STORYMIRROR

Gopinath Sethi

Others

2  

Gopinath Sethi

Others

ମୋ ଗାଁ ଆଜି ବସନ୍ତ ବାସରେ ବାସୁଛି

ମୋ ଗାଁ ଆଜି ବସନ୍ତ ବାସରେ ବାସୁଛି

1 min
284


ଶୀତ ମାଉସୀଟା ମାଗୁଛି ମେଲାଣି।

ଫେରିଯିବ ବେଳ ଉଛୁର ହେଲାଣି।।

ରଣ ନଈ ନୀରେ ରୂପେଲି ଜହ୍ନର ଜକ ଜକ ମୁହଁ ଦିଶୁଛି।

ମୋ ଗାଁ ଆଜି ବସନ୍ତ ବାସରେ ବାସୁଛି।।


ଫୁଲ ସବାରୀରେ ଫଗୁଣ ଆସିଛି।

ସୁରଭି ସୁମନା ଧରଣୀ ଧାରିଛି।।

ମାତାଲ ମଧୂପ ମତୁଆଲା ମନେ ଗୁଣୁ ଗୁଣୁ ଗୀତ ଗାଉଛି।

ମୋ ଗାଁ ଆଜି ବସନ୍ତ ବାସରେ ବାସୁଛି।।


ମହ ମହ ବାସେ ଗାଁ ଆମ୍ବ ତୋଟା।

ସୁମଧୁର ସୁରେ ଗାଆନ୍ତି ସୁକଣ୍ଠା।।

ମୃଦୁ ମଳୟର ମଧୁର ଛୁଆଁରେ ଦେଖ ମଧୁମାସ ଆସିଛି।

ମୋ ଗାଁ ଆଜି ବସନ୍ତ ବାସରେ ବାସୁଛି।।


ଗାଧୁଆ ତୁଠରେ ଅଳପ ବୟସୀ।

ଦେହ ମାଜୁଅଛି ବିରହରେ ବସି।।

ପରଦେଶିଆକୁ ଫେରିଆସିବାକୁ ଫଗୁଆ ବାରତା ଦେଉଛି।

ମୋ ଗାଁ ଆଜି ବସନ୍ତ ବାସରେ ବାସୁଛି।।


ଭିଡ ଜମିଲାଣି ଦୋଳ ପଡିଆରେ।

ଗାଁ ଦାଣ୍ଡ ଶୋଭେ ଅବିର ରଙ୍ଗରେ।।

ଜାତି ବର୍ଣ୍ଣ ଭୂଲି ଖେଳିବାକୁ ହୋଲି ଗାଁ ହାତ ଠାରି ଡାକୁଛି।

ମୋ ଗାଁ ଆଜି ବସନ୍ତ ବାସରେ ବାସୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍