ଅଭିଷିକ୍ତା
ଅଭିଷିକ୍ତା
ଗାରେ ସିନ୍ଦୂରର ଅନୁବଦ୍ଧତାରେ
ଆଖି ଖୋଲେ
ଖିଏ ବିଶ୍ୱାସର ଛିଟା,
ଲାଜେଇ ଯାଏ
ଯେତେ ବାଡୁଆ ଇଚ୍ଛା
ପାଦ ଓ ସୀମନ୍ତର ସଜ ନାଲିପଣରେ।
ଅଧିବାସ ହୁଏ
ଭରସା ଓ ପ୍ରତିଶ୍ରୁତିର ।
ମନରେ ମନ ମିଳାଇ,
ସ୍ୱରରେ ସ୍ୱର ଛନ୍ଦି
ଜନ୍ମଜନ୍ମାନ୍ତରରେ ଏକାନ୍ତ
ହୋଇ ଯିବାର
ଏକ ନିଚ୍ଛକ ଅଭିଳାଷ ରେ।।
ଘରୁ ଅଣଲେଉଟା
ବିଦା ହେଲାବେଳେ,
ମାଆ ପଣତରେ କେଇ
ଆଞ୍ଜୁଳା ଚାଉଳ ସହିତ
ଥୋଇ ଦେଇ ଆସିଥିବା
ନିଜର ଅଝଟ ଇଚ୍ଛା,
ନିଜ ଠାରୁ ଦୂରେଇ ଦେଇଥିବା
ଅନୂଢ଼ା ଋତୁ ମାନଙ୍କୁ
ଝୁରି ହେଉ ହେଉ
ବାରମ୍ବାର ଛନ୍ଦି ହୁଏ
ଦାୟବଦ୍ଧତାର ଲମ୍ବା ଶିକୁଳି ରେ,
ଛୋଟ ଛୋଟ ଆଶା ସବୁ
ଲୁହ ରେ ବତୁରେ
ଅଗଣା ସେପାଖ ହଳଦୀ କ୍ଷେତରେ।
ସେଇ ଭିତରେ,
ଅଜାଣତରେ
କେବେ ହଜିଯାଏ
ବାଲ୍ୟର ଆଲେଖ୍ୟ ,
ଫୁଲଫୁଟା ଦିନ
ଯେତେ କୁଆଁରୀପଣର ।।
ଛାଡି ଆସିଥିବା ଚୌହଦୀରେ
ଚିତ୍ର ପାଲଟି ଥିବା
ଚପଳ ଭାବପ୍ରବଣତା
ଚଉତରା ରେ ଅଭିମାନ ରେ
ଝୋଟି ହେଇ ରଙ୍ଗ ଛାଡି ଥିବା
ନିଜ ଅଳି ଅଝଟ
ରାଗ ରୁଷା ସବୁ
ମିଠା ସ୍ମୃତି ହେଇ
ଆନମନା କଲେ ବି
ତାକୁ କୋଳେଇ ହୁଏନା।।
ପୁରନ୍ତା ସଂସାରରେ
କୋମଳତାର ଅଭାବବୋଧ,
ନିବିଡ଼ତା ଭିତରେ
ଅନେକ ଶୂନ୍ୟପଣ।
ମନର ଏରୁଣ୍ଡି ସେପଟେ
ଗୁମୁରି ଗୁମୁରି ହଜି ଯାଉଥିବା
କିଛି ମାନ ଅଭିମାନ,
ନିଆଁ ନ ଥାଇ
କୁହୁଳୁ ଥିବା
ଏକ ନିଷ୍କପଟ ମନ।।
ମୁଠାଏ ଭଲ ପାଇବାର
କାମନାରେ
ଭିଜୁ ଥାଏ ଅହରହ।
ଉତ୍ତାଳ କରୁ ଥିବା
ଚଗଲା ଶବ୍ଦ,
ବ୍ୟସ୍ତ କରୁଥିବା
ପ୍ରଗଳ୍ଭ ଋତୁ ,
ଆନ ମନା କରୁ ଥିବା
ପୁରୁଣା ସ୍ମୃତି ମାନଙ୍କୁ
ଧୀରେ ଧୀରେ
ଦୁରେଇ ଦେବା ବି ଶିଖେ।।
ଅଳ୍ପ ରେ ତୃପ୍ତ
କଅଁଳ ମନଟି
ମିଶେଇ ଦିଏ ନିଜକୁ
ଚିରାଚରିତ ଜୀବନ ସୁଅରେ,
ପ୍ରାପ୍ତିର ଉପଲବ୍ଧିକୁ
ସାଉଁଟୁ ସାଉଁଟୁ
ନିଜ ଅଜାଣତେ
ବାନ୍ଧି ହେଇ ରହିଯାଏ
ସମ୍ମୋହନର ଏକ ଅଜଣା ଡୋରିରେ।।