STORYMIRROR

Anjana Dash

Others

3  

Anjana Dash

Others

ବୋଉ ର ଚୁଡି

ବୋଉ ର ଚୁଡି

2 mins
209

ସବୁଦିନ ମୁଁ ଶୋଇଲା ବେଳେ ମତେ ଛାତି ରେ ଜାକି ଧରେ ଗୋଟେ ଝାଳୁଆ ଦେହ। ମୋ କୁନି ଗାଲ କୁ ଧୀରେ ଧୀରେ ଥାପୁଡାଏ ଗୋଟେ ରୁଣୁଝୁଣୁ ଶବ୍ଦ କରୁଥିବା ହାତ। ସେ ଦେହ ଟା ବୋଉ ବୋଉ ବାସେ। ତାକୁ ଜାବୁଡି ଧରି ମୁ ଯେତେବେଳେ ଆଖି ବନ୍ଦ କରେ, ବନ୍ଦ ଆଖି ଭିତରେ ମୁଁ ଦେଖେ ନାଲି ନାଲି ଚୁଡି, ମୋ ବୋଉ ର ଚୁଡି। ତା ଚୁଡି ରେ ମୋର ଭାରି ଲୋଭ । ମଉକା ଦେଖି ମୁଁ ହାତ ରେ ଗଳେଇ ପକାଏ ତାକୁ। ହେଲେ ସେଗୁଡା ଆରାମ ରେ ମୋ କାନ୍ଧ ପର୍ଯ୍ୟନ୍ତ ଚାଲି ଆସନ୍ତି। ମୋ ଚୁଡି ପିନ୍ଧା ଦେଖି ହସି ହସି ବେଦମ ହେଇଯାଏ ବୋଉ। ପାଖକୁ ଆସି ମୋ ମୁଣ୍ଡ ସାଉଁଳେଇ ଦେଇ କୁହେ," ମା ରେ! ତୋର କଣ ଚୁଡି ପିନ୍ଧା ବୟସ ହେଲାଣି? ତୁ ପା ଛୋଟ ପିଲା ଟା।" ମୁ ନିଜ କୁ ଦେଖେ, ସତରେ ତ! ମୁଁ ଛୋଟ ପିଲା ଟେ । କାରଣ ମୁଁ ଗୋଡ଼ ଟେକି ଠିଆ ହେଲେ ବି ବୋଉ ର ଅଣ୍ଟା ରେ ମୋ ମୁଣ୍ଡ ବାଜୁଥିଲା। ତାଳ ଗଛ କୁ ଚାହିଁଲା ପରି ମୁଁ ବୋଉ କୁ ଚାହୁଁଥିଲି ଆଉ ଚୁଡି ଓହ୍ଲେଇ ତା ହାତ କୁ ବଢ଼େଇ ଦେଉଥିଲି। ହେଲେ ସେ ଚୁଡି ପିନ୍ଧିବାର ଲୋଭ ଛାଡି ପାରୁନଥିଲି। ଆଜି ବୋଉ ମୋ ହାତ କୁ ବଢ଼େଇ ଦେଲା ସେଇ ନାଲି ନାଲି ଚୁଡ଼ି, ମୋ ସ୍ବପ୍ନ ର ଚୁଡି। ମୁଁ ବୋଉ ମୁହଁ କୁ ଚାହିଁଲି, ମୋ ଚିର ପରିଚିତ ମୁହଁ ଟା କେମିତି ନୂଆ ନୂଆ ଲାଗୁଥିଲା ମତେ। ମୋ ଚାହିଁବା ଦେଖି ସେ କହିଲା, " ନେ ମା! ଆଜି ଠୁ ଏ ଚୁଡି ତୋର। ତୋର ଚୁଡି ପିନ୍ଧିବା ବୟସ ହେଇଗଲା। ମୁ ଚଟାପଟ ସେ ସବୁ କୁ ପିନ୍ଧିପକେଇଲି। ଆରେ ଏ କଣ ଚୁଡି ଗୁଡା ତ ଆଉ କାନ୍ଧ ଯାଏ ଗଳି ଯାଉନଥିଲେ! ବୋଉ କୁ ଚାହିଁଲି, ୟା ଭିତରେ ବୋଉ ଛୋଟ ହେଇଯାଇଛି ମୋ ଠୁ , ତା ମୁଣ୍ଡ ମୋ କାନ୍ଧ ରେ ବାଜୁଥିଲା। ମୁଁ କାନ୍ଦି ଉଠିଲି। ସେ ସବୁଥର ପରି ମତେ ତା ଛାତି ରେ ଚାପି ଧରିଲା। ହେଲେ ଆଜି ସେ ମତେ ବୋଉ ଭଳି ନୁହେଁ ବରଂ ମୋ ଝିଅ ଭଳି ଲାଗୁଥିଲା... ଆଉ ମୁଁ ବୋଉ ପାଲୋଟୁଥିଲି ଧୀରେ ଧୀରେ।


Rate this content
Log in

More oriya story from Anjana Dash