ମମତାର ଅକୁହା ବେଦନା
ମମତାର ଅକୁହା ବେଦନା
1 min
195
ତୁମେ ଦୁହେଁ ଆସିବ ବୋଲି
ଏକ ଅକୁହା ବେଦନା ଭିତରେ ମଧ୍ୟ
ଥିଲା ପ୍ରେମ ପ୍ରତ୍ୟାଶାର ନୂଆ ସମ୍ଭାବନା ।
ଶତ ଦଳ ପଙ୍କଜ ବାସ୍ନାରେ
ସୁଗନ୍ଧିତ ହେଉଥିଲା ମନ
ହେଲେ ସେଥିରେ ବି ଥିଲା
ଏକ ଭୟ ଆସ୍ତରଣ ।
ମାଟିର ବକ୍ଷ ଚିରି
ଆକାଶକୁ ଦେଖିବାର ପୁଲକ ପାଇଁ
କରୁଥିଲ ନିରନ୍ତର ପ୍ରୟାସ ।
କେତେବେଳେ ହେଲି ଅଭିଭୂତ
କେତେବେଳେ ଆମୋଦିତ
ଶୁଣିବାକୁ ସେ ସୃଜନର ପହିଲି ଝଙ୍କାର ।
ସଂଚରିଯାଇଛ ମୋ ଭିତରେ
ମୋ ମନର ସ୍ଫୁରଣ
ଅବା ହୃଦୟର ସ୍ପନ୍ଦନ ହୋଇ ।
ବିଶ୍ୱ ବ୍ରହ୍ମାଣ୍ଡର ଉପଲବ୍ଧି ପାଇଁ
ପ୍ରତିଟି ରେଣୁରେ ସାଜ ସମାହିତ
ତୁମ୍ଭମାନଙ୍କର କଅଁଳ ପାଦର ସ୍ପର୍ଶରେ
ଲେଖା ବୋଧେ ମୋ ବାକି ଆୟୁଷ ।
ନୂଆ ପରିଚୟ ଆଣି
ମୋ ଅସ୍ତିତ୍ଵ ସାଜିବ
ମୋ ଶୂନ୍ୟ କୋଳରେ ଦୁହେଁ
ପୂର୍ଣ୍ଣତା ଭରିବ
ଶୋଷିନେବ ମୋ ଭିତରୁ
ସାଇତିଥିବା
ଆଶା ଆକାଂକ୍ଷାକୁ
ବିତରିବ ହସାଇବ
କାଉଁରୀ ପରଶେ ସଭିଙ୍କୁ ।
