ ଏଇ ଅଳ୍ପଦିନରେ ଯେତିକି ସ୍ନେହ-ମମତା ଦେଇଛ, ତାହା ହିଁ ମୋର ସୁନ୍ଦର ସ୍ମୃତି ହୋଇ ସବୁଦିନେ ରହିଥିବ । ରହିଲି..."

( ଇତି ତୁମର ବୋକୀ ଭଉଣୀ )

     ଏତିକି ଉତ୍ତର ଚିଠିରେ ପଢି ବଡଭାଇ ଭୋ'ଭୋ' ହୋଇ କାନ୍ଦିଲେ । ଆଉ ତା'ପରେ ସଂଗେସଂଗେ ଭଉଣୀକୁ ଦେଖା କରିବାକୁ ଦୌଡ଼ିଗଲେ । ହେଲେ ଭଉଣୀଟି ତା'ର ପୁରୁଣା ରୋଗରେ ବିଛଣାରେ ପଡିଛି । ଭାଇଙ୍କୁ ହଠାତ ଦେଖି ସାନଭଉଣୀଟି ସ୍ତମ୍ଭୀଭୂତ । ବଡଭାଇ ସାଙ୍ଗେସାଙ୍ଗେ ସାନଭଉଣୀର ହାତ ଧରି କହିଲେ, "ତୁମେ ତୁମର ବଡ଼ଭାଇକୁ ସବୁବେଳେ ଭୁଲ ବୁଝିଲ । ଆରେ ବୋକୀ ! ସେଇ କଳି-ଝଗଡ଼ାରେ କେତେ ଯେ ଆନନ୍ଦ ଥାଏ, ତୁମେ କ'ଣ ବୁଝିପାରିଲନି ? ଆଉ ତୁମେ ମୋତେ ମୋ କାମରେ ଡିଷ୍ଟର୍ବ କରନି । ତୁମେ ମୋତେ ଡିଷ୍ଟର୍ବ ନକଲେ ହିଁ ମୁଁ ଡିଷ୍ଟର୍ବ ହୋଇଯାଏ । ତୁମେ ମୋର ଖାଲି ବୋକୀ ଭଉଣୀ ନୁହଁ । ତୁମେ ମୋର ଅତି ପ୍ରିୟ ଅବୁଝା ଭଉଣୀ ଆଉ ସୁନା ଭଉଣୀ ମଧ୍ୟ ।" ଏହା ଶୁଣି ଭଉଣୀଟି ମଧ୍ୟ ଭାଇଙ୍କୁ ଧରି ବହୁତ କାନ୍ଦିଲା । ତା'ପରେ ଦୁଇଜଣଙ୍କ ଭିତରେ ଆଉ କିଛି ଅବୁଝା ରହିଲାନି ।

     ଏହି ଗପଟିରେ ବଡଭାଇ ଆଉ ସାନଭଉଣୀ ପ୍ରକୃତ ରକ୍ତସମ୍ପର୍କର ଭାଇ-ଭଉଣୀ ନଥିଲେ ମଧ୍ୟ ଭାଇ-ଭଉଣୀଙ୍କର ଏପରି ସ୍ନେହ ଆଉ ପବିତ୍ର ସମ୍ପର୍କ ଆଉ କେଉଁଠି ଦେଖିବାକୁ ମିଳିବ ? ଏ ସମ୍ପର୍କ ଥିଲା ପବିତ୍ର ହୃଦୟର ସମ୍ପର୍କ ଆଉ ଆତ୍ମାର ସମ୍ପର୍କ । ହୃଦୟର ସମ୍ପର୍କ ସବୁବେଳେ ବଞ୍ଚିଥାଏ ।

*****


Rate this content
Log in

More oriya story from Dharitri Mallick