Asutosh Patro

Others

3  

Asutosh Patro

Others

ଆଉ ଏକ ଚିଠି

ଆଉ ଏକ ଚିଠି

3 mins
12.2K



ଗେଟ୍ ର ଖଡ଼ଖଡ଼ ଶବ୍ଦ ଶୁଣି ବାହାରକୁ ଆସିଲି । କେହି ନଥିଲେ । ଏପଟ ସେପଟ ଚାହିଁ ଫେରିବାକୁ ଉଦ୍ୟତ ହେଲାବେଳେ ଦେଖିଲି ତଳେ ଗୋଟିଏ ଏୟାର ମେଲ ଲଫାପାଟିଏ ପଡିଛି । ବୋଧହୁଏ ପୋଷ୍ଟମ୍ୟାନ ପକାଇଦେଇ ଯାଇଛି । ଆଜିକାର ସ୍ମାର୍ଟଫୋନ ଯୁଗରେ ଚିଠିଟିଏ । ଭାରି ଆଶ୍ଚର୍ଯ୍ୟ ଲାଗିଲା । ପ୍ରାୟ ପନ୍ଦର ବର୍ଷ ହେବ କେବେ ହେଲେ ଚିଠି ପାଇ ନଥିଲି । ଅତ୍ୟନ୍ତ ଆଗ୍ରହ ଏବଂ କୌତୁହଳରେ ଚିଠିଟି ଗୋଟାଇଲି । ଠିକଣା ଲେଖା ସ୍ଥାନରେ ସୁନ୍ଦର ହସ୍ତାକ୍ଷରରେ ମୋ ନାଁ ଓ ଠିକଣା ଲେଖାଥିଲା । ପ୍ରେରକ ସ୍ଥାନରେ ଥିବା ନା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୋ ମସ୍ତିଷ୍କ ଭିତର ଘଣ୍ଟାଟି ସମୟ ଯାତ୍ରା (Time travel) କରି ପହଂଚି ଯାଇଥିଲା 1983 ମସିହାରେ ।


ମୋତେ ସେତେବେଳକୁ ତେର ବର୍ଷ । ମୁଁ ଥିଲି ଜଣେ ବିଦଗ୍ଧ ବେତାର ଶ୍ରୋତା । ମୁଁ ଜାଣିଥିବା ଭାଷାର ସବୁ ରେଡିଓ ଷ୍ଟେସନ ଶୁଣେ । ଯଥା, ଓଡ଼ିଆ, ହିନ୍ଦୀ, ତେଲୁଗୁ, ବଙ୍ଗାଳୀ, ଉର୍ଦ୍ଦୁ, ଇତ୍ୟାଦି । ହଁ, BBC, ରେଡିଓ ସିଲୋନ, ରେଡିଓ ଜର୍ମାନୀ, ରେଡିଓ ମସ୍କୋ, ଇତ୍ୟାଦି ଇତ୍ୟାଦି । ପ୍ରାୟ ସବୁ ରେଡ଼ିଓରେ ମୋ ଚିଠି ପ୍ରସାରିତ ହୁଏ । ସେତେବେଳେ ପତ୍ରବନ୍ଧୁ ବା ପେନଫ୍ରେଣ୍ଡ ଖୁବ ଚାଲିଥିଲା । ଜଣଙ୍କ ସହ ପତ୍ରବନ୍ଧୁ ହୋଇ ଚିଠି ଦିଆନିଆ ହୁଏ । ମୋର ମଧ୍ୟ ପତ୍ରବନ୍ଧୁ କରିବାକୁ ଭାରି ଇଚ୍ଛା ହେଲା । ତେବେ କରିବି କେମିତି । କାହା ସହ । ଠିକଣା ଜାଣିବି କେମିତି  ମୋ ବୟସର ସମସ୍କନ୍ଦ ପିଲାଟିଏ କେମିତି ପାଇବି । ମୋର ଭାବନା ସହ ତା ଭାବନା କେମିତି ମେଳ ଖାଇବ । ଇତ୍ୟାଦି ଇତ୍ୟାଦି ପ୍ରଶ୍ନ । ଶେଷରେ ସ୍ଥିର କଲି କି ଜଣେ ବିଦେଶୀ ସହ ପତ୍ରବନ୍ଧୁ ସାଜିବି । ଯେମିତି ହେଉ ପଛେ । ବହୁ ଚିନ୍ତା କଲା ପରେ ମନକୁ ଗୋଟିଏ ବୁଦ୍ଧି ପଶିଲା । ରେଡିଓ ମସ୍କୋର ଚିଠି ପାଇଛୁ କାର୍ଯ୍ୟକ୍ରମର ସଂଚାଳକଙ୍କ ଠିକଣାରେ ଚିଠିଟିଏ ଲେଖିଲି । ମୁଁ ଋଷିଆର କାହା ସହ ପତ୍ରବନ୍ଧୁ ହେବାକୁ ଚାହେଁ । ମୋ ଭାବନା କଥା ଆପଣମାନେ ଜାଣନ୍ତି । ମୋ ପାଇଁ ମୋ ବୟସର ବନ୍ଧୁଟିଏ ଠିକ କରିଦେଇ ପାରିବେ କି ? ଚିଠି ପଠାଇ ରେଡିଓ ଶୁଣିବାକୁ ଆଗ୍ରହର ସହ ଅପେକ୍ଷା କଲି । ସପ୍ତାହ ପରେ ସପ୍ତାହ ବିତିଗଲା । କୌଣସି ସପ୍ତାହରେ ମୋ ଚିଠି କଥା ଶୁଣିବାକୁ ପାଇଲି ନାହିଁ । ସେକଥା ଭୁଲି ଯାଇଥିଲି । ପ୍ରାୟ ଛଅ ମାସ ପରେ ମୁଁ ମୋ ଠିକଣାରେ ଗୋଟିଏ ଏୟାର ମେଲ ଲଫାପା ଟିଏ ପାଇଲି । ପ୍ରେରକ ଠିକଣାରେ ଲେଖାଥିଲା - ଶ୍ୱେତାଲିନା ନିକଲୋଭୟେଭ, 214, ଚର୍ଚ୍ଚ ରୋଡ଼, ଭଲଭୋଗ୍ରାଡ଼, USSR । ଚିଠି ପାଇଁ ମୁଁ ହତଚକିତ ହୋଇ ରହିଗଲି । ସନ୍ତର୍ପଣ ରେ ଚିଠି ଖୋଲିଲି । ସୁନ୍ଦର ହସ୍ତାକ୍ଷରରେ ଅଶୁଦ୍ଧ ଇଂରାଜୀରେ ଚିଠି ଲେଖା ଥିଲା (ସେ ବୟସରେ ମୁଁ ବି କୋଉ ଇଂରାଜୀ ପଣ୍ଡିତ ଥିଲି ଯେ) । ମୋ ବୟସର ଝିଅଟିଏ ଲେଖିଥିଲା ଚିଠିଟି । କାର୍ଯ୍ୟକ୍ରମ ସଂଚାଳକ ମହୋଦୟ ଜଣକ ମୋ ଠିକଣା ତାକୁ ଦେଇଥିଲେ । ସେ ମଧ୍ୟ ରେଡିଓ ମସ୍କୋର ଜଣେ ନିୟମିତ ଶ୍ରୋତା ଓ ପତ୍ର ପ୍ରେରକ ଥିଲା । ଚିଠିରେ ସେ ତା ବିଷୟରେ ସବୁ ଲେଖିଥିଲା ଓ ମୋ କଥା ଜାଣିବାକୁ ଚାହିଁଥିଲା । ମୁଁ ମଧ୍ୟ ପକେଟମନି ରୁ ସଞ୍ଚୟ କରି ଏୟାରମେଲ ଲଫାପା କିଣି ପତ୍ର ଲେଖିଲି । ତା ସହ ପତ୍ର ଦିଆନିଆ ଚାଲିଲା । ଏମିତି ଆମେ ନିଜନିଜ ଦେଶ, ଚାଲିଚଳଣ, ସଂସ୍କୃତି ବିଷୟରେ ବହୁତ କଥା ଜାଣିବାକୁ ପାଇଲୁ । ଡିସ୍କୋ ଡ୍ୟାନ୍ସର ସିନେମାର 'ଜିମି ଜିମି ଜିମି ଆଜା ଆଜା ଆଜା' ଗୀତ ତାର ଭାରି ପ୍ରିୟ ବୋଲି ସେ ଗୋଟିଏ ଚିଠିରେ ଲେଖିଥିଲା । ପ୍ରାୟ ସାତ ବର୍ଷ ଆମର ପତ୍ର ବିନିମୟ ଚାଲିଲା । ପରେପରେ ମୋ ଠିକଣା ବାରମ୍ବାର ବଦଳିବା ଓ ଜୀବିକା ଅନ୍ୱେଷଣର ପଥରେ ଝୁଣ୍ଟି ଝୁଣ୍ଟି ଖଣ୍ଡିଆଖାବରା ହୋଇ ବହୁତ କିଛି ଖାପଛଡା ହୋଇଗଲା । ମୁଁ ମଧ୍ୟ ଆଉ ଲେଖିବାକୁ ସମୟ ପାଇଲି ନାହିଁ ।

        ***

ଏବେ ଏମିତି ହଠାତ ତା ଠାରୁ ଚିଠିଟିଏ ପାଇଁ ମୋ ଆଶ୍ଚର୍ଯ୍ୟ ଓ ଆନନ୍ଦର ସୀମା ରହିଲା ନାହିଁ । ତାକୁ ଖୋଲି ଏକା ନିଶ୍ୱାସରେ ପଢିପକାଇଲି । ଏବେ ଖୁବ ସୁନ୍ଦର ଇଂରାଜୀରେ ଲେଖାଥିଲା । ଲେଖିଥିଲା, ଭଲରେ ଅଛି । ଭଲ ଚାକିରୀଟିଏ କରୁଛି । ଦୁଇଟି ଛୁଆ । ସ୍ୱାମୀ ମଧ୍ୟ ଭଲ । ଫେସବୁକ ଖୋଜିଖୋଜି ମୋ ଠିକଣା ପାଇଛି । ସରପ୍ରାଇଜ କରିବା ପାଇଁ ଚିଠି ପଠାଇଛି । ସେଥିରେ ତା ଫୋନ ନମ୍ବର ଦେଇଥିଲା । କଥା ହେବାକୁ କହିଥିଲା । ଇତ୍ୟାଦି ଇତ୍ୟାଦି ।


ମୁଁ ମୋ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଡକା ପକାଇ ଚିଠିଟି ଦେଖାଇଲି । ଜୀବନରେ କେବେହେଲେ ଚିଠି ଲେଖିନଥିବା ବା ଚିଠି ପାଇ ନଥିବା ପିଲାମାନେ ଚିଠି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ କେବଳ ଜାଣିଥିଲେ ଯେ, ଡାକରେ ବା କୋରିରରେ କେବଳ ବହି କିମ୍ବା ଜିନିଷ ଆସେ । (ମୋ ପାଖକୁ ଆସୁଥିବା ବା ମଗାଉଥିବା ସେମାନେ ଦେଖିଛନ୍ତି) । ମୋ ସ୍ତ୍ରୀ ଚିଠିଟି ପଢି ଟିକେ ସନ୍ଦେହ ଦୃଷ୍ଟିରେ ଦେଖିଦେଇ ନିଜ କାମରେ ଲାଗିଗଲେ । ତାଙ୍କୁ ତ ଫୁରୁସତ ନଥାଏ । ମୋ ପିଲାମାନଙ୍କୁ ମୋ pen friend ବିଷୟ ବୁଝାଇ କହିଲି । ସେମାନେ ଚିଠି ପଢିଲେ । ଶେଷରେ ପଚାରିଲେ, ବାପା ପେନଫ୍ରେଣ୍ଡ ମାନେ କଣ ।


ମୁଁ କହିଲି ଏବେ ତୁମେମାନଙ୍କର ଯେମିତି ଫେସବୁକ ଫ୍ରେଣ୍ଡ ଅଛନ୍ତି, ସେତେବେଳେ ଆମେ ସେମିତି ଅଜଣା ଲୋକଙ୍କ ସହ ପେନଫ୍ରେଣ୍ଡ ବସୁଥିଲୁ । ଚିଠି ମାଧ୍ୟମରେ । ପତ୍ରବନ୍ଧୁ ମାଧ୍ୟମରେ ଆମେ ପରସ୍ପରକୁ ଯାଉଥିଲୁ, ଭାବର ଆଦାନପ୍ରଦାନ କରୁଥିଲୁ । ଆନନ୍ଦ ପାଉଥିଲୁ । ଏବର ସାମାଜିକ ଗଣମାଧ୍ୟମରେ ଶୀଘ୍ର ଯୋଗାଯୋଗ ହୋଇପାରୁଥିଲେ ମଧ୍ୟ ଚିଠିର ଉତ୍ତର ପାଇବା ପାଇଁ ଆତୁର ଅପେକ୍ଷାର ମଧୁର ଉତ୍କଣ୍ଠା ଥିଲା ଅଦ୍ଵିତୀୟ ଓ ଅନିର୍ବାଚନୀୟ ।


( ପତ୍ରବନ୍ଧୁତାର ସ୍ମୃତି ଉଦ୍ଦେଶ୍ୟରେ ଛୋଟ ଲେଖାଟିଏ । ମୋର ଅନେକ ପତ୍ରବନ୍ଧୁ ଥିଲେ)




Rate this content
Log in

More oriya story from Asutosh Patro