ତୋ ପାଦ ତଳେ ମୋ ଜାଗା
ତୋ ପାଦ ତଳେ ମୋ ଜାଗା
ଆମ ଗାଁର ନାମ ଶଗଡିଆ। ଆମେ ଆମ ଗାଁରେ ଛୋଟ କୁଡିଆ ଘରଟିଏ କରି ରହୁଥିଲୁ। ମୋ ବାପା, ମାଆ, ଅଜା,ଆଈ, ଭଉଣୀ, ଭାଇ ଆଉ ମୁଁ ଏକାଠି ହସଖୁସିରେ ରହୁଥିଲୁ। ମୋ ନାଁ ଗୋପାଳ। ମୁଁ ଆମ ଘରର ସମସ୍ତଙ୍କଠୁ ସାନ, ସେଥିପାଇଁ ମତେ ସମସ୍ତେ ଭାରି ଭଲ ପାଆନ୍ତି। ମୁଁ ଛୋଟ ଥିଲା ବେଳେ ମୋ ବାପାଙ୍କ ସହିତ ଆମ ଜମିକୁ ଯାଇ ସେଠାରେ ବହୁତ ମଜା କରୁଥିଲି । ମାଆଙ୍କ ସାଥେ ଆମ ଗାଁର ବଜାରକୁ ଯାଇ ବହୁତଗୁଡ଼ିଏ ଜିନିଷପତ୍ର ଆଣୁଥିଲି । ବଡ଼ ଭାଇ ସାଂଗେ ପୋଖରୀକୁ ଗାଧୋଇବା ପାଇଁ ଯାଉଥିଲି ଓ ସେ ମତେ ପହଁରିବା ଶିଖାଉଥିଲେ । ଭଉଣୀମାନଙ୍କ ସହିତ ବହୁତ ଖେଳ ଖେଳୁଥିଲି । ସାଙ୍ଗମାନଙ୍କ ସହିତ ମିଶି ବଣଭୋଜି କରିବାକୁ ଯାଉଥିଲି । ମୋ ଆଈ ମତେ ଯଉଠିକି ଗଲେ ବି କିଛି ନା କିଛି ଖାଇବାକୁ ଆଣିଦେଉଥିଲେ, ଅଜା ଶୋଇବା ସମୟରେ ପ୍ରତିଦିନ ଗପ କହିଦେଉଥିଲେ।
ଧୀରେ ଧୀରେ ମୁଁ ବଡ଼ ହେଲି । ବିଦ୍ୟାଳୟକୁ ପାଠ ପଢିବାକୁ ଗଲି କିନ୍ତୁ ମତେ ପାଠ ପଢିବାକୁ ଆଦୌ ଇଚ୍ଛା ଲାଗୁନଥିଲା। ତା ସତ୍ୱେ ମଧ୍ଯ କଷ୍ଟେମଷ୍ଟେ ମୁଁ ପଞ୍ଚମ ପର୍ଯ୍ୟନ୍ତ ପଢିଲି। ମୋର ପାଠ ପଢା ଉପରେ ରୁଚି ନଥିବାରୁ ମୋ ବାପାମାଆ ମଧ୍ଯ ମତେ ପାଠ ପଢିବାକୁ ବାଧ୍ଯ କଲେ ନାହିଁ। ତାପରେ ମୁଁ କିଛି କାମ କରିବା ପାଇଁ ସ୍ଥିର କଲି ଓ କାମ ଖୋଜିବା ପାଇଁ ବାହାରିଲି। ପ୍ରଥମେ ମୁଁ ଗୋଟିଏ ବଡ଼ ଘରକୁ ଗଲି ଆଉ ପଚାରିଲି, ମାଆ ମତେ କୌଣସି କାମ ମିଳିବ କି? ସେମାନେ କହିଲେ ଯେ, ଆମ ଘରେ କୌଣସି କାମ ନାହିଁ। ଏକଥା ଶୁଣି ମୁଁ ସେ ଘରକୁ ଛାଡି ଆହୁରି ଆଗକୁ ଚାଲିଲି। କିଛି ଦୂର ଗଲା ପରେ ଦେଖିଲି ଯେ ଆହୁରି ଗୋଟିଏ ବଡ଼ ବିଲ୍ଡିଂ ଅଛି। ସେଠିକି ଯାଇ ପଚାରିଲି, ଆରେ ଭାଇ ମତେ କୌଣସି କାମ ମିଳିବ କି? ସେ କହିଲେ ଯେ ଏଠି ବହୁତ କଷ୍ଟକର କାମ କରାଯାଏ ଆଉ ତୁ ତ ଏବେ ଛୋଟ ଅଛୁ ତୁ ଏ କାମ କରିପାରିବୁ ନାହିଁ। ଏକଥା ଶୁଣି ମୁଁ ସେଇଠୁ ମଧ୍ଯ ଚାଲିଆସିଲି। ପୁଣି ଘରକୁ ଆସି ଘରେ ବସି ରହିଲି। ଏହା ଦେଖି ବାପାମାଆ ମଧ୍ଯ କହିଲେ ଯେ, ବାବୁରେ ଏବେ ତୁ ଛୋଟ ଅଛୁ ଓ ଆମେ ଏବେ ବୁଢା ବୁଢୀ ହୋଇନାହୁଁ ତୁ ଏବେଠାରୁ ଏତେ ଚିନ୍ତା କରିବା ଦରକାର ନାହିଁ। ଏକଥା ଶୁଣି ମତେ ଟିକିଏ ଭଲ ଲାଗିଲା। ସେମିତି ଗୋଟିଏ ବର୍ଷ ଗଲା।
ବାପାମାଆ ମୋ ବଡ଼ ଭାଇଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଲେ। ବିବାହ ପରେ ବଡ଼ ଭାଇ ଓ ଭାଉଜ କିଛି ମାସ ରହି କାମ କରିବା ପାଇଁ ବିଦେଶ ଚାଲିଗଲେ ଓ ସେଠାରେ ହିଁ ରହିଗଲେ। ତା'ପରେ ବାପାମାଆ ମୋର ଦୁଇ ଭଉଣୀଙ୍କୁ ମଧ୍ଯ ବିବାହ କରିଦେଲେ। ସେମାନେ ମଧ୍ଯ ବିବାହ ପରେ ନିଜ ନିଜ ଶାଶୁ ଘରେ ରହିଲେ ଓ କେବଳ ବର୍ଷକ ଥରେ କିମ୍ବା ଦୁଇଥର ବାପାମାଆଙ୍କୁ ଦେଖିବାକୁ ଆସୁଥିଲେ।
ସେମିତି କିଛି ବର୍ଷ ଗଲା। ମୁଁ ମଧ୍ଯ ୨୦ ବର୍ଷର ହୋଇଗଲି । ମୋ ବାପାମାଆ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲେ। ସେ ସମୟରେ ମୁଁ ମୋ ବାପାଙ୍କଠୁ କିଛି ଟଙ୍କା ମାଗି ଗୋଟିଏ ଦୋକାନ ଖୋଲିଲି। ପ୍ରଥମେ ମୋ ଦୋକାନକୁ ବହୁତ ଲୋକ କିଣିବାକୁ ଆସୁଥିଲେ, ମୁଁ ମଧ୍ଯ ବହୁତ ଖୁସିରେ ଥିଲି। କିନ୍ତୁ ବର୍ଷକ ପରେ ଲୋକମାନେ ଉଧାରୀ ନେଇ ଦୋକାନଟିକୁ ବୁଡାଇଦେଲେ। ଏହାପରେ ମୋର ଆଉ ଘରେ ରହିବାକୁ ଇଚ୍ଛା ହେଲା ନାହିଁ।ସେଥିପାଇଁ ଏଥର ମଧ୍ଯ ମୁଁ ଘର ଘର ବୁଲି ସମସ୍ତଙ୍କୁ କାମ ପାଇଁ ପଚାରିଲି। କିନ୍ତୁ କେଜାଣି କାହିଁକି ମତେ କୌଣସି କାମ ମିଳୁନଥିଲା। କିନ୍ତୁ ଶେଷରେ ଗୋଟିଏ ବଡ଼ ଘରେ ମତେ କାମ କରିବାକୁ ମିଳିଲା। ସେଠାରେ ମୁଁ ତାଙ୍କ ପୋଷାକପତ୍ର, ବାସନକୁସନ ସଫା ଓ ରନ୍ଧନ କାର୍ଯ୍ୟ କରିଦେଉଥିଲି। ଏମିତି କାମ କରି କରି ମୁଁ ମୋ ବାପାମାଆଙ୍କୁ ପୋଷୁଥିଲି। ହେଲେ ମଧ୍ଯ କେଉଁ ଦିନ ଖାଇବାକୁ ମିଳୁଥିଲା ତ କେଉଁ ଦିନ ନାହିଁ। ବହୁତ କଷ୍ଟେମଷ୍ଟେ ଆମ ପରିବାରଟି ଚଳୁଥିଲା।
କିନ୍ତୁ ଦିନକର କଥା ମୋ ବାପାଙ୍କୁ ଭୀଷଣ ଜ୍ୱର ହେଉଥିଲା ଓ ମତେ ମଧ୍ଯ ଟିକିଏ ଭଲ ଲାଗୁନଥିଲା।କିନ୍ତୁ ମୋ ମାଲିକଙ୍କର ପୋଷାକପତ୍ର, ଘରର ବାସନକୁସନ ସଫାକରିବା ଓ ରନ୍ଧା କାର୍ଯ୍ୟ ସବୁ ମୋ ଉପରେ ଥିଲା। ସେଦିନ ସବୁ କାର୍ଯ୍ୟ ସାରି ମୁଁ ଯେତେବେଳେ ତାଙ୍କୁ (ମାଲିକ) ଖାଇବାକୁ ନେଇଦେଉଥିଲି ଠିକ୍ ସେହି ସମୟରେ ମୋ ମୁଣ୍ଡ ଘୂରିଗଲା ଓ ମୁଁ ତଳେ ପଡିଗଲି। ମୋ ହାତରେ ଥିବା ଖାଦ୍ୟ ସବୁ ମଧ୍ଯ ତଳେ ପଡିଗଲା। ଏହା ଦେଖି ମୋ ମାଲିକ ମତେ ଆଉ ଘରେ ରଖିଲେ ନାହିଁ। ମୁଁ ସେଠାରୁ କାନ୍ଦି କାନ୍ଦି ଘରକୁ ଗଲି ଓ ବାପାମାଆଙ୍କୁ ଏସବୁ କଥା କହିଲି। ମୋ କଥା ଶୁଣି ବାପାମାଆ ବହୁତ ଦୁଃଖିତ ହୋଇଗଲେ। ମୁଁ ପୁଣି ଅନ୍ୟ କୌଣସି କାମ କରିବା ପାଇଁ ଏଠି ସେଠି ବୁଲୁଥିଲି । ଠିକ୍ ସେହି ସମୟରେ ଗୋଟିଏ ମଉସା ମତେ କହିଲେ, "ବାବୁ ମୁଁ ତୁମକୁ ବହୁତ ଦିନରୁ ଦେଖୁଛି, ତୁମେ ଏଠିସେଠି ବୁଲୁଛ। ତୁମର କ'ଣ ହେଲା କି ବାବୁ?
ମୁଁ କହିଲି, "ମଉସା ମୁଁ ବହୁତ ଦିନରୁ କିଛି ଖାଇନି, କିଛି କାମ କରିବା ପାଇଁ ଏଠି ସେଠି କାମ ଖୋଜୁଛି କିନ୍ତୁ ମତେ କୌଣସି କାମ ମିଳୁନାହିଁ।" ମୋ କଥା ଶୁଣି ମଉସା ମତେ ଗୋଟିଏ ଢାବାକୁ ନେଇକି ଗଲେ ଓ ସେଠି କିଛି ଟଙ୍କାର ଖାଦ୍ୟ କିଣିଦେଇ ଦେଲେ ଓ କହିଲେ, ବାବୁ ତୁମେ ଯଦି ଆମ ରାଜ୍ଯର ରାଜମହଲକୁ ଯିବ ତା'ହେଲେ ତୁମକୁ କୌଣସି ନା କୌଣସି କାମ ମିଳିଯିବ। ଏକଥା ଶୁଣି ବହୁତ ଖୁସି ହୋଇଗଲି ଓ ଅନ୍ୟଦିନ ଭୋର୍ ସକାଳୁ ଉଠି ମୁଁ ମଉସାଙ୍କ ସାଥେ ମହଲକୁ ଗମନ କଲି। ମତେ ରାଜମହଲ ଦେଖେଇ ଦେଇ ମଉସା ତାଙ୍କ ଘରକୁ ଚାଲିଗଲେ। ସେଦିନ ବହୁତ ଭିଡ଼ ଥିଲା। ମୁଁ ମହଲ ଭିତରକୁ ଗଲି। ସେଠି ଦେଖିଲି ଯେ, ଗୋଟିଏ ସୁନ୍ଦର ରାଜକୁମାରୀ ତାଙ୍କ ବାପାଙ୍କ (ମହାରାଜା) ସହିତ ଆସନରେ ବସିଛନ୍ତି। ସେଠି ଗୋଟିଏ ସଭା ଚାଲିଛି। ମହାରାଜା ବିଭିନ୍ନ ରାଜ୍ଯର ରାଜାମାନଙ୍କୁ ଡାକିଥିଲେ। ନିଜ ଝିଅ ପାଇଁ ଗୋଟିଏ ସୁନ୍ଦର ରାଜକୁମାର ବାଛିବା ପାଇଁ। ଆଉ ମହାରାଜା ସଭିଙ୍କ ପାଇଁ ଗୋଟିଏ କୁଇଜ ପ୍ରତିଯୋଗିତା ରଖିଥିଲେ। ସେ ପ୍ରଶ୍ନ କେବଳ ଗୋଟିଏ କିନ୍ତୁ ଯିଏ ସେହି ପ୍ରଶ୍ନର ସଠିକ୍ ଉତ୍ତର ଦେବ ସେ ହିଁ ରାଜକୁମାରୀଙ୍କୁ ବିବାହ କରିବ।
ଏଥିରେ ଭାଗ ନେବା ପାଇଁ ସମସ୍ତ ରାଜା ବିଭିନ୍ନ ରାଜ୍ଯରୁ ଆସିଥିଲେ। ପ୍ରତିଯୋଗିତା ଆରମ୍ଭ କରାଗଲା। ସମସ୍ତ ରାଜା ଏକାଠି ସଭାରେ ବସିଲେ। ମହାରାଜାଙ୍କ ପ୍ରଶ୍ନ ଥିଲା ଯେ,
"ଜନମ ଆଉ ମରଣ ମଧ୍ଯରେ ପାର୍ଥକ୍ଯ କ'ଣ? "
ଏହି ପ୍ରଶ୍ନର ସଠିକ୍ ଉତ୍ତର ଯିଏ ଦେଇପାରିବ ସେ କେବଳ ମୋ ଝିଅର ପତି ନୁହେଁ ଏ ରାଜ୍ଯର ମହାରାଜା ମଧ୍ଯ ହେବ। ଏକଥା ଶୁଣି ସମସ୍ତେ ଖୁସି ତ ହେଲେ କିନ୍ତୁ କୌଣସି ରାଜା ସଠିକ୍ ଉତ୍ତର ଦେଇପାରିଲେ ନାହିଁ। ଶେଷରେ ମହାରାଜା କହିଲେ, ଆରେ କ'ଣ କୈଣସି ରାଜ୍ଯରେ ଏମିତି ରାଜା ନାହିଁ ଯିଏ ଏଥିର ସଠିକ୍ ଉତ୍ତର ଦେଇପାରିବ? ଏହା ଶୁଣି ମୁଁ କହିଲି, ହେ ମହାରାଜା ମୁଁ ଏ ପ୍ରଶ୍ନର ଉତ୍ତର ଦେଇପାରିବି କି? ମୋ କଥା ଶୁଣି ସମସ୍ତେ ହସିଦେଲେ ଆଉ କହିଲେ, ତୁ କିଏ ରେ ଯିଏ ଆମେ ନ ଜାଣିଥିବା ପ୍ରଶ୍ନର ଉତ୍ତର ଦେବି ବୋଲି କହୁଛୁ। କିନ୍ତୁ ମହାରାଜା ମତେ କହିଲେ, "ଆରେ ବାବୁ ତୁ କିଏ ଆଉ ତୁ ତ କୌଣସି ରାଜ୍ଯର ରାଜା ଭଳି ଦେଖାଯାଉନାହୁଁ । " ମୁଁ କହିଲି, ହେ ମହାରାଜା ମୁଁ କୌଣସି ରାଜ୍ଯର ରାଜା ନୁହେଁ, ମୁଁ ଶଗଡିଆ ଗାଁର ଗୋଟିଏ ଛୋଟିଆ ଘରର ଛୁଆ। ମୋ ନାଁ ଗୋପାଳ। ଏସବୁ କଥା ଶୁଣି ମହାରାଜା କିଛି କ୍ଷଣ ଚୁପ୍ ରହି କହିଲେ, ହଉ ଠିକ୍ ଅଛି ତୁ ହେଲେ କହିକି ଦେଖ୍। ତା'ପରେ ମୁଁ କହିଲି, "ଜନମ-ଯେଉଁଦିନ କେବଳ ଆମେ ନିଜେ କାନ୍ଦୁଥାଉ ଓ ସମସ୍ତେ ହସୁଥାନ୍ତି ତାହା ହେଉଛି ଆମ ଜନମ ଓ ଯେଉଁଦିନ ସମସ୍ତେ କାନ୍ଦୁଥାନ୍ତି ଓ ଆମେ ଚୁପ୍ ରହିଥାଉ ତାହା ହେଉଛି ଆମ ମରଣ।"
ମୋ ଏକଥା ଶୁଣି ସମସ୍ତେ କରତାଳି ବଜାଇଲେ ଓ ସ୍ୱୟଂ ମହାରାଜା ମଧ୍ଯ ଉଠିଆସି ମତେ କାଖେଇ ନେଲେ ଓ କହିଲେ, ତୁ ହିଁ ମୋ ଝିଅକୁ ବିବାହ କରିବୁ ବାବୁରେ ତୁ ହିଁ ହେବୁ ଏ ରାଜ୍ଯର ରାଜା। ଏକଥା ଶୁଣି ବହୁତ ଖୁସି ହେଲି। ତାପରେ ମୁଁ ମୋ ବାପାମାଆଙ୍କୁ ଡାକିଲି ଓ କହିଲି,
ଏବେ ସିନା ମୁଁ ଏଠିକି ଆସିକି
ହେଲି ଏ ରାଜ୍ଯର ରାଜା,
ମୁଁ ଯେତେ ବଡ଼ ହେଲେ ବି ମାଆ ଲୋ
ତୋ ପାଦ ତଳେ ମୋ ଜାଗା।।
ଏହା ପରେ ମତେ ମହାରାଜା ରାଜ୍ଯର ରାଜା କରିଦେଇ ରାଜକୁମାରୀଙ୍କ ସହିତ ବିବାହ କରିଦେଲେ। ତା'ପରେ ଆମେ ସମସ୍ତେ ବହୁତ ଖୁସିରେ ରହିଲୁ।
