STORYMIRROR

Laxmipriya Ojha

Others

2  

Laxmipriya Ojha

Others

ନବେ ଦଶକ ର ଝିଅ ମୁଁ

ନବେ ଦଶକ ର ଝିଅ ମୁଁ

1 min
812



ମୋତେ ଖୋଜୁଛ ?

ଭଲ କଥା, ଖୋଜ,

ପାଇବ,

ଏଠି ନୁହେଁ ମ ,

ମୋ ବାପଘର ଆଲମାରୀ ର

ବହିଥାକ ଭିତରେ ଥୁଆ ହେଇଚି ମୁଁ

ନିଖୁଣ ଭାବରେ ଚାରି ଚଉତା

ନୀଳ ଇଂଲାଣ୍ଡଲେଟର ରେ,

ଗୁନ୍ଥା ହେଇଚି ସେଇ

କଲେଜ ଫାଇଲ ରେ

ଉଇ ଚରିବା ଚରିବା ହେଉଥିବା

ଥାକେ ପ୍ରସଂଶା ପତ୍ର ରେ |


ଓହୋ !

ଜାଣି ପାରିବନି ବୋଧେ !

ମୁଁ ପରା ଏବେ

ମିଶ୍ର ରୁ ଚତୁର୍ବେଦୀ

ମୋ ବାପଘର ଚୌହଦୀ

ଡେଇଁ ଗଲା ପରେ |


ମୋ ସଙ୍ଗିଆ, ଗୋତ୍ର, ଠିକଣା

ଏବେ ସବୁ ନୂଆ |

ନୂଆ ଘର, ନୂଆ ପରିଚୟ,

ସମ୍ପର୍କ ବି ନୂଆ |

ସାଙ୍ଗରେ କିନ୍ତୁ ଗଇଁଠାଳ ସହ

ବାନ୍ଧି ଆଣିଥିଲି ମୋ କୁଆଁରୀ ସ୍ଵପ୍ନ କୁ

ବୋହୁ, ଭାଉଜ, ସ୍ତ୍ରୀ,

ବୋଉ, ବଡ଼ବୋଉ ହେଇ

ସମସ୍ତଙ୍କ ସ୍ଵପ୍ନ ପୁରା କରୁ କରୁ

ଅନେକ ଅନିଦ୍ରା ରାତି ପରେ

ଚୁପଚାପ କେବେ କେଜାଣି

ସ୍ଵପ୍ନ ସବୁ ପୋତା ସରିଥିଲେ

ଘର ପଛ ଦଳ ଗାଡ଼ିଆ ରେ !


ଧେତ ,

ସ୍ଵପ୍ନ କ'ଣ ମରେ କେବେ ?

ସେ ତ ଓର ଉଣ୍ଡ ଥାଏ

ମାରିବାକୁ ଏକୁଟିଆ ବେଳେ !

ମଲା ମାଛ ଭାସିଲା ପରି

ଖେଳେଇ ହେଇଯାନ୍ତି

ବେଳ ଅବେଳ ରେ !


ସ୍ଵପ୍ନ ଆଉ ବାସ୍ତବତା ମଝିରେ

ଛାଇ ଆଲୁଅର ଖେଳକୁ ନେଇ

ଗୋଟାଏ ଶରୀରରେ

ଦିଟା ଜୀବନକୁ ବୋହି ବୋହି

ହାଲିଆ ହେଇ ପଡିଥିବା,

ହସକୁ କାନ୍ଦରେ

କାନ୍ଦକୁ ହସରେ ଗୁଡେଇ ବଞ୍ଚୁଥିବା

ନବେ ଦଶକର ଝିଅ ମୁଁ |


ଲଷ୍ମୀପ୍ରିୟା ଓଝା | ଗୁଜରାଟ |

laxmipriyaojha@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍