ବିଲେଇ ବାଟ କାଟିଲେ ଅଶୁଭ ନୁହେଁ
ବିଲେଇ ବାଟ କାଟିଲେ ଅଶୁଭ ନୁହେଁ
ପୂର୍ବରୁ ସାଧବ ପୁଅମାନେ ଆମ ରାଜ୍ୟର ପ୍ରସ୍ତୁତ ସାମଗ୍ରୀକୁ ବୋଇତରେ ଧରି ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ମିଶର ଆଦି ଦେଶକୁ ଯାଉଥିଲେ । ସେଠାରୁ ସେମାନେ ବଣିଜ ବେପାରକରି ବହୁ ଧନ ଅଳଙ୍କାର ଆଣି ଆମ ରାଜ୍ୟକୁ ଫେରୁଥିଲେ । ଏହି କ୍ରମରେ ଆମ ସାଧବପୁଅମାନେ ସେଠାକାର ରାଜା ବା ଶାସନକର୍ତ୍ତାଙ୍କୁ କିଛି ଉପହାର ଦେଇ ସେଠାରେ ବଣିଜବେପାର
କରୁଥିଲେ । ଥରେ ଏହିପରି ମିଶର ଦେଶର ରାଜା ସାଧବପୁଅଙ୍କୁ କହିଲେ, ତୁମେ ଏହାପରେ ଯେତେବେଳେ ଏଠାକୁ ଆସିବ ସେତେବେଳେ ଏମିତି ଏକ ଜିନିଷ ଆଣିବ ଯାହା ଆମ ଦେଶ ମିଶରରେ ନଥିବ ।
ସାଧବପୁଅମାନେ ସେ ଦେଶର ବିଭିନ୍ନ ସ୍ଥାନ ବୁଲି ବଣିଜ ବେପାର କଲେ । ଆମ ଦେଶରେ ଯାହା ଅଛି ସେଠାରେ ମଧ୍ୟ ସେଇଆ ହିଁ ଥିଲା । ତେବେ ସାଧବପୁଅ ମାନେ ମିଶର ଦେଶରେ କେଉଁଠାରେ ବି ବିଲେଇଟିଏ ଦେଖିବାକୁ ପାଇଲେ ନାହିଁ । ତେଣୁ ପରବର୍ତ୍ତି କାଳରେ, ସେମାନେ ଯେତେବେଳେ ମିଶରକୁ ବଣିଜ ବେପାର କରିବାକୁ ଗଲେ ସେତେବେଳେ ସାଧବପୁଅମାନେ ଏକ ଅଣ୍ଡିରା ବିଲେଇ ଛୁଆକୁ ନେଇ ସେଠାକାର ରାଜାଙ୍କୁ ଉପହାର ଆକାରରେ ଦେଲେ ।
ରାଜା ହଠାତ୍ ବିଲେଇକୁ ଦେଖି ଏକ ବାଘଛୁଆ ଭାବି ଚମକି ପଡିଲେ । ମାତ୍ର ଏହା ବାଘ ଛୁଆ ନୁହେଁ, ଯଦିଓ ସେହିଭଳି ଦେଖାଯାଉଛି, ତେବେ ଏ ହେଉଛି ବିଲେଇ ଛୁଆ, ଏହା କ୍ଷୀର ଖାଏ, ମାଛ ଖାଏ, କିନ୍ତୁ ମଣିଷ ଖାଏ ନାହିଁ ବୋଲି କହିବା ପରେ ରାଜା ଭାରି ଖୁସି ହୋଇ ସାଧବପୁଅଙ୍କୁ ଧନରତ୍ନ ଉପହାର ଆକାରରେ ଦେବା ସହ ଆସନ୍ତା ଥର ବେପାରକୁ ଆସିଲାବେଳେ ଏକ ମାଈ ବିଲେଇକୁ ଆଣିବାକୁ କହିଲେ । ପର ସମୟରେ ଯେତେବେଳେ ଏକ ମାଈ ବିଲେଇ ଛୁଆକୁ ନେଇ, ରାଜାଙ୍କୁ ଭେଟି ଦେଇ ଉପହାର ଆକାରରେ ବହୁ ଧନରତ୍ନ ଲାଭକରି ବଣିଜ ବେପାର କରି ଫେରିଲେ ।
ବିଲେଇକୁ ରାଜା ଅତ୍ୟଧିକ ଭଲ ପାଉଥିଲେ । ସେତେବେଳେ ସେ ରାଜ୍ୟରେ ଏହା ଦୁର୍ଲ୍ଲଭ ଥିଲା । ଧିରେ ଧିରେ ବିଲେଇଙ୍କ ସଂଖ୍ୟା ବଢିବାରେ ଲାଗିଲା । ରାଜାଙ୍କ ବିଲେଇ ହେତୁ କେହି ସେମାନଙ୍କୁ ପଞ୍ଜୁରୀ ବା ଶିକୁଳିରେ ବାନ୍ଧି ରଖୁନଥିଲେ । ଯେହେତୁ ରାଜାଙ୍କ ବିଲେଇ, ତେଣୁ ସେଠାକାର ନାଗରିକମାନେ ବିଲେଇକୁ ଭଲପାଉଥିଲେ । ତେଣୁ ସେମାନେ ସବୁଆଡେ ନିର୍ଭୟରେ ବୁଲୁଥିଲେ ।
ଦିନକର ଘଟଣା,ସେ ଦେଶର ଜଣେ କେଉଟ ନଦୀରୁ ମାଛ ଧରି ଆସି ଘରେ ତରକାରୀ କଲା । ଗାଧେଇ ଆସିଲେ ଖାଇବ ବୋଲି ଗାଧେଇବାକୁ ଗଲା । ବିଲେଇ ସହଜେ ମାଛ ରଙ୍କୁଣା । ତେଣୁ କେଉଟ ରାନ୍ଧିଥିବା ମାଛଟିକୁ ବିଲେଇ ଆସି ଖାଇବାରେ ଲାଗିଲା । କେଉଟ ଗାଧେଇ ସାରି ଆସି ବିଲେଇ ମାଛ ଖାଉଥିବା ଦେଖି ଭୀଷଣ ରାଗିଗଲା । ସେ ରାଗିକରି ଏକ ବାଡିରେ ବିଲେଇ କୁ ପିଟିଦେଲା । ବିଲେଇଟି ଘଟଣାସ୍ଥଳରେ ମରିଗଲା ।
କଥା ପ୍ରଘଟ ହେବାରୁ ଏହା ରାଜାଙ୍କ କାନକୁ ଗଲା । କେଉଟକୁ ରାଜାଙ୍କର କଟୁଆଳମାନେ ଆସି ବାନ୍ଧି ନେଇଗଲେ । ରାଜଦରବାରରେ କେଉଟର ବିଚାର ହେଲା । ସଭାରେ ରାଜ୍ୟସାରା ଲୋକ ଉପସ୍ଥିତ ଥାଆନ୍ତି ।
କେଉଟ ରାଜାଙ୍କର ଅତି ପ୍ରିୟ ବିଲେଇକୁ ମାରି ଦେଇଥିବାରୁ କେଉଟକୁ ଶୁଳୀଦଣ୍ଡ ଦିଆଗଲା । ସମସ୍ତଙ୍କ ଆଗରେ ଶୁଳୀଦଣ୍ଡ ଦିଆଯିବାରୁ ସେ ରାଜ୍ୟରେ କେହି ବିଲେଇକୁ ମାରିଲେ ନାହିଁ ।
ବିଲେଇର ବଂଶବୃଦ୍ଧି ହେବାରୁ ସେମାନେ ନିର୍ଭୟରେ ରାଜାଘରଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଆଡେ ବୁଲିଲେ । ସେତେବେଳେ ଗାଡିମଟର ନଥିଲା । ଲୋକେ ଘୋଡାଗାଡି ଆଦିରେ ବୁଲୁଥିଲେ । ଯଦିଓ କେହି ଯିବା ଆସିବା ରାସ୍ତାରେ ବିଲେଇ ଦେଖୁଥିଲେ, ତେବେ ସେ ଗାଡି ରଖିଦେଉଥିଲେ । ଭୟ ଥିଲା କାଳେ ଗାଡି ବିଲେଇ ଉପରେ ଚଢିଯିବ କିମ୍ବା ଦୁର୍ଘଟଣାରେ ବିଲେଇର ମୃତ୍ୟୁ ହୋଇଗଲେ, ରାଜା ଶୁଳୀ ଦେଇଦେବେ । ଏହି ଭୟରେ ବିଲେଇ ଦେଖିଲେ ଲୋକେ ରାସ୍ତା ଉପରେ ରହିଯାଉଥିଲେ ।
ଏହିକଥା କାଳକ୍ରମେ ଆମ ଦେଶକୁ ପ୍ରଚାର ପ୍ରସାର ହୋଇଆସିଲା । ତେଣୁ ଏଠାରେ ମଧ୍ୟ ବିଲେଇ ଦେଖିଲେ ଲୋକେ ଠିଆ ହୋଇଗଲେ କିମ୍ବା ରାସ୍ତା ବଦଳାଇ ଗଲେ । କିଛି ଅନ୍ଧବିଶ୍ୱାସୀ ଏହାକୁ ରୂପ ଦେଇ କହିଲେ "ବିଲେଇ ବାଟ କାଟି ଦେଲା", ଆଗକୁ ଅଶୁଭ ଅଛି । ଏହି କଥା ଆଜିପର୍ଯ୍ୟନ୍ତ ଆମ୍ଭମାନଙ୍କ ମନରେ ବଳବତ୍ତର ରହିଛି । ପ୍ରକୃତରେ ବିଲେଇ ବାଟ କାଟେ ନାହିଁ କି ବିଲେଇ ବାଟ କାଟିଲେ ଅଶୁଭ ହୁଏ ନାହିଁ, ଏହା ଏକ ଅନ୍ଧବିଶ୍ୱାସ ।