ବୟସ ପଥରେ ମନ ପଥିକ
ବୟସ ପଥରେ ମନ ପଥିକ
1 min
215
ଚପଳଛନ୍ଦା, ମନଟି ସଦା
ଉଡ଼ି ବୁଲେ ମୁକ୍ତ ଆକାଶେ
ପକ୍ଷୀ ଶାବକ ପ୍ରାୟ,
ପଣତ କାନି ଆସରା ତାର
ଖୋଜେ ନାହିଁ ଦୂର ଆକାଶର ଜହ୍ନ
ଅସଂଖ୍ୟ ପ୍ରଶ୍ନର ଢେଉ ଉଠେ
ମନରେ
ତାର ଉତ୍ତର ଖୋଜି ଖୋଜି....
କେବେ ସେ ମନର ପଥରେ
ବାଟବଣା ହୋଇଯାଏ
ତ ଆଉ କେବେ
ଲକ୍ଷ୍ୟ ସାଧିତ ସ୍ରୋତସ୍ଵିନୀ ପରି ହୁଏ ପ୍ରବାହିତ !!
ସ୍ବପ୍ନ ଥାଏ ଆଖିରେ
ସଫଳତାର ଆଶା ଆକାଂକ୍ଷାରେ
ଭାସି ଯାଏ ଆଶାର ବଉଦ
ଦୂର ଦିଗବଳୟରେ
ଟାଣି ଆଣି ବାନ୍ଧି ଦିଏ
ଶୋଇବାଘର ପଲଙ୍କ ଗୋଡ଼ରେ
ତେବେ ବି
ସ୍ବପ୍ନ ରାଜି ଚୁନା ଚୁନା ହୋଇ
ବରଷି ଯାଏ
ପୁଣି ସେଇ ଚୁନା ସ୍ବପ୍ନ ଭିତରୁ
ଫୁଟି ଉଠେ ନୂଆ ଉନ୍ମାଦ....
କେବେ ସମାଜର ତୁଚ୍ଛ ଅଟହସ୍ୟରେ
ତ ଆଉ କେବେ
ଦରବାର ର ଯୋଡହସ୍ତ ସାଧନୀରେ !!
ମୃଦୁ ଗୁଞ୍ଜରଣ
କର୍ଣ୍ଣ ଗହ୍ୱରରେ ବଡେଇହୋଇ
ପୁଣି ଫେରି ଯାଏ,
ପରିଣତ ବୟସରେ
ଗୋଟି ଗୋଟି
ହାନି-ଲାଭ ,ଆଶା - ପ୍ରତ୍ୟାଶା
ମନର ଗଭୀରତମ ପ୍ରଦେଶକୁ
ଭେଦ କରେ....
କେବେ ଶବ୍ଦ ମଲ୍ଲାରରେ ଭରା ଦିବାଲୋକରେ
ତ ଆଉ କେବେ
ଶବ୍ଦ ହୀନ ନିସ୍ତବ୍ଧ ରାତିରେ !!
