ଆଦ୍ୟ ଆଷାଢ଼ର ଆଗମନେ
ଆଦ୍ୟ ଆଷାଢ଼ର ଆଗମନେ
ନିଦାଘ ଅସ୍ଵସ୍ତି
ତୃଷା ଅସରନ୍ତି
ନିର୍ବାପିତ ହେବ
ହସିବ ଧରିତ୍ରୀ
ପୁଚ୍ଛମେଲି ଶିଖରୀ
ଆନନ୍ଦରେ ନାଚି ଯାଏ ବନେ
ଆଦ୍ୟ ଆଷାଢ଼ର ଆଗମନେ ॥ (୧)
ରଜସ୍ୱଳା ଧରଣୀ
ବାରିସ୍ନାତ ହୋଇ
ମୌସୁମୀ ସ୍ପର୍ଶରେ
ନବ ପଲ୍ଲବିତ ହୋଇ
ସମଗ୍ର ସୃଷ୍ଟିକୁ
କରିଗଲା ବିଭୋର ଯେ କ୍ଷଣେ
ଆଦ୍ୟ ଆଷାଢ଼ର ଆଗମନେ ॥ (୨)
ଶୂନ୍ୟତା ଯେତକ ସବୁ
ଯିବ ଅପସରି
ସବୁଜ ଓଢଣା ଦେବ
ପ୍ରକୃତୀ ସୁନ୍ଦରୀ
କଦମ୍ବ ଫୁଲର
ବାସ୍ନା କରେ ମତୁଆଲା ଜନେ
ଆଦ୍ୟ ଆଷାଢ଼ର ଆଗମନେ ॥ (୩)
ନାଲି ଟୁକୁ ଟୁକୁ
ସେ ସାଧବ ବୋହୂ
କେଁ କଟର ଭେକ ରଡ଼ି
କୁମ୍ଭାଟୁଆ ହୁଁ ହୁଁ
ଅପରୂପ ଦୃଶ୍ୟରାଜି
ଭରିଦିଏ ଦିବ୍ୟାନନ୍ଦ ପ୍ରାଣେ
ଆଦ୍ୟ ଆଷାଢର ଆଗମନେ ॥ (୪)
ଭିଜାମାଟି ବାସ୍ନା
ଭରେ ମାଦକତା
ମେଘାଚ୍ଛନ୍ନ ନଭ ଦେଖି
ଉଛୁଳେ ସରିତା
ପ୍ରୀତି ପରଶ ସତେକି
ଛୁଇଁଯାଏ ନବ ଯଉବନେ
ଆଦ୍ୟ ଆଷାଢର ଆଗମନେ ॥ (୫)
ପରଦେଶୀ ବାର୍ତ୍ତା ନେଇ
ଆସଇ ସମୀର
ମରୁ ଅଗଣାରେ ସତେ
ବୋହିଯାଏ ଝର
ବିରହିନୀ କବରୀଟି
ପୁଣି ହୁଏ ସଜେଇ ସପନେ
ଆଦ୍ୟ ଆଷାଢ଼ର ଆଗମନେ ॥ (୬)
ସ୍ନାନବେଦୀପରେ ଥାଇ
କାଳିଆ ସାଆନ୍ତ
ଦିଅନ୍ତି ସନ୍ଦେଶ ହେବ
ଅପେକ୍ଷାର ଅନ୍ତ
ବଡ଼ ଦାଣ୍ଡେ ତିନି ଦିଅଁ
ରଥ ଯାତେ ଆସିବେ ବହନେ
ଆଦ୍ୟ ଆଷାଢ଼ର ଆଗମନେ ॥ (୭)
ଋତୁଚକ୍ରେ ଆତଯାତ
ଆଷାଢ଼ ପ୍ରତିବର୍ଷ
ବାରିଧାରା ଭରିଦିଏ
ଚାତକ ମନେ ହର୍ଷ
ସମୟ ଯୌବନ
ଆଉ ଫେରି ଆସେନି ଜୀବନେ
ଆଦ୍ୟ ଆଷାଢ଼ର ଆଗମନେ ॥ (୮)
