ବର୍ଷା ଓ ମାଟିର ପୁଅ
ବର୍ଷା ଓ ମାଟିର ପୁଅ




ଚାଷବାସରେ ବିଶେଷ କିଛି ଲାଭ ନହେବାରୁ ଗାଁ ଘର ଛାଡ଼ି ଆଜିକି ପ୍ରାୟ ସାଢ଼େ ପାଞ୍ଚ ବର୍ଷ ପୂର୍ବେ ବିଦେଶ ଚାଲିଯାଇଥିଲା ଅଖିଆ। ଏଥି ମଧ୍ୟରେ ସେ ଥରୁଟିଏ ବି ଗାଁକୁ ଆସିନି। କିଛି ପଇସା ସଂଗ୍ରହ କରି ଏକାଥରେ ଆସି ଘର ଖଣ୍ଡେ କରିବ ଭାବିଥିଲା ; କିନ୍ତୁ କୋରୋନା ଭୟରେ ବାଧ୍ୟ ହୋଇ ଘରକୁ ଫେରିବାକୁ ହେଲା।
ମାଟିର ପୁଅ ସେ। ମାଟିରେ ବଢ଼ିଛି। ଗଲା କେତେ ବର୍ଷରେ ନା ସେ ବର୍ଷା ହେବାର ଦେଖିଛି ନା ବର୍ଷାରେ ଭିଜିବାର ଆନନ୍ଦ ପାଇଛି। ଆଖି ପାଉଥିବା ଯାଏଁ ଅବସ୍ଥିତ ବିରାଟ ଅଟ୍ଟାଳିକାମାନ। ତହିଁରେ ଟିକେ ଫାଙ୍କା ଜାଗା ଦେଖିଲେ ବଡ଼ ସରାଗରେ ଚାହେଁ କାଳେ ମାଟି ମୁଠେ ଦେଖିବାକୁ ମିଳିବ।
ଆଜି ଆସି ଘରେ ପହଞ୍ଚିଲା। ସନ୍ଧ୍ୟାରେ ଅନେକ ବାଦଲ ଖଣ୍ଡ ତା' ଗାଁ ଆକାଶରେ ବିରାଜମାନ ହେଲେ। ଚାହୁଁଚାହୁଁ ଉକ୍ତ ବାଦଲଖଣ୍ଡମାନଙ୍କରୁ ଝରିପଡ଼ିଲା ବର୍ଷାର ଧାର। ଚାତକ ପ୍ରାୟ ମୁହଁକୁ ଆଁ କରି ବୁନ୍ଦାବୁନ୍ଦା ବର୍ଷାପାଣିକୁ ପିଇବାରେ ଲାଗିଲା ; କେକୀ (ମୟୁର) ପ୍ରାୟ ନୃତ୍ୟରେ ନିମଗ୍ନ ହେଇଗଲା। ଖାଲି ଯେ ବର୍ଷାରେ ଭିଜି ଭିଜି ଖୁସି ହେଉ ନଥିଲା ବରଂ ଭିଜମାଟିର ବାସ୍ନାରେ ବିଭୋର ହୋଇ ଉଠିଥିଲା ତା'ର ମନ-ପ୍ରାଣ।