ସର୍ପ୍ରାଇଜ୍
ସର୍ପ୍ରାଇଜ୍
ବିମଳ ବାବୁଙ୍କ ରିଟାଏରମେଣ୍ଟକୁ ଆଉ ମାତ୍ର ଦୁଇ ମାସ । ସମ୍ବଲପୁର ଡିଷ୍ଟ୍ରିକ୍ଟ୍ କୋର୍ଟରେ ହେଡ କ୍ଲେର୍କ ଭାବେ ବିମଳ ବାବୁଙ୍କର ଟିକେ ଅଲଗା ଖାତିର । ବାସ୍ ତାଙ୍କର ଗୋଟିଏ ଇଚ୍ଛା ରିଟାଏରମେଣ୍ଟ ଦିନ ସେ ଧଳା ଆମ୍ବାସାଡରରେ ବସି ଘରକୁ ଆସିବେ । ପଡେ଼ାଶୀ ସୁବାଷ ବାବୁ ଯେବେଠୁ ଆମ୍ବାସାଡର କିଣିଛନ୍ତି, ସେ ଦିନୁ ବିମଳ ବାବୁଙ୍କ ଆମ୍ବାସାଡର ପ୍ରେମ ଜାଗ୍ରତ ହେଇଛି । ଅନେକ ଥର କିଣିବାକୁ ଚାହିଁ ମଧ୍ୟ ରହିଯାଇଛନ୍ତି ବିମଳ ବାବୁ । ପୁଅ ଆକାଶର ଇଞ୍ଜିନିୟରିଂ ପାଠ ପଢାକୁ ଦୁଇ ଦୁଇଟି ଝିଅଙ୍କ ବାହାଘର ଖର୍ଚ୍ଚରେ ଦବି ଯାଇଛି ବିମଳ ବାବୁଙ୍କ ଆମ୍ବାସାଡର କିଣା ସ୍ୱପ୍ନ । ହେଲେ ବିମଳ ବାବୁଙ୍କ ଶଳା, ଗୋଟେ ସେକେଣ୍ଡ ହାଣ୍ଡ ଆମ୍ବାସାଡର ବୁଝା ବୁଝି ବି କରିଛନ୍ତି । ଏଣେ ତେଣେ କରି ଟଙ୍କା ୯୦୦୦୦ରେ ଫାଇନାଲ ହେଇଛି । ଖାଲି ଅପେକ୍ଷା ପୁଅ ଆକାଶର ଆସିବାକୁ । ଆକାଶ ଏବେ ବାଙ୍ଗାଲୋରରେ ଆଇ.ଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର । ମାସକୁ ଟଙ୍
କା ୪୦୦୦୦ ଦରମା । ଆକାଶକୁ ନେଇ ବିମଳ ବାବୁଙ୍କ ଛାତି କୁଣ୍ଢେମୋଟ । ଆଜି ଆସି ଆକାଶ ପହଞ୍ଚିବ । ମାମୁ ବି ଆସି ଘରେ ଅଛନ୍ତି, ଆକାଶ ପହଞ୍ଚିଲେ ଦୁହେଁ ସାଙ୍ଗରେ ଆମ୍ବାସାଡର ଆଣିଯିବେ । ବିମଳ ବାବୁ ବି ସକାଳୁ ଯାଇ ସୁବାଷ ବାବୁଙ୍କ ଗ୍ୟାରେଜ ଆଡେ ବୁଲି ଆସିଲେଣି । ମନୁଆ ମିସ୍ତ୍ରୀ ଗ୍ୟାରେଜ ବନେଇବା ପାଇଁ ଆଗୁଆ ଆସି ପଇସା ବି ନେଇ ସାରିଛି । ବାଲକୋନୀରେ ବସି ଏମିତି କଥା ସବୁ ଭାବୁ ଭାବୁ ହଠାତ୍ ଶୁଣିଲେ ଗୋଟେ ଗାଡ଼ି ଆସି ଅଟକିବାର ଶବ୍ଦ । ବିମଳ ବାବୁ ବାଲକୋନିରୁ ଚାହିଁ ଦେଖିଲେ ତ ଗୋଟେ ନୂଆ ଲାଲ୍ ରଙ୍ଗର ମାରୁତି ଅଲ୍ଟୋ ଗାଡ଼ି ଲାଗିଛି ଗେଟ୍ ସାମ୍ନାରେ । ତଳକୁ ଆସୁ ଆସୁ ଆକାଶ ବଡ଼ ପାଟିରେ କହି ଉଠିଲା, " ବାପା, ସର୍ପ୍ରାଇଜ୍!" । ବାସ୍ ଟିକେ ହସି ଦେଇ ଆକାଶ ମୁଣ୍ଡରେ ହାତ ମାରି ପୁଣି ଚାଲିଗଲେ ବାଲକୋନିକୁ । ସ୍ତ୍ରୀ ମନୋରମା ଦେବୀ ଚା କପ ଧରି ଆସି ଦେଖନ୍ତି ତ ବିମଳ ବାବୁ ଚାହିଁ ରହିଛନ୍ତି ସୁବାଷ ବାବୁଙ୍କ ଗ୍ୟାରେଜ ଆଡେ।