STORYMIRROR

Alhadini Dhir

Others

2.5  

Alhadini Dhir

Others

ସଦା ଶକ୍ତିମୟୀ ନାରୀ

ସଦା ଶକ୍ତିମୟୀ ନାରୀ

2 mins
901



ଶକ୍ତି ସହ ନାରୀ ଈଶ୍ୱର କରିଛି ଏ ନୁହେଁ ମଣିଷ କୃତ,

ସଶକ୍ତ ନାରୀଟି କେଉଁ ନିୟମରେ ଶକ୍ତି ପାଇଁ ପାତେ ହାତ?

ଯା ଅଛି ତା ଠାରେ ନାହିଁ ତା କା ଠାରେ ଏ କଥା ନ ଜାଣେ କିଏ?

"ପୁରୁଷ -ସବୋଧ -କରଣ "ନିୟମ ଯଦି ଲାଗୁ ହୋଇଯାଏ.

ନାରୀର ପ୍ରତିଭା ଚିହ୍ନିବାରେ ଧୋଖା ଖାଇଥାଏ ଯେଉଁ ମନ,

ସେହି ମନ ଯଦି ବୁଝିଯାଏ ମୂଲ୍ୟ ସାର୍ଥକ ନାରୀ ଜୀବନ.

ସାତ ଫରୁଆରେ କଳା ଭଅଁରକୁ ସାଇତି ରଖେ ଯେ ମୂଢ଼,

ତା ଜୀବନ ନାଡୀ କାହା ହାତେ ଅଛି ନ ଜାଣଇ ସେହି ଗୂଢ଼.

ବନିତାକୁ ଲତା, ଆଚରଣ ନଦୀ, ଅବଳା ଦୁର୍ବଳା କହି,

ଯୁଗ ଯୁଗ ଧରି ତା ମାନସିକତା ଭୋଗରେ ବଳି ଚଢାଇ.

କେତେଦିନ କୁହ କେତେଦିନ ଆଉ ଚାଲିଥିବ ଏ ବଢ଼ାଇ.

ଭୁଷୁଡ଼ା ସମାଜ ବାଟ ହଜାଉଛି ପରିଚୟ ପାଉନାହିଁ.

ଆଜି ହେଜ ପଶେ ନାରୀର ଶକତି ଲୋଡ଼ା ଏ ସମାଜ ପାଇଁ,

ଯେଉଁ ଥାଳିଟିରେ ଭୋଜନ କରୁଛ ଛିଦ୍ର କର କାହିଁ ପାଇଁ?

ବଦଲା ଅ ତମ ପ୍ରବୃତି ପ୍ରକୃତି ବଦଲା ଅ ମୂଲ୍ୟବୋଧ,

ଉଠାଅ ନିଜକୁ ନରକ ଗଳିରୁ ଜୀବନକୁ କର ଶୋଧ.

ହୃଦୟ ଭିତରେ ସନମାନ ବୁଣ ଅବଜ୍ଞା ଦିଅ ଦୂରେଇ,

ନାରୀଠାରୁ ସୃଷ୍ଟ, ନାରୀ ପାଇଁ ପୁଷ୍ଟ ନାରୀଠାରେ ରୁଷ୍ଟ ନାହିଁ.

ଷ୍ଟେସନ ପିଣ୍ଡାରେ ବସିଛି କାମିନୀ କୋଳରେ ଚାରୋଟି ଛୁଆ,

ତେଲ ବିନା କେଶ ଉଡେ ଫୁରୁଫୁରୁ ଦେହ ଫାଳେ ଲୁଗା ଦିଆ.

ତଥାପି ରୋକୁଛି "ପିଅନା ଗୋ ମଦ ପିଲାଙ୍କୁ ଟିକିଏ ଚାହଁ,

ଏ ଆମ ସଂସାର ବାହୀନେବା ଆମେ ତମେ କି ମୋ ସାଥି ନୁହଁ? "

ପ୍ରତି ବଦଳରେ ଗୋଡେଇ ଗୋଡେଇ ପୀଟଇ ସେହି ନାରୀକୁ,

ଯେ ଚାହେଁ ତାହାର ସତତ ମଙ୍ଗଳ ବୁଝେନା କଡା ସତକୁ.

କେତେ ଶକ୍ତି କିଏ କାମିନୀକୁ ଦେବ ହେବ ସେ ସଶକ୍ତ ନାରୀ,

ମଦୁଆ ସାଥୀକୁ କୋଳେ ଆଉଜାଇ ଭବସିନ୍ଧୁ ହେବ ପାରି?

ବିଷ ବୃକ୍ଷ ଚେର ଉପାଡି ନ ପାରି କାଟୁଥିଲେ ବାରବାର,

ସମାଜ କି ହେବ ଅମୃତ ସମାନ ଦେବ ନାରୀ ଅଧିକାର?

ଏମିତି ନିୟମ ହୁଅନ୍ତାନି ଥରେ ଚିହ୍ନିବାକୁ ନାରୀ ଶକ୍ତି,

ନାରୀକୁ ସମ୍ମାନ, ଗୁଣକୁ ନମନ ପ୍ରତିଭା ଲୋଡ଼ଇ ଭକ୍ତି.

କୋଟି କୋଟି ଗ୍ରହ ନକ୍ଷତ୍ର ବ୍ରହ୍ମାଣ୍ଡେ ନିଜ ପଥେ ନିଜେ ଥାନ୍ତି,

ନାରୀ ଓ ପୁରୁଷ ସମାଜେ ସଂସାରେ ଉପୁଜୁଛି କିଆଁ ଭ୍ରାନ୍ତି?

ଏଇ ଛୋଟ କଥା ବୁଝିଗଲେ ଥରେ ସ୍ଥିତି ନୋହିବ ବିକୃତ.

କିଏ ବଡ କିଏ ସାନ କି ସମାନ ସବୁ ତ ଈଶ୍ୱର କୃତ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍