STORYMIRROR

Krupasindhu Mishra

Others

3  

Krupasindhu Mishra

Others

ମହାଭାରତ (୪୫) ଲାଖବିନ୍ଧା

ମହାଭାରତ (୪୫) ଲାଖବିନ୍ଧା

2 mins
13.5K


ମହାଭାରତ (୪୫)ଲାଖବିନ୍ଧା

ଧୃଷ୍ଟଦ୍ୟୁମ୍ନ ଉଚ୍ଚସ୍ୱରରେ ଅର୍ଜୁନ କହିଥିବା କଥାକୁ ଦୋହରାଇଲେ. ପାଟି ତୁଣ୍ଡ ଟିକିଏ କମିଲା. ରାଜାମାନେ ନିଜ ନିଜ ଆସନରେ ବସିଲେ. ପାର୍ଥ ପ୍ରସ୍ତୁତ ହେଲେ ଦ୍ଵିତୀୟବାର ଲାଖ ବିନ୍ଧିବା  ପାଇଁ. କିନ୍ତୁ ସେ ଧନୁ ଦୁର୍ବଳ ହୋଇଯାଇଛି ବୋଲି ସେ ଜାଣିଥିଲେ. ତେଣୁ ସେ ଅନ୍ୟ ଏକ ଧନୁ ବ୍ୟବହାର କରି ପାରିବେ କି ବୋଲି ପଚାରିଲେ, କିନ୍ତୁ ଦୁଷ୍ଟ ରାଜାମାନେ ସେଥିରେ ସମ୍ମତ ହେଲେ ନାହିଁ. ଧନଞ୍ଜୟ ଇନ୍ଦ୍ରଙ୍କୁ ସ୍ମରଣ କରି ଗାଣ୍ଡୀବ ଧନୁ ପାଇଁ ପ୍ରାର୍ଥନା କଲେ ଓ ଇନ୍ଦ୍ର ତାହା ଅଦୃଶ୍ୟ ଭାବରେ ଅର୍ଜୁନଙ୍କୁ ଦେଇଦେଲେ. ବର୍ତ୍ତମାନ ସମସ୍ୟା ଥିଲା ଯେ ପୁରୁଣା ଧନୁ ଯଦି ତଳେ ରଖିବେ ତେବେ ସମସ୍ତେ ଜାଣିବେ .ସବ୍ୟସାଚୀ ଉଭୟ ଧନୁ ଏକତ୍ର ଯୋଡି ଧରିଲେ ଗୋଟିଏ ଧନୁରେ ମନଭେଦୀ ଶର ଓ ଅନ୍ୟଟିରେ ପାଶୁପତ ଶର ଯୋଚି ,ତଳକୁ ଦୃଷ୍ଟି ଓ ଉପରକୁ ମୁଷ୍ଟି କରି କର୍ଣ୍ଣ ପର୍ଯ୍ୟନ୍ତ ଓଟାରି ଛାଡି ଦେଲେ. ମନଭେଦୀ ଶର ସୁବର୍ଣ୍ଣ ମତ୍ସ୍ୟର ବାମ ଚକ୍ଷୁରେ ଗଳି ଦକ୍ଷିଣ ଚକ୍ଷୁରେ ଅଳ୍ପ ବାହାରି ରହିଲା ଓ ମତ୍ସ୍ୟ ଖସିଲା. ପାଶୁପତ ଶସ୍ତ୍ର ଘୁରୁଥିବା ଚକ୍ରକୁ ତଳକୁ ଖସାଇ ଦେଇ ଚାଲିଗଲା. ରାଜା ଦ୍ରୁପଦ ନିଜେ ମତ୍ସ୍ୟ ଓ ଚକ୍ର ହାତରେ ତୋଳି ସବୁ ରାଜାମାନଙ୍କୁ ଦେଖାଇଲେ. କୃଷ୍ଣ ଘନ ଘନ ଶଙ୍ଖ ଧ୍ୱନି କଲେ ଏବଂ ଯାଜ୍ଞସେନୀ ବରଣ ମାଳା ଧରି ଆଗେଇ ଆସିଲେ, କିନ୍ତୁ ଅର୍ଜୁନ ତାଙ୍କୁ ଅପେକ୍ଷା କରିବାକୁ କହିଲେ, ସମ୍ଭବତଃ ସେ ଧର୍ମରାଜଙ୍କ ଅନୁମତି ଅପେକ୍ଷାରେ ଥିଲେ. କିନ୍ତୁ ଦୁର୍ଯ୍ୟୋଧନ ଶକୁନିଙ୍କ କାନରେ କହିଲେ, "ଏହି ବ୍ରାହ୍ମଣ ବରଣ ମାଳା ଗ୍ରହଣ କରିବାକୁ ରାଜି ନୁହେଁ, ସେ ବୋଧ ହୁଏ କିଛି ଅର୍ଥ ନେଲେ ରାଜକନ୍ୟାକୁ ଆମ୍ଭଙ୍କୁ ଦେଇ ଦେଇ ପାରେ, ଚେଷ୍ଟା କରନ୍ତୁ." ଶକୁନି ପ୍ରଥମେ ଯାଇ ଅର୍ଜୁନଙ୍କୁ ଗୁଡାଏ ପ୍ରଶଂସା କଲେ. କହିଲେ, କୁଂଜଗଳ ଅଧିପତି ମାନଗୋବିନ୍ଦ ଦୁର୍ଯ୍ୟୋଧନ ତୁମକୁ ଇଛା ଅନୁଯାୟୀ ଅର୍ଥ ଦେବେ, ତୁମକୁ ରାଜସଭାରେ ଏକ ବିଶେଷ ଅଧିକାରୀ ପଦରେ ଅଭିଷିକ୍ତ କରିବେ, ତୁମେ କୃଷ୍ଣାଙ୍କୁ ତାଙ୍କୁ ଦେଇ ଦିଅ." ଅର୍ଜୁନ ହସିଲେ, କହିଲେ ,"ତାଙ୍କୁ ଯାଇ କୁହ ,କେତେ ଅର୍ଥ ପାଇଲେ ସେ ଭାନୁମତୀଙ୍କୁ ଦେବେ ଆଉ କେତେଟା ରାଜ୍ୟ ଦରକାର, ମୁଁ ଜୟ କରି ତାଙ୍କୁ ଦେଇ ଦେବି." (କ୍ରମଶଃ)


Rate this content
Log in