ମୋ ଓଡ଼ିଆ କବିତା
ମୋ ଓଡ଼ିଆ କବିତା
ଆଗମନି ବର୍ଷାରେ ଗେଣ୍ଡୁ
ବର୍ଷା ଆସୁଛି ଆସୁ
ଫେରିଯାଉ
ମୋର ବା କି ଯିବ
ମୁଁ ଛୋଟ
ମୁଁ ମୋର ପରିଚୟ ନେଇ
ବଞ୍ଚି ସାରିଛି
ଶୀତର କାକର ଟୋପରେ ll
ତିନ୍ତି ସାରିଛି ଗ୍ରୀଷ୍ମର ଝଡ଼ରେ
ମୋ ମୃତ୍ୟୁର ପ୍ରତିଟି ସୁଗନ୍ଧରେ
ମହକାଇ ସାରିଛି
ଶୀତର ପ୍ରତିଟି ସକାଳ
କାର୍ତ୍ତିକଠୁ ମଗୁଶୀର
ଆଉ କେତେ ପକ୍ଷୀର କାକଳି ll
ମୋ ସୁଗନ୍ଧରେ
ଶୀତ ସକାଲଟାକୁ
ଛନ୍ଦି ସାରିବା ପରେ
ବର୍ଷାର କି ପ୍ରୟୋଜନ
ମୋ ଜନ୍ମ ସୁଗନ୍ଧ ବିତରଣେ
ଅନ୍ୟତ୍ର ବଞ୍ଚିବାର
ପରିକଳ୍ପନା ମିଛ ସବୁ ମିଛ
ମହକ ବିନା
କି ବା ମୁଁ ପ୍ରୀତିର ବାସନା ll
ବର୍ଷା ଆସିଛି ଆସୁ
ତୁମ ସହ ସଙ୍ଗମ କରି କରି
ଧୂଳି ସରସର ରାସ୍ତାକଡରେ
ମଧୁମାଳତୀ ଚମ୍ପାକୁ ନେଇ
କିନ୍ତୁ ମୁଁ
ମୋବାସନରେ ବିତରିଛି
କେବେ କେତେ ପ୍ରାଣୀ ମନ ମୋହିଛି
ସବୁ ଶୀତ ସକାଳରେ
ମୁକ୍ତାର ସ୍ପର୍ଶ ପାଇ
କେବେ ଗାଲିଚା ପାଖେ
ପୁଣି କେବେ ମଶାଣିର ଅନ୍ତସ୍ୱର ହୋଇ
ଲିଭି ସାରିଛି ମୁଁ ଦୀପ
ଝଡି ହୋଇଛି
ମୁଁ ମଉଳା ଫୁଲଟିଏ
ତଥାପି ମୁଁ
ଶ୍ରେଷ୍ଠ ତୁମ ସ୍ପର୍ଶ ବିନା
ତିନ୍ତିଛି ପ୍ରତିଟି ରଜନୀ
ବିତରି ମୋ ବାସନା ll
