ଅନ୍ଧାର: ଏକାନ୍ତ ନିଜର
ଅନ୍ଧାର: ଏକାନ୍ତ ନିଜର
ଅନ୍ଧାର: ଏକାନ୍ତ ନିଜର
ଅନ୍ଧାର,
ଆଲୋକଠୁଁ ଲାଗେ ଅଧିକ ନିଜର !
ଆଲୋକ ଦେଖାଏ
ଭ୍ରମିତ ଦୃଶ୍ୟର ଅରଣ୍ୟ,
ମୋହାଛନ୍ନ କରେ,
ଟାଣିଦିଏ ଲହଲହ ଛାୟା
ଓ ମାୟାର ପରଳ !
କେବେ ମୋହିନିଏ
ଅମାପ ସୌନ୍ଦର୍ଯ୍ୟର ଛାଇ,
କିମ୍ବା ମ୍ରିୟମାଣ କରେ
ଆଣିଦିଏ ଶ୍ମଶାନ-ବୈରାଗ୍ୟ
ଝଲସାଇ ବିଭତ୍ସ ଦୃଶ୍ୟର ଶିକୁଳି !
ସୃଷ୍ଟି କରେ ଅନେକ
ସଙ୍କୁଚିତ ସତ୍ୟର ଆସ୍ତରଣ,
ପ୍ରଭାବିତ କରେ ଭାବ ଓ ସ୍ବଭାବକୁ
ସେ ଭ୍ରମକୁ କରିହୁଏନାହିଁ ପ୍ରତ୍ୟାଖ୍ୟାନ !
ଯେଉଁଦିନ ଦେଖିଲି ମୁଁ
ପ୍ରଥମ ଆଲୋକ,
ତା'ର ଅନେକ ଆଗରୁ
ଅନ୍ଧକାର ଅଟେ ପରିଚିତ,
କି ସୁନ୍ଦର ସେ ଅନ୍ଧାର ଆହା
ଅଭେଦ୍ଯ ତା' ମସୃଣ ପାଚେରୀ
ଦିଏ ଏକ ଅଦ୍ଭୁତ ଅଭୟ,
କ୍ଷୁଧା, ତୃଷା, ସୁଖ ଓ ଦୁଃଖର
ନାହିଁ ସେଠି ଉଦୟ ବିଲୟ !
ନିଗୁଢ ଅନ୍ଧାର, ନଥାଏ
ଦୃଶ୍ୟ ମାନଙ୍କ କୋଳାହଳ/ ଭିଡ
ଥାଏ ଏକ ଅକ୍ଷୁର୍ଣ୍ଣ ବ୍ୟାପ୍ତି,
ମୁକ୍ତି,
ଦୃଶ୍ୟର କୁହୁକରୁ
ଅନ୍ୟ ମାନଙ୍କ ଅବଧାରଣା ସବୁରୁ
ତାଙ୍କୁ ବଦଳାଇବା କିମ୍ବା ଖୁସିକରିବାରୁ
ଏମିତି କି ନିଜ ଶରୀରରୁ, ନିଜକୁ !
ଅନ୍ଧାର, ଏକାନ୍ତ ନିଜର
ସୃଷ୍ଟିକରେ ଅପୂର୍ବ ସୁଯୋଗ
ନିଜକୁ ନିଜେ ଅନୁଭବିବାର,
ତେଣୁ ଅନ୍ଧାର ଅତି ପ୍ରିୟ ମୋର !
-Prabhudatta