Bhaswati Bijay

Others

3  

Bhaswati Bijay

Others

ମାଆ ରିକ୍ସା

ମାଆ ରିକ୍ସା

4 mins
233


ମୁଁ ଅଢ଼େଇ ବର୍ଷ ବୟସରୁ ହାଟ ସଉଦା କରିଛି। ମୁଁ ଟିକେ ଡେରିରେ କଥା କହି ଶିଖିଥିଲି। ଶିଖିଗଲା ପରେ ଅବଶ୍ୟ ଆଜିଯାଏଁ ପାଟି ବନ୍ଦ ହେଇନି। ସେ ଯାହା ହଉ, ମାଆ ଗୋଟେ ଲିଷ୍ଟ ବନେଇ ଦଉଥିଲେ। ସେଇ ଲିଷ୍ଟ, ବ୍ୟାଗ ଆଉ ଟଙ୍କା ଧରି ମୁଁ ଦୋକାନକୁ ଯାଇ ଦୋକାନୀଙ୍କ ହାତକୁ ସବୁତକ ସମର୍ପି ଦଉଥିଲି। ସେ ସଉଦା ଦେଇ ଟଙ୍କା ହିସାବ କରି ଫେରଉଥିଲେ। ଦୋକାନର ନାଁ ଥିଲା ସାବିତ୍ରୀ ଷ୍ଟୋର। ଘରୁ  ଦୋକାନର ଦୂରତ୍ୱ ଅଧ କିଲୋମିଟର କି ଟିକେ ବେଶୀ। ମତେ ସେଠିକି ନବା ଆଣିବା କରୁଥିଲେ "ମାଆ" ରିକ୍ସା। ରିକ୍ସା ପଛରେ ମାଆ ଲେଖା ହେଇଥିଲା ତେଣୁ ଆମେ ଡାକୁଥିଲୁ "ମାଆ" ରିକ୍ସା। ଆମ ଗଳି ମୁଣ୍ଡରେ ରିକ୍ସା ଷ୍ଟାଣ୍ଡରେ ଯେଉଁ ପାଞ୍ଚ ଛ ଟି ରିକ୍ସା ଠିଆ ହେଇ ରହୁଥିଲା ସେଇଠୁ ହିଁ ମା' ଯୋଗାଡ଼ କରିଥିଲେ ଏଇ ମାଆ ରିକ୍ସା। ତାଙ୍କ ସହିତ ଦୋକାନ ଯିବାର ସମୟ ବେଶ ଲମ୍ବା। ପ୍ରାୟ ତିନ ଚାରି ବର୍ଷ। ମୋ ଦୋକାନ ଯିବା ବନ୍ଦ ହେଲା ଗୋଟେ ମଜେଦାର ଘଟଣାରେ। ଥରେ ଖୁବ ଦୁଷ୍ଟାମୀ କଲାରୁ ମା କହିଲେ -"ତମେ ପାଠଶାଠ ନ ପଢ଼ି ଖାଲି ଦୁଷ୍ଟାମୀ କରୁଛ, ଦେଖିଲ ତମ ବୟସର ପିଲାମାନେ ସବୁ ପଚିଶ କିଆ ପଣିକିଆ ଘୋଷି ସାରିଲେଣି।"

-"ମୁଁ ତ ପଚିଶ କିଆ ପଣିକିଆ ଜାଣିଛି।"

ମା ଆଶ୍ଚର୍ଯ୍ୟ! -"ଦେଖେ, କହିଲୁ?"

-" ପଚିଶ କେ ପଚିଶ, ପଚିଶ ଦୁଣେ ପଚାଶ, ପଚିଶ ତିରି ପଞ୍ଚସ୍ତରୀ, ପଚିଶ ଚୌ ଟଙ୍କାଟିଏ।"

ମାଆଙ୍କ ମୁହଁର ରେଖା ବଦଳି ଗଲା। ତାଙ୍କ ଆଖି ଛଳ ଛଳ ହେଇଗଲା। ସେଇ ଦିନଠୁ ମୋ ହାତରୁ ସୌଦା ବ୍ୟାଗ ଓହ୍ଲେଇ ଗଲା। ଘରୁ କେବେବି ପାଦ କାଢ଼ି ନଥିବା ମା ମୋ ହାତ ଧରି ଦୋକାନରେ ଠିଆ ହେଲେ।

"ମାଆ" ରିକ୍ସା ସାଙ୍ଗରେ କିନ୍ତୁ ମୋ ସମ୍ପର୍କ ଜାରି ରହିଲା। ସେ ମତେ ବାବୁଜୀଙ୍କ ପାଖକୁ ନେଇ ଯାଉଥିଲେ। ମାଆଙ୍କର ମୋର କେବେ ସିନେମା କିମ୍ବା ମାର୍କେଟ ବିଲ୍ଡିଂଗ ଗଲେ ସେଇ ରିକ୍ସାରେ ଯାଉଥିଲୁ। ମୁଁ ପ୍ରତିଦିନ ଦଶ ପଇସାର ମିକ୍ସଚର କିଣୁଥିଲି। ଦୋକାନୀ ଗୋଟେ କାଗଜର କୋନ ତିଆରି କରି ସେଥିରେ ଛୋଟ ଜର୍ଦ୍ଦା ଡବାରେ ଦି ଡବା ରାଗ ମିକ୍ସଚର ଢାଳି ଦଉଥିଲେ ଆଉ ମୁଁ ନିଜେ ଖାଇବା ଆଗରୁ ଦୌଡ଼ି ଯାଉଥିଲି ରିକ୍ସା ଷ୍ଟାଣ୍ଡ କୁ। "ମାଆ" ରିକ୍ସା ହାତରେ ସେଥିରୁ ଗୋଟେ ଭାଗ ନଦେଇ ସେଥିରୁ ଦାନାଟିଏ ବି ପାଟିରେ ପକଉନଥିଲି। ସେଇ ଷ୍ଟାଣ୍ଡରେ ଆଉ ଜଣେ ରିକ୍ସାବାଲା ଥିଲେ। ମୁଁ ପହଞ୍ଚିଲା ମାତ୍ରେ ସେ ବଡ଼ ପାଟିରେ ଡାକ ପକଉଥିଲେ -" ଏ ରାମୁଲୁ, ତୋ ଝିଅ ଆସିଗଲା।"

"ମାଆ" ରିକ୍ସା ହସି ହସି ଆସି ହାତ ପତେଇ ଦଉଥିଲେ ମିକ୍ସଚର ପାଇଁ। 

ସେତିକି ଆମର ସମ୍ପର୍କ ଥିଲା। ମୁଁ କେବେ ତାଙ୍କ ସହିତ ପଦିଏ ଅଧିକ କଥା ହେଇନି। କିନ୍ତୁ ସେଇ ମିକ୍ସଚର ଦାନା ଆମର ଭଲପାଇବାର ଚିହ୍ନ ଥିଲା। ମୁଁ ତାଙ୍କ ଛଡ଼ା ଆଉ କାହାକୁ ମିକ୍ସଚର ଦଉନଥିଲି। ମତେ ଚିଡ଼େଇବା ପାଇଁ ଆର ରିକ୍ସାବାଲା ଜଣକ ବେଳେ ବେଳେ କୁହନ୍ତି -"ମତେ ଦଉନୁ।"

ମୁଁ ମୁଣ୍ଡ ହଲେଇ ମନା କରେ। ସେ କୁହନ୍ତି -" ଛଡ଼େଇକି ନେଇ ଯିବି ଯେ। ରାମୁଲୁକୁ ଦଉଛୁ, ମତେ ଦବୁନୁ?"

ସେ ଦି ପାଦ ଆଗେଇ ଆସନ୍ତି ଆଉ ମୁଁ ଦୌଡ଼ି ଯାଇ "ମାଆ" ରିକ୍ସା ପଛରେ ଲୁଚୁଥିଲି। "ମାଆ" ରିକ୍ସା ହସି ଦଉଥିଲେ ଆଉ ଇର୍ଷାରେ ଦପ କରି ଜଳି ଉଠୁଥିଲା ଆର ଜଣଙ୍କର ଆଖି।

ଥରେ ମୁଁ ଗଲା ବେଳେ "ମାଆ" ରିକ୍ସା ନଥାନ୍ତି। ମୁଁ ପଚାରିଲି। ଅନ୍ୟମାନେ କହିଲେ ଯେ ସେ ଆସିନାହାଁନ୍ତି, ହୁଏତ ଆଉ କିଛି ସମୟ ପରେ ଆସିବେ।

ମୁଁ ଘଣ୍ଟାଏ ଅଧ ଘଣ୍ଟା ଛାଡ଼ି ବାରମ୍ବାର ଯାଉଥାଏ। ଆର ରିକ୍ସାବାଲା ଜଣକ ଲକ୍ଷ୍ୟ କରୁଥାଆନ୍ତି। ହଠାତ କହିଲେ -"ରାମୁଲୁ କୁ ଖୋଜୁଛୁ? ସେ କଣ ଆଜି ଆସିବ? କୋଉଠି ମଦ ପିଇକି ଗଡୁଥିବ।"

ମତେ ଖୁବ ରାଗ ଲାଗିଲା। ମୁଁ କହିଲି -'"ମାଆ" ରିକ୍ସା  ମଦ ପିଏନି।"

-"ପିଏନି ନା, ଖୁବ ପିଏ। ମାଇକିନାକୁ ବାଡ଼ାଏ। ବାଡ଼େଇକି ତା ପୁଅର ମୁଣ୍ଡ ଫଟେଇ ଦେଇଥିଲା ଥରେ। ତୁ ତାକୁ ଭଲ ଭାବୁଛୁ କି? ପକ୍କା ବଦମାସ ଟା। ଆଜି ବି ପିଇକି ଝଗଡ଼ା କରୁଥିଲା। ଦେଖିବୁ ରହ, ଜମ୍ମା ଆସିବନି।"

ମୁଁ ବିଶ୍ବାସ କଲିନି। ସେଦିନଟା ମୋର ବିତିଲା ଖାଲି ଘଣ୍ଟାକୁ ଘଣ୍ଟା ରିକ୍ସା ଷ୍ଟାଣ୍ଡ ଦୌଡ଼ି। ହେଲେ "ମାଆ" ରିକ୍ସା ସତକୁ ସତ ଆସିଲେନି। ମତେ ଭାରି କାନ୍ଦ ଲାଗିଲା। ସତେ ଯେମିତି "ମାଆ" ରିକ୍ସା ମତେ ଧୋକା ଦେଇଛନ୍ତି। ସେଦିନ ମିକ୍ସଚର ତକ ମତେ ବିଷ ଭଳି ଲାଗିଲା। ସେଥିରେ ଲାଗିଥିବା ପିମ୍ପୁଡ଼ିଙ୍କ ଧାଡ଼ି ଧୀରେ ଧୀରେ ସବୁ ମିକ୍ସଚର ବୋହି ନେଲେ।

ତା ପର ଦିନ ମୁଁ ମିକ୍ସଚର କିଣିଲିନି। ଖାଲି ହାତରେ ରିକ୍ସା ଷ୍ଟାଣ୍ଡ ଗଲି। ମତେ ଦେଖି "ମାଆ" ରିକ୍ସା ଆଗେଇ ଆସିଲେ। ମୋ ଆଗରେ ହାତ ପତେଇଲେ। ହେଲେ ମୋ ହାତ ଖାଲି ଦେଖି ଆଶ୍ଚର୍ଯ୍ୟ ହେଲେ। -"କଣ ହେଇଛି କି? ଆଜି ମିକ୍ସଚର ଆଣିନୁ?"

ମୁଁ ତାଙ୍କୁ ଚାହିଁଲି। କୋଉଠି କଣ କିଛି ବଦଳି ଯାଇଛି? 

-"କି ରେ କଣ ହେଲା?"

ଆର ରିକ୍ସାବାଲା ଜଣକ ଖେଏଁ ଖେଏଁ ହେଇ ହସି ଉଠିଲେ। -" ରାମୁଲୁ, ତୁ ମଦ ପିଇ ଘରେ ବାଡ଼ିଆ ପିଟା କରୁ ବୋଲି ଝିଅକୁ କହି ନଥିଲୁ କି?"

"ମାଆ" ରିକ୍ସା ମୋ ଆଡ଼କୁ ଚମକି ଚାହିଁଲେ। ତା ପରେ ଆଖି ତଳକୁ କରି ରିକ୍ସାକୁ ଫେରିଗଲେ। ମୁଁ ଘରକୁ ଚାଲି ଆସିଲି।

ତା ପର ଦିନ ଠାରୁ "ମାଆ" ରିକ୍ସା ଆଉ ସେ ଷ୍ଟାଣ୍ଡକୁ ଆସିଲେନି। 

ଯେତେଦିନ ଯାକେ ଭୁବନେଶ୍ୱର ରେ ରିକ୍ସା ଚାଲୁଥିଲା, ମୁଁ ରିକ୍ସାରେ ବସୁଥିଲି, ମୋ ଆଖି "ମାଆ" ରିକ୍ସାକୁ ଖୋଜୁଥିଲା। ହେଲେ "ମାଆ" ରିକ୍ସାମାନେ ସରଳ ଆଖିକୁ ହିଁ ଦେଖା ଦିଅନ୍ତି। ସନ୍ଦେହ-କୁଟିଳ ଆଖି ନେଇ ତାଙ୍କୁ ଖୋଜିବା କଣ ସମ୍ଭବ?



Rate this content
Log in

More oriya story from Bhaswati Bijay