STORYMIRROR

Kishore Panda

Others

3  

Kishore Panda

Others

ବଉଳ ଲୋ

ବଉଳ ଲୋ

1 min
13.3K


ଅଦିନେ ଫୁଟିଲା ମଲ୍ଲୀ

କାନ୍ତ ଆସିଥିଲେ ରାତିରେ କାଲି

ବଉଳ ଲୋ..

ତାଙ୍କୁ ଦେଖି ମୁଁ ସରମୀ ଗଲି

ବଉଳ ଲୋ....୧

କହିଲେ ଚୁପିକି କାନେ

କନିଆଁ କରିବେ ଅଳପ ଦିନେ

ବଉଳ ଲୋ....

ମୋର ଆଜିବି ପଡ଼ୁଛି ମନେ

ବଉଳ ଲୋ....୨

ପଲଙ୍କରେ ଥିଲି ଶୋଇ

ଦେହକୁ ମୋ ଯେବେ ଦେଲେ ସେ ଛୁଇଁ

ବଉଳ ଲୋ....

ଆଖିପତା ମୋର ଗଲା ନଇଁ

ବଉଳ ଲୋ....୩

ସରାଗେ କରିଲେ କୋଳ

ରାତି ସାରା କେତେ କରିଲେ ଗେଲ

ବଉଳ ଲୋ....

ମୋତେ ଲାଗୁଥିଲା ଭାରି ଭଲ

ବଉଳ ଲୋ....୪

ଛୁଇଁଲେ ମୋ କ୍ଷୀଣ ତନୁ

ଲାଜ ଛଡ଼େଇଲେ କୁଆଁରୀ ମନୁ

ବଉଳ ଲୋ....

ସତେ ଚାନ୍ଦ ମିଳିଲା ଗଗନୁ

ବଉଳ ଲୋ....୫

ଚୁମିଲେ କେତେ ଯେ କ୍ଷଣ

ପାଗଳ ଭ୍ରମର ଫୁଲେ ଯେସନ

ବଉଳ ଲୋ....

ମୋର ଚୋରେଇ ନେଲେ ଯେ ମନ

ବଉଳ ଲୋ....୬

ନିଃଶ୍ଵାସ ବହିଲା ଖର

ସତେକି ଧରିଲା ପୀରତି ଜ୍ଵର

ବଉଳ ଲୋ....

ଯେହ୍ନେ କନ୍ଦର୍ପ ମାଇଲା ତୀର

ବଉଳ ଲୋ....୭

ଛୁଇଁଲେ ଅଛୁଆଁ ଥାନ

ଉଚ୍ଚାଟ କରିଲେ ମୋ ତନୁ ମନ

ବଉଳ ଲୋ....

ତାଙ୍କୁ ଭାଳିଭାଳି ଯାଏ ଦିନ

ବଉଳ ଲୋ....୮

ଶୀତ ଗଲା କାହିଁ ଦୂରେ

ଥରୁଥିଲୁ ଦୁହେଁ ଉତ୍ତେଜନାରେ

ବଉଳ ଲୋ....

ଏବେ ସେହି ସ୍ମୃତି ମୋତେ ମାରେ

ବଉଳ ଲୋ....୯

କେମିତି ପାହିଲା ରାତି

ଅଭିସାର ମୋର ହେଲା ଯେ ଇତି

ବଉଳ ଲୋ....

ଶେଷ ହେଲା ମୋ ଚୋରା ପୀରତି

ବଉଳ ଲୋ....୧୦

ପାରିଲିନି ଜମା ଜାଣି

ମନେମନେ ଏବେ ହେଉଛି ଗୁଣି

ବଉଳ ଲୋ....

ଆଉ କେବେ ସେ ଆସିବେ ପୁଣି

ବଉଳ ଲୋ....୧୧

ବିତିଲାଣି କେତେ ଦିନ

ହଜିଲାଣି ଦେହୁଁ ତାଙ୍କରି ଚିହ୍ନ

ବଉଳ ଲୋ...

ତାଙ୍କୁ ଦେଖିବାକୁ ଭାରି ମନ

ବଉଳ ଲୋ....୧୨

©କିଶୋର୍ ପଣ୍ତା

ବାଲିକୁଦା, ଜଗତସିଂହପୁର

ମୋ-୮୬୫୮୪୧୭୧୫୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kishore Panda