ଗରିବର ଶୀତ
ଗରିବର ଶୀତ
ଦିବାକର ଗଲେ ଦକ୍ଷିଣ ଅୟନ
ରାତ୍ରି ଆୟୁ ବୃଦ୍ଧି ଦିନ ହୁଏ ସାନ
ଶୀତ ଆସେ ଥିରି ଦେହ ଯାଏ ଥରି
କୁହୁଡ଼ି କାକର ନିଜ ସାଥେ ଧରି
ଧରା ପରେ ଯାଏ ଛାଇ,
ଗରିବ ର କଷ୍ଟ ବଢ଼ି ବଢ଼ି ଯାଏ
ନେତ୍ରୁ ଯାଏ ଲୁହ ବହି ।।
ଖଣ୍ଡେ ମାତ୍ର ଛିଣ୍ଡା କନ୍ଥା କୁ ଘୋଡେ଼ଇ
ସାରା ରାତି ଶୀତ ସାଥିରେ ଜୁଝଇ
ଦିନ ସାରା ଯାହା ଖରା ତେଜ ପାଇ
ଦୁଃଖେ କଷ୍ଟେ ଦିନ ସିନା ଯାଏ ପାହି
ରାତି ଟା କାଳ କି ସତେ,
ଭଙ୍ଗା ଚାଳ ଫାଙ୍କେ ଶୀତ ପଶି ଆସେ
ଅତି ଦୁଃଖେ ରାତି ବିତେ ।।
ଦାନା ଅଭାବ ରୁ ନ ପୂରଇ ପେଟ
ତା ଉପରେ ପୁଣି ଶୀତ ର ଏ ନାଟ
ନିର୍ଦ୍ଦୟ ନିଷ୍ଠୁର ଏ ଶୀତ ଦାନବ
ଗରିବ ର ଦୁଃଖ ସେ କାହୁଁ ବୁଝିବ
ଥରଇ ପଞ୍ଜରା ହାଡ଼,
କର୍କଶ ଦେହରେ ଫଟା ଚମଡ଼ା ରେ
ଭେଦି ଯାଉଥାଏ ଜାଡ।।
କୁଟା ପାଳ ଦେଇ ଜାଳି ସେ ଉହ୍ମେଇ
ଫୁଙ୍ଗୁଳା ଭୂଇଁ ରେ ପାଳ କୁ ବିଛେଇ
ସାତ ସିଆଁ ଲୁଗା ଗୁଡେଇ ଦେହରେ
ସାରା ରାତି ଯାକ ଶୀତ ରେ ସେ ଥରେ
କାହାକୁ ଦେବ ବା ଦୋଷ,
ଏତେ ବଡ଼ ରାତ୍ରୀ ବିନିଦ୍ରେ କଟଇ
ସାହା ପ୍ରଭୁ ଜଗଦୀଶ ।।
ହିମ ଠାରୁ ବଳି ହେମାଳ ପାଣିରେ
ଛୁଉଁ ଛୁଉଁ ତାର କଲିଜା ଯେ ଥରେ
ଦାନ୍ତ ବାଜୁଥାଏ କଡ କଡ ହୋଇ
ରକ୍ତ ବହୁଥାଏ ଓଠ ଫାଟି ଯାଇ
<p>ଗୋଡ଼ ଫାଟି ଆଁଆଁ କରେ,
ଫୁଙ୍ଗୁଳା ପାଦରେ ଚାଲି ପାରେ ନାହିଁ
ନୟନୁ ଲୋତକ ଝରେ ।।
ସୂର୍ଯ୍ୟ ନ ଉଠୁଣୁ ଶଯ୍ୟା ତ୍ୟାଗ କରି
ବିଲକୁ ଯାଏ ସେ ଦାଆ ଭାର ଧରି
ମୂଲ ଲାଗି ନିତି କୁଟୁମ୍ବ ତା ଚଳେ
ଦିନେ ନ ଖଟିଲେ ଦାନା ତ ନ ମିଳେ
ତୋରାଣି ମୁନ୍ଦିଏ ପିଇ
ସକାଳୁ ସଞ୍ଜ କୁ ଖଟୁଥାଏ ନିତି
ଆଖି ଲୁହ ଓଠେ ପିଇ ।।
ପୂରୁବ ଆକାଶ ଫର୍ଚ୍ଚା ଦେଖାଗଲେ
ଘରଣୀ ତାହାର ଉଠଇ ଚଞ୍ଚଳେ
ଗୁହାଳ ଗୋବର କାମ ସାରିଦିଏ
ପାଞ୍ଚ ଟଙ୍କା ଧରି ଦୋକାନ କୁ ଯାଏ
ଆସେ ଚାହା ଚିନି ଧରି
ଚୂଲି ଧରେଇ ସେ ନାଲି ଚାହା ଟିକେ
ପିଲା ପାଇଁ ଦିଏ କରି ।।
ସାତ ସିଆଁ ଲୁଗା ଘୋଡାଇ ଦେହରେ
କଅଁଳା ପିଲାକୁ ଜାକିଛି କାଖରେ
ମାଲିକ ପୁଅ ର ପୁରୁଣା କମିଜ
ପିନ୍ଧି ପୁଅ ତାର ଲୁଚାଇଛି ଲାଜ
ଶୀତରେ ବିକଳ ହୋଇ
ଫୁଙ୍ଗୁଳା ପାଦରେ ଚାଲି ପାରୁ ନାହିଁ
କାନ୍ଦୁ ଅଛି କଇଁ କଇଁ ।।
ଗରିବକୁ ଶୀତ ଭାରି ଦୁଃଖ ଦିଏ
ବୁଢ଼ାବୁଢ଼ୀଙ୍କ ର ଜୀବନ ସେ ନିଏ
ମଗୁଶିର ଠାରୁ ମାଘ ମାସ ଯାଏ
ଗରିବ ବିଚରା ନିତି କାନ୍ଦୁଥାଏ
ଋତୁ ଚକ୍ର ପରା ଇଏ,
ବରଷକେ ଥରେ ତିନି ମାସ କାଳ
ଅଶେଷ ଯନ୍ତ୍ରଣା ସହେ ।।
ବନାନୀବାଳା ନାଏକ
ସୁନ୍ଦରଗଡ଼