The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

swayamsiddha das

Others

3  

swayamsiddha das

Others

ମୁଠାଏ ସପନ

ମୁଠାଏ ସପନ

4 mins
29


 

ମଣିଷ ଜୀବନ ଗୋଟେ ସୁଦୀର୍ଘ ପଥର ଭ୍ରମଣ ଯାତ୍ରା... ଏହି ଭ୍ରମଣରେ କିଏ ଥକି ଯାଏ ତ ଆଉ କିଏ ଅହରହ ବାଟ ଚାଲୁଥାଏ... ସତେ ଯେମିତି ଗୋଟେ ନିର୍ଦିଷ୍ଟ ଲକ୍ଷ୍ୟ ସ୍ଥଳରେ ପହଁଚି ଗୋଟେ ସୁନା କଳସଟେ ପାଇଯିବ... ରାତି ଅନିଦ୍ରା ହେଇ ସପନକୁ ବିକି ଚାଲେ... ସପନ ବଣିକ ସାଜେ... ଆଉ ଖୁସି ଓ ଆତ୍ମସନ୍ତୋଷର ଚରମ ସୀମାରେ ପହଞ୍ଚେ... କାହିଁକି ? କଣ ପାଇଁ ଏତେ ଲୋଭ? ଏତେ ମୋହ... ଏସବୁ କଣ ମାୟା ? ସତେ କଣ ସେ ପାଗଳ ? ଯଦି ପାଗଳ ହେଇଥାନ୍ତା ତାହେଲେ ସେଦିନ ରାତିରେ ରଜପଲଙ୍କ ଛାଡି, ଯଶୋଧାରାଙ୍କ ପ୍ରୀତିକୁ ଛାଡି, ପୁଅ ରାହୁଲର ଦରଦୀ ହସକୁ ଛାଡି ହୁଏତ ଗୌତମ ବଣକୁ ଯାଇ ନିରଞ୍ଜନା ନଈକୂଳରେ ବସି ତପମଗ୍ନ ହେଇ ନଥାନ୍ତେ ? ଏମିତି ମନରେ ଅସୁମାରୀ ଅସମାହିତ ପ୍ରଶ୍ନ... ହେଲେ ଉତ୍ତର ଖୋଜି ପାଉନାହାନ୍ତି ଭୂଷଣ ବାବୁ... 


 ଭୂଷଣ ଜଗଦେବ ; ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ପଦବୀରେ ଅଭିମଣ୍ଡିତ... ଆଉ ଚାକିରୀ ମାତ୍ର ଗୋଟିଏ ମାସ ରହିଲା... ଅବସର ଗ୍ରହଣ କରିବେ... ବହୁତ କାମ ବାକି ଅଛି ଯେ... ପ୍ରସିଦ୍ଧ ଇଂରାଜୀ କବି ରୋବୋର୍ଟ ଫ୍ରଷ୍ଟ ଙ୍କ ଭାଷାରେ     "miles to go before my sleep" ... ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଯାଇ ବହୁତ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ସେ... କଟକର ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରି ପୁନେ ସ୍ଥିତ ଭାରତୀୟ ଆଇନ ସଂସ୍ଥାନରୁ ଆଇନ ବି ପଢିଛନ୍ତି... ଏହାପରେ ଭାରତୀୟ ପ୍ରଶାସନିକ ସେବା (IAS)ରେ ଯୋଗ ଦିଅନ୍ତି... ମସୁରୀ (dehradun) ରେ IAS ଟ୍ରେନିଂ ନେଇ ଓଡିଶା ପ୍ରତ୍ୟାବର୍ତନ କରନ୍ତି ଆଉ କର୍ମ କ୍ଷେତ୍ରରେ ଲାଗି ପଡନ୍ତି... ମଝିରେ କିଛି ଦିନ କେନ୍ଦ୍ରୀୟ ଡେପୁଟେସନରେ ମଧ୍ୟ ଯାଇଥିଲେ ଆଉ ନିଜ କର୍ମର ପରାକାଷ୍ଠା ଦେଖାଇଥିଲେ... ଜଣେ ସଚୋଟ, ଦକ୍ଷ ପ୍ରଶାସକ ହିସାବରେ ଜଣାଶୁଣା ଭୂଷଣ ବାବୁ... ସରକାର ଯେତେବେଳେ ଯୋଉ କାର୍ଯ୍ୟ ଭାର ଦେଇଛନ୍ତି ସେଥିରେ ବିଜୟ କେତନ ଉଡାଇ ଛନ୍ତି ସେ... ଏତେ କାମ କରନ୍ତି ସେକ୍ରେଟେରିଏଟରେ ଯେ ସରେନାହିଁ... ଘରକୁ ଫେରି ଚା କପଟେ ପିଇ ଦେଇ ପାନ ଖଣ୍ଡେ ପାଟିରେ ପୁରାଇ କମ୍ପୁଟର ଖୋଲି ବସି ପଡନ୍ତି... ସତେ ଯେମିତି ଘରକୁ ବି ଅଫିସ ବନେଇ ଦିଅନ୍ତି ସେ... ନିଜକୁ ଭୁଲି ଯାଆନ୍ତି ହେଲେ ଦାୟିତ୍ୱକୁ ନୁହେଁ...କେବେ କର୍ତ୍ତବ୍ୟ ରେ ଅବହେଳା କରିନାହାନ୍ତି... ଏମିତି ସରଳୀଆ ଲୋକ କେବେ କେହି ଶତ୍ରୁ ବି ସୃଷ୍ଟି କରି ନାହାନ୍ତି... ନିଜର କରିନିଅନ୍ତି ସମସ୍ତଙ୍କୁ... 


ହେଲେ ସହଧର୍ମିଣୀ ଚିତ୍ରାଙ୍କୁ ଏସବୁ ଭଲ ଲାଗେନି... ଭୂଷଣ ବାବୁ କେବେ ବି ତାଙ୍କୁ ବୁଝିବାକୁ ଚାହାଁନ୍ତିନି ବୋଧେ... ଛୁଟି ଦିନରେ କୁଆଡେ ବୁଲିବାକୁ ଯିବା; ଷ୍ଟାର ହୋଟେଲରେ ଲଞ୍ଚ କି ଡିନର କରିବା ; ଶୋପିଙ୍ଗ ମଲ ଯିବା ଗୋଟେ ସ୍ବପ୍ନ ଚିତ୍ରାଙ୍କ ପାଇଁ... ସେ ଏମିତି କାମରେ ମସଗୁଲ ଯେ ବେଳେ ବେଳେ ଚିତ୍ରାଙ୍କ ଜନ୍ମଦିନ କି ବିବାହ ବାର୍ଷିକୀ ଭୁଲି ଯାଆନ୍ତି... ୟୁନିଟ 6 ସ୍ଥିତ ସରକାରୀ ବାସଭବନରୁ ପ୍ରାତଃ ଭ୍ରମଣରେ ବାହାରି ପଡନ୍ତି ଉଭୟେ ଜଗଦେବ ଦମ୍ପତି... ଶିଶୁଭବନ ଛକ ଦେଇ ପ୍ରବେଶ କରନ୍ତି ଫରେଷ୍ଟ ପାର୍କ କୁ... ସେତେବେଳେକୁ ଆଉ କିଛି ସରକାରୀ ବାବୁ ଓ ମନ୍ତ୍ରୀ ମହୋଦୟ ବି ଆସିଯାଇଥାନ୍ତି ପାର୍କକୁ ଭ୍ରମଣ ପାଇଁ... ସମସ୍ତେ ମିଶି ଗଲେ ଓ ଆରମ୍ଭ ହେଇଯାଏ ଶାସନ କଥା, ଫାଇଲ କଥା ଆଉ କେତେ କଣ... ଭୂଷଣ ବାବୁ ସତେ ଯେମିତି ଦୁନିଆ ଟାକୁ ଭୁଲି ଆଲୋଚନାରେ ଅଂଶ ଗ୍ରହଣ କରନ୍ତି... 


ଭୁଲି ଯାଆନ୍ତି ସାଙ୍ଗରେ ବୋଧେ ଚିତ୍ରା ଆସିଥିଲେ... ରାଗ ତମତମ ହେଇ ପାର୍କ ର ପଛ ପଟ ଗେଟ ଦେଇ ବାହାରି ଆସନ୍ତି ଚିତ୍ରା... ଆଉ ଚେଷ୍ଟା କରନ୍ତି ବିକ୍ଷିପ୍ତ ମନଟାକୁ ଫୁଲ ମାନଙ୍କ ଗହଣରେ ଵିକେନ୍ଦ୍ରୀକରଣ କରିବାକୁ... ଗେଟ ପାଖେ ବସିଥିବା ପରିବା ବିକାଳୀଙ୍କ ଠାରୁ ଶାଗ, ସଜନା ଛୁଇଁ, କାକୁଡି, ଟମାଟର ଏସବୁ କିଣନ୍ତି ତଟକା... ଆଉ କିଛି ସମୟରେ ଭୁଲି ଯାଆନ୍ତି ଯେ ସେ କଣ ପାଇଁ ରାଗିଥିଲେ ବୋଲି... 


ବାହାଘରର ସତେଇଶ ବର୍ଷ ପୁରିଲାଣି... ସ୍ୱାମୀଙ୍କୁ ଭଲ ଭାବେ ଚିହ୍ନନ୍ତି ସେ... ପ୍ରଥମ ଦେଖାରେ ହିଁ କହିଦେଇଥିଲେ ଯେ ତାଙ୍କ ସହିତ କେବଳ ଗୋଟେ ସରଳ ଜୀବନ ବଂଚିବାକୁ ହେବ... କୌଣସି କଥାରେ ଭୂଷଣ ବାବୁଙ୍କୁ ତାଗିଦ କରି ନାହାନ୍ତି ସେ ବରଂ ଯଥା ସମ୍ଭବ ଅନିଚ୍ଛା ସତ୍ୱେ ସମ୍ମାନ ଦେଇଛନ୍ତି... କାମ ଭଲ ତ ସେ ଭଲ... ଏମିତି ମଣିଷ ଯେ ଦିନେ ଦିନେ ଶୋଇବା ବେଳେ ଚିତ୍ରାଙ୍କୁ ସରକାରୀ ଯୋଜନା ବିଷୟରେ ବୁଝାନ୍ତି... କଣ କଲେ ଶାସନ ବ୍ୟବସ୍ଥା ଆଉ ଟିକେ ଆଧୁନିକତାର ସ୍ୱାଦ ଚାଖିବ ଏସବୁ ବୁଝlନ୍ତି... ବିଚରା ଚିତ୍ରାଙ୍କୁ ଏସବୁରୁ କଣ ମିଳିବ ଯେ... ସେ ବିରକ୍ତ ହେଇ ମୁହଁ ବୁଲେଇ ଶୋଇ ପଡନ୍ତି... ପ୍ରତେକ ସ୍ତ୍ରୀ ସୁନା ଗହଣାର ଆଭୁଷଣ ପିନ୍ଧି, ଭଲ ଶାଢ଼ୀ ପରିଧାନ କରି, ଗଭାରେ ମଲ୍ଲୀ ଫୁଲର ଗଜରା ବାନ୍ଧି ନିଜକୁ ଶୃଙ୍ଗାର କରେ ନିଜ ସ୍ୱାମୀ ପାଇଁ... ହେଲେ ଏଠି ସେସବୁର ଆବଶ୍ୟକ ପଡ଼େନି... କାହା ପାଇଁ ସଜେଇ ହେବେ ଚିତ୍ରା... ଭାବନ୍ତି କି ସେ ଗୋଟେ ମରୁଭୂମିର ବାଲୁକା ଚାଦର ଉପରେ ଠିଆ ହେଇ ଶୋଷ ମେଣ୍ଟେଇ ବାକୁ ଜଳଧାରା ଖୋଜୁଛନ୍ତି ; ହେଲେ ପାଉନାହାନ୍ତି... 


ହେଲେ ସ୍ୱାମୀଙ୍କ ପାଖରେ ନିଜ ଅଭିମାନୀ ମନର ଅକୁହା ବେଦନାକୁ ପ୍ରକାଶ କରି ନାହାନ୍ତି... ଯୁଗେ ଯୁଗେ ନାରୀର ମନ କଥା ପୁରୁଷ ସମାଜ ବୁଝିବାକୁ ଚେଷ୍ଟା ହିଁ କରନ୍ତିନି... ଯଦି ବୁଝି ଥାନ୍ତେ ତାହେଲେ ସେଦିନ ଇନ୍ଦ୍ରଙ୍କ ଭୁଲ ପାଇଁ ସତୀ ଅହଲ୍ୟାକୁ ପଥର ହେବାର ଅଭିଶାପ ଦେଇ ନଥାନ୍ତେ ମହର୍ଷି ଗୌତମ... ଛାଡ଼ ଏସବୁ ଭାବି ଲାଭ ବା କଣ ? ସେ ତ ସେମିତିକା... ସଚୋଟ, ନିରାଡ଼ମ୍ବର, ସରଳ, ବିଶ୍ୱାସୀ, ଦୟାଵାନ, କ୍ଷମଶୀଳ, ସତ୍ୟବାଦୀ ସନ୍ୟାସୀ... ତାଙ୍କ ଦୁନିଆରେ ସେ ତପସ୍ୟା ମଗ୍ନ... ଦିନ, ମାସ, ବର୍ଷ କେମିତି କଟିଯାଏ ଜାଣୀହୁଏନି... କେବଳ ମାସର ପ୍ରଥମ ଦିନରେ ଭୂଷଣ ବାବୁ ନିଜର ସମ୍ପୂର୍ଣ ଦରମା ଟଙ୍କାକୁ ଚିତ୍ରାଙ୍କୁ ଧରେଇ ଦିଅନ୍ତି ଓ କୁହନ୍ତି କି ଖର୍ଚ୍ଚ ପାଇଁ ମତେ ଦବ ... ଗଣି ପକାନ୍ତି ଚିତ୍ରା... ଯେତିକି ଟ୍ରେଜେରି ପେ ସ୍ଲିପରେ ଲେଖା ଥିବ ଠିକ ସେତିକି... କହିବାକୁ ହେବ ଯେ ଭୂଷଣ ବାବୁ ନିଜ ଚାକିରୀ କାଳ ଭିତରେ କାହାଠୁ ପାନ ଖଣ୍ଡେ ବି ଖାଇନାହାନ୍ତି... 


ଚିତ୍ରାଙ୍କୁ ଆଜିଯାଏ ତୁ ବୋଲି କହିନାହାନ୍ତି ସେ... ତରକାରୀରେ ଲୁଣ କମ କି ବେଶୀ ତାହା ବି କହନ୍ତିନି... ଏତେ ବଡ ଅଫିସର... ଏତେ ଲୋକ ଭଲ ପାଉଛନ୍ତି... ହେଲେ ମନରେ ଗର୍ବ କରନ୍ତିନି... ଖାସ ଏଇ ଗୁଣକୁ ଚିତ୍ରା ଖୁବ ଭଲ ପାଆନ୍ତି... ଗର୍ବ ବି କରନ୍ତି ନିଜ ଜୀବନ ସାଥି ପାଇଁ... ଏମିତି ଏତେ ବର୍ଷ କଟି ଗଲାଣି... ୟାରୀ ଭିତରେ ପୁଅ ଅଭି ଗୋଟେ ବହୁଦେଶୀୟ କମ୍ପାନୀରେ ବଡ ଚାକିରୀଟେ କରିଛି ଆଉ ଝିଅ ଶ୍ରୀ ଗତବର୍ଷ ବିଭା ହେଇଛି... ଆଉ ଖାଲି ପୁଅଟାକୁ ହାତକୁ ଦି ହାତ କରିଦେଲେ ଚିତ୍ରାଙ୍କ ମୁଣ୍ଡ ରୁ ବୋଝ ଓଲ୍ହେଇ ଯିବ... 


ଚାଁହୁ ଚାଁହୁ ଆସି ଉପସ୍ଥିତ ହେଲା ଭୂଷଣ ବାବୁଙ୍କ ଚାକିରୀରୁ ଅବସର ନେବାର ଦିନ... ରାଜ୍ୟ ଅତିଥି ଭବନରେ ବିଦାୟ କାଳୀନ ସଭାର ଆୟୋଜନ କରାଯାଇଥାଏ... ଜଗଦେବ ପରିବାରକୁ ସ୍ୱତନ୍ତ୍ର ନିମନ୍ତ୍ରଣ ମିଳିଥିଲା... ସଭାରେ ସମସ୍ତେ ଭୂଷଣ ବାବୁଙ୍କ ପ୍ରଶଂସାରେ ଶତମୁଖର ହେଇଗଲେ... କରିବେନି ବା କାହିଁକି ? ଗୋଟେ ସୁବର୍ଣ୍ଣ ଯୁଗର ଅନ୍ତ ହେଇଯିବ... ଭୂଷଣ ବାବୁ ମଞ୍ଚରେ ସମସ୍ତଙ୍କୁ ଅଭିବାଦନ କଲେ ଓ କୃତଜ୍ଞତା ଜଣାଇଲେ... ଦି ପଦ ଭାଷଣ ବି ଦେଲେ... 


" ବନ୍ଧୁଗଣ ସମସ୍ତଙ୍କୁ ମୋର ନମସ୍କାର ଓ ସାଧୁବାଦ... ଆଜି ମୁଁ ସରକାରୀ ଚାକିରୀରୁ ଅବସର ନେଉଛି... ଏବଂ ଗର୍ବର ସହ କହିବି ମୋ ସଫଳତା ପଛରେ ମୋ ସ୍ତ୍ରୀ ଚିତ୍ରାର ହିଁ ଅଦୃଶ୍ୟ ହାତ ଅଛି... ସେ କେବେ ମୋ ପାଖରେ କୌଣସି ସମସ୍ୟା ଉପସ୍ଥାପନ କରେନି ; ସେଥିପାଇଁ ତ ମୁଁ ଲୋକମାନଙ୍କ ସମସ୍ୟା ବୁଝିବାକୁ ସମର୍ଥ ହେଇଛି... ସେ ହୁଏତ ଜାଣିନି କି ପ୍ରତେକ ଦିନ ସକାଳୁ ଉଠି ମୁଁ ପ୍ରଥମେ ତାର ମୁହଁ ଦେଖେ ଆଉ ତା ପରେ ଈଶ୍ୱରଙ୍କୁ... କାହିଁକିନା ଯଦି କେବେ ସେ ମତେ ଦୁର୍ବଳ କରିଦେଇଥାନ୍ତା ତାହେଲେ ମୁଁ ଆଗକୁ ବଢ଼ି ପାରି ନଥାନ୍ତି... ଆଶା କରିବି ସବୁ ଜନମରେ ଏଇ ଜୀବନରେ ସେ ମୋ ସାଥି ହେଇ ଆସୁଥାଉ ଓ ମୋ ହାତ ଧରି ଚାଲୁ ଥାଉ... "


ଘରକୁ ଫେରି ଚିତ୍ରା ଟିକେ ଫୁଲେଇ ହେଇ ପଚାରିଲେ ସଭାରେ ମୋ ଉଦେଶ୍ୟରେ ଯାହା କହିଲ ସତରେ କହିଲ, ତମେ ମତେ ଏତେ ଭଲ ପାଅ, ହେଲେ ମୁଁ କେବେ ବୁଝିପାରିଲିନି... ମତେ କ୍ଷମା କରିଦେବ... 


ଭୂଷଣ ବାବୁ ତାଙ୍କ ହାତ ଦୁଇଟିକୁ ଧରି ନେଇ କହିଲେ କି ଏଥର ତ ମତେ ତମ ଆଖିରେ ପ୍ରତି ଦିନ ମୁଠିଏ ସପନ ବିଞ୍ଚି ବାକୁ ପଡିବ... ରେଡି ରହିବ, କାଲି ସକାଳୁ ଆମେ long driveରେ ଯିବା... ଚିତ୍ରା କିଛି ବୁଝି ନପାରି ଭାବୁଥିଲେ କାଲି ସକାଳେ ଗାଡି ନେଇ ସେକ୍ରେଟାରୀଏଟ ପଳେଇ ବେନି ତ.... 



Rate this content
Log in

More oriya story from swayamsiddha das