ମା
ମା
ମାଆର ଓଠର ମିଠା ମିଠା କଥା
ସ୍ନେହ ଶ୍ରଦ୍ଧାର ପୀୟୂଷ,
ସବୁ ଦୁଃଖ କଷ୍ଟ ପିଇଯାଏ ସିଏ
ସନ୍ତାନକୁ ଦେଇ ହସ |
ତା'ର ପାଦ ଧୂଳି ଚନ୍ଦନଠୁଁ ବଳି
କରଇ ସଦା ଆଶିଷ,
ନିଜ ଦୁଃଖ କଷ୍ଟ ହୃଦୟରେ ଚାପି
ଓଠରେ ଦେଖାଏ ହସ |
ତା'କୋମଳ କୋଳ ଅତି ସୁଶୀତଳ
ତୂଳୀ ତଳ୍ପ ଲାଗେ ବିଷ,
ମଙ୍ଗଳ କାରିଣୀ ସ୍ନେହ ନିର୍ଝରିଣୀ
କେତେ ପୁଣ୍ୟ ତା'ଆଶିଷ |
ମାଆର ପଣତ ଶ୍ରୀମନ୍ଦିର ନେତ
ସୁଖେ ଦୁଃଖେ ହୁଏ ସାହା,
ବିପଦେ ଆପଦେ ରକ୍ଷା କବଚସେ
ଦେଖାଏ ସେ ନୂଆ ରାହା |
ସ୍ୱର୍ଗ କାମଧେନୁ ମର୍ତ୍ତ୍ୟ ମନ୍ଦାକିନୀ
ତୁଲ୍ୟଯେ ଆମରି ମାଆ,
ସ୍ନେହ ମମତାର ଅସୀମ ଭଣ୍ଡାର
ସେହି ଅଟେ ଆମ ସାହା |
ପଥ ପ୍ରଦର୍ଶକ ପ୍ରଥମ ଶିକ୍ଷକ
ଶ୍ରେଷ୍ଠ ଚିକିତ୍ସକ ମାଆ,
ସେବାର ସାରଥୀ ତ୍ୟାଗର ମୂରତି
ମମତାର ଅନ୍ୟ ନାଆଁ |
ମାଆର ମମତା ଧରିତ୍ରୀର ସମ
ହସି ହସି ଦୁଃଖ ପିଏ,
ମାଆର ଜୀବନ ଧୂପକାଠି ସମ
ଜଳି ଜଳି ଶେଷ ହୁଏ |
ଜଳି ଯାଉ ପଛେ ଜୀବନ ତାହାର
ଦୁଃଖ ସୁଖେ ସାଥେ ଥାଏ,
ତା'କୋଳ ଝୁଲଣା ଅମାପ କରୁଣା
ସ୍ୱର୍ଗ ସୁଖ ସେଠି ଥାଏ |
ମାଆର କୋଳରେ ମଥା ରଖିଦେଲେ
ଭୋକ ଶୋଷ ଭୁଲି ଯାଏ,
ମାଆ ଡାକିଦେଲେ ଜୀବନର ସବୁ
ଦୁଃଖ ସିଏ ଭୁଲିଯାଏ |
ମାଆର ମମତା ବିଶାଳ ସାଗର
ଚାହେଁ ନାହିଁ ପ୍ରତିଦାନ,
ଅକୁଣ୍ଠ ଚିତ୍ତରେ ସ୍ନେହ ବାଣ୍ଟି ଚାଲେ
ବୁଝି ସନ୍ତାନର ମନ |
ବିପଦ ଆପଦେ ହୁଏନି ଅଧୀର
ସନ୍ତାନେ ପ୍ରାଣ ସ୍ପନ୍ଦନ,
ଆଖିରେ ତାହାର ଆଖିଏ ସପନ
ସନ୍ତାନ ତା' ଜୀଵଧନ |
ପଣତ କାନି ତା ଢାଙ୍କି ହୋଇଗଲେ
ସୁରକ୍ଷିତ ତା' ଜୀବନ,
ଭୋକିଲା ପେଟରେ ଭରିଦିଏ ଅନ୍ନ
ଜାଣି ସନ୍ତାନର ମନ |
ମୃତ୍ୟୁର ଦ୍ୱାରରେ ହୋଇ ଉପସ୍ଥିତ
ନୂଆ ସୃଷ୍ଟି ଭେଟି ଦେଲା,
ବକ୍ଷରୁ ଅମୃତ ପାନ କରାଇଣ
ସନ୍ତାନକୁ ଗଢିଥିଲା |
ସାରା ଜୀବନସେ ସନ୍ତାନର ପଛେ
ଛାଇ ପରି ରହିଥିଲା,
ହାତ ଧରି ସିଏ ଚାଲି ଶିଖାଇଲା
ଗୀତ ଗାଇ ଶୁଆଇଲା |
କଥା କହି କହି କଥା ଶିଖାଇଲା
ଭୋକ ହେଲେ ଖୁଆଇଲା,
ରୋଗହେଲେ ମୋରସେବା କରୁଥିଲା
ଝୁଣ୍ଟିଗଲେ ତୋଳିନେଲା |
ମାଆ ମୋରଶକ୍ତି ମାଆ ମୋର ଭକ୍ତି
ମାଆମୋ ଜୀବନ ଦାତ୍ରୀ,
ମାଆ ମୋର ମାଟି ମାଆ ପର୍ଣ୍ଣ କୁଟି
ମାଆ ମୋର ଦିବାରାତ୍ରୀ |
ମାଆ ସେନେହର ମୂଲ୍ୟ କିଏ ଦେବ
ମୂଲ ତା ଅମୂଲ ମୂଲ,
ବାତ୍ସଲ୍ୟ,ମମତା,ସ୍ନେହ,ପ୍ରେମ ଡୋରେ
କେହି ନୁହେଁ ସମତୁଲ |
