STORYMIRROR

Khageswar Bag

Children Stories

3  

Khageswar Bag

Children Stories

Untitled

Untitled

3 mins
130


   ସଫଳତାର ଶିଖର ଚୂଡାରେ ଅଧିଷ୍ଠିତ ହେଲେ ମଣିଷ ସେତିକି ଖୁସି ହେବା କଥା ସେ ଦିନ ସେତିକି ଖୁସି ଲାଗିନଥିଲା। ତା'ର ଦୁଇଟି କାରଣ ଥିଲା। ପ୍ରଥମତଃ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ଅନ୍ୟ ଏକ ରାହା ମିଳିଲା। ଯାହାକୁ କେବେ ସ୍ବପ୍ନରେ ଭାବିନଥିଲି କି ସେଥିପାଇଁ ସାମାନ୍ୟ ପ୍ରସ୍ତୁତି ବି ମୋର ନଥିଲା। ଅନ୍ୟ ଏକ କାରଣ ହେଉଛି ନିଯୁକ୍ତି ପତ୍ରରେ ଯେଉଁ ସ୍ଥାନର ନାମ ଉଲ୍ଲେଖ କରାଯାଇଥିଲା ତାହା ଥିଲା ସୁଦୂର,ଦୁର୍ଭେଦ୍ୟ,ନିର୍ଜନ, କ୍ଷୁଦ୍ର ଜନବସତି। ରୋମ ସାମ୍ରାଜ୍ୟର ଚତୁଃପାର୍ଶ୍ଵରେ ପାହାଡ଼ପର୍ବତ ଘେରିଥିଲା ଭଳି ସେହି ଗାଁ'ର ଭୌଗୋଳିକ ଅବସ୍ଥିତି। ନିଘଞ୍ଚ ଜଙ୍ଗଲ ଅତିକ୍ରମ କରି ଲୋକମାନେ ସେହି ଠାରୁ ବାଉଁଶ ଆଣୁଥିବା ଶୁଣିବାକୁ ପାଇଥିଲି। ତେଣୁ ଖୁସିର ଲେଶମାତ୍ର ଝଲକ ମୋ ଅଧରରେ ନଥିଲା। ବରଂ ବିଷଣ୍ଣ ବଦନ,ମୁଖର ବିକୃତି ଓ ମସ୍ତିସ୍କରେ ବଜ୍ରାଘାତ ଜ୍ୟୋତ୍ସ୍ନାବିଧୌତ ରଜନୀରେ ସ୍ପଷ୍ଟ ବାରିହେଉଥିଲା। ବେକାରୀର ଦ୍ଵାହି ଦେଇ ଡିଣ୍ଡିମ ପିଟିବା ଅପେକ୍ଷା ଅନିଚ୍ଛାକୃତ ଭାବେ ଅଯାଚିତ ଯାତନାର ପ୍ରତୀକ ସ୍ଵରୂପ ନିଯୁକ୍ତି ପତ୍ରକୁ ବାରମ୍ବାର ଦେଖୁଥିଲି। ମନେ ମନେ ଭାବୁଥିଲି ମୁଦ୍ରଣ ଜନିତ ତ୍ରୁଟି ଯୋଗୁଁ ଭୁଲ ଠିକଣାରେ ଏହି ପତ୍ର ଆସି ନାହିଁ ତ! ସହରାଞ୍ଚଳର ସମସ୍ତ ଭୌତିକ ସୁବିଧା ଥିବା ସାକ୍ଷର ପୂର୍ଣ୍ଣ ଗାଁ ବଦଳରେ ବଣ ଜଙ୍ଗଲ ଘେରା ଏକ ଉପାନ୍ତ ଅଞ୍ଚଳର ନାମ ଦିଆଯାଇ ନାହିଁ ତ! ମୋ ଭାବନା ନିଶାର୍ଦ୍ଧର କରାଳ ଗର୍ଭରେ ବିଲୀନ ହୋଇ ଯାଇଥିଲା। 

   ପ୍ରଭାତରେ ଶେଯ ତ୍ୟାଗ କରି ନିତ୍ୟକର୍ମ ସମାପନ କଲି। ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥରେ ଅଗ୍ରସର ହେଲି ମୁଠାଏ ସ୍ଵପ୍ନ ନେଇ। ମାନସପଟରେ ଏକ ପ୍ରକାର ଉତ୍କଣ୍ଠା ଥିଲା ନୂଆ ସ୍ଥାନ,ପଥ,ଅଧିବାସୀଙ୍କୁ ଦେଖିବାର। କେତେ ଦୂର ରାସ୍ତା, କେମିତି ଲୋକବାକ, କେଉଁଠି କର୍ମକ୍ଷେତ୍ର ପ୍ରଭୃତି ଦ୍ଵନ୍ଦାତ୍ମକ ପ୍ରଶ୍ନ ଉଙ୍କି ମାରୁଥାଏ। ଦେଖିବାର ଇଚ୍ଛା ଯେତିକି ପ୍ରବଳ ହେଉଥାଏ ସେତିକି ନୈରାଶ୍ୟ ଗ୍ରାସୁଥାଏ ଅତିକ୍ରାନ୍ତ ପଥକୁ ସ୍ମରଣ କରି। ଭାଗ୍ୟକୁ ନିନ୍ଦା କରୁଥାଏ ବେଳେ ବେଳେ। ଦୁର୍ଭାଗ୍ୟର ପରିହାସ ଏପରି ଏକ ସଙ୍ଗୀତ ଯେଉଁଥିରେ ଜୀବନର ସ୍ଵର ଫୀକା ପଡିଯିବାର ଯଥାର୍ଥତା ମୋ ଜୀବନରେ ଘଟୁଥିବାର ହୃଦୟଙ୍ଗମ କରୁଥାଏ। କିନ୍ତୁ କୌଣସି ବିକଳ୍ପ ବ୍ୟବସ୍ଥା ସେତେବେଳେ ମୋ ପାଇଁ ଉପଲବ୍ଧ ନଥିଲା। ନିଜକୁ ନିଜେ ବୁଝାଇ କହୁଥିଲି, "ପ୍ରଥମେ ଯୋଗଦାନ କରିଦିଏ, ତା'ପରେ ବଡବଡିଆଙ୍କୁ ଧରାଧରି କରି ଏଇଠୁ ଅନ୍ୟତ୍ର ସ୍ଥାନାନ୍ତର କରିନେବି।" ସେତେବେଳେ ବେଦନାମଥିତ ରହସ୍ୟାଲୋକ ଓ ନେତ୍ର କୋଣେ କୋଣେ କ୍ରନ୍ଦନର ଧ୍ଵନିକୁ କେହି ଦେଖି କି ବୁଝି ପାରୁନଥିଲେ। ଦେଖିଥିଲେ ତ ନିଯୁକ୍ତି ପତ୍ର ଓ ନୂତନ ୟୁନିଫର୍ମ। ବୁଝିଥିଲେ ତ ସରକାରୀ ଚାକିରୀଟି ପାଇଛି ଓ ଏବେ ସୁଖରେ ରହିବ,ବାଶ୍ ଏତିକି।

   ସେହି ଦିନ ପ୍ରଧାନ ଶିକ୍ଷକ ମହୋଦୟ ଗ୍ରାମ୍ୟ ନେତା ତଥା କୁନି କୁନି ଛାତ୍ରଛାତ୍ରୀଙ୍କୁ ମୋର ପରିଚୟ କରାଇଲେ। ବୟୋଜ୍ୟେଷ୍ଠବୃନ୍ଦକୁ ପ୍ରଣାମ କରି ମୋର ଦୃଷ୍ଟି ଫେରାଇ ଆଣିଲି ନିଷ୍ପାପ ପିଲାମାନଙ୍କ ଉପରକୁ। ସରଳ ସୁନ୍ଦର ଡଉଳ ଡାଉଳ ମୁହଁଗୁଡିକରେ ସ୍ମିତହାସ୍ୟ ଦେଖି ଖୁସି ଲାଗିଲା। ଶୁଷ୍କ ଅଧରରେ ଧାରେ ହସ ଦେଖି ମୋର ସକଳ ଯନ୍ତ୍ରଣାର ଉପଶମ ମିଳିଗଲା ଭଳି ଲାଗିଲା। "ନୂଆଁ ଆଜ୍ଞା, ନୂଆଁ ଆଜ୍ଞା" ବୋଲି ଖୁସିରେ ପରସ୍ପର କଥା ହେବା ଦୃଶ୍ୟ ମୋ ମନପ୍ରାଣକୁ ନିମିଷକେ କିଣିନେଲା। ନିଦାଘର ପ୍ରଚଣ୍ଡ ରୌଦ୍ରତାପ ପରେ ଶ୍ରାବଣର ଆଦ୍ୟ ବାରିପାତ ପାଇ ପାଦପ ପଲ୍ଲବିତ ହେଲା ପରି ଲାଗିଲା। ମୋର ଦୁଃଖ,ଶୋକ ପଲକରେ କେଉଁ ଆଡେ ଉଭେଇ ଗଲା।

   ସେହି ଦିନ ଠାରୁ ଈଶ୍ଵର ଦତ୍ତ କର୍ତ୍ତବ୍ୟ ରୂପେ ଅଧ୍ୟାପନା ନିରନ୍ତର ଚାଲିଲା। ମାଟି ପିଣ୍ଡୁଳାକୁ ନୂତନ,ଭବ୍ୟ,ଶଶକ୍ତ ରୂପ ଦେବାରେ ମନୋନିବେଶ କଲି। ଗୀତ,ଗପ,ଖେଳ ମଧ୍ୟମରେ ପ୍ରୟାସ କଲି ଶିକ୍ଷା ଦାନ ସହିତ ସେହି କୋମଳ ଓଷ୍ଠ୍ୟଗୁଡିକରେ ହସ ଫୁଟାଇବାର। ଛୋଟ ଛୋଟ କାର୍ଯ୍ୟରେ ସେମାନେ ସଫଳତା ଓ ପ୍ରଶଂସା ପାଉଥିଲେ ଖୁସି ଲାଗୁଥିଲା। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବକ ଉତ୍ତୀର୍ଣ୍ଣ ହେଲେ ସେମାନେ ଯେତିକି ଆନନ୍ଦିତ ହେଉଥିଲେ ସେସବୁ ଦେଖି ସେତିକି ଆତ୍ମସନ୍ତୋଷ ପାଉଥିଲି। କୌଣସି ବିଷୟ ପ୍ରତି ସେମାନଙ୍କର ଅହେତୁକ ଜିଜ୍ଞାସା ଓ ପରବର୍ତ୍ତୀ ସମୟରେ ଅଦମ୍ୟ ସାହସ ସହିତ ପ୍ରଦର୍ଶନରେ ଯେଉଁ ହସ ହସ ମୁହଁ ଦେଖିବାକୁ ମିଳୁଥିଲା ସେଗୁଡିକୁ ନିର୍ନିମେଷ ନୟନରେ ଚାହୁଁଥିଲି। ସେମାନଙ୍କ ଖୁସିରେ ମୋର ଆନନ୍ଦ, ସେମାନଙ୍କ ହସରେ ମୋର ହର୍ଷୋଳାସ, ସେମାନଙ୍କ ସଫଳତାରେ ମୋର କର୍ମର ମୂଲ୍ୟ ପ୍ରାପ୍ତ କରୁଥିଲି। କେବେକେବେ ଜୀବନର ଜର୍ଜରତାରେ,ନିର୍ଜନତାରେ,ନିରସତାରେ ଛଟପଟ ହେଉଥିଲେ ସେମାନଙ୍କ ଧାରେ ହସ ସ୍ମରଣ କରି ସବୁ ଭୁଲିଯାଏ। ନିଷ୍କଳଙ୍କ ଶିଶୁ ମୁହଁରେ ପ୍ରସ୍ଫୁଟିତ ସ୍ମିତହାସ୍ୟଟି ଆଗତ ଭବିଷ୍ୟତର ଅନ୍ଧକାରରେ କ୍ଷୀଣ ଆଲୋକ ସଦୃଶ ପଥ ଦେଖାଇଲା ଭଳି ଲାଗେ। ବଞ୍ଚିବାର ରାହାଟି ମିଳିଗଲା ବୋଲି ଭାବେ।

    ପିଲାଙ୍କ ହସରେ ଏମିତି କି ଯାଦୁ ଥିଲା ଯେ ମୁହୂର୍ତ୍ତରେ ମନକୁ ମୋହିତ କରିନିଏ। ସାଂସାରିକ ଜୀବନର ମୋହ ମାୟା ନିମିଷକେ ଅପସରି ଯାଏ। ସେହି ହସରେ ଦେଖେ ତାଙ୍କର ଏକ ଉଜ୍ଜ୍ୱଳ ଭବିଷ୍ୟତ। ଏମିତି ସବୁ ଦିନ ପାଇଁ ସେମାନଙ୍କ ଓଠରେ ଖିଳିଖିଳି ହସ ଥିବାର ଭଗବାନଙ୍କୁ ପ୍ରାର୍ଥନା କରେ। ବିସ୍ମୃତିର ପରଦା ଠେଲି ସ୍ମୃତିଚାରଣ କରେ ମୋର ପିଲା ଦିନ। ମୁଁ ବି କେବେ ଏମିତି ଆତ୍ମହରା ହୋଇ ହସିଥିବି। ମୋର ହସ ଦେଖି କେହି କେହି ଖୁସି ହୋଇଥିବେ। ମାତ୍ର ବର୍ତ୍ତମାନ ଯୌବନର ମାଦକତା ଓ ଜୀବନର ନୀରସତାରେ ମୋର ବାଲ୍ୟକାଳ ଠିକ୍ ଭାବରେ ମନେପଡେ ନାହିଁ। ସାମାନ୍ୟ ଝାପସା ଦୃଶ୍ୟମାନ ହୁଏ। ତେଣୁ ଏହି ପିଲାମାନଙ୍କ ହସରେ ମୁଁ ପାଏ ଅପାର ଆନନ୍ଦ। ସେହି ଭିତରେ ନିଜକୁ ହଜେଇ ଦେବାର ପ୍ରୟାସ କରେ। ଏଇ ହସ ଯେ ନିଃଶୁଳ୍କ ଓ ଈଶ୍ଵର ପ୍ରେରିତ ଏହା ଭାବି ବିହ୍ଵଳିତ ହୋଇଯାଏ।

   

  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Khageswar Bag

Untitled

Untitled

3 mins ପଢ଼ନ୍ତୁ