STORYMIRROR

Upkar Entertainment

Others

4.2  

Upkar Entertainment

Others

ଅଭୁଲା ଅତୀତ

ଅଭୁଲା ଅତୀତ

1 min
1.0K


ମନେ ପଡ଼େ ମୋର ଅଭୁଲା ଅତୀତ

ପିଲା ଦିନ ଧୂଳି ଖେଳ

କେତେ ରାଗ-ରୁସା ମାନ ଅଭିମାନ

କଉତୁକ ଲାଡ଼ ଗେଲ ।।


କାନ୍ଦ ମାଡୁଥିଲା ସ୍କୁଲ ଗଲାବେଳେ

ଲାଗୁଥିଲା କେତେ ଡ଼ର

ଶିକ୍ଷକଙ୍କ ଭୟେ ଲୁଚି କରି ଆମେ

ଫେରି ଆସୁଥିଲେ ଘର ।।


ପୋଖରି ହୁଡ଼ାରେ ଅମାନିଆ ହେଇ

ଗାଧୋଉଥିଲେ ଯେ କେତେ

ଲୁଣ ଲଙ୍କା ନେଇ ଆମ୍ବ ଚୋରି କଥା

ଭାରି ମନେ ପଡ଼େ ସତେ ।।


ଦୁଷ୍ଟାମି ଯୋଗୁଁ ମାରୁଥିଲେ ବାପା

ମାଆ କରୁଥିଲା ରକ୍ଷା

ଜେଜେ ମାଆ ନିତି କହୁଥିଲା ଗପ

ଦେଇ କେତେ ନୀତିଶିକ୍ଷା ।।


ଖରାଦିନେ ଯେବେ ଛୁଟି ହେଉଥିଲା

ଯାଉଥିଲେ ମାମୁଁ ଘର

ପ୍ୟାଣ୍ଟ୍ ସାର୍ଟ ପାଇଁ ମାଇଁ-ମାମୁଁ ଆଗେ

ରୁସୁଥିଲେ ବାରମ୍ବାର ।।


ବିଷ-ଅମୃତ, ଖରା-ଛାଇ ସଙ୍ଗେ

କେଳି-ବାଡ଼ି ଲୁଡୁ ଖେଳ

କ୍ରିକେଟ୍, ଲୁଚକାଳି,ଟିପା,ଖାଡ଼ି-ପତି

ଲାଗୁଥିଲା କେତେ ଭଲ ।।


ଇଚ୍ଛା ହୁଏ ମନେ ଫେରି ଯାଆନ୍ତି ମୁଁ

ସେଇ ମୋର ଅତୀତକୁ

ଦେଖାହେଲେ କେବେ ପ୍ରଭୁ ଜଗନ୍ନାଥ

ଏତିକି ମାଗନ୍ତି ତାଙ୍କୁ ।।


ଆ ଫେରି ବାରେ ଅଭୁଲା ଅତୀତ

ଦେଖିବି ତତେ ମୁଁ ଥରେ

ଅଳ୍ପ ମୁହୂର୍ତ୍ତ ବି ରହିଲେ ପାଖରେ

ହଜିଯିବି ତୋ ଭିତରେ ।।


- ଜିତେନ୍ଦ୍ର ସେଠ

ସଂସ୍କୃତ ଶିକ୍ଷକ, କେନ୍ଦ୍ରାପଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Upkar Entertainment