ମନୁଷ୍ୟ ଓ ସ୍ବପ୍ନ
ମନୁଷ୍ୟ ଓ ସ୍ବପ୍ନ
ସ୍ବପ୍ନ ତାର ନାମ ଯାହା କଳ୍ପନାର ପ୍ରତିଫଳନ,
କେବେ ନିଦ୍ରିତ ନୟନର ଦୃଶ୍ୟପଟରେ ତ,
ପୁଣି କେବେ ଉଚ୍ଚ ଅଭିଳାଷର ଚିନ୍ତନ। 1
ସ୍ବପ୍ନ କେବେ ଲାଗେ ସତେ ଶୁଷ୍କ ମରୁଭୂମିର ତୋଫାନ,
କେବେ ପୁଣି ବନର ସବୁଜିମା ତ,
ପୁଣି କେବେ ସାଗର ତରଙ୍ଗରେ ତରଣିର ବାହନ। 2
ସ୍ବପ୍ନ କେବେ ପ୍ରେମର ମଧୁର ସ୍ପର୍ଶ ସମ ରଙ୍ଗୀନ,
କେବେ ପ୍ରତାରଣା ପରି କଣ୍ଟକିତ ତ,
ପୁଣି କେବେ ଚିର ଶାଶ୍ୱତ ପ୍ରେମୀସହ ମିଳନ। 3
ସ୍ବପ୍ନ ପୁଣି ଛାଇ ଆଲୁଅର ଦୁନିଆରେ ଭ୍ରମଣ,
କେବେ ସ୍ପଷ୍ଟ ଦିବାଲୋକ ପରି ସ୍ୱଚ୍ଛ ତ,
ପୁଣି କେବେ ଅନ୍ଧାର ସେ ଅମାବାସ୍ୟା ରାତି ପରି ଘନ। 4
ସ୍ବପ୍ନ କେବେ ଝରିଯାଏ ହୋଇ ସତେ ରିମ୍ ଝିମ୍ ଶ୍ରାବଣ,
କେବେ ଶୀତ ସକାଳର ଖରା ତ,
ପୁଣି କେବେ ବସନ୍ତର ମଳୟ ପବନ। 5
ସ୍ୱପ୍ନ ଆସେ ସ୍ବପ୍ନ ଯାଏ ଥିବାଯାଏ ହୃଦୟରେ ସ୍ପନ୍ଦନ,
କିଛି ହଜି ଲିଭି ଯାଏ ମଣିଷ ମନୁ ତ,
କିଛି ପୁଣି ସ୍ମୃତି ହୋଇ ରହି ଯାଇଥାଏ ଚିରଦିନ। 6
ସ୍ବପ୍ନ ନାହିଁ ନିୟନ୍ତ୍ରଣେ, ଅଣାୟତ ମନୁଷ୍ୟର ମନ,
କେହି ଖାଲି ସ୍ବପ୍ନ ଦେଖି ଚାଲିଥାଏ ତ,
କେହି କରେ ପ୍ରଚେଷ୍ଟା ଯେ କରିବାକୁ ତାହାକୁ ପୁରଣ। 7
ମନୁଷ୍ୟ ନୁହଁଇ ସେହି, ଯିଏ ଖାଲି ଦେଖି ଚାଲେ ସପନ,
ଫଳ ଆଶା ନ ରଖି ଯେ କରିଚାଲ ପ୍ରଚେଷ୍ଟା,
ପୂରଣ ହୋଇଲେ ହେବ ସାର୍ଥକ ଏ ମଣିଷ ଜୀବନ। 8
