STORYMIRROR

Rajib Gopal Swain

Others

4  

Rajib Gopal Swain

Others

ନିର୍ବାଣ

ନିର୍ବାଣ

2 mins
203


ଅନ୍ଧାର ଘୋଡ଼ି ପଥିକଟିଏ ମୁଁ ନିଶବ୍ଦେ ଚଳେ ନିତି

ନିଜକୁ ଓଟାରୀ ଫିଙ୍ଗୁଥାଏ ନିଜେ ସତେକି ଲାଗିଛି ବାଜି

ନିଲାମ କରେ ମୁଁ ନିଜ ଗଢ଼ା କଥା ନିଜେ ବି ନିଲାମ ହୁଏ 

ଅବଶୋସ ବୋଲି ଟିକିଏ ନଥାଏ ଲାଜକୁ ମୁଁ ବିକି ଦିଏ ।


ଅନ୍ଧାର ମୋତେ ଶିଖାଏନା କିଛି ଶିଖିବାର ଇଛା ନାହିଁ 

ଅନ୍ଧାର ଭିତରେ ସହଜ ଏ'ଆଖି ଆଉ କିଛି ଲୋଡ଼େ ନାହିଁ

ମହଣ ମହଣ ଆଲୁଅ ଭିତରେ ଥାଇ ବି ନଥିଲା ପରି

ଆତଯାତ ହୁଏ ଅନ୍ଧାରୀ ମଣିଷ ନିଜ ସୁରେ ଗୀତ ଗାଇ ।


ଜୀର୍ଣ୍ଣ ମନ ଏ ସ୍ବୀକାରୀ ପାରେନା ଆଲୁଅର ଉପସ୍ଥିତି

ଅଜଣା ହେବାର ଛଳନା ଭିତରେ ପାହୁଥାଏ ନିତି ରାତି 

ଜୀର୍ଣ୍ଣ ଭାବର ଜରାୟୁ ପ୍ରବେଶ ତାପରେ ପୂର୍ଣ୍ଣ ରୂପ

ଖଣ୍ଡିତ କରେ ଆଲୋକର ଆଶା ଚହଲେ ନିରାଶା ବିଷ ।


ଦେହ ଥାଏ ସିନା ମଣିଷ ନଥାଏ ଅନ୍ଧାର ଯେବେ ଥାଏ 

ନିମିତ୍ତ ପ୍ରାଣୀର ମରଣ ଆଦରି ଅନ୍ଧାରେ ଲୀନ ହୁଏ

ତଥାପି ସୁଯୋଗ କପାଳରେ ଆସେ ହେଉ ପଛେ ଗୋଟେ ଥର

ପରଖି ପାରିଲେ ଆଲୁଅର ସ୍ୱାଦ ମିଳିଥାଏ ବାର ବାର ।


ସେଦିନ ମୁଁ ଯେବେ ପଡିଲି ଝୁଣ୍ଟି କଙ୍କରେ ଥିଲା ପାଦ

ପଥ ଧାରେ ଦିହ ଆଭରଣହୀନ ଅନ୍ଧାର ଥିଲା ଦୂର 

ଗୋଟେ କ୍ଷଣ ସେଇ ଆଲୁଅ ର ସ୍ୱାଦ କଲା ମୋତେ ଅବିଭୂତ

ଇଛା ଟିକ୍କେ ମନେ ସଞ୍ଚରୁ ଥିଲା ଆଲୁଅରେ ସରୁ ପଥ ।


ଇଛା ତ ନଥିଲା ଅନ୍ଧାର ଘୋଡ଼ି ଆଗକୁ ଚାଲିବା ପାଇଁ

ହେଲେ ମୁଁ ନିର୍ବୋଧ ଜାଣିତ ନଥିଲି ମୁଁ କେହି ନୁହେଁ ବୋଲି 

ମୁଁ ଘୋଡ଼ି ନାହିଁ ଅନ୍ଧାରୀ ଚାଦର ଅନ୍ଧାର ଧରିଛି ମୋତେ 

ମୁକୁଳିବା ଏତେ ସହଜ ତ ନୁହେଁ ଚେଷ୍ଟା କରେ ସାଧ୍ୟ ମତେ ।


ରାସ୍ତା ଏ ବନ୍ଧୁର ବନ୍ଧୁହୀନ ପଥ ଝଡ଼ ମୁହଁ ଦୃଶ୍ୟମାନ

ତଥାପି ଶାଣିତ ଇଛା ଆଗରେ ସବୁ ହୁଏ ପ୍ରତିହତ 

ଉନ୍ମଳିତ ହୁଏ ତୃତୀୟ ନେତ୍ର ନଦିଶିବା କଥା ଦିଶେ

ମୁକ୍ତିକାମୀର ଓଠ ଧାରେ ଟିକେ ତୃପ୍ତି ର ହସ ଫୁଟେ ।


ନିର୍ବାଣ ପାଇଁ ନିଜ ଭିତରର ମଣିଷ ଉଠିଲେ ତେଜି

ଆଲୋକିତ ହେବ ପଥ ଏ' ନିଶ୍ଚିତ ଅନ୍ଧାର ଯିବ ଭାଜି 

ଉଠ ହେ ମଣିଷ ତେଜ ଅନ୍ଧକାର ଶକ୍ତ କର ତୋର ମନ 

ମନକୁ ଉଠିବ ଜ୍ଞାନାଲୋକ ସେ ଯେ ଲଭିବା ପାଇଁ ନିର୍ବାଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajib Gopal Swain