ଅନ୍ଧାର
ଅନ୍ଧାର
1 min
241
ଅନ୍ଧାରର କବ୍ଜାରେ ଏବେ
ଖୁବ୍ କରୁଣ ଦିଶେ ମୋ ସହର
ବତାସରେ ଭାଙ୍ଗି ପଡିଥିବା
ବତୀଖୁଣ୍ଟକୁ ଖତେଇ ହୋଇ
ଅହଂକାରରେ ଦାନ୍ତନିକୁଟି
ହସୁଥାଏ ଅନ୍ଧାର ।
ସବୁ ଆଲୁଅ ସବୁ ସ୍ଵଚ୍ଛତା
ଦିନ ସହ ଅପସରି ଗଲା ପରେ
ସେ ଲୋଲୁପ ଆଖିରେ ଛକିଥାଏ
ଆତ୍ମସାତ୍ କରିବାକୁ କିଛି ସତକୁ
ଲହ ଲହ ଜିହ୍ବା ମେଲି
ଚାଟି ପୋଛି ସଫା କରିନିଏ ବି
ପ୍ରମାଣ ମାନଙ୍କୁ ।
ଅଶରୀରୀ ଅନ୍ଧାର ସେ
ସୁଯୋଗ ଉଣ୍ଡି ଚରିଯାଏ
ଭୟର କପାଳ ପରେ
କପର୍ଦ୍ଦକ କଦାକାର ସେ
ବାଜି ଜିତେ କପଟ ପଶାରେ
ପାପର ନିଆଁକୁ ଅଣ୍ଟିରେ ଧରି
ସେ ବେଶ୍ ଧାଇଁ ପାରେ
ଶୄଗାଳଙ୍କ ବଶମ୍ବଦତାରେ ।
ଅନ୍ଧାରର ଛାତିରେ
ଛାତିଏ କଳଙ୍କ ବୋଲି
ତା' ପାଇଁ ରାତି ବି ବଦନାମ
ସାବଧାନ ଥିବ
ସହରର ଅନ୍ଧାରଟା
କେତେବେଳେ ଅବା
ତୁମ ନାମେ ଦୁର୍ନାମ ରଟିବ ।
