ଲାବଣ୍ୟ ସୁନ୍ଦରୀ
ଲାବଣ୍ୟ ସୁନ୍ଦରୀ
1 min
406
ଲାଜେଇ ଲାଜେଇ ଆଗୋ ଲାଜବତୀ
ଲାଜକୁ ଭୂଷଣ କରିଛ
ମଦନ ଜର୍ଜର ନୟନରେ ଶର
ପେଷି ବୁକୁ ଭେଦ କରୁଛ ll
ମୁରୁକି ମୁରୁକି ହସ ଆଢୁଆଳେ
ମଧୁରସ ଲୁଚି ରହିଛି
ସଧିର ମଳୟେ ଓଢଣୀଟା ଉଡ଼ି
ଗୁପତକୁ ଖୋଲି ଦେଉଛି ll
ରତ୍ନଆଭୂଷିତା ଚମ୍ପକମଣ୍ଡିତା
ଲକ୍ଷେ ଚନ୍ଦ୍ରଫୁଲ ସମ୍ଭାର
ପୁରିଲା ପୁରିଲା ବକ୍ଷ ବିଭାବରୀ
ସୁରଭି ଲେପନ ବେଭାର ll
ଏପରି ରମଣୀ ସୁଦକ୍ଷ ବିନ୍ଧାଣୀ
ଚାରୁକଳା ଚିତ୍ତେ ଚିନ୍ତିଲା
ମନସିଜଜୟ ସୁରମ୍ୟ ପ୍ରତିମା
ସଜେଇ ସାଜେଇ ଗଢିଲା ll
ପାଖେଇ ପାଖେଇ ଆସୁଥିଲି ଚାହିଁ
ଲାବଣ୍ୟସୁନ୍ଦରୀ ଅଞ୍ଚଳ
ଅଜାଣତେ ଦୃଷ୍ଟି ପଡିଲା ଉରଜେ
ହୃଦୟ ସ୍ପନ୍ଦିଲା ଚଞ୍ଚଳ ll
ସରସ ବିନ୍ୟାସ କୁନ୍ତଳର କାନ୍ତି
ଗଭାରେ ମଞ୍ଜୁଳ ଗଜରା
ଚପେଇ ଚପେଇ ଚିବୁକେ ଚୁମ୍ବନ
ପିଆଇଲା ମଧୁ ମଦିରା ll
ଧସେଇ ଧସେଇ ଅନ୍ତର ଗର୍ଭରୁ
କାମ ହେଲା ଉଦ୍-ଗିରଣ
ସୁକୁମାର ଆହା ମଉନ ଯୌବନ
କାମିନୀରେ ହେଲା ବିଲିନ ll
