Elli Biswal

Others

4.1  

Elli Biswal

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

6 mins
462


ରବିବାର ଦ୍ୱିପହର ଭୋଜନ ପରେ ଶ୍ୟାମ ବାବୁ ତାଙ୍କ ଶ୍ରୀମତୀ ପ୍ରଭାଙ୍କୁ କହିଲେ ଆଜିର ଭୁରି ଭୋଜନ ପରେ ଟିକେ ନ ଗଡ଼ିଲେ ମନ ଶାନ୍ତି ହବନି | ପ୍ରଭା କହିଲେ ଶୋଉନା କିଏ ମନା କରୁଛି, ଦୁଇ ଦିନ ଛୁଟି ମିଳୁଛି ସେଥିରେ ଶନିବାରଟା ସଉଦା ପତ୍ର କିଣା, ଏପଟ ସେପଟ କାମରେ ଯାଉଛି | ଏତେ ଖଟିଲା ପରେ ନିଜ ପାଇଁ ଗୋଟେ ଦିନ ଯଦି ସମୟ ଦବନି ତାହେଲେ କି ଲାଭ | ପ୍ରଭାଙ୍କଙ୍କଠୁ ଏମିତି କଥା ଶୁଣିଲା ପରେ ଶ୍ୟାମ ବାବୁ ମନେମନେ ଭାବିଲେ କିସ କଥା | ଆଜି ଶ୍ରୀମତୀଙ୍କ ମୁଡ୍ ଭାରି ଭଲ ଅଛି ନହେଲେ ଏତେ ବେଳକୁ କହିଥାନ୍ତେ, ଏବେ ଟିକେ ସୀମାର ମ୍ୟାଥସ୍ ହୋମେୱାର୍କ କରେଇ ଦିଅ, ନହଲେ ଶ୍ରଦ୍ଧାକୁ ଟିକେ କୋମ୍ପୁଟର ପଢ଼େଇ ଦିଅ | ଯା ହୋଉ ମୁଡ୍ ଠିକ ଅଛି ମାଡାମଙ୍କର ମୁଁ ଏଇ ମୌକାରେ ଟିକେ ଗଡି ପଡେ ଯାଇକି | ଗଡୁ ଗଡୁ ଆଖି ଲାଗି ଯାଇଛି | କିଛି ସମୟ ପରେ ମୁହଁ ଧୋଇକି fresh ହେଇକି ଶ୍ୟାମ ବାବୁ ଆସିଲେ, କହିଲେ ଆରେ ପ୍ରଭା ଏତେ ଡେରି ହେଲାଣି ମତେ ଟିକେ ଡାକ ପକେଇଲନି ମୁଁ ଉଠି ଯାଇଥାନ୍ତି | ପ୍ରଭା ରୋଷେଇ ଘରେ ଥାଇ କହିଲେ ଉଠିକି କଣ କରିଥାନ୍ତ କି ? ଆଜି ପାଗ ବଢିଆ ହେଇଚି ବାଲକୋନିରେ ଯାଇକି ବସ ମୁଁ କଫି ଆଣିକି ଆସୁଛି | ବାଲକୋନୀରେ ବସିକି ଶ୍ୟାମ ବାବୁ କହିଲେ, ଓହୋ ଆଜି ତ ପାଗଟା ସତରେ ଭାରି ବଢିଆ ହେଇଚି, ଝିପିଝିପି ବର୍ଷା ହେଇ ମାଟିରୁ ଆହା କି ସୁନ୍ଦର ବାସନା ଆସୁଛି | ଆକାଶରେ ରଙ୍ଗ ବେରଂଗ ବାଦଲର ଲହରୀ ଛୁଟିଛି | ସେପଟେ ପ୍ରଭା କଫି ସହ ନମକିନ୍ ଆଣିକି ଟେବୁଲ୍ ଉପରେ ରଖି ଦେଲେ | ଆରେ ବାଃ ଆଜି ତ କଫିଟା ବେଶ ଭଲ ଦିଶୁଚି ୟୁଟ୍ୟୁବରୁ ନୂଆ ଜିନିଷ ଶିଖିଛ ଯାହା ଲାଗୁଚି | ନା ମ ମୋ ପାଖରେ ଏତେ ସମୟ ନାହିଁ ତମ ଝିଅ ସୀମା କୋଉଠୁ ଦେଖିକି ଆସିକି ବନେଇଛି ଡାଲଗୋନା କଫି | କି ଜିନିଷ ଶିଖିଲା ଯେ.. ମା ଝିଅ ସେ କଫିକୁ ଫେଣ୍ଟି ଫେଣ୍ଟି ହାତ ଦରଜ ହେଇ ଗଲା | ହେଇଟି ଶୁଣିଲ, ଅନଲାଇନରୁ ଗୋଟେ ଇଲେକ୍ଟ୍ରିକ ମିକ୍ସର୍ ଅର୍ଡର୍ କଲେ ହବନି | କେକ୍ କଫି ସବୁ ବନେଇବା କାମରେ ଆସିବ | ଶ୍ୟାମ ବାବୁ ଦରହସରେ କହିଲେ ହଉ ଆଗ ପି କି ଦେଖେ କେମିତି ଲାଗୁଚି | ଆର ରବିବାର ଯୋଉ ପଥର ପରି ଟାଣ କେକ୍ ବନେଇ ଥିଲ, କଫିଟା ଆଉ ସେମିତି ସୁନ୍ଦର ହେଇ ନଥାଉ | ଏମିତି କହିକି ସାନ ଝିଅ ଶ୍ରଦ୍ଧାକୁ ଦେଖିକି କଣେଇ କଣେଇ ହସିଲେ | ଶ୍ରଦ୍ଧା ଟିଭି ଦେଖୁ ଦେଖୁ ସେପଟୁ କହିଲା ପାପା ସେଇ ପଥର କେକକୁ ତମେ ହିଁ ସବୁ ଖାଇଛ | ପ୍ରଭା କହିଲେ ପାପା ଖାଇବେ ଠିକ ସବୁ, କିନ୍ତୁ ମତେ ଗୋଟେ ଟଣ୍ଟଟେ ନମାରିଲେ ତାଙ୍କ ଭାତ କୋଉଠି ହଜମ ହବ | ଏମିତି ହସାହସି ଭିତରେ ଶ୍ୟାମ ବାବୁଙ୍କ ନଜର ସାମ୍ନାରେ ନୂଆ ଆପାର୍ଟମେଣ୍ଟ ବନାଉଥିବା କନଷ୍ଟ୍ରକସନ୍ ୱାର୍କରଙ୍କ ଉପରେ ପଡିଲା | ସେଇ ବିଲଡିଙ୍ଗର ତଳେ ଟେଣ୍ଟ ପକେଇକି ୩-୪ ପରିବାର ଛୁଆଙ୍କ ସହ ରହୁଛନ୍ତି | ଆଜି ରବିବାର କାମ ବନ୍ଦ ସେଥିପାଇଁ ବାହାରେ ଖଟିଆଟେ ପକେଇକି ଗୋଟେ ପରିବାରର ବାପା ଛୁଆ ୩ ଜଣ ବସିଛନ୍ତି | ମା ଗୋଟେ ଗିଲାସରେ ବୋଧହୁଏ ନାଲି ଚାହା ପରି କଣ ଗୋଟେ ଆଣିକି ବାପାଙ୍କୁ ଦେଲା ଆଉ ଛୁଆଙ୍କୁ ଗୋଟେ ଛୋଟ biscuit ପାକିଟିଟେ ଦେଲା | ଛୁଆ ମାନେ ଭିଡା ଭିଡି ହେଇକି ସେ ପାକିଟିଟା ଖୋଲିକି ଖାଇବାରେ ଲାଗିଲେ | ବାପା ଅଧା ଚାହା ପିଉ ପିଉ ଗିଲାସଟା ଛୁଆଙ୍କ ଆଡକୁ ଦେଖେଇଲେ | ଛୁଆ ବି ଦୋୖଡିକି ଆସିକି biscuit ସେ ଚାହାରେ ବୁଡ଼େଇକି କି ଆନନ୍ଦରେ ନାଚି ନାଚି ଖାଇବାରେ ଲାଗିଲେ | ଏସବୁ ଦୃଶ୍ୟ ଦେଖିକି ଶ୍ୟାମ ବାବୁଙ୍କ ଆଖି ଆଗରେ ତାଙ୍କ ପିଲା ଦିନର କଥା ନାଚି ଉଠିଲା | ସେ ପ୍ରଭାଙ୍କୁ କହିଲେ ବୁଝିଲ ପ୍ରଭା ଏମାନଙ୍କୁ ଦେଖିକି ମତେ ଆମ ଛୁଆ ଦିନ କଥା ମନେ ପଡି ଯାଉଛି, ଆମେ ସମସ୍ତେ ଗାଆଁରେ ରହୁଥିଲୁ | ସବୁଦିନ ବାପା ଅଫିସରୁ ଫେରିକି ମୁହଁ ହାତ ଧୋଇକି ଆସୁ ଆସୁ ବୋଉ ସେପଟୁ ଚାହା କପ ସହ ବିସ୍କୁଟ୍ ମିକଶ୍ଚର୍ ଗୋଟେ ପ୍ଲେଟରେ ଆଣିକି ବାପାଙ୍କ ଆଗରେ ରଖିକି କହେ ଏଥିରୁ ଦୁଇଟା ପାଟିରେ ପକଉ ଥା ରୋଷେଇ ସରି ଆସିଲାଣି | ଅଟା ଚକଟିକି ରଖି ଦେଇଛି ଖାଲି ରୁଟି ଦୁଇଟା ସାଙ୍ଗେ ସାଙ୍ଗେ କରି ଦେବି ଏତିକି କହିକି ରୋଷେଇ ଶାଳକୁ ଧାଏଁ | ବାପା ହସି ହସିକି ଅପା ଆଉ ମତେ କହନ୍ତି ତମ ବୋଉକୁ ସବୁ ଜିନିଷରେ ଜଲ୍ଦି | ସନ୍ଧ୍ୟା ଛଅରୁ କିଏ ରୁଟି ଖାଇବ | ବଡ ପାଟିରେ ବୋଉକୁ ଶୁଭିଲା ପରି କହନ୍ତି, ରୁଟି ପରେ କରିବୁ ଆଉ ଟିକେ ଚାହା ଅଛି ଯଦି ନିଜ ପାଇଁ ଆଣିକି ଆସେ ଆଉ ଆମ ସହ ଏଠି ବସେ |ଚାହା ନାହିଁ ଯଦି ଖାଲି କପ୍ ଗୋଟେ ଆଣିକି ଆସେ ପୁରା କପ୍ ଚାହା ଦେଇଚୁ ଯେ, ମୁଁ ଏତେ ପି ପାରିବିନି, ମୋଠୁ ଟିକେ ନେଇ ଯା | ଏଇ ଛୋଟ ଛୋଟ କଥାରୁ ବାପା ବୋଉଙ୍କର ମଧୁର ସମ୍ପର୍କର ଝଲକ ଆମେ ଅନୁଭବ କରୁ | ପ୍ଲେଟରୁ ବିସ୍କୁଟ୍ ଦୁଇଟା ଅପା ଆଉ ମତେ ବଢ଼େଇ ଦିଅନ୍ତି ,ଆଉ ଚୁପ କିନା ଆମକୁ କହନ୍ତି ବୋଉ ଆସିବା ଆଗରୁ ଟିକେ ଚାହାରେ ବୁଡେଇ ଦିଅ ସେ ବିସ୍କୁଟ୍ | ଅପା ଆଉ ମୁଁ ଡେରି ନକରି ସାଙ୍ଗେ ସାଙ୍ଗେ ଚାହାରେ ବୁଡ଼େଇକି ବାରି ପଟକୁ ଦଉଡି କି ପଳାଉ | ଆମ ଦୌଡ଼ା ଶୁଣି ବୋଉ ଭିତରୁ ଥାଇ ସବୁ ଜାଣିଲା ପରି ପାଟି କରେ ପୁଣି ଛୁଆଙ୍କୁ ଚାହା ଦେଲ | ସବୁ ଦିନ ମନା କରୁଛି ନଦେବାକୁ, ତାଙ୍କର ଚାହା ଅଭ୍ୟାସ ହେଇଯିବ | ବାପା ହସି ହସି କହନ୍ତି, ଆଉ ନୁହେଁ ତ କଣ ଏମିତି ଟୋପେ ଟୋପେ ଚାହାରେ ଖାଲି ଅଭ୍ୟାସ ହେଇ ଯାଉଥିଲା | କି ସୁନ୍ଦର ଥିଲା ସେ ପିଲାଦିନ | ବୁଝିଲ ପ୍ରଭା ଆମ ଗାଆଁ ଗୋଟେ ସ୍ୱର୍ଗଠୁ କମ ନୁହେ | ଗାଆଁ ଲୋକଙ୍କର ନିଷ୍କପଟ ପ୍ରେମ ଅବର୍ଣ୍ଣନୀୟ | ଗାଆଁରେ ସମସ୍ତଙ୍କ ଦୁଆର ଦିନ ମାନ ଖୋଲା | କାହା ଘରକୁ କେତେବେଳେ ବି ପଶି ଯାଉଥିଲୁ | କିଏ ଯଦି ଖାଇ ବସିଥିବେ, ମୁଁ ତାଙ୍କ ଘରକୁ ଗଲା ମାନେ ମତେ ଦେଖିକି ଡାକ ପକାନ୍ତି, ଆରେ ଶ୍ୟାମୁ ମୋ ପାଖକୁ, ଦୁଇଟା ଖାଇ ଦବୁ | ମୁଁ ଯେତେ ଘରୁ ଖାଇକି ଆସି ଥିଲେ ବି ଯାଇକି ତାଙ୍କ ପଖାଳ କଂସାରେ ହାତ ପୁରେଇକି ତାଙ୍କ ସହ ଦୁଇ ଗୁଣ୍ଡା ଖାଇ ଦିଏ | ଗାଆଁ ମୁଣ୍ଡର ନଈ କୂଳରେ ସାଙ୍ଗଙ୍କ ସହ କେମିତି ସମୟ ପଳାଏ ଜଣା ବି ପଡ଼େନି | ଓଃ କି ଶାନ୍ତି ଲାଗେ ସେଠି | କାହା ବାହାଘର ଭଲ ମନ୍ଦ ହେଲେ ଗାଆଁ ସାରା ଲୋକ ଗୋଟେ ପରିବାର ଭଳି ମିଶିକି ସବୁ କାମ କରନ୍ତି | କେତେ ମଜା ଆସୁ ଥିଲା, ସେ ସମୟ ଏବେ ଆଉ କାଇଁ | ଭାରି ମନେ ପଡ଼ିଲାଣି ମୋ ଗାଆଁ କଥା, ଇଛା ହଉଛି ଏବେ ପଳାନ୍ତିକି | କିଛି ସମୟର ନୀରବତା ପରେ କଲିଙ୍ଗ ବେଲର ଶବ୍ଦ ଆସିଲା. 

କଲିଙ୍ଗ ବେଲ ସାଉଣ୍ଡରେ ହଠାତ ନିଦ ଭାଙ୍ଗିଲା ଶ୍ୟାମ ବାବୁଙ୍କର | ବେଡ଼ରେ ବସିକି ଭାବିଲେ ଆରେ ଏସବୁ ତାହେଲେ ସ୍ୱପ୍ନ ଥିଲା | କେଡେ ସୁନ୍ଦର ସ୍ୱପ୍ନଟା ଥିଲା ସତରେ | ବେଡ଼ରୁମରୁ ବାହରିକି ଆସିଲା ବେଳକୁ ଦୁଇ ଝିଅ ଖୁସିରେ ପାପାଙ୍କୁ ଦେଖିକି କହିଲେ, ଅନଲାଇନରୁ ସେଦିନ ଯୋଉ ଡ୍ରେସ୍ ମମି ଅର୍ଡର୍ କରିଥିଲେ ଏବେ ଆସିଲା | ଦେଖ କେତେ ସୁନ୍ଦର ହେଇଚି | କାଲି ପିଙ୍କିର ବାର୍ଥ୍ ଡେ ପାର୍ଟିରେ ଆମେ ଏଇଟା ପିନ୍ଧିବୁ | ଶ୍ୟାମ ବାବୁ କହିଲେ ହଁ ବଢିଆ ହେଇଚି | ପ୍ରଭା କହିଲେ ଆଜି କଣ ଏତେ ସମୟ ଶୋଇ ଗଲ | ମୁଁ ଭାବୁ ଥିଲି ଏବେ ଯାଇକି ଉଠେଇବାକୁ | ଲସ୍ସି ବନେଇଛି ପୀଇବ ନା ଚାହା ବନେଇବି ? ଶ୍ୟାମ ବାବୁ କହିଲେ ଚାହା ଟିକେ ହେଲେ ଭଲ ହୁଅନ୍ତା | ଆଉ ଟିକେ ପରେ ବନେଇବ ଏବେ ଟିକେ ଏଠି ଆସିକି ବସ | ପ୍ରଭା କହିଲେ ଟିକେ ପରେ ମୋର ରିଅଲିଟି showଟା ଷ୍ଟାର୍ଟ ହେଇଯିବ | ଜଲ୍ଦି ଜଲ୍ଦି ବନେଇ ଦିଏ ଚାହା | ଶ୍ୟାମ ବାବୁ ସୋଫାରେ ବସିକି ସ୍ୱପ୍ନକୁ ମନେ ପକେଇ ଗାଆଁ କଥା ଭାବୁଥିଲେ | ମନ କହୁ ଥିଲା ସବୁ ଛାଡିକି ଗାଆଁକୁ ଯାଇ ସେଇ ସରଳ ଜୀବନ କାଟିବାକୁ କିନ୍ତୁ ମୁଣ୍ଡ କହୁଛି ରିଅଲିଟି ଚେକ୍ . ଅଫିସରୁ ଛୁଟି ନବାକୁ ହେଲେ ମାସେ ଆଗରୁ ତାର ପ୍ଲାନିଙ୍ଗ୍ କରିବାକୁ ହଉଛି, କେମିତି ଭାବି ପାରୁଛୁ ସବୁ ଛାଡିକି ଯିବାକୁ | ଦିଲ ଆଉ ଦିମାଗର ଏଇ ଖେଳ ତ ସଠିକ ବୁଝି ଯାଇଥିଲେ ଶ୍ୟାମ ବାବୁ କିନ୍ତୁ ଶ୍ରୀମତୀଙ୍କର ଟିକେ କ୍ଲାସ୍ ନବାକୁ ମନ ହେଲା ତାଙ୍କୁ | ରୋଷେଇ ଘରକୁ ଯାଇ ପ୍ରଭାଙ୍କୁ କହିଲେ, ଏଠିକା ଚକମକ ଦୁନିଆରୁ ମନ ଭରିଗଲାଣି, ଭାବୁଥିଲି ଆମେ ଯାଇକି ଗାଆଁରେ ରହିଲେ ହୁଅନ୍ତାନି | ପ୍ରଭା ଚାହା ଛାଣୁ ଛାଣୁ କଟାକ୍ଷ ଚାହାଣୀ ଗୋଟେ ଦେଲେ | ଅତ୍ୟଧିକ ଶୋଇକି ମୁଣ୍ଡ ବୋଧହୁଏ ଟିକେ ବିଗିଡି ଯାଇଛି, ନିଅ ଚାହା ପି ଦିଅ ଠିକ ହେଇ ଯିବ | ଶ୍ୟାମ ବାବୁ ଚାହା କପଟା ନେଇକି କହିଲେ ପ୍ରଭା ମୁଁ ସିରିଅସଲି କହୁଛି | ପ୍ରଭା କହିଲେ ଝିଅ ଦୁଇ ଜଣଙ୍କ ପଢା ସରିଲା ପରେ ସେମାନେ ସେଟଲ୍ ହେଇଯାନ୍ତୁ, ତା ପରେ ତମେ ଗାଆଁକୁ ଯା, କି ହିମାଳୟକୁ ଯା, କି ଜଙ୍ଗଲକୁ ଯା ମୋର କିଛି କହିବାର ନାହିଁ | ଏତିକି କହି ଆସିକି ଟିଭି ଲଗେଇକି ତାଙ୍କ ସୋ ଦେଖିବାରେ ଲାଗିଲେ | ଶ୍ୟାମ ବାବୁ ଡାଇନିଙ୍ଗ୍ ଟେବୁଲରେ ଚାହା ଧରି ବସିକି ଛୁଆଙ୍କ ଆଡକୁ ଚାହିଁଲେ | ବଡ ଝିଅ ସୀମା କହିଲା ପାପା, ଡେଲି ଥରେ ମମିକୁ ଚିଡ଼େଇକି କଣ ମିଳେ ତମକୁ ? ଶ୍ୟାମ ବାବୁ ମୃଦୁ ହସ ଦେଇ ପ୍ରଭାଙ୍କୁ ଚାହିଁ କହିଲେ ଚିଡାଉ ନାହିଁରେ ମାଆ, ଅନ୍ତରର କଥା କହିଛି ଆଜି | ଗାଆଁରେ ଯୋଉ ଶାନ୍ତି ଯୋଉ ଅତ୍ମୀୟତା ସେକଥା ଏ ସହରରେ କାଇଁ | ଯେତେ ମନ ହେଲେ ବି ସବୁ ଛାଡିକି ଗାଆଁକୁ ଯିବା ଏବେ ପାଇଁ ସ୍ୱପ୍ନ | କିନ୍ତୁ ଏଇଟା ଥୟ ଯେ ରିଟାୟାରମେଣ୍ଟ୍ ପରେ ଗାଆଁରେ ରହିକି କିଛି ନହେଲେ ଅର୍ଗାନିକ୍ ଫାର୍ମିଙ୍ଗ୍ ଷ୍ଟାର୍ଟ କରିବି | ସମସ୍ତେ ଟିଭି ଦେଖିବାରେ ଲାଗିଗଲେ କିନ୍ତୁ ଶ୍ୟାମ ବାବୁଙ୍କ ମନ ଘୁରି ବୁଲୁଥିଲା ଗାଆଁ ର ସେଇ ଅଗଣିତ ଅଭୁଲା ପୁରୁଣା ସ୍ମୃତିରେ .



Rate this content
Log in