ପ୍ରଭାତ
ପ୍ରଭାତ
ରାତ୍ରିର କର୍ଣ୍ଣରେ ସବିତା କହିଲେ, ଶୁଣଗୋ ରାତ୍ରି ସୁନ୍ଦରୀ,
ତୋ ଅବଗୁଣ୍ଠନେ ମୋ ଚାରି ପ୍ରହର ବିତିଲାଣି ଆଗୋ ଗୋରୀ ।
ତୋ କଳା ଓଢଣୀ ଖୋଲ ମୋ ମିତଣୀ, ଦିଅ ଗୋ ମୋତେ ମେଲାଣି,
ଚାରୋଟି ପ୍ରହର ପୃଥ୍ଵୀ ପରେ ବୁଲି ଫେରି ଆସିବି ମୁଁ ପୁଣି ।
ଦିନକର ଏହି ଦିନ ଆଗମନ ବାର୍ତ୍ତା ରାତ୍ରି ହାତେ ଦେଲେ,
ଅରୁଣ ସମ୍ମାନେ ନିଶା ପୂର୍ବ ଦିଗ ଅରୁଣିମା ଭରିଦେଲେ ।
କୃଷ୍ଣକାୟ ଚାଦରରୁ ନୀଳାମ୍ବର ଧୀରେ ହେଲେ ପ୍ରକଟିତ,
ଧରିତ୍ରୀ ଧାରକୁ ହୃଦୟରେ ଥାପି କରିଦେଲେ କୋଳାଗ୍ରତ ।
ଗଭୀର ନିଦ୍ରାରୁ ଉତ୍ଥାପିତ ହୋଇ ଧରିତ୍ରୀ ମାତା ଆମର,
କୋମଳ ଖରାରେ ସ୍ନାନ କଲା ବେଳେ ସୌନ୍ଦର୍ଯ୍ୟ ବଢ଼େ ଅପାର ।
ଶିଶିର ବିଧୌତ ପତ୍ର କଳି ପୁଷ୍ପ ସତେଜ ଓ ତେଜୀୟାନ,
ସଦ୍ୟସ୍ନାତା ଗୋରୀ ସମ ହୋଇଥାଏ ଅପରୂପ ଦୃଶ୍ୟମାନ ।
ଦୁଇ ବୃକ୍ଷ ମଧ୍ୟେ ସୂର୍ଯ୍ୟ ଆବିର୍ଭାବ ନିନ୍ଦେ କୋଟି ଜହ୍ନ ତେଜ,
ତାହାରି ଝଲକେ ଚକ୍ଷୁ ମୁଦି ହୁଏ, ତେଜୋଦୀପ୍ତ ତାର ସାଜ ।
ଖଣ୍ଡ ଖଣ୍ଡ ମେଘ ଧାରରେ ସୁବର୍ଣ୍ଣ ଜରି ଆଚ୍ଛାଦିତ କଲେ,
କମଳା ରଙ୍ଗର ରଙ୍ଗିନ ଦୃଶ୍ୟରେ ଜନ ମନ ହୃଷ୍ଟ ହେଲେ ।
ବୃକ୍ଷର ଶାଖାରେ କଳ ଧ୍ୱନି କରି ବିହଙ୍ଗ ଡାକନ୍ତି ଶୀଘ୍ର,
ଉଡ଼ିଯିବା ସାଥି ଖାଦ୍ୟ ଅନ୍ୱେଷଣେ ବିଳମ୍ବ ମୋଟେ ନ କର ।
ନୀଳାମ୍ବର ଆଉ ରୁପେଲି ମେଘର ପୃଷ୍ଠଦେଶେ ପକ୍ଷୀ ଦଳ
ଉଡ଼ୁଥିଲା ବେଳେ ମନଲୋଭା ଦୃଶ୍ୟ, ଅନୁପମ ସୁବିମଳ ।
ଆନନ୍ଦିତ ମନ, ପ୍ରଶାନ୍ତ ମାନସ, ସଦ୍ୟ ସମୀର ମହକ,
ପ୍ରକୃତିର ଏହି ମନଲୋଭା ରୂପ ବିସ୍ମରଣ କରେ ଦୁଃଖ ।
