Untitled
Untitled
ଦିବ୍ୟ ଦୀପାବଳି
କାର୍ତ୍ତିକ ମାସର ଅମାବାସ୍ୟା ତିଥି
ଘୋର ଅନ୍ଧକାର ନିଶି
ଜୀବନରେ ସୁଖ ଆନନ୍ଦ ଉଲ୍ଲାସ
ଦୀପାବଳି ଆଣେ ଆସି।।
ଶ୍ରାବଣର ବାରିପାତେ ଧୋଇ ଦେଇ-
ଥାଏ ମହୀ ଧୂଳି ଯେତେ
ପରିବେଶ ଦିଶେ ସବୁଜ ସୁନ୍ଦର
ମନକୁ ମୋହଇ ସେତେ।।
ଗ୍ରାମେ ଗ୍ରାମେ ଘରଦ୍ଵାର ଲିପାପୋଛା
ସାଜସଜ୍ଜା ଆକର୍ଷଣ
ନାନା ପରକାର ମିଠା ପୁଣି କରେ
ନବ ବସ୍ତ୍ର ପରିଧାନ।।
କିଣିଥା'ନ୍ତି ଲୋକେ ସୁନା ରୂପା ଗାଡି
ଧନତରେସର ଦିନେ
ଶୁଭ ହୋଇଥାଏ ବୋଲି ଭାବିଥା'ନ୍ତି
ସରବଦା ଏ ଜୀବନେ।।
କିଛି ଲୋକ ଖେଳିଥା'ନ୍ତି ଜୁଆ ଖେଳ
କୁରୀତି ଜାବୁଡ଼ି ଧରି
ହର୍ଷୋଳାସ ପର୍ବେ ଅସାମାଜିକ ଏ
କାର୍ଯ୍ୟ କିମ୍ପା ଯିବୁ କରି।।
ଏହି ଦିନ ପ୍ରଭୁ ଶ୍ରୀରାମ ଚଉଦ
ବର୍ଷ ବନବାସ ସାରି
ଦୀପଜାଳି ତା'ଙ୍କୁ ସ୍ବାଗତ ଜଣାନ୍ତି
ଆସୁଛନ୍ତି ବୋଲି ଫେରି।।
ବଧ କରିଥିଲେ ନରକାସୁରକୁ
ଗୋପଚାନ୍ଦ ନନ୍ଦ ସୁତ
ଆବାହନେ ଆଗମନ କରିଥା'ନ୍ତି
ଧନଦେବୀ ଲକ୍ଷ୍ମୀ ମାତ।।
ପ୍ରଭୁ ମହାବୀର ଜୈନ ନିରବାଣ
ଏହି ଦିନ ହୋଇଥିଲେ
ଅଜ୍ଞାନ ତିମିର ବିନାଶି ଜ୍ଞାନର
ଆଲୋକ ସେ ପ୍ରକାଶିଲେ।।
ଆଲୋକର ପର୍ବ ଦୀପାବଳି ଦିନେ
ନାନା ବାଣ ଫୁଟିଥାଏ
ଶବଦ ସଙ୍ଗତେ ଆଲୋକର ମାଳା
ଆକର୍ଷଣ କରିଥାଏ।।
