ମୃତ୍ୟୁ ଆରପାଖ
ମୃତ୍ୟୁ ଆରପାଖ
1 min
14.6K
ମୃତ୍ୟୁ ମୋତେ ଜାବୁଡ଼ି ଧରିଲାବେଳେ
ଆଉ କିଛି ଦିଶୁ କି ନଦିଶୁ
ତୁମେ କିନ୍ତୁ ଦିଶୁଥାଅ ,ହସୁଥାଅ
ହାତ ଠାରି ଡାକ ପ୍ରିୟତମ
ମୁଁ ଚାଲୁଥାଏ
ପ୍ରାରବ୍ଧ ପ୍ରାରବ୍ଧ ଶୋକ,ପାପ
ପଛରେ ପକାଇ ।
ସବୁତକ ଲୋଡିବା ପଣକୁ ଗୋଟି ଗୋଟି ପାର କରି
କେବେ ବଞ୍ଚି ପାରି ନଥିବା ଜୀବନରୁ
ବୁଝି ପାରିନଥିବା ମୃତ୍ୟୁ ଯାଏଁ
ହାତ ଧରି ବାଟ କାଢି ନିଅ ପ୍ରିୟତମ
ମୁଁ ହଜୁଥାଏ
ସ୍ଵପ୍ନରେ,ଅବଚେତନରେ
ତୁମ ବିନା,ତୁମ ଠାରେ, ଭଲପାଇବାରେ ।
ମୋ କାହାଣୀର ସାରାଂଶରେ
ଶେଷ ତମ ଶବ୍ଦ ହେଇ
ଫୁଲରୁ ଝୁଲ ଯାଏ ମହୁ ଛିଞ୍ଚି ଛିଞ୍ଚି
ମୋତେ ମହନୀୟା କର ପ୍ରିୟତମ
ମୁଁ ଚାଲିଯାଏ
ମୋର ସେଇ ଟିକକ ‛ମୁଁ’ତ୍ୱକୁ ଛାଡି
ତୁମେ ହେଇ , ପ୍ରେମ ହେଇ
ଶବ୍ଦରୁ ସାଧନା ଯାଏ
ଚେତନାରୁ ସିଦ୍ଧି ଯାଏ
ପରିତ୍ରାଣ ପାଉଥିବା ଆତ୍ମାଟିଏ ପରି ।
କେବଳ ଏତିକି ଅନୁଭବୁ ଥିବି
ମୃତ୍ୟୁ ପରେ ମୃତ୍ୟୁ ଆସିଲେ ବି
ପ୍ରେମ କେବେ ସରେ ନାହିଁ
ଭୋଗ ହୁଏ ନାହିଁ ।
