ଅଜଣା ଫୁଲ
ଅଜଣା ଫୁଲ
ଅଜଣା ଫୁଲର ସହରେ କରିଛି ମନ ପ୍ରଜାପତି ଘର ।
ଅମାନିଆ ମନ ବୁଝେନାହିଁ ଜମା ଲାଗେ ମୋ ମନକୁ ଡର ।।
ଅଝଟିଆ ହୋଇ ଝରିପଡେ କେତେ ବାରଣ କଲେ ମାନେନା ।
ଆର୍ଦ୍ର ମଟାଳର କୋଳ ମଣ୍ଡନରେ ତୃପ୍ତି ହୁଏ ସେ ମଇନା ।।
ଅଳସି କୁସୁମ ରୂପେ ଅନୁପମ ଅଙ୍ଗେ ଭରି ମାଦକତା ।
ଅନୁଢା ସମୟେ ଅଳପ ପାଖୁଡା ଖୋଲି କହେ କେତେ କଥା ।।
ଅନାମିକା ନାମେ ଡାକିବାକୁ ଭାବେ ହେଲେ ଡାକେ ସାଥୀ ବୋଲି ।
ଅକ୍ଷତ ସୁରଭି ସୁରଭିତ କରେ ଅଗଣାରେ ଖେଳେ ଦୋଳି ।।
ଅର୍କ କିରଣରେ ଆଲୋକିତ ଯେହ୍ନେ ହୁଅଇ ସୁନ୍ଦର ଧରା ।
ଅର୍କ ରଙ୍ଗ ବୋଳି ପ୍ରତି ପାଖୁଡାରେ ସାଥୀ ମୋ ସାଜଇ ପରା ।।
ଅମାନିଆ ହୋଇ ଯାଏ ମୋତେ ଛୁଇଁ କେବେ ମଥାରେ ଜୁଡାରେ ।
ଅଳପ ହସରେ ଛନ୍ଦିହୁଏ ଗଳେ ଲୋଟିଯାଏ ବାହୁ ପରେ ।।
ଅଙ୍କନ କରଇ ପାଦର ପୟିରୀ ଅଳତା ସାଜଇ କେବେ ।
ଅତସୀ ସାଥୀ ମୋ ବାସରେ ବାସଇ ଦକ ଯାଏ ଦୁର ଭବେ ।।
ଅନିମେଷ କରି ଦିଏ ମହକାଇ ନିଶାରେ ମୋହର ବାସ ।
ଅଜଣା ଫୁଲ ମୋ ଅନ୍ତରେ ଫୁଟଇ ତବ ଲାଗି ଅହର୍ନିଶ ।।
ଅଳି କରେ ବାରେ ତୋଳି ନିଅ ତାରେ ପାଉ ତବ ଅଙ୍ଗେ ଶୋଭା ।
ଅଳପ ମୁଦ୍ରିତ ତା ନେତ୍ର ପାଖୁଡା ଫୁଟୁ ଲଭି ତବ ଆଭା ।।
