ଅପେକ୍ଷାଶିବେନ୍ଦୁ ସାରସ୍ଵତ ପଣ୍ଡା
ଅପେକ୍ଷାଶିବେନ୍ଦୁ ସାରସ୍ଵତ ପଣ୍ଡା
କିଛି ବର୍ଷ ତଳର କଥା। ମାଘ ମାସର ଶେଷ ପର୍ଯ୍ୟାୟ। ଧରାପୃଷ୍ଠରୁ କ୍ରମଶଃ ଶୀତର ଉତ୍ପୀଡନ କମି କମି ଋତୁରାଜ ବସନ୍ତର ସ୍ବାଗତପାଇଁ ସମସ୍ତେ ପ୍ରସ୍ତୁତ। ଏହି ସମୟରେ ଉପକୂଳ ଓଡ଼ିଶାର କୌଣସି ଏକ ଗ୍ରାମରେ ପରିବାର ମୁହଁରେ ହସର ଲହରୀ ଖେଳାଇ ଜନ୍ମନେଲା ଏକ ସଦ୍ୟ ଶିଶୁକନ୍ୟା। ଦେଖିବାକୁ ଚନ୍ଦ୍ରଙ୍କ ପ୍ରାୟ ଶୁଭ୍ର ଓ ଅନିନ୍ଦିତ। ନାମରେ ଚନ୍ଦ୍ରମା। କଥାରେ ଅଛି କନ୍ୟା ସ୍ଵୟଂ ମାତା ଲକ୍ଷ୍ମୀଙ୍କ ପ୍ରତିରୂପ। ଘରେ ଲକ୍ଷ୍ମୀଙ୍କୁ ପାଇ ସଭିଏଁ ବହୁତ୍ ଖୁସି। ହେଲେ ଏହି ଖୁସି ବୋଧ ହୁଏ ଭଗବାନଙ୍କ ଆଖିରେ ବେଶୀଦିନ ଗଲାନି। କିଛି ବର୍ଷ ବ୍ୟବଧାନରେ ପରିବାରରେ ଅନ୍ଧକାରର ଛାୟା ଖେଳାଇ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚନ୍ଦ୍ରମାର ପିତା ଆଖି ବୁଜିଦେଲେ। ବହୁ ବାଦ ପ୍ରତିବାଦର ସାମ୍ନା କରି ଚନ୍ଦ୍ରମାର ମାଆ ଝିଅକୁ ଦେଖି ଦେଖି ନିଜ ବାକି ଜୀବନ ଚଳିବାରେ ଲାଗିଲେ। କୌଣସି ବି ଉଣା ରଖିନଥିଲେ ତା ଲାଳନପାଳନରେ।ପେଶାରେ ସେ ଥିଲେ ଜଣେ ଶିକ୍ଷୟିତ୍ରୀ। ଚନ୍ଦ୍ରମା ଧୀରେ ଧୀରେ ଶଶିକଳାପରି ବଢ଼ିବାକୁ ଲାଗିଲା। ଦେଖିବାକୁ ଯେପରି ଗୋଟିଏ ଚାଉଳରେ ଗଢା। ଯେପରି ରୂପବତୀ ସେପରି ଗୁଣବତୀ ଓ ବିଦ୍ୟାବତୀ ମଧ୍ୟ। କ୍ରମେ ସେ ଉଚ୍ଚ ଶିକ୍ଷାପାଇଁ ଗୃହ ପରିବେଶ ଛାଡ଼ି ବାହାରକୁ ଗଲା। ଯୌବନର ପୀୟୂଷ ଯେପରି ଅଙ୍ଗେ ଅଙ୍ଗେ ପରିଲକ୍ଷିତ। ଯେପରି ଭଅଁରଟିଏ ପ୍ରସ୍ଫୁଟିତ ପଦ୍ମର ଚାରିପାଖେ ପାଗଳ ପରି ଘୁରିବୁଲେ ଠିକ୍ ସେହିପରି ଚନ୍ଦ୍ରମାର ରୂପରେ ଆକୃଷ୍ଟ ହୋଇ ଅନେକାନେକ ପ୍ରେମୀ ତାର ଚାରିପାଖରେ ଘୁରିବୁଲିଲେ। ତନ୍ମଧ୍ୟରୁ ଦୀପୁ ନାମକ ଏକ ପ୍ରେମୀ ସହ ତାର ପ୍ରଥମ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ଅବଶ୍ୟ ବନ୍ଧୁ ହିସାବରେ ପିଲାଟିର କୌଣସି ବି ତୁଳନା ନାହିଁ ପରନ୍ତୁ ଚରିତ୍ରରେ ଥିଲା କିଛିଟା କଳଙ୍କର ଛିଟା। ଯେହେତୁ ଚନ୍ଦ୍ରମା ମାଆଙ୍କର ଗୋଟେ ବୋଲି ଝିଅ ତେଣୁ ସେ ଝିଅର ମନ ଭାଙ୍ଗିବାକୁ ଚାହୁଁନଥିଲେ। ସେ ଯାହା ବି ହେଉ, ଦୀର୍ଘ ୨ ରୁ ୩ ବର୍ଷ ଧରି ଏ ସମ୍ପର୍କ ଗଢ଼ିଉଠିଲା ଓ ନିବିଡ଼ରୁ ନିବିଡ଼ତର ହୋଇ ଚାଲିଲା। କିଛି ବର୍ଷ ପରେ ଦିପୁ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ଅନ୍ୟ ଜିଲ୍ଲାରେ ରହିଲା। ଏହି ସମୟରେ ଆଉ ଏକ ପୁଅ ନାମରେ ଶିବୁ ତାର ସହବାସି ହୋଇ ରହିଲା। ଚରିତ୍ର ଯଦିଓ ନିଷ୍କଳଙ୍କ ନୁହେଁ ତଥାପି କ୍ଷମଣୀୟ। ପରନ୍ତୁ ଦିପୁ ସହ ମିଶି ପରେ ମିତ୍ରଦ୍ରୋହୀର ଏକ ଅଲିଭା କଳଙ୍କ ନିଜ ଚରିତ୍ରରେ ଲଗାଇ ବୁଲିବାକୁ ବାଧ୍ୟ ହେଲା। ପ୍ରାୟ ସମୟ ଦିପୁ ମଦ୍ୟପାନ କରି ନିଜ ପ୍ରେମିକା ସହ ଦୁର୍ବ୍ୟବହାର କରେ ଓ ଏହାକୁ ଲୁଚାଇବା ପାଇଁ ସେ ଶିବୁର ସହାୟତା ନିଏ। ଶିବୁ ମଧ୍ୟ ଦିପୁର ଦୋଷ ଲୁଚାଇ ତା ପ୍ରେମିକାକୁ ବୁଝାଇଦିଏ। ଏମିତି କିଛି ଦିନ ଯିବା ପରେ କେତେବେଳେ ଶିବୁ ଚନ୍ଦ୍ରମାକୁ ମନେ ମନେ ଭଲପାଇ ବସିଲା ତାହା ତାକୁ ମଧ୍ୟ ଅଜଣା। ସେ ଯାହା ବି ହେଉ କିଛି ଦିନ ପରେ ସେ ନିଜ ମନ କଥା ଦିନେ ଚନ୍ଦ୍ରମାକୁ କହିଲା। ପ୍ରଥମେ ସେ ମନା କରୁଥିଲା ସତ ମାତ୍ର ପରେ ସେ ମଧ୍ୟ ରାଜି ହୋଇଗଲା। ଶିବୁର ଏହା ପ୍ରଥମ ପ୍ରେମ। ମନରେ ବହୁ ଆଶା ଓ ଆକାଂକ୍ଷା। ସବୁଦିନ ନିଜ କାର୍ଯ୍ୟରୁ କିଛି ସମୟ ବିରତି ନେଇ ସେ ଚନ୍ଦ୍ରମା ସହ କଥା ହୁଏ। ଏହିପରି ଶିବୁ ତା ମନରେ ନିଜର ଛାପ ଛାଡ଼ିବା ପାଇଁ ନିଜ ମଧ୍ୟରେ ଥିବା ଇଶ୍ୱରଦତ୍ତ ଗୁଣକୁ ତା ପାଇଁ କାଢ଼ିବାକୁ ଲାଗିଲା। ଦିନେ ଚନ୍ଦ୍ରମା ତାକୁ ଦେଢ଼ ବର୍ଷର ସମୟ ଦେଇ କିଛି କାର୍ଯ୍ୟରତ ହେବାକୁ କହିଲା ଯାହା ଫଳରେ କି ସେ ନିଜ ଘର ଲୋକଙ୍କୁ ତା ସହ ମିଶାଇ ପାରିବ। ବୋଧେ ଏହାମଧ୍ୟ ଭଗବାନଙ୍କୁ ଭଲ ଲାଗିଲା ନାହିଁ। ସମ୍ପର୍କ ଗଢ଼ି ଉଠିବାର ୮ ଦିନ ପରେ ହଠାତ୍ ଚନ୍ଦ୍ରମା ଶିବୁକୁ ସନ୍ଦେଶ ଦେଲା କି ସେ ଦିପୁ ସହ ନିଜ ସଂସାର ଗଢ଼ିବାକୁ ଚାହେଁ। ଏହା ଶୁଣି ସତେ ଯେପରି ଶିବୁ ମୁଣ୍ଡରେ ଚଡ଼କ ପଡ଼ିଲା। "ପ୍ରେମିକାର ଖୁସି ହିଁ ପ୍ରେମିକ ପାଇଁ ପ୍ରକୃତ ପ୍ରେମ" ଭାବି ସେ ଚୁପ୍ ହୋଇଗଲା ଓ ଦୁହେଁ ଶପଥ ନେଲେ କି ଜଣେ ଉତ୍ତମ ବନ୍ଧୁ ହୋଇ ରହିବେ। ଏପରି କିଛିଦିନ ଗଲାପରେ ହଠାତ୍ ସରକାର ତାଲାବନ୍ଦୀର ଘୋଷଣା କଲେ। ଏହାପରେ ଦୁହିଁଙ୍କ କଥାବାର୍ତ୍ତା କିଛିଟା ପ୍ରଭାବିତ ହେଲା ଏବଂ ଶେଷରେ ବିଲୀନ ହୋଇଗଲା। ଚନ୍ଦ୍ରମାର ମନରେ ହଠାତ୍ କେଉଁ ପରିବର୍ତ୍ତନ ଘଟିଲା ତାହା କେବଳ ସେହି ଅତୀତର ଅନ୍ଧାରୀ ଗର୍ଭରେ ବନ୍ଦ ହେଇଗଲା ସତ ମାତ୍ର ଅନ୍ୟପକ୍ଷରେ ତା ସହ କଥା ନହୋଇ ଶିବୁ ପାଗଳପ୍ରାୟ ହୋଇ ତା ଖବର ସଂଗ୍ରହରେ ଲାଗିପଡିଲା। କିଛିଦିନ ପରେ ସେ ଜାଣିବାକୁ ପାଇଲା କି ଚନ୍ଦ୍ରମା ଦିପୁକୁ ବିଭା ହୋଇସାରିଛି। ନିଜ ଅନ୍ତରର କୋହକୁ ଅନ୍ତରରେ ବଳି ଦେଇ ଚନ୍ଦ୍ରମା ପାଇଁ ସୃଷ୍ଟି ହୋଇଥିବା ପ୍ରତ୍ୟେକଟି ସମ୍ଭାବନା ଉପରେ ସେ ଅବିରତ କାର୍ଯ୍ୟ କରିବାରେ ଲାଗିଲା। କଥାରେ ଅଛି " କଷ୍ଟ କଲେ କୃଷ୍ଣ ମିଳେ"। ଶେଷରେ ଶିବୁର ପ୍ରତ୍ୟେକ ଚେଷ୍ଟା ସଫଳ ହେଲା। ଏପରିକି ସେ ଦୁହିଁଙ୍କ କଥା ହେବାର ୮ ମାସ ମଧ୍ୟରେ ଶିବୁର ଚାକିରି କୌଣସି ଏକ ଘରୋଇ ସଂସ୍ଥାରେ ହୋଇଗଲା। ମାସକୁ ବେତନ ୮,୦୦୦ ଯାହାକି ବର୍ଦ୍ଧିତ ହୋଇ ୧୦,୦୦୦, ୧୫,୦୦୦ ଏବଂ ଶେଷରେ ୨୦,୦୦୦ ରେ ପହଞ୍ଚିଲା। ପ୍ରଥମ ଦରମା ପାଇଲା ପରେ ଶିବୁର ଖୁସି କହିଲେ ନସରେ। ଚନ୍ଦ୍ରମା ପ୍ରତି ତା ମଧ୍ୟରେ ଥିବା ପ୍ରେମ ଦ୍ଵିଗୁଣିତ ହୋଇଗଲା। ଘରେ ନଜଣାଇ ସେ ତାକୁ ଅନେକାନେକ ଉପହାର ପ୍ରଦାନ କଲା। ତାର ସ୍ମୃତି ଶିବୁକୁ ଏପରି ବ୍ୟଥିତ କଲା ସେ ବାଧ୍ୟ ହୋଇ ଚନ୍ଦ୍ରମାର ଏକ ପ୍ରତିମୂର୍ତ୍ତି ନିଜ ଘରେ ସ୍ଥାପନ କରି ନିଜ ଘରଲୋକଙ୍କୁ ସବୁ ସତ କଥା କହିଦେଲା। ଏହିପରି ନିଜର ସମସ୍ତ ଆଶାରେ ନିଆଁ ଲଗାଇ ଚନ୍ଦ୍ରମାପାଇଁ ଶିବୁ ତାର ପ୍ରତ୍ୟେକ କଥାର ମହତ୍ତ୍ଵ ରଖି ସଫଳତାର ଶୀର୍ଷରେ ପହିଞ୍ଚିଗଲା ସତ ହେଲେ ଯାହାପାଇଁ ସେ ସଫଳତା ପାଇଲା ଶେଷରେ ସେ ହିଁ ତାକୁ ଛାଡ଼ି ଚାଲିଗଲା। ଆଜି ମଧ୍ୟ ଶିବୁ ଚନ୍ଦ୍ରମାର ଅପେକ୍ଷାରେ। ନିଶ୍ଚୟ ଦିନେ ନ ଦିନେ ସେ ତାକୁ ମନେ ପକାଇବ। ନିଶ୍ଚୟ ଦିନେ ସେ ତା କଥା ଭାବିବ। ସେ ଦିନରୁ ଆଜି ଯାଏଁ ମଧ୍ୟ ଅପେକ୍ଷା କରି ବସିଛି ଶିବୁ। ହେଲେ କେବେ ସେ ଅପେକ୍ଷାର ଅନ୍ତ ହେବ ତାହା କେବଳ ଭବିଷ୍ୟତର ଗର୍ଭରେ ନିହିତ।
