STORYMIRROR

satyabrata panigrahy

Others

3  

satyabrata panigrahy

Others

ସାଂଖ୍ୟ-ଯୋଗ ଦର୍ଶନରେ ସୃଷ୍ଟିରହସ୍ୟ

ସାଂଖ୍ୟ-ଯୋଗ ଦର୍ଶନରେ ସୃଷ୍ଟିରହସ୍ୟ

5 mins
14

ବହୁ ପ୍ରାଚୀନ କାଳରୁ ଭାରତୀୟ ସଭ୍ୟତା ଦର୍ଶନ, ତର୍କ ଓ ବୈଜ୍ଞାନିକ ପରମ୍ପରାର ଭୂମି ରୂପେ ବିଶ୍ଵ ଦରବାରରେ ପରିଚିତ । ଭାରତର ପ୍ରତ୍ଯେକ ଚାଲିଚଳଣିରେ ପ୍ରକୃତିର ଗୁଢ଼ ରହସ୍ୟ ସମ୍ବନ୍ଧୀୟ ଜ୍ଞାନ ଲୁଚି ରହିଥାଏ । ଜିଜ୍ଞାସୁ ମନୋଭାବ ଓ ଯୁକ୍ତି ସଙ୍ଗତ ବିଶ୍ବାସ ହେଉଛି ଭାରତୀୟ ଜ୍ଞାନଦର୍ଶନର ଭିତ୍ତିଭୂମି, ଯାହାକି ସୃଷ୍ଟିର ଉଷାକାଳରୁ ମନୁଷ୍ୟକୁ ନିଜର ଅସ୍ତିତ୍ଵ, ସୃଷ୍ଟି ସର୍ଜନାର ଉତ୍ସ, ଜୀବନ ଓ ଜଗତର ଗୁଢ଼ ରହସ୍ୟ ସଂପର୍କରେ ଚିନ୍ତା କରିବା ପାଇଁ ପ୍ରେରିତ କରିଛି । ଚିରନ୍ତନ ପରମସତ୍ୟର ସନ୍ଧାନକୁ ଆଧାର କରି ଗଢ଼ି ଉଠିଥିଲା ଭାରତୀୟ ଶିକ୍ଷା ପରଂପରା ଓ ଦର୍ଶନ । ତତ୍କାଳୀନ ଭାରତର ଋଷିମନିଷୀ ଓ ଜ୍ଞାନୀ ମହାତ୍ମା ନିଜ ନିଜ ଦର୍ଶନର ଆଧାରରେ ସୃଷ୍ଟିତତ୍ତ୍ବ ସମ୍ବନ୍ଧୀୟ ଅନେକ ଯୁଗାନ୍ତକାରୀ ତଥ୍ୟ ଉପସ୍ଥାପନ କରିଥିଲେ ଯାହା ଆଜି ମଧ୍ୟ ମାନବ ସମାଜର ବୌଦ୍ଧିକ ଚିନ୍ତାଧାରାକୁ ଆନ୍ଦୋଳିତ କରୁଅଛି । ଏହି ଲେଖାଟିରେ ଭାରତୀୟ ଦର୍ଶନର ସୃଷ୍ଟିତତ୍ତ୍ଵ ବିଷୟରେ ଆଲୋକପାତ କରାଯାଇଛି ଯାହାକି ଆଧୁନିକ ଜ୍ଞାନ-ବିଜ୍ଞାନରେ ପ୍ରତିଫଳିତ ।

ମହର୍ଷି କପିଳଙ୍କ ସାଂଖ୍ୟ ଦର୍ଶନ ଅନୁସାରେ ସମଗ୍ର ସୃଷ୍ଟିର ଦୁଇଟି ମୁଖ୍ୟ ଆଧାର-ପ୍ରକୃତି ଓ ପୁରୁଷ । ସୃଷ୍ଟି ପୂର୍ବରୁ ପ୍ରକୃତି ଅବ୍ୟକ୍ତ ଅବସ୍ଥାରେ ଅର୍ଥାତ, ସତ୍ତ୍ବ, ରଜ, ତମ ଗୁଣର ସାମ୍ୟବସ୍ଥା ରୂପେ ବିଦ୍ୟମାନ ଥିଲା । ସତ୍ତ୍ବ ହେଉଛି ପ୍ରକାଶର ଗୁଣ, ରଜ ହେଉଛି କ୍ରିୟାଶୀଳତା ବା ଗତିର ଗୁଣ ଏବଂ ତମ ହେଉଛି ନିଷ୍କ୍ରିୟତା ବା ଅଜ୍ଞାନର ଗୁଣ । ଯେତେବେଳେ ପୁରୁଷ ପ୍ରଭାବରେ ପ୍ରକୃତିର ସାମ୍ୟବସ୍ଥା ଭଗ୍ନ ହୁଏ, ସେତେବେଳେ ରଜଗୁଣ ପ୍ରଭାବରେ ସୃଷ୍ଟିକ୍ରିୟା ପ୍ରାରମ୍ଭ ହୁଏ । ଗୁଣମାନଙ୍କର ବିଷମଅବସ୍ଥା ଯୋଗୁଁ ବିବିଧତା ପୂର୍ଣ୍ଣ ବିଶ୍ୱବ୍ରହ୍ମାଣ୍ଡ ଓ ୨୪ଟି ମୁଖ୍ୟ ତତ୍ତ୍ଵର ବିବର୍ତ୍ତନ(evolution) ହୁଏ । ଏହି ପ୍ରକ୍ରିୟା ସହ ଆଧୁନିକ ବିଜ୍ଞାନର ‘Baryogenesis’ ପ୍ରକ୍ରିୟାର ସାମଞ୍ଜସ୍ୟ ରହିଛି । ସୃଷ୍ଟି ପୂର୍ବରୁ matter ଓ anti- matter ମଧ୍ୟରେ ସାମ୍ୟବସ୍ଥା ରହିଥିଲା । କିନ୍ତୁ ‘Baryogenesis’ ପ୍ରକ୍ରିୟା ଦ୍ବାରା ଏହି ସାମ୍ୟବସ୍ଥା ନଷ୍ଟ ହୁଏ ଓ ବିଷମ ଅବସ୍ଥାରୁ ସୃଷ୍ଟି ହୁଏ ଏହି ଭୌତିକ ବ୍ରହ୍ମାଣ୍ଡ (material universe) । ସାଂଖ୍ୟର ବିବର୍ତ୍ତନ ପ୍ରକ୍ରିୟାରେ ଉତ୍ପନ୍ନ ୨୪ଟି ତତ୍ତ୍ଵ ହେଉଛି- ପ୍ରକୃତି, ମହତ, ବୁଦ୍ଧି, ଅହଂ, ମନ, ପଞ୍ଚଜ୍ଞାନେନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚତନ୍ମାତ୍ରା, ପଞ୍ଚମହାଭୂତ ।

ଭାରତୀୟ ଦର୍ଶନର ଏକ ପ୍ରମୁଖ ଅଙ୍ଗ ହେଉଛି ‘ ଯୋଗ ଦର୍ଶନ’ । ଯୋଗ ଶବ୍ଦ ସଂସ୍କୃତର ‘ୟୁଜ’ ଧାତୁରୁ ସୃଷ୍ଟି ଏହାର ଅର୍ଥ ଏକତ୍ଵ ପ୍ରାପ୍ତି । ସୃଷ୍ଟିର ସମସ୍ତ ସତ୍ତା ଓ ପରମସତ୍ତା ମଧ୍ୟରେ ଏକତ୍ଵ ଓ ସଂଯୋଗ ସ୍ଥାପନ । ପିଣ୍ଡ (microcosmos) ଓ ବ୍ରହ୍ମାଣ୍ଡ (macrocosmos) ମଧ୍ୟରେ ଥିବା ଏକତ୍ଵ ଅବସ୍ଥା ହିଁ ଯୋଗ । ଏହି ଏକତ୍ଵ ସମ୍ବନ୍ଧରେ ଚିକାଗୋ ସମ୍ମିଳନୀରେ ସ୍ଵାମୀ ବିବେକାନନ୍ଦ କହିଥିଲେ- “ ବିଶ୍ଵରେ ଏକତ୍ଵ ସନ୍ଧାନ ବ୍ୟତୀତ ବିଜ୍ଞାନ ଅନ୍ୟ କିଛି ନୁହେଁ, ଯେତେବେଳେ ସେହି ଏକତ୍ଵର ସନ୍ଧାନ ମିଳିଯିବ, ବିଜ୍ଞାନର ପ୍ରଗତି ସେହିଠାରେ ଶେଷ ହେବ... ପଦାର୍ଥ ବିଜ୍ଞାନ ବନ୍ଦ ହୋଇଯିବ, ଯେତେବେଳେ ଏହା ଶକ୍ତିର ଏକମାତ୍ର ମହାଉତ୍ସର ସନ୍ଧାନ କରିପାରିବ, ବିଭିନ୍ନ ଶକ୍ତି ସମୁଦ୍ର ଗୋଟିଏ ଉତ୍ସର ପରିପ୍ରକାଶ ମାତ୍ର ।” ବର୍ତ୍ତମାନ ବିଜ୍ଞାନ ମଧ୍ୟ ସେହି ଏକୀକୃତ ତଥ୍ୟ (Grand unified theory) ବା Theory of Everything ର ସନ୍ଧାନରେ ଚେଷ୍ଟିତ । ଲଣ୍ଡନରେ ସ୍ଵାମୀ ବିବେକାନନ୍ଦ କହିଥିଲେ- “One man contains the whole universe, One particle of matter has all the energy of the universe at the back" |

ଜର୍ମାନ ପଦାର୍ଥ ବିଜ୍ଞାନୀ ନିଲସ୍ ବୋର ହୋଲଗ୍ରାମର ଉଦାହରଣ

ସାହାଯ୍ୟରେ ଦର୍ଶାଇଥିଲେ ଯେ, ସମଗ୍ର ବିଶ୍ଵର ଜ୍ଞାନ ଏହାର ପ୍ରତ୍ୟେକ କଣିକା ବା ଉପାଦାନ ମଧ୍ୟରେ ରହିଛି । ସୃଷ୍ଟି ସମ୍ବନ୍ଧୀୟ ହୋଇଗ୍ରାଫିକ ଦୃଷ୍ଟାନ୍ତ ର ବର୍ଣ୍ଣନା ଉପନିଷଦରେ ରହିଛି । ଅର୍ଥାତ- ‘ ଯତ୍ ପିଣ୍ଡେ ତତ୍ ବ୍ରହ୍ମାଣ୍ଡେ’ । ପ୍ରକୃତିର ଅତି କ୍ଷୁଦ୍ରସ୍ତର (microcosmos) କୁ ବୁଝାଇବା ପାଇଁ କ୍ଵାଣ୍ଟମ ତତ୍ତ୍ଵର ସାହାର୍ଯ୍ୟ ନିଆଯାଏ । ପ୍ରକୃତିର ବୃହତ୍ତର ସ୍ତର (macrocosmos) କୁ ବୁଝାଇବା ପାଇଁ ଆପେକ୍ଷିକ ତଥ୍ୟର ଆବଶ୍ୟକତା ପଡ଼େ । ଏହି ଦୁଇ ତଥ୍ୟ ମଧ୍ୟରେ ସଂଯୋଗ ଓ ଏକତ୍ଵ ସ୍ଥାପନ ହିଁ ‘Theory of Everything’ ର ଲକ୍ଷ୍ୟ ଓ ‘ୟତ ପିଣ୍ଡେ ତତ୍ ବ୍ରହ୍ମାଣ୍ଡେ' ବାକ୍ୟର ସାଂରାଶ । ପଦାର୍ଥ ବିଜ୍ଞାନୀ କାର୍ଲ ସାଗନଙ୍କ ଭାଷାରେ "The cosmosis within us, we are

made of star stuff I

ଯେମିତି ଏକ କ୍ଷୁଦ୍ର ବୀଜ ମଧ୍ୟରେ ଏକ ବିରାଟ ଅଶ୍ୱତଥ ଦ୍ରୁମର ସମ୍ଭାବନା ନିହିତ ଥାଏ, ଠିକ୍ ସେମିତି ପ୍ରକୃତିର ଏକ କ୍ଷୁଦ୍ର କଣିକା ମଧ୍ୟରେ ଏକ ବିଶାଳ ଶକ୍ତିର ଉତ୍ସ ରହିଥାଏ । ପ୍ରକୃତିର ଗଭୀର ଅନୁଧ୍ୟାନ - କଲେ ଜଣାପଡେ ଯେ, ଉଭୟ ବୃହତ୍ ଜଗତ (macrocosmos) ଓ କ୍ଷୁଦ୍ର ଜଗତ (microcosmos) ମଧ୍ୟରେ ସମାନ ପ୍ରକାରର ଶୃଙ୍ଖଳା ଓ ନିୟମ ପରିଲିକ୍ଷିତ ହୁଏ । ଇଲେକ୍ଟ୍ରନ ର ନ୍ୟୁକ୍ଲିୟସ ଚାରିପଟେ ଘୁର୍ଣନ ଓ ଗ୍ରହମାନଙ୍କର ସୂର୍ଯ୍ୟଙ୍କ ଚାରିପଟେ ଅଣ୍ଡାକାର କକ୍ଷରେ ଘୁର୍ଣନ, ଜୀବକୋଷର ସୃଷ୍ଟି ଓ ମହାକାଶରେ ନକ୍ଷତ୍ରର ମୃତ୍ୟୁ, ମାନବୀୟ ଚକ୍ଷୁ ଓ ହେଲିକ୍ ନେବ୍ୟୁଲା, ମହାକାଶର ଗ୍ୟାଲେକ୍ସି ଓ ପୃଥିବୀ ପୃଷ୍ଠରେ ସାଇକ୍ଲୋନ ଆଦି ମଧ୍ୟରେ ଥିବା ସଂରଚନାତ୍ମକ ଓ କ୍ରିୟାତ୍ମକ ସମାନତା ହେଉଛି ‘ ୟତ୍ ପିଣ୍ଡେ, ତତ୍ ବ୍ରହ୍ମାଣ୍ଡେ’ ନ୍ୟାୟର ସୁନ୍ଦର ଦୃଷ୍ଟାନ୍ତ ।

ଭଗବଦ ଗୀତାର ଶ୍ଲୋକ ୨.୪୮ ରୁ ୨.୫୮ ରେ ବର୍ଣ୍ଣନା କରାଯାଇଅଛି- “ଯୋଗ ହେଉଛି ମନ ତଥା ଶରୀରର ସନ୍ତୁଳିତ (Balance) ସାମ୍ୟବସ୍ଥା ଓ ସ୍ଥିରାବସ୍ଥା (Stability)” । ପ୍ରକୃତରେ ସ୍ଥିତପ୍ରଜ୍ଞ ବ୍ୟକ୍ତି ହିଁ ଯୋଗୀ ।

" ସମସ୍ତଂ ଯୋଗ ଉଚ୍ୟତେ ।”(ଭଗବତ ଗୀତା-୨.୪୮)

ଗୀତାର ଶ୍ଲୋକ ୬.୧୬ରେ ସନ୍ତୁଳିତ ଜୀବନଶୈଳୀ, ଆହାର ଓ ନିଦ୍ରା ସଂପର୍କରେ ଉଲ୍ଲେଖ କରାଯାଇଛି, ଯାହାକି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଅତି ଆବଶ୍ୟକ । ମନ, ଶରୀର ଓ ପ୍ରକୃତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ହିଁ ଯୋଗ ।

ବୃଦ୍ଧଙ୍କ ପ୍ରଦତ୍ତ ମଧ୍ୟମ ପଥ ଅନୁସରଣ କରି ମନୁଷ୍ୟ ଓ ପ୍ରକୃତି, ବସ୍ତୁବାଦ ଓ ଆଧ୍ୟାତ୍ମବାଦ, ତ୍ୟାଗ ଓ ଭୋଗ, ପରିବେଶ ସୁରକ୍ଷା ଓ ଅର୍ଥନୈତିକ ପ୍ରଗତି, ସମାଜବାଦ ଓ ପୁଞ୍ଜିବାଦ ଆଦି ଉଭୟ ଦିଗ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ହିଁ ଯୋଗ ଏବଂ ଏହା ଦ୍ଵାରା ହିଁ ଧାରଣୀୟ ବିକାଶ (Sustainable developement) ସମ୍ଭବ ହୋଇପାରିବା । ସମଗ୍ର ସୃଷ୍ଟିରେ ସନ୍ତୁଳନ ବା ସମତ୍ୱ ଅବସ୍ଥା (Equilibrium) ର ମହତ୍ତ୍ଵ ବିଦ୍ୟମାନ । ‘କର୍ମଯୋଗ’ ପୁସ୍ତକରେ ସ୍ଵାମୀ ବିବେକାନନ୍ଦ ଉଲ୍ଲେଖ କରିଛନ୍ତି- “ ସମଗ୍ର ଜଗତର ସକଳ ପଦାର୍ଥ ତାଙ୍କର ପୂର୍ଣସାମ୍ୟ (Perfect Balance) ଅବସ୍ଥାକୁ ଫେରିଯିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ବିରୋଧ ଦେଖାଦିଏ, ପରେ ପୁଣି ସଂଯୋଗ ହୁଏ- ସୃଷ୍ଟି ହୁଏ । ବୈଷମ୍ୟ ହିଁ ସୃଷ୍ଟିର ଭିତ୍ତି । ସୃଷ୍ଟି ପାଇଁ ସାମ୍ୟଭାବ ବିନାଶକାରୀ ଶକ୍ତିର ଯେତିକି ପ୍ରୟୋଜନ, ତାହା ସହିତ ସାମ୍ୟଭାବ ସ୍ଥାପନକାରୀ ଶକ୍ତିର ମଧ୍ୟ ସେତିକି ପ୍ରୟୋଜନ ।” ଏଣୁ ସମଗ୍ର ବିଶ୍ବର ପ୍ରତ୍ୟେକ ଘଟଣା ପଛରେ ଥିବା ଲକ୍ଷ୍ୟ ହେଉଛି ସନ୍ତୁଳନ (Balance) ରକ୍ଷା କରିବା ଓ ସମତ୍ଵ ଅବସ୍ଥା ପ୍ରାପ୍ତ କରିବା । ବିଶ୍ବର ଚାରିଗୋଟି ମୌଳିକ ବଳ (ମାଧ୍ୟକର୍ଷଣ, ବିଦ୍ୟୁତ- ଚୁମ୍ବକୀୟ, ସବଳ ନ୍ୟୁକ୍ଲିୟସ୍ ଓ ଦୁର୍ବଳ ନ୍ୟୁକ୍ଲିୟସ ବଳ) ର କାର୍ଯ୍ୟକାରିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବସ୍ତୁର ସର୍ବନିମ୍ନ ଶକ୍ତିସ୍ତର (minimum energy state) ଅର୍ଥାତ ସନ୍ତୁଳନ ଓ ସ୍ଥିରାବସ୍ଥା ପ୍ରାପ୍ତ କରିବା । ଉଚ୍ଚ ବିଭବ (high potential) ରୁ ନିମ୍ନବିଭବ (low potential) କୁ ବିଦ୍ୟୁତ ସ୍ରୋତ ପ୍ରଭାବିତ ହୁଏ, ବିଭବରେ ସନ୍ତୁଳନ ରକ୍ଷା କରିବା ନିମନ୍ତେ । ତାପଶକ୍ତି ଉଚ୍ଚ ତାପମାତ୍ରାରୁ ନିମ୍ନ ତାପମାତ୍ରା ଆଡ଼କୁ ପ୍ରବାହିତ ହୁଏ, ତାପମାତ୍ରାରେ ସନ୍ତୁଳନ ରକ୍ଷା କରିବା ନିମନ୍ତେ । ବାୟୁ ପ୍ରବାହିତ ହୁଏ ଉଚ୍ଚ ଚାପରୁ ନିମ୍ନ ଚାପକୁ, ଚାପ ସନ୍ତୁଳନ ନିମନ୍ତେ । ଆନ୍ତର୍ଜାତୀୟ କ୍ଷେତ୍ରରେ ଶାନ୍ତିପୂର୍ଣ ସହାବସ୍ଥାନ ନିମନ୍ତେ କ୍ଷମତା ସନ୍ତୁଳନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ରସାୟନ ବିଜ୍ଞାନର ଲେ-ଚାଟେଲିୟର (Le- chatelier) ଙ୍କ ନିୟମ ଅନୁସାରେ, ଯେତେବେଳେ ସଂପୂର୍ଣ ବ୍ୟବସ୍ଥାଟି ରେ ଗଡ଼ବଡ଼ ଦେଖାଦିଏ, ସେତେବେଳେ ସେ ପୁନର୍ବାର ସନ୍ତୁଳିତ ଶୃଙ୍ଖଳିତ ଅବସ୍ଥାକୁ ଆସିବା ପାଇଁ ଚେଷ୍ଟା କରେ ଓ ତଦନୁସାରେ ନିଜକୁ ସଜାଏ। ଆୟୁର୍ବେଦରେ କୁହାଯାଏ, ସୁସ୍ଥ ଶରୀର ହେଉଛି ବାତ, ପିତ୍ତ ଓ କଫର ସନ୍ତୁଳିତ ଅବସ୍ଥା । ତେଣୁ ଯେତେବେଳେ ବି କୌଣସି କ୍ଷେତ୍ରରେ ସନ୍ତୁଳନ ନଷ୍ଟ ହୁଏ, ସେହି କ୍ଷେତ୍ରରେ ଏକ ସ୍ରୋତ ପ୍ରବାହ ହୁଏ, ଯଥା ଶକ୍ତି ପ୍ରବାହ,ଶ୍ଵାସ ପ୍ରବାହ, ଜଳ ଓ ବାୟୁ ପ୍ରବାହ, କ୍ଷମତା ପ୍ରବାହ, ଖାଦ୍ୟ ଶୃଙ୍ଖଳର ପ୍ରବାହ, ଅର୍ଥନୈତିକ ପୁଞ୍ଜିର ପ୍ରବାହ ଇତ୍ୟାଦି । କିନ୍ତୁ ପରିଶେଷରେ ସେହି ସ୍ରୋତର ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ଅବସ୍ଥା ପ୍ରାପ୍ତ କରିବା ।

ତାପ ବିଜ୍ଞାନର ଦ୍ଵିତୀୟ ନିୟମ ସୂଚାଏ ଯେ, ସମଗ୍ର ବିଶ୍ଵର ମୋଟ ବିଶୃଙ୍ଖଳତା (entropy) ବଢ଼ି ଚାଲିଛି । କିନ୍ତୁ, ଠିକ୍ ସେହି ସମୟରେ ପଦାର୍ଥ ବିଜ୍ଞାନୀ de-broglie ଙ୍କ ନିୟମରୁ ଆମେ ଜାଣିପାରିବା ଯେ, ପ୍ରକୃତିରେ ସନ୍ତୁଳିତ ଓ ଶୃଙ୍ଖଳିତ ସୁବିନ୍ୟାସ ପରିଲକ୍ଷିତ ହୁଏ (Nature Loves Symmetry) ଅର୍ଥାତ, ବହୁତ୍ଵରେ ଏକତ୍ଵ, ବୈଷମ୍ୟରେ ସନ୍ତୁଳନ, ଶୂନ୍ୟତାରେ ଅନନ୍ତ ବ୍ୟାପ୍ତି, ବିଶୃଙ୍ଖଳାରେ ଶୃଙ୍ଖଳା, ଅବ୍ୟକ୍ତ ରେ ବ୍ୟକ୍ତ ଓ ସଙ୍ଗୀତରେ ଶାନ୍ତ ଅବସ୍ଥାର ନିଦର୍ଶନ ହିଁ ସୃଷ୍ଟିକାବ୍ୟର ବୈଚିତ୍ର୍ୟ ।

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍