ଭୈରବୀ
ଭୈରବୀ
ସ୍ନିଗ୍ଧ ସୁଶୀତଳ
ଶରଦ ନିର୍ମଳ
ସ୍ଵଚ୍ଛ ଶୁଭ୍ର
କାଶତଣ୍ଡୀ ହସ,
ମଙ୍ଗଳ ମଙ୍ଗଳ
ସୁମଙ୍ଗଳ ନାଦେ
ଧରାବତରଣ କରି
ମାଆ ଆସ ।
ତବ ଆବାହନୀ
ମନ୍ତ୍ର ମୁଗ୍ଧ ମନେ
ମନୋଜ୍ଞ ପୁଲକେ
ନାଚେ ତନୁ ପ୍ରାଣ
ସର୍ବେ ପାର୍ବଣ ମୁଖର,
ମମତା ମାଟିରେ
ଶାନ୍ତ ସୌମ୍ୟ କାନ୍ତି
ମୃଣ୍ମୟୀ ଗୋ ତୁମେ
ଅପରୁପା ମାତୃରୂପା
ଚିରନ୍ତନି ସୁଖ
ସକଳ ଜୀବର ।
ସରଳା ନିରୀହା
ଅବଳା ଦୁର୍ବଳା
ନାରୀ ନୁହେଁ
କ୍ରୀଡ଼ନକ,
ନୁହେଁ ନିର୍ଯାତିତା
ପତିତା ଲାଂଛିତା
ଅବା ଉପେକ୍ଷିତା
ଭୋଗ୍ୟର ପ୍ରତୀକ ।
ନାରୀ ସମୁଦାୟ
ଅନ୍ତଃକରଣରେ
ଶକ୍ତିରୂପେ ତୁ ସଂସ୍ଥିତା,
ଜୟ ଜୟ ହେ
ମହିଷାସୁର ମର୍ଦ୍ଦିନୀ
ରମ୍ୟକପର୍ଦ୍ଦିନୀ ଶୈଳସୁତା ।
ଜନନୀ ଭଗିନୀ
ଜାୟାର ମଧ୍ୟରେ
ତୁମେ ସୃଷ୍ଟିର ଆଧାର,
ଆଦିଶକ୍ତି ମାଆ
ସୃଷ୍ଟି, ତୃଷ୍ଟି ପୃଷ୍ଟି
ପ୍ରଜ୍ଞା ଚିନ୍ତା ଚେତନାର।
ତାପତ୍ରୟ ତ୍ରାସେ
ସନ୍ତାପିତ ସର୍ବେ
ଅଶୁଭ ଶକ୍ତିର ପରାଭବେ,
ପାପ ଭାରେ ଭରା
ଶଶା ଗରା ଧରା
ତ୍ରାହି ତ୍ରାହି ଡାକ ଶୁଭେ ।
ଏ ସନ୍ଧି କ୍ଷଣରେ
ଜଗତ କଲ୍ୟାଣୀ
ଜଗଧାତ୍ରୀ ମହାମାୟା,
ପ୍ରକୃତି ରୂପିଣୀ
ଦୁରିତ ନାଶିନୀ
ଵିଶ୍ଵରୂପା ହୁଅ ସାହା ।
ଆକାଶ ଭାଙ୍ଗୁ କି
ଉଳକାପାତ ହେଉ
ପବନ ଅଟକି ଯାଉ,
ତୋ ଭୈରବୀ ମୂର୍ତ୍ତି
ଦର୍ଶନ ମାତ୍ରକେ
ପୁରୁଷାକାର ଖର୍ବ ହେଉ ।
ଭୟଙ୍କର
ନଖ ଦନ୍ତ ପାଟି
ଲହଲହ ଜିହ୍ଵା
ତୃତୀୟ ନୟନୁ ଝରୁ
ପ୍ରଚଣ୍ଡାଗ୍ନି ଦାବାନଳ,
ପାପୀ ମହିଷାସୁର
ଭୟରେ ହୁଅନ୍ତୁ
ହୀନବୀର୍ଯ୍ୟ ହୀନବଳ
ଧରାଶାୟୀ ହନ୍ତୁ ଦୁଷ୍ଟେ
ତ୍ରିଶୁଳ ଆଘାତେ
ଧର୍ମ ସଂସ୍ଥାପିତ ହେଉ
କାଳ କାଳ ।
