ରାଧା କୃଷ୍ଣଙ୍କ କଥୋପକଥନ
ରାଧା କୃଷ୍ଣଙ୍କ କଥୋପକଥନ
କୃଷ୍ଣ - କଦମ୍ବ ମୂଳ ଛାଇ କୋମଳ
ଶୁଣ ଗୋ ମୋ ରାଧିକା ରାଣୀ,
କାକର ପ୍ରଭଞ୍ଜନ ବହୁଛି ସୁଲୁସୁଲୁ
କୁହ ପ୍ରେମର ମିଠା ମିଠା ବାଣୀ ।
ରାଧା- ଯେବେ ଥାଏ ମୋ ହାତେ ଚନ୍ଦ୍ରିକା
ତୁମ ହାତରେ ଥାଏ ବଂଶୀ,
କୁହ କି ସତେ ଆମେ ପ୍ରେମୀ ଯୁଗଳ
ସ୍ମିତ ହାସ୍ୟେ ଦିଏ ମୁଁ ହସି ।
କୃଷ୍ଣ - ମୟୁର ପୁଚ୍ଛକୁ ମୁକୁଟ ଭାବି
ପିନ୍ଧାଇ ଦିଅ ଯେ ମୋ ମଥାରେ,
ପ୍ରେମ କାହାଣୀ ଶୁଣି ଶୁଣି
ଶୋଇପଡ ମୋ ଛାତିରେ ।
ରାଧା- ୧୬୦୦ ଗୋପୀଙ୍କୁ କି ଗୁଣି କରିଛ
ତୁମ ପଛେ ପଛେ ଆସନ୍ତି ଧାଇଁ,
ତୁମେ ଗଲା ପରେ ଯମୁନା ମଧ୍ୟ
କାନ୍ଦି ଉଠେ କଇଁ କଇଁ ।
କୃଷ୍ଣ - ଗଉଡ ପୁଅ ମୁଁ ଗୋପୀଙ୍କୁ ବାନ୍ଧିଛି
ତିରିଚି ନଜର ଅକୁହା ପ୍ରେମରେ,
ସବୁ ଗୋପାଳୁଣୀ ପାଗଳ ହୁଅନ୍ତି
ବଇଁଶୀ ବାଦନର ମଧୁର ସ୍ବରରେ ।
ରାଧା- ବଂଶୀ ତୁମ ଡାକେ ରାଧା ରାଧା ବୋଲି
ମିଛ କହି ଭୁଲାଉଛ ମତେ କାଇଁ,
ଗୋପାଙ୍ଗନାମାନେ କାହିଁକି ଆସନ୍ତି
କୁହ ସାଥି ମୋ ମଥାକୁ ଛୁଇଁ ।
କୃଷ୍ଣ - ମିଛ ନୁହେଁ ପ୍ରିୟେ ସତ ମୁଁ କହୁଛି
ବଂଶୀ ଶୁଭେ ଯେବେ ତାଙ୍କୁ,
ନିଜ ନାମ ପରି ଲାଗଇ ବାଦନ
ଯେମିତି ରାଧା ବୋଲି ଶୁଭେ ତୁମ କାନକୁ ।
