ଆସ ! ସଭିଁଏ ଆସ
ଆସ ! ସଭିଁଏ ଆସ
1 min
183
ଏଇତ ଶୁଭିଲାଣି
ଦିଗନ୍ତ ସେପାରିରୁ ଡ଼ାକ
ଆସିଲାଣି ଦିନ,ସମୟ
ଚିତ୍ରଗୁପ୍ତର ଡାଏରୀରେ
ଲିପିବଦ୍ଧ ହେଲାଣି ନିର୍ଘଣ୍ଟ
ଏବେ ଫେରିଯିବାକୁ ହେବ
ଯେ ଯା' ନିଜ ନିଜ ଜାଗାରୁ
ଏଥର ସମସ୍ତେ ଗୋଟେ ଜାଗାକୁ ।
କିନ୍ତୁ ତୁମେ ଆସ !
ଯେତେ ପାରୁଚ ମଧୁମାଛି ପରି
ସଯତ୍ନେ ସଂଗ୍ରହ କରିନିଅ
ଜୀବନର ଯେତେସବୁ ମଧୁରସ
ଯାହା ତୁମର ଭୋଗ୍ୟ ମୃତ୍ୟୁ ପରେ...
ହଁ, କେବଳ ତୁମର ପ୍ରାପ୍ୟ ।
ଆସ ! ସଭିଁଏ ଆସ
ଜୀବନର କ୍ୟାଲେଣ୍ଡର
ଶେଷ ପୃଷ୍ଠାରେ ଉପନୀତ ଆଗରୁ
ସବୁ ଶୁଖା ଓଠ ମାନଙ୍କରେ
ହସର ଫୁଲଟିଏ ଖୋସ
ତୁମ ସ୍ଵପ୍ନର ପେଡ଼ି ଭିତରୁ
କିଛି ସ୍ବପ୍ନ ବାଣ୍ଟି ବାଣ୍ଟି ଯାଅ .. ।
ଆସ ! ଏଥରକ ଆସ
ହେ ଅହଂ ମୁନିବ ମାନେ
ଭୂଗୋଳର ମାନଚିତ୍ରରୁ
ଭୋକର ଆକୃତିକୁ ଦେଖ
ଖାଦ୍ୟ ନୁହେଁ ବରଂ ଖୁଦ ଖାଇ
ବହଳେ ଅନ୍ଧାରରେ ବଞ୍ଚିଥିବା
ମଣିଷ ମାନଙ୍କୁ ଥରେ ଚିହ୍ନି ନିଅ ।
ଆସ ! ସଭିଁଏ ଆସ
ଏଥର କିନ୍ତୁ ଆଖି ଫିଟେଇ କି ନୁହଁ
ଆଖି ବୁଜି କି ଦେଖ,ଅନୁଭବ
ମାଟି ଘଟରେ ଦେବତା ମାନଙ୍କୁ....
ଏଥର ତୁମେ ଭଗବାନଙ୍କୁ ଦେଖିବ ।