Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଋଷିକନ୍ୟା
ଋଷିକନ୍ୟା
★★★★★

© Manoj Kumar Panda

Others

6 Minutes   374    17


Content Ranking

ଋଷିକନ୍ୟା

--------------------(ମନୋଜ କୁମାର ପଣ୍ଡା)

-କଟାମୁଣ୍ଡ ? ପୁଣି ୧୦୮ ସୁନ୍ଦରୀଙ୍କ ର??

କୋଉଠୁ ଆଣିବି ମହାରାଜ ??

ସମଗ୍ର ରାଜ୍ୟ ପରିକ୍ରମା କରି ମୋ ହାତରେ ସଦ୍ୟ କଟା ଯାଇଥିବା ଏଇ ୧୦୭ ଟି କଟାମୁଣ୍ଡ।

ଯମ ସମ ନିଷ୍ଠୁର ହେଇ ମୁଁ ଅନେକ ବ୍ରାହ୍ମଣ-କ୍ଷତ୍ରିୟ-ବୈଶ୍ୟ ଓ-ଶୁଦ୍ର ଚତୁର୍ବର୍ଗ କନ୍ୟାଙ୍କ ପ୍ରାଣ ହରଣ କରିଛି ।

ସମ୍ପ୍ରତି ଏ ରାଜ୍ୟ ସୁନ୍ଦରୀ ଶୂନ୍ୟ ।କନ୍ୟା ତ କୋଟିଏ, କିନ୍ତୁ ରାଜ୍ୟରେ ଆଉ ଗୋଟିଏ ବି ସୁନ୍ଦରୀ ନାହାନ୍ତି ମହାରାଜ।

ମନ୍ତ୍ରୀ ପଦ୍ମସେନ ଙ୍କ ବାକ୍ୟ ଶୁଣି କଟାମୁଣ୍ଡ ଧାରଣ କରିଥିବା ପ୍ରପର୍ଣ୍ଣ ରଥ ର କୋଳଥିିଆ କୁ ଚାହିଁଲେ ତରୁଣ ରାଜା ଆରଣ୍ୟକ।ନାନା ଅନନ୍ୟା ସୁନ୍ଦରୀଙ୍କ ମସ୍ତକ ରେ ଭରା ଦିଶୁଥିଲା ରଥ।ଆଃ କେତେ ତାପସ ତନୟା, ଫେନୀଳ ଯୌବନା ଓ ନୀଳ ନୟନାଙ୍କ ଜୀବନ ରେ ଯବନିକା ଟାଣିଛନ୍ତି ମନ୍ତ୍ରୀ ପଦ୍ମସେନ।ଏଇତ ଏ ଯୁବତୀ ର କପାଳ ରେ କାହାର ଚୁମ୍ବନ ଦାଗ! ହୁଏତ ଟିକିଏ ଆଗରୁ ପ୍ରେମିକ ସହ ପ୍ରଣୟ ସାରି ହେଇଥିବ ଘରମୁହାଁ।ଆଉ କୋଉ ତନ୍ଦ୍ରାଛନ୍ନ ରାତ୍ରିରେ ପୁଣି ଥରେ ପ୍ରେମିକ ସହ ଦେଖା ହେବାର ପ୍ରତିଶୃତି ଦେଇ।

ଏ ଭାବାଚ୍ଛନ୍ନ ହେବାର ଲଗ୍ନ ନୁହେଁ।

ବାମମୟ ତନ୍ତ୍ର ରେ ନିଜକୁ ପ୍ରତିଷ୍ଠା ଦେବାର ମହାର୍ଘ ମୁହୂର୍ତ୍ତ।ଆହୁରି ଏକ ସୁନ୍ଦରୀ ର ମସ୍ତକ ର ଆବଶ୍ୟକତା।ରାଜା ଆରଣ୍ୟକ ଚାହିଁଲେ ମନ୍ତ୍ରୀ ପଦ୍ମସେନଙ୍କ ଆଡକୁ।

ଟିକିଏ କ୍ରୋଧିତ ମୁଦ୍ରା ରେ ମନ୍ତ୍ରୀ ପଦ୍ମସେନ କୁ ପ୍ରଶ୍ନ କଲେ ସମ୍ଭାବୀ ର ତରୁଣ ଶାସକ ଆରଣ୍ୟକ। ମହାମନ୍ତ୍ରୀ!ତେବେ କଣ ଗୋଟିଏ ମସ୍ତକ ପାଇଁ ଅଧୁରା ରହିବ ମୋ ଅମୋଘ ତନ୍ତ୍ରସାଧନା?

ଆଲୋକୋଦୟ ର କ୍ଷଣିକ ପୂର୍ବରୁ ସ୍ୱୀକାର କରିବାକୁ ହେବ ଘନ ଅନ୍ଧକାର?

ଗୁରୁ ପ୍ରଚଣ୍ଡକ୍ରମ ଙ୍କ ନିର୍ଦେଶ ରେ ତନ୍ତ୍ର ସାଧନା ରେ ମଗ୍ନ ସେ।ଦୀର୍ଘ ଦ୍ଵାଦଶ ବର୍ଷ ର ସାଧନାକୁ ସାମାନ୍ୟ ତରୁଣୀ ମସ୍ତକଟେ ପାଇଁ କଣ ଫିଙ୍ଗି ହବ ସମୁଦ୍ରର ଜଳରାଶି କୁ??ନାଁ କେବେ ନୁହଁ।ଅବିଳମ୍ବେ ସଙ୍କଟ ର ସମାଧାନ ହେଉ।ମାତ୍ର ଗୋଟିଏ ସୁନ୍ଦରୀ ର ମସ୍ତକ।ମୋ ମହାମନ୍ତ୍ରୀଙ୍କୁ ଏହା କଦାପି ଅସମ୍ଭବ ନୁହଁ।

-ମୁଁ ବିଫଳ ମହାରାଜ।ଏ ରମଣୀୟ ରାଜ୍ୟ ଏବେ ସୁନ୍ଦରୀ ବିହୀନା।କେବଳ ଋଷି ଭାର୍ଗବଙ୍କର କନ୍ୟା ଆୟୁସ୍ମତିଙ୍କୁ ଛାଡି।

-ଋଷିକନ୍ୟା ଆୟୁସ୍ମତୀ!

ରାଜାଙ୍କ ଆଖିରେ ନାଚିଉଠିିଲା ଭାର୍ଗବ କନ୍ୟାଙ୍କ ନମନୀୟ ରୂପକାନ୍ତି।

ଆଃ, ଅପୂର୍ବ ସୁନ୍ଦରୀ!

ଅଭିଷେକ ବେଳେ ଭାର୍ଗବଙ୍କ ସହ ଆସିଥିବା ଅନନ୍ୟା, ଅନୁପମା ଅତୁଳନୀୟ ରୂପକାନ୍ତି ର ଅଧିକାରିଣୀ।ମହାମନ୍ତ୍ରୀ! ସେଇ କନ୍ୟା ତ?

ଯିଏ ଅଭିଷେକ ରେ ଉପହାର ସ୍ୱରୂପ ମୋ ହାତକୁ ସମର୍ପି ଦେଇଥିଲା ସଦ୍ୟଜାତ ସରଳ ମୃଗୁଣୀ ଟିକୁ।ଆଉ ମୁଁ ସିଂହାସନ ରେ ବସି ଅନୁଭବିଥିଲି ସତେ ଅବା ଋଷିକନ୍ୟା ନୁହେଁ, ଅରଣ୍ୟ ର ସରଳ ମୃଗୁଣୀ ଟିଏ ମୋତେ ସମର୍ପି ଦେଉଛି ଆଉ ଏକ ମୃଗୁଣୀ କୁ! ଉଭୟ ଛଳ ଛଳ-ଉଭୟ ଚଞ୍ଚଳ।

-ହଁ ମହାରାଜ।ସେଇ କନ୍ୟା।ସେ ହିଁ ଭାର୍ଗବଙ୍କ କନ୍ୟା ଆୟୁସ୍ମତୀ।ମନ୍ତ୍ରୀ ପଦ୍ମସେନ ଦୃଢତା ର ସହ କହିଲେ।

ଶୁଣୁ ଶୁଣୁ ରାଜା ଅନୁପ୍ରବେଶ କଲେ କଳ୍ପନା ର ରାଜ୍ୟ କୁ।ଚନ୍ଦ୍ର ବିହୀନ ଗୋଟିଏ ଚକିତ ରାତ୍ର। ନହଡ଼ି ଭାଙ୍ଗୁଛି ନିଶା।ଶୂନ୍ୟ ସ୍ମଶାନ ରେ ଜଳୁଛି ପୋଲାଙ୍ଗ ତେଲ ର ଭରା ଦୀପଟାଏ ।ଦୀପ ର ଇସତ ଆଲୋକ ରେ ଦୃଶ୍ୟ ହେଉଛି ଏମିତି କିଛି।

୧୦୭ ସାଧାରଣ ମସ୍ତିଷ୍କ ଉର୍ଧ୍ବରେ ଅସାଧାରଣ ସୁନ୍ଦରୀ ଆୟୁସ୍ମତି ର ଛେଦିତ ମସ୍ତକ।

ଆଗରେ ଆରାଧ୍ୟା ଦେବୀ ଚମଣ୍ଡା।

ପାର୍ଶ୍ଵରେ ତନ୍ତ୍ର ଗୁରୁ ପ୍ରଚଂଡକ୍ରମ।

ଅହୋର୍ଭାଗ୍ୟ,ଅହୋର୍ଭାଗ୍ୟ ମହାମନ୍ତ୍ରୀ।ସେଇ ଋଷି କନ୍ୟା ର ଖଣ୍ଡିତ ମସ୍ତକ ହିଁ ଲୋଡ଼ା।ରାଜା ଆରଣ୍ୟକ କଟିପ୍ରଦେଶ ରୁ ମୁକ୍ତ କଲେ ଖଡ୍ଗ। ଅସ୍ତସୂର୍ଯ୍ୟ ପରି ଲୋହିତ ଦିଶୁଥିବା ତାଙ୍କ ଚକ୍ଷୁ ସମ୍ମୁଖରେ ଖଡ୍ଗ ଟିକୁ ପ୍ରସ୍ତର ଖଣ୍ଡ ରେ ଧାର କରିବାକୁ ଲାଗିଲେ।ଦୁର୍ଗ ଆଢୁଆଳରେ ଥିବା ସୂର୍ଯ୍ୟ କିରଣରେ ତରବାରୀ ଦିଶୁଥିଲା ଆହୁରି ଉଜ୍ଜ୍ୱଳ।ଆଗାମୀ ରକ୍ତ ପାତ ର ଅପେକ୍ଷାରେ।

*****************

ଆଶ୍ରମ ବାହାରେ କେଶ ଶୁଖାଉଥିଲା ଋଷି କନ୍ୟା ଆୟୁସ୍ମତୀ।ତା ହୀରା ରଂଗୀ ଦେହରେ ରୋଷଣୀ କରୁଥିଲା ମାର୍ଗଶିର ର ମିଠା ଖରା।ଦେଖିଲେ ଲାଗିବ କନ୍ୟା ନୁହେଁ, ସତେ ଅବା କେହି କମନୀୟ କାଚପାତ୍ରରେ କଞ୍ଚା ଗୁଆ ଘିଅ ରୁ ପୁଳେ ଢାଳି ଦେଇଛି ଖରାରେ।ଘୋଡା ଟାପୁର ଶବ୍ଦ ରେ ଫେରି ଚାହିଁଲା ଆୟୁସ୍ମତୀ।ଘୋଡା ରୁ ଓହ୍ଲେଇ ତା ସମ୍ମୁଖରେ ବୀର ଦର୍ପରେ ଠିଆ ହେଲେ ସମ୍ଭାବୀ ର ମହାରାଜ ଆରଣ୍ୟକ।ବିନମ୍ର ପ୍ରଣାମ କଲେ ଋଷିକନ୍ୟା ଆୟୁସ୍ମତୀ।

-ମୁଁ ସମ୍ଭାବୀ ର ବିଜୟୀ ସମ୍ରାଟ ଆରଣ୍ୟକ।

-ପରିଚୟ ଲୋଡ଼ା ନାହିଁ ମହାରାଜ।

ଆପଣଙ୍କୁ କିଏ ବା ନଜାଣେ??

-ମୋର ଯାହା ମନେପଡେ ମୁଁ ମୋ ରାଜ୍ୟାଭିଷେକ ରେ ତୁମକୁ ଦର୍ଶନ କରିଥିଲି ଋଷିକନ୍ୟା।ଆଉ ଉପହାର ଭାବରେ ତୁମଠୁ ଗ୍ରହଣ କରିଥିଲି ଗୋଟେ ନିରୀହ ମୃଗୁଣୀ ।

-ତା'ହେଲେ ଏ କଥା ତ ଆପଣଙ୍କର ନିଶ୍ଚୟ ମନେଥିବ।ତାହାର ଦୁଇ ବର୍ଷ ପରେ ଆକଣ୍ଠ ମଦ୍ୟପାନ କରି ଆପଣ ତାକୁ ଭୋଜନ କରିବାକୁ ଇଛା ପ୍ରକାଶ କଲେ। ମୋ ଉପହାର ଆପଣଙ୍କ ଆହାର ପାଲଟି ଗଲା।

ହସିଦେଲେ ରାଜପୁତ୍ର।ଆଉ କଥା କୁ କଥା ଯୋଡି କହିଲେ-ଆଜି ଆଉ ଏକ ଆହାର ର ସନ୍ଧାନରେ।

ଆଶା ଋଷିକନ୍ୟା ନିରାଶ କରିବେନି।

ସ୍ମିତହାସ୍ୟ ଟେ ଫିଙ୍ଗିଲେ ଋଷିକନ୍ୟା ଆୟୁସ୍ମତୀ।କ୍ଷଣିଏ ଅପେକ୍ଷା କରନ୍ତୁ ମହାରାଜ! ଆଶ୍ରମ ଉଦ୍ୟ।ନ ରୁ ମୁଁ ଖାଲି ଛନ ଛନ ମଞ୍ଜ କଦଳୀ ପତ୍ର ଟେ ତୋଳି ଆଣେ।

-କଦଳୀ ପତ୍ର?କଦଳୀ ପତ୍ର କଣ ହେବ?

-ଏହା ଆଶ୍ରମ, ବିନ୍ଦୁଏ ରୁଧିର ବି ମାରା କରିବ ଆଶ୍ରମ ର ପରିବେଶକୁ।ମୋ କଟାମୁଣ୍ଡ ରଖିବାକୁ କଦଳୀ ପତ୍ର ହିଁ ସର୍ବୋତ୍କୃଷ୍ଟ ଆଧାର।ନେଇ ଆସୁଛି ମହାରାଜ।ଓଦା କେଶରୁ ମୁକ୍ତା ବିନ୍ଦୁ ଝରେଇ ଆଶ୍ରମ ଉଦ୍ୟାନ ଆଡେ ଗତି କଲେ ଋଷିକନ୍ୟା।

ରାଜା ଆରଣ୍ୟକ କେବଳ ଚାହିଁ ରହିଥିଲେ।ମୁଁ ଯେ ଆୟୁସ୍ମତୀ ର କଟାମୁଣ୍ଡଟେ ଚାହୁଁଚି, ଏକଥା ଆୟୁସ୍ମତୀ ଜାଣିଲା କେମିତି?

କିଞ୍ଚିତ ଲଗ୍ନ ଯାଆନ୍ତେ, ହାତରେ ଗୋଟେ ଦା' ଆଉ ମଞ୍ଜ କଦଳୀ ପତ୍ର ଟେ ସହ ଆବିର୍ଭାବ ହେଲେ ଆୟୁସ୍ମତୀ।ଆଣ୍ଠୁପାତି ମଥାନତ ହେଲେ ସମ୍ଭାବୀ ର ଯୁବରାଜଙ୍କ ନିକଟ ରେ।

-ଛେଦନ କରନ୍ତୁ ମହାରାଜ।ଏବେ ମୋ ଶୀର ଛେଦ କରିବାର ସକଳ ଅଧିକାର ଆପଣଙ୍କର।ବିଳମ୍ବ କରନ୍ତୁନି।ସୂର୍ଯ୍ୟାସ୍ତ ହେଲେ ଅଧୁରା ହେଇପାରେ ଆପଣଙ୍କ ସ୍ୱପ୍ନ।

ଥରି ଉଠିଲା ରାଜା ଆରଣ୍ୟକଙ୍କ ପ୍ରାଣ ତନ୍ତ୍ରୀ।କେହି ଜଣେ କଣ ଏମିତି ହସି ହସି ବରଣ କରିପାରେ ମୃତ୍ୟୁ କୁ?ସହଜ ସୁଲଭ ଭାବେ ନିଜ କପାଳ କୁ ସମର୍ପି ଦେଇ ପାରେ କ୍ଷତ୍ରିୟ ର ପରାକ୍ରମୀ ଖଡ୍ଗ ନିକଟରେ ?? ତଥାପି ରାଜା ଖୁସୀ ଥିଲେ ।ରାଜା ବୁଝି ପାରୁଥିଲେ ତାଙ୍କ ବାମମୟ ସାଧନା ର ପରିପୂର୍ଣତା ପାଇଁ ଋଷିକନ୍ୟା ମସ୍ତକ ହିଁ ହେବ ସର୍ବଶ୍ରେଷ୍ଠ ମସ୍ତକ ।ଉନ୍ମାଦିତ ହେଇ ହସି ଉଠିଲେ ରାଜା ,ଆଉ ସଦର୍ପ କହିଲେ ---ତେବେ ମୃତ୍ୟୁ ଆଗରୁ ଜଣାଅ ତୁମଶେଷ ଇଛା।ଅବଶ୍ୟ ପୂରଣ ହେବ।

ଭୂମିମଗ୍ନ ରାଜକୁମାରୀ ଉର୍ଧ୍ୱ ମୁଖା ହେଲେ।ଆଉ ସହାସ୍ୟ ଉତ୍ତର ରଖିଲେ --କିଛି ଲଗ୍ନ ପାଇଁ ଯିବି ଶବର ପଲ୍ଲୀ କୁ।ଆଉ ଫେରି ଆସିବି ତତକ୍ଷଣାତ।

-କଣ ପାଇଁ?ମୋ ବିରୁଦ୍ଧ ରେ ଶବର ମାନଙ୍କୁ ଧରି ଯୁଧ୍ୟ ଘୋଷଣା ପାଇଁ।

-ନାଁ, ଏ ଦେହ ତ୍ୟାଗ କରିବାର ଟିକିଏ ପୂର୍ବରୁ ମୋ ଶବର ପ୍ରେମିକକୁ ଦେହ ଦାନ କରିବା ପାଇଁ।ମୋହ ମୈଥୁନ ର ମନ୍ମୟ ମୁଦ୍ରା ରେ ଶବର ପ୍ରେମିକ ସହ କିଛି ସମୟ ତଲ୍ଲୀନ ହେବା ପାଇଁ.......।

ରାଜା ଆରଣ୍ୟକ କିଛି ବୁଝି ପାରୁନଥିଲେ।ଅବୁଝା ପଣ ଭିତରୁ କିଛି ବୁଝିଲା ପରେ ତାଙ୍କ ପରିହାସ ର ସ୍ୱର ହେଲା ତୀବ୍ର।ତୁମର ମତିଭ୍ରମ ହେଇଚି ଋଷିକନ୍ୟା।ନଚେତ ମରଣ ପୁର୍ବରୁ କେହି କଣ ରମଣ ଲୋଡ଼େ??

ଋଷିକନ୍ୟା ଚମତ୍କାର ପ୍ରତ୍ୟୁତ୍ତର ଦେଲେ-ତୁମ ବାମମୟ ତନ୍ତ୍ର ସାଧନା ର କାରଣ ଜାଣି ପାରେ କି?

ଋଷିକନ୍ୟାଙ୍କ ଏପରି ପ୍ରତିକ୍ରିୟା ଶୁଣି ହସି ଉଠିଲେ ରାଜା ଆରଣ୍ୟକ।ସଗର୍ବେ କହିଲେ-୧୦୮ ତରୁଣୀ ମସ୍ତକ ଚାମଣ୍ଡା କୁ ସମର୍ପଣ କରି, ଭୂମି ରେ ରହି ବି ମୁଁ ହେବି ଭୁମା ର ଅଧିକାରୀ।

ମରଦେହ ଧାରୀ ମଣିଷ କୁ ନୁହେଁ,ନିତ୍ୟ ରମଣ କରିବି ପରୀ-ଅପ୍ସରୀ ଆଉ ଦେବସୂତା ମାନଙ୍କୁ।

ଆନନ୍ଦ... ଅସୀମ ଆନନ୍ଦ।

-ତନ୍ତ୍ର ଯାମଳ ର ବର୍ଣନା ଅନୁସାରେ ସାଧକ ଯେ କୌଣସି ପରୀ ଅପ୍ସରୀ ସହ ଏଇ ସାଧନା ରେ କେବଳ ଥରେ ରମଣ କରି ପାରେ ବୋଧେ।ଋଷି କନ୍ୟା ଭାବରେ ଏକଥା ମୋତେ ଅଛପା ନାହିଁ।

ହସି ଉଠିଲେ ଆରଣ୍ୟକ।ନିଜ ସ୍ୱର ରେ ଅହଙ୍କାର ଯୋଡି କହିଲେ-ପରୀ ଅପ୍ସରୀ ବି ସ୍ଵର୍ଗରେ ଜଣେ ଲେଖା ନାହାନ୍ତି ଋଷିକନ୍ୟା।ଅନେକ ପରୀ।ଅନେକ ଅପ୍ସରୀ।ଅଗଣିତ ଅପ୍ସରୀ ଙ୍କ ସହ ବିତେଇବି ଅୟୁତ ରଜନୀ।ପ୍ରତି ଅପ୍ସରୀ ସହ ଜୀବନ ର ଗୋଟେ ଗୋଟେ ରାତି ହବ ସ୍ମୃତିମୟ।

ରତି ମୟ।

-ମାତ୍ର ଗୋଟିଏ ରମଣ ରେ ତୁମେ ସନ୍ତୁସ୍ଟ ନା ମହାରାଜ? ମୋର ତ ସନ୍ଦେହ ହେଉଛି,ତମେ ପୁରୁଷ ନା ପୁରୁଷାର୍ଥ ବିହୀନ କାମୁକ??

-ସୀମା ଅତିକ୍ରମ କରନି ଋଷିକନ୍ୟା।

-ଗୋଟେ ବିଜନ ଶବର ପଲ୍ଲୀ ର ଶବର ସହିତ ଶହସ୍ର ବାର ମୁଁ ରମଣ ରତ ହେଇଚି।

ଶହସ୍ର ରମଣୀ ଙ୍କ ସହ ଥରେ ଲେଖା ଯେ ରମଣ କରେ, ସେ ପୁରୁଷ ନୁହେଁ,ବୀଟ ପୁରୁଷ ସିଏ।

ଅସଲ ପୁରୁଷ ତ ଗୋଟେ ରମଣୀ ସହ ଶହସ୍ରବାର ରମଣ କରେ। ପ୍ରତି ବାର ଉଭୟଙ୍କୁ ମିଳେ ଅଜସ୍ର ଆନନ୍ଦ ।ଉନ୍ମୋଚିତ ହୁଏ ଦେହ ଦେଉଳ ର ବହୁ ବିଦେହ ଅଧ୍ୟାୟ।ଅପେକ୍ଷା କର।ଏବେ ଏବେ ମୁଁ ଫେରୁଛି ଶବର ପଲ୍ଲୀରୁ।ଆଉ ଏକ ନବ ମୈଥୁନ ର ଆନନ୍ଦ କୁ ଦେହ ର ବାସ୍ନା କରି।ଓଠ ରେ ସ୍ମିତହାସ୍ୟଟେ ଧରି।ମରିବା ଆଗରୁ ନିଜକୁ ପରିପୂର୍ଣ କଲା ଭଳି ଗୋଟେ କାମନା ର କମନୀୟ ଅନୁଭବ କୁ ହୃଦୟ ରେ ସାଇତି ଧରି।ଶବର ପଲ୍ଲୀ ଆଡେ ମୁହାଇଁବା ଆରମ୍ଭ କଲେ ଋଷିକନ୍ୟା।ଆସନ୍ନ କ୍ରୋଧ ରେ ପ୍ରକମ୍ପିତ ହେଉଥିବା ରାଜା ଙ୍କ ତରବାରୀ ହେଲା ଦ୍ରୁତ।ଅସ୍ତ ସୂର୍ଯ୍ୟ ର ଆଲୋକ ମାଟିକୁ ରକ୍ତାକ୍ତ କରିବା ଆଗରୁ ,ରକ୍ତ ରଞ୍ଜିତ ହେଲା ଭାର୍ଗବ ମୁନିଙ୍କ ଆଶ୍ରମ।କେବଳ ରାଜା ଆଉ ଋଷିକନ୍ୟାଙ୍କୁ ଛାଡି କାହାକୁ ଜଣା ନଥିଲା ସେଦିନ ଟଳି ପଡିଲା କାହାର ମସ୍ତକ।

ସଞ୍ଜ ର ଅନ୍ଧାର ବହଳ ହେଇ ସାରିଥିଲା।

ସ୍ମଶାନ ରେ ଜଳି ଉଠିଥିଲା ଭରା ପୋଲାଙ୍ଗ ର ଦୀପ ଟେ।ସଜା ସରିଥିଲା ସୁନ୍ଦରୀ ମାନଙ୍କ ମସ୍ତକ।ପାଗଳ ଙ୍କ ପରି ପ୍ରଳାପ କରୁଥିଲେ ଗୁରୁ ପ୍ରଚଣ୍ଡକ୍ରମ।ବାହାରେ ଆତସବାଜି କରୁଥିଲେ ୧୦୭ କୁମାରୀ କନ୍ୟାଙ୍କ ଅସହାୟ ପିତା ମାତା ମାନେ।କାରଣ ରାଜା ଆରଣ୍ୟକଙ୍କ ବାମମୟ ସାଧନାରେ ୧୦୮ ତମ ମସ୍ତକ ଭାବରେ ସେ ବ୍ୟବହାର କରିଥିଲେ ନିଜର ମସ୍ତକକୁ।ନିଜ ଖଡ୍ଗ ରେ ନିଜେ ହିଁ କରିଥିଲେ ନିଜର ଶିରଚ୍ଛେଦ।

ଋଷି ଙ୍କ ଆଶ୍ରମ ରେ ନିଜର ମଥା କୁ ଅର୍ଦ୍ଧଛେଦନ କଲା ପରେ ସେ ଋଷିକନ୍ୟାଙ୍କୁ କହିଥିଲେ-ପ୍ରକୃତ ରେ ମହାନ ସିଏ, ଯିଏ ଗୋଟିଏ ରମଣୀ ସହ ଶହସ୍ର ରମଣ କରେ।ମୁଁ ଏବେ ମୋର ପୂର୍ଣ ଶିରଚ୍ଛେଦ କରିବାକୁ ପ୍ରସ୍ତୁତ।ପ୍ରତିଶୃତି ଦିଅ।ମୋର ଶିର କୁ ୧୦୮ତମ ଶିର କରି ତମେ ଅର୍ଘ୍ୟ ଦେବ ସ୍ମଶାନ ରେ।

ପୋଲାଙ୍ଗ ଦୀପ ଜଳୁଥିଲା।

ରାତି ର ଅନ୍ଧାର ବଢ଼ୁଥିଲା।

ଆଗାମୀ ପୃଥିବୀ ରେ ଯେ ପରକୀୟା ପ୍ରିତୀକୁ ରାଜକୀୟ ସ୍ଵୀକୃତି ମିଳିବ ଏକଥା କାହାକୁ ଜଣା ନଥିଲା।

*********

**********

#ପ୍ରାର୍ଥନା#ପଦ୍ମପୁରାଣ ର ଏ କାହାଣୀ ମୋ ଦେଶକୁ #ପରକୀୟା ବିପତ୍ତି ରୁ ଉଦ୍ଧାର କରୁ।

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ଋଷିକନ୍ୟା ରାଜ୍ୟ ପଦ୍ମସେନ

Rate the content


Originality
Flow
Language
Cover design

Comments

Post

Some text some message..