STORYMIRROR

Asisa kumar Bal

Others

4  

Asisa kumar Bal

Others

ଅଳକା ନଦୀର ବାଲିପଠା

ଅଳକା ନଦୀର ବାଲିପଠା

6 mins
389


        କ୍ଳାନ୍ତ ଅପରାହ୍ନରେ ଏକୁଟିଆ ଚିରାଚରିତ ଭଙ୍ଗୀରେ ତୁଠ ପଥର ରେ ପାଦ ଥାପି ବସିଛି ନିଶା।

ନିଶା,

    ସରଳ ନିଷ୍କପଟ ଗାଉଁଲି ଝିଅଟିଏ। ଆଖିରେ ତା ନିଶାର୍ଦ୍ଧର ନିଶା।କେଶ ତାର ଅମାନିଆ କଳାମେଘ।ବକ୍ଷରେ ତା ଉତ୍ତାଳ ତରଙ୍ଗ।

     ଆଖିରେ ଅସୁମାରୀ ସ୍ୱପ୍ନ,ନୂଆ ନୂଆ ଯୌବନରେ ପାଦ ଦେଇଛି।ସଦ୍ୟ ପ୍ରସ୍ଫୁଟିତ ସଜ ବଉଳର କଢିଭଳି ମହ ମହ ବାସି ଯାଉଛି।

ଏଇ ସେ ଅଳକା ନଦୀର ବାଲିପଠା,ଯେଉଁଠାରେ ସେ କାଟିଛି ତା ଜୀବନର ଅନେକ ମୁହୂର୍ତ୍ତ।ଜୀବନର ଏ ଘଡ଼ି ସନ୍ଧି ମୁହୂର୍ତ୍ତରେ ଯଦି ତାର କେହି ନିଜର ଥାଆନ୍ତି ତାହେଲେ ଏଇ ନଈ ପଠା।କେତେଯେ ଅପାସୋରା ବସନ୍ତ,ଆଉ ବୈଶାଖ ର ରୌଦ୍ର ତାପ ସହିଛି ତାର ହିସାବ ନାହିଁ।

     ଚଞ୍ଚଳିତ ସମୟର ତାଳେ ତାଳେ ଅଳସୀ ଅଳକା ତାର ସବୁ ସୁଖ ଦୁଃଖର ସାଥି ଟିଏ ହୋଇ ଯାଇଛି। ତାରି ପଠାର ବାଲି ରେ କେତେଯେ ଘର ତୋଳିଛି,ଗୁଣୁଗୁଣୁ ଗୀତ ଗାଇଛି, ମନେ ମନେ ଅଭିମାନ କରିଛି ପୁଣି ସାଥି ହୋଇଛି।ଏଇତ ତାର ନିତିଦିନିଆ କାମ।ବେଳେବେଳେ ତାରି ତୁଠ ପଥରରେ ପାଦ ଚିପି ଚିପି ସ୍ବପ୍ନ ଦେଖେ, କେବେ ତା ମନ ଆକାଶରେ ଇନ୍ଦ୍ରଧନୁ ଉଇଁବ ଆଉ ପକ୍ଷୀରାଜ ଘୋଡା ଚଢ଼ି ତା ମନର ଚନ୍ଦ୍ରଭାନୁ ଆସିବ ଆଉ ସବୁ ଦିନ ତା ହାତ ଧରି ନେଇଯିବ ନୂଆ ବୋହୁଟେ କରି।

ରାଜେଶ ଛୋଟରାୟ,

ଭାରତୀୟ ସେନାବାହିନୀରେ ସୈନିକ ଭାବେ କାର୍ଯ୍ୟ ରତ।ଛୁଟିରେ ଘରକୁ ଆସିଥାଏ।ବାପା ଅବସର ପ୍ରାପ୍ତ କିରାଣୀ।ରାଜେଶର ବାହାଘର ନିଶା ସାଥିରେ କରିବା ପାଇଁ କନ୍ୟା ଦେଖା ଲାଗି ରାଜେଶକୁ ପଠାଇ ଥାନ୍ତି।ସାଥିରେ ଥାଏ ବାଲ୍ୟ ବନ୍ଧୁ ରମେଶ।ରାଜେଶ ସହିତ ନିଶାର ପ୍ରଥମ ସାକ୍ଷାତ।ହାତରେ ଚାହା କପ ଧରି ଆସି ରାଜେଶ ପାଖରେ ବସି ଥାଏ।ସେଇ ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସନ୍ତି।ବାସ ତାପରେ ରାଜେଶ ଫେରି ଯାଏ ତାର କର୍ମ କ୍ଷେତ୍ରକୁ ଆଉ ଏକୁଟିଆ ହେଇଯାଏ ନିଶା।ପୁଣି ଫେରିଯାଏ ତାର ଚିରାଚରିତ ସାଥି ଅଳକା ପାଖକୁ।ମନେ ମନେ କଥାହୁଏ, ଗୁଣୁ ଗୁଣୁ ଗୀତ ଗାଇ ଅଳକା ସହିତ କେତେ ରାଗ ରୁଷା ହୁଏ।।

ଏ ମଧ୍ୟରେ ଘରୁ ଗୋଟିଏ ଚିଠି ରାଜେଶ ପାଖରେ ପହଂଚି ଯାଏ।

ସ୍ନେହର ରାଜେଶ,

ଆସନ୍ତା ମାସ ପନ୍ଦର ତାରିଖରେ ତୋ ବାହାଘର ଠିକ ହୋଇଛି।ତୁ ଯେଉଁ ଝିଅ ଦେଖି ଯାଇଥିଲୁ ସେଠାରେ ଜବାବ ଦେଲି।ପ୍ରସ୍ତାବ ଟି ସବୁଆଡୁ ଭଲ।ଝିଅଟି ଗୋଟିଏ ଚାଉଳରେ ଗଢା।ରୀନା ତୋ ଉପରେ ରାଗିଛି।କୁଆଡେ ତୁ ଆସିଲେ ସେ ଆସିବ।ଅଳ୍ପ ଦିନ ଭିତରେ ସବୁ ବନ୍ଧୁ ବାନ୍ଧବ ଆସି ପହଞ୍ଚିବେ,ତୁ ଶୀଘ୍ର ଛୁଟି ନେଇ ଘରକୁ ଆସିଲେ ଯାଇ ଯେଉଁ କଥା। ଇତି

ତୋର ବାପା।।

ଚିଠିଟି ପଢି ଯେତିକି ଖୁସି ହବା କଥା ସେତିକି ବ୍ୟସ୍ତ ହୋଇ ପଡ଼ିଲା ରାଜେଶ।ବାପା ଯେ ଏତେ କମ ସମୟରେ କାହିଁକି ବାହାଘର ଚିନ୍ତା କରୁଛନ୍ତି।ବର୍ତ୍ତମାନ ତ ଛୁଟି ନାହିଁ, ଆଗକୁ ଘମାଘୋଟ ଯୁଦ୍ଧ ର ସମ୍ଭାବନା,ସବୁବେଳେ ତୋପ କମାଣ ରେ ସଜ୍ଜିତ ହୋଇ ରହିବାକୁ ପଡୁଛି। କେତେବେଳେ ଯେ କଣ ହେବ କହିହେବ ନାହିଁ।

ଘରକୁ ଚିଠି ଲେଖିଲା ରାଜେଶ

ବାହାଘର ଭାଙ୍ଗିଦେବା ପାଇଁ ତ ଲେଖିପାରିବ ନାହିଁ।ଝିଅ ଦେଖାର ସେ ଅଭୁଲା ସ୍ମୃତିକୁ ସେ ଭୁଲି ପାରିବ ନାହିଁ, ପ୍ରଥମ ଦେଖାରେ ହିଁ ରାଜେଶ ସ୍ଥିର କରିନେଇଥିଲା ଯେ ନିଶା କୁ ହିଁ ବାହାହେବ।ଏହା ସେ ତା ବନ୍ଧୁ ରମେଶ କୁ ସଫା ସଫା କହି ଯାଇଥିଲା,କାରଣ ଯୌତୁକ ଲୋଭରେ ବାପା ତାର ଅନ୍ୟତ୍ର ବିବାହ ଠିକ କରି ଦେଇ ପାରନ୍ତି।

ଯୌତୁକ ତାର କଣ ହେବ,ସେ ଚାହେଁ ଗୋଟେ ସରଳ ନିଷ୍କପଟ ଜୀବନସାଥୀ।

ଚିଠି ପହଂଚିଲା ଘରେ।

ସମସ୍ତେ ଖୁସି ହୋଇ ରାଜେଶ ର ଆସିବା ବାଟକୁ ଚାହିଁ ରହିଥାଆନ୍ତି।କେତେ ପ୍ରକାର ର ପିଠା ମିଠା ହେବ ତାର ପ୍ରସ୍ତୁତି ପର୍ବ ଚାଲିଥାଏ।ଘରେ ଭାବିଥିଲେ ପୁଅ ଚିଠି ପାଇ ଗାଡି ଧରିବଣି,କିନ୍ତୁ ଚିଠି!!

ଖୋଲି ପଢିଲେ

ପୂଜ୍ୟନୀୟ ବାପା,

ମୋର ପ୍ରଣାମ ନେବ,ବିବାହ ପାଇଁ ସଂମତି ଜଣାଉଛି, କିନ୍ତୁ ବର୍ତ୍ତମାନ ଛୁଟି ନାହିଁ।ବିବାହ ଅତ୍ୟନ୍ତ ଦୁଇ ମାସ ଘୁଞ୍ଚାଇ ଦିଅନ୍ତୁ।ଆଗକୁ ଭୟଙ୍କର ଯୁଦ୍ଧର ସମ୍ଭାବନା।କେତେବେଳେ କେଉଁକଥା।ମୁଁ ଗଲେ ନାନୀକୁ ଆଣିବାକୁ ଯିବି।ମୁଁ ଏଠାରେ ଭଲରେ ଅଛି।

ଇତି !

ରାଜେଶ।।

ଚିଠି ପଢି ଖୁବ ମନଦୁଃଖ କଲେ।କେତେ ଦିନ ଯେ ଆଉ ପୁଅ ବାହାଘର ଦେଖିବା ପାଇଁ ଅପେକ୍ଷା କରିବାକୁ ହେବ।ଧର୍ଯ୍ୟର ଆଉ ସୀମା ନାହିଁ।ତା ବୟସର ପିଲାଙ୍କ ପୁଅଝିଅ ମାନେ ଦାଣ୍ଡରେ ଖେଳୁଥିବା ଦେଖିଲେ ମାଆଙ୍କ ମନରେ ଖୁବ ଦୁଃଖ ଆସେ।କେଉଁ ଦିନ ବା ସେ ନାତି ନାତୁଣୀ କାଖେଇବେ।

ବାପା ନିଶା ଘରେ ଖବର ଦେଇ ଆସିଲେ।ରାଜେଶ ଦେଇଥିବା ଚିଠିଟିକୁ ଦେଖାଇଲେ।ନିଶାର ମୁଣ୍ଡରେ ଯେମିତି ବଜ୍ର ପଡିଗଲା କାରଣ ପ୍ରଥମ ଦେଖାରେ ସେ ରାଜେଶକୁ ମନପ୍ରାଣ ଦେଇ ଦେଇଥିଲା।ମନେ ମନେ ସ୍ଥିର କଲା ଦୁଇ ମାସ କଣ ବେଳ ପଡିଲେ ଦୁଇ ଯୁଗ ମଧ୍ୟ ରାଜେଶ ପାଇଁ ଅପେକ୍ଷା କରିବ ହେଲେ ରାଜେଶ ବ୍ୟତିତ ଆଉ କାହାରିକୁ ବିବାହ କରି ପାରିବନି।ଏକଥା ଘରେ ଜଣାଇଦେଲା।

ଭାରି ଜିଦ ଖୋର ଝିଅଟେ,କାଉଁରିଆ କାଠିପରି ଭାଙ୍ଗିଜିବ ପଛେ ନଇଁବ ନାହିଁ।ମା ଅନ୍ୟତ୍ର ବାହାହେବା ପାଇଁ କେତେ ବୁଝାଇଲେ ହେଲେ କିନ୍ତୁ ବୁଝିଲା ନାହିଁ।ଯେତେ ହେଲେ ଝିଅ ଘିଅ ସମାନ।କେତେ ଦିନ ବା ଘରେ ରଖିବେ।ରାଜେଶ

ର ବାପା ମାଆଙ୍କର ଆଉ ଧର୍ଯ୍ୟ ନାହିଁ ଅପେକ୍ଷା କରିବାକୁ।ବାପା ମନା କରୁଥିଲେ ସେ ଚାକିରିକୁ।ଭଗବାନଙ୍କ ଦୟାରୁ ଯେଉଁ ଜମିବାଡ଼ି ଦିଖଣ୍ଡ ଅଛି ସେତକ ଦେଖାଶୁଣା କରିଥିଲେ କଣ ହେଇନଥାନ୍ତା।ଏକାଜିଦ ସେ ଚାକିରି କରିବ।

ଦେଖୁ ଦେଖୁ ମାସେ ହେଇଗଲା।କାରଗିଲରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇ ଗଲାଣି।ପ୍ରତ୍ୟେକ ଦିନ ଟିଭି ରେଡ଼ିଓ ରେ କାର୍ଗିଲ ଯୁଦ୍ଧ କଥା ପ୍ରଚାର ହେଉଛି।ଆତଙ୍କବାଦୀଙ୍କ ସହ ଯୁଦ୍ଧରେ ଭାରତୀୟ ଯବାନ ମୃତ।ଏସବୁ ଶୁଣି ନିଶାର ମନରେ ଭଟ୍ଟା ପଡିଯାଇଛି।ସାପ କାମୁଡିଥିବା ପିଲାର ମାଆ ପାଳ ଦଉଡି ଦେଖିଲେ ଡରେ।ସେପରି ରାଜେଶର ମାଆଙ୍କ ମନରେ ଖୁସି ନାହିଁ।ନିଶାର ଏବେ ଟିଭି ରେଡ଼ିଓ ଉପରେ ନଜର।ଖୁବ ବ୍ୟସ୍ତ ଓ ବିବ୍ରତ ସେ। ରାଜେଶଙ୍କ ନିକଟରୁ ଖବର ଆସିବା ବନ୍ଦ।ଭଗବାନଙ୍କ ଆପେକ୍ଷା ସେ ବେଶି ଭଲ ପାଏ ନେପୋଲିୟନଙ୍କୁ ,କାରଣ ନିଜ ହାତରେ ନିଜ ଭାଗ୍ୟରେଖା ଟାଣିବାକୁ ସେ ପସନ୍ଦ କରେ।ଦେଶ ଓ ଜାତି ପାଇଁ କେତେ ଦୁଃଖ କଷ୍ଟକୁ ସେ ଆପଣେଇ ନିଅନ୍ତି।ନା ଯାହାହେଉ ପଛେ ସେ ରାଜେଶକୁ ହିଁ ବିବାହ କରିବ,ଜଣେ ସୈନିକର ପତ୍ନୀ ହେବ।

ରାଜେଶ ଘରେ ପ୍ରସ୍ତାବ ପରେ ପ୍ରସ୍ତାବ ଆସୁଥାଏ।ବାପା କେଉଁଠାରେ ଜବାବ ଦେଇ ପାରୁ ନଥାନ୍ତି।ନିଶାର ବାପା ମଧ୍ୟ ଅନ୍ୟ ଆଡେ ଆଖି ପକେଇ ଲେଣି।କେତେଯେ ଆଉ ଆପେକ୍ଷା କରିବେ।ଚାହୁଁ ଚାହୁଁ ତିନି ମାସ ବିତି ଗଲାଣି।

ହଠାତ ନିଶା ସ୍ବପ୍ନ ଦେଖିଲା ରାଜେଶ ଦେଶ ଓ ଜାତି ପାଇଁ ଶହୀଦ ହୋଇଛନ୍ତି।ତାଙ୍କ ଶବ ତ୍ରିରଙ୍ଗା ରେ ଢଙ୍କା ହୋଇ କଫିନ ଭିତରେ ଆସି ତାଙ୍କ ଘର ପାଖରେ ରଖା ହେଇଛି।ନିଶା ପାଗିଳି ପାୟ ହୋଇ ଯାଇଛି।ଧର୍ଯ୍ୟର ଶେଷ ପାହାଚ ଅତିକ୍ରମ କରିବାକୁ ଯାଉଛି।ମନେ ମନେ ତ ସେ ରାଜେଶଙ୍କର ସ୍ତ୍ରୀ ହେଇସାରିଛି।ଖାଲି ଯା ବେଦିରେ ବସି ହାତ ଗଣ୍ଠି ପଡିବା ବାକି ଅଛି।

ନରସିଂହ ପୁର ଜମିଦାରଙ୍କ ପୁଅ ମଧୁ ପଟ୍ଟନାୟକ ସହିତ ନିଶାର ବାହାଘର ଠିକ ହୋଇଯାଇଛି।ଛଅ ଫୁଟ ଉଚ୍ଚା, ପତଳା ଠୁକୁ ଠୁକୁ,ଅମାପ ସମ୍ପତ୍ତି, ଜମିଦାର ଘର।ଜମିଦାରଙ୍କ ଏକା ଜିଦ ସେ ନିଶାକୁ ବୋହୁକରି ଘରକୁ ନେବେ।

ନିଶାର ମନ ଭଲ ନାହିଁ।ସନ୍ଧ୍ୟା ସମୟରେ ଅଳକା ତୁଠରେ ଏକୁଟିଆ ବସିଛି ନିଶା।ପାଦ ସହିତ ପିନ୍ଧା ଲୁଗା ମଧ୍ୟ ଭିଜିଗଲାଣି ଏକଥା ଜଣାନାହିଁ।ମନରେ ଅନେକ କୋହ ଅଳକା ଛଡା ଆଉ କାହା ଆଗରେ କହିବ ନିଜର ହୃଦୟର କଥା।

ନିଶାର ବାପା ରାଜେଶଙ୍କ ଘରକୁ ଯାଇ ସିଧା ସିଧା କହି ପକେଇଲେ ରାଜେଶ ବାବୁଙ୍କୁ ଅପେକ୍ଷା କରିବାକୁ ଆଉ ବେଳ ନାହିଁ।ତାଙ୍କ ଭାଗ୍ୟକୁତ ଯୁଦ୍ଧ ଜମା ସରୁନାହିଁ।ମୁଁ ଜାଣି ଜାଣି ମୋ ଝିଅକୁ ବିପଦ ମୁହଁକୁ ଠେଲି ଦେବି ନାହିଁ।ଏହା କହି ଚାଲି ଯିବା ବେଳେ ରାଜେଶର ବାପା ମା ତାଙ୍କ ଯିବା ବାଟକୁ ଚାହିଁ ରହି ଥାଆନ୍ତି।

ନିଶାର ଶେଷ ଆଶା ଟିକକ ମଉଳି ଗଲାଣି।ପାଞ୍ଚ ମାସ ହୋଇଗଲା ରାଜେଶଙ୍କ ପାଖରୁ କୌଣସି ଖବର ଆସୁନାହି।ଏତେ ବଡ଼ ଯୁଦ୍ଧ ରାଜେଶଙ୍କ ଜୀବନରେ ପ୍ରଥମ।ରାଜେଶ ହେଉଛନ୍ତି ତା ଜୀବନର ପ୍ରଥମ ଓ ଶେଷ ପ୍ରେମ।ସେତ ତାଙ୍କ ପାଇଁ ଅଭିସାରିକା ସାଜି ସାରିଛି।ମନେ ମନେ ଭାବୁଛି ରାଜେଶ ବୋଧେ ଆଉ କେଉଁଠାରେ ଠିକ କରିଦେଲେଣି,ସେଥିପାଇଁ ଖବର ଦେଉ ନାହାନ୍ତି।ସିଏ ସିନା ତାଙ୍କ ପାଇଁ ଅପେକ୍ଷା କରିଛି।

ସେ କାହିଁକି ତାଙ୍କ ପାଇଁ ଏତେ ନିନ୍ଦା ଅପମାନ,ଟାହି ତାପରା ସହିବ।ରାଜେଶ ଘରକୁ ପଳେଇ ଯିବକି କିନ୍ତୁ ସେଠାରେ କିଏ ତାକୁ ଗ୍ରହଣ କରିବ ରାଜେଶଙ୍କ ପାଇଁ ସେ କଣ ହେବ ଅଲକ୍ଷଣି।ରାଜେଶର ବାପା ମାଙ୍କ ଆଖିରୁ ଲୁହ ଧାର ଶୁଖୁନାହିଁ।କେବେ ଯୁଦ୍ଧ ସରିବ ସେଇ ଭାବନାରେ ଥାଆନ୍ତି।

ଆଜି ନିଶାର ନିର୍ବନ୍ଧ।ଜମିଦାରଙ୍କ ପୁଅ ମଧୁ ପଟ୍ଟନାୟକ ସହିତ।କେତେ ବନ୍ଧୁ ବାନ୍ଧବ ଓ ପିଠା ପଣାରେ ଘର ପରିପୂର୍ଣ୍ଣ।ନିଶା ସତେକି ସ୍ଥାଣୁ ପାଲଟି ଯାଇଛି ,ତା ହାତକୁ ନିର୍ବନ୍ଧ ମୁଦି ଆଦୌ ମାନୁନି ମନ ପୋଡିଗଲେ କିଏବା ବୁଝିବ।ସେତ ଅଭାଗିନୀ ଟିଏ।ପିଲାଟି ଦିନରୁ ଠାକୁରଙ୍କୁ କଣ ଏଇଥି ପାଇଁ ପୂଜା କରୁଥିଲା।ବାର ମାସରେ ତେର ଓଷାର ଫଳ କଣ ଏଇଆ।ନାଁ ନାଁ ଭଗବାନ ଏତେ ନିଷ୍ଠୁର ନୁହନ୍ତି।ହେଲେ ନିଶାର ମନ ଆଦୌ ବୁଝୁନି କିପରି ଜଣଙ୍କ ପାଖରେ ମନ ଦେଇ ଆଉ ଜଣଙ୍କର କୁଳ ବଧୁ ସାଜିବ ଆଉ ଜଣକ ଲାଗି ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପିନ୍ଧିବ।ମନେ ମନେ ଭାବେ ତା ଭଲପାଇବା ଏକତରଫା ବୋଲି।ଜୀବନ ଜୀଇଁବାର ଆଶା ଧୀରେ ଧୀରେ ନିଶାର ମଉଳି ଯାଉଛି ଯେପରି। କଣ ଜୀବନ ହାରିଦେଵ, ନା ପିଲାଦିନେ ଶୁଣିଥିଲା ଆତ୍ମହତ୍ୟା ମହାପାପ।ତାହା ସେ କରି ପାରିବନି।ଯେଉଁ ପୁଣ୍ୟ ଭୂମି ରେ କେତେ ବିରାଙ୍ଗନା ଜନ୍ମ ନେଇଛନ୍ତି ସେଇ ମାଟିର ପାଣି ପବନରେ ସେ ବଢିଛି ଏବଂ ନିଜକୁ ଜଣେ ସୈନିକର ପ୍ରେମିକା ସଜେଇ ସାରିଛି।

ବାହାଘର ଆଉ ୧୫ ଦିନ ଥାଏ।

ଜୁଲାଇ ମାସ ୨୬ ତାରିଖ।ଶୁଭ ସକାଳର ଅବସରରେ ଟିଭିରେ ଭାରତର ପ୍ରଧାନମନ୍ତ୍ରୀ ଘୋଷଣା କଲେ ଭାରତ କାର୍ଗିଲ ଯୁଦ୍ଧରେ ବିଜୟ ହୋଇଛି।ସବୁଆଡେ ବିଜୟର ଉତ୍ସବ।ରାଜେଶ ର ଚିଠି ଆସି ପହଁଚିଲା।ଯୁଦ୍ଧ ସରିଯାଇଛି।ସେ ଆସନ୍ତା ମାସ 10 ତାରିଖରେ ଆସି ପହଞ୍ଚିବ।

ଏ ଖବର ଶୁଣିବା ପରେ ନିଶାର ମନ ନଈ ରେ ଯେମିତି ଜୁଆର ଆସି ଯାଇଛି।ମଧୁ ପଟ୍ଟନାୟକ ସହିତ ଆଉ ବାହାଘର କିଛି ଦିନ ଅଛି।ଆଉ ଡର କଣ ହେଲେ ରାଜେଶ ଯଦି ତାକୁ ଗ୍ରହଣ ନକରନ୍ତି।ତାଙ୍କ ଆସିବା ବାଟକୁ ଯାହା ଅପେକ୍ଷା।

ଆଜି ନିଶାର ବାହାଘର।ଘର ଆଗରେ ମଙ୍ଗଳ ସାହାନାଇର ଝଙ୍କାର।ବଉଳ ପାଟ ପିନ୍ଧିବାକୁ ଅରାଜି ନିଶାକୁ ମା ବୁଝାଉଛନ୍ତି ସବୁ ତୋ ଭାଗ୍ୟଲୋ ମାଆ। ଯିଏ ଯାହା ହାଣ୍ଡିରେ ଚାଉଳ ପକେଇଛି ସେ ତାର ହେଲେ ନିଶାର ମନ ଜମାବୁଝୁନି।

ରାଜେଶ ଆସି ଗାଁରେ ପହଂଚିଲା,ଯୁଦ୍ଧରେ ବିଜୟୀ ସୈନିକକୁ ଗାଁରେ ପହଂଚିବା ପରେ ସରପଞ୍ଚଙ୍କ ଓ ଗାଁ ଲୋକଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ସହିତ ବୀରବାଦ୍ୟରେ ପାଛୋଟି ନିଆଗଲା ନିଜର ଜନ୍ମ ମାଟିକୁ।

ଘରେ ପହଂଚୁ ପହଂଚୁ ମା ବ୍ୟସ୍ତ ହୋଇ କହି ପକେଇଲେ ତତେ ଅପେକ୍ଷା କରି ନିଶାର ବାପା ତା ବାହାଘର ମଧୁ ପଟ୍ଟନାୟକ ସହିତ ଠିକ କରିଦେଇଛନ୍ତି। ଆଜି ତାର ବାହାଘର।

ଏ କଥା ଶୁଣୁ ଶୁଣୁ ରାଜେଶର ଆଖି ଲାଲ ପଡ଼ିଗଲା।ଏତେ ବଡ଼ ଯୁଦ୍ଧକୁ ଜିତି ଆସିଥିବା ସୈନିକ ଶେଷରେ କଣ ନିଜ ଜୀବନ ଯୁଦ୍ଧରେ ହାରିଯିବ ନା ସେ ବୀର, ହସି ହସି ଜୀବନ ଦେଇଦେବ ପଛେ ପଛଘୁଞ୍ଚା କଣ ଜାଣିନି।ବୀର ପୋଷାକ ତା ଦେହରେ ଦାଉ ଦାଉ ହୋଇ ଜଳୁଥାଏ।ଘର ଆଗରେ ବୀର ବାଦ୍ୟ ଧମ ଧମ ହୋଇ ବାଜୁ ଥାଏ।

ମାର ସିନ୍ଦୁର ଫରୁଆରୁ କିଛି ସିନ୍ଦୁର ନେଇ ମାଆକୁ ମୁଣ୍ଡିଆ ମାରି ସିଧା ଚାଲିଲା ନିଶା ଘରକୁ।

ନିଶାର ମଥାରେ ସିନ୍ଦୁର ପିନ୍ଧାଇ ନେଇ ଆସିଲା ନିଜ ସାଥିରେ।କହିଲା ବାଜା ରୋଷଣୀ ଜାନି ଯୌତୁକ ତାର କିଛି ଲୋଡ଼ା ନାହିଁ।ନିଶାର ବାପା ମା ତାର ଆସିବା ବାଟକୁ ଚାହିଁ ରହିଥାଆନ୍ତି।

ଫେରିବା ବାଟରେ ନିଶାଆଖିରୁ ଝରିପଡୁଥିଲା ଦୁଇଟୋପା ଖୁସିର ଲୁହ ଆଉ ପଛରେ ଛାଡି ଆସିଥିଲା ତାର ପିଲାବେଳର ସାଥି ସେଇ ଅଳକା ନଈର ବାଲିପଠାକୁ।


Rate this content
Log in