ଝୁରି ଝୁରି ମୋ ଗାଁ ହସୁଛି
ଝୁରି ଝୁରି ମୋ ଗାଁ ହସୁଛି
1 min
153
ନାହିଁ ଧୋବାତୁଠ ନାହିଁ ସେ ମଶାଣି
ଜବର ଦଖଲ ହେଉଛି ।
ଖେଳ ପଡିଆରେ ବୋତଲ ଗଡୁଛି
କେମିତି ଦଇବ ସହୁଛି ।।
ଶିକ୍ଷିତ ଯୁବକ ରୋଜାଗାର ପାଇଁ
ସହରକୁ ଖାଲି ଧାଉଁଛି ।
ଚଷା ପୁଅ ଆଉ ଚାଷ କରୁନାହିଁ
ଭାଗ କି ବଖରା ଦେଉଛି ।।
ଗୋଧୁଳି ବେଳାରେ ଗୋରୁ ଫେରୁନାହିଁ
ଗୁହାଳେ ବାଡିରେ ଚରୁଛି ।
ଖତି କି ଗୋବର ପଡୁନାହିଁ ଆଉ
ଜମି ଉର୍ବରତା ସରୁଛି ।।
ଡାକାବାଲା ଆଉ ଚିଠି ଦେଉନାହିଁ
ମୋବାଇଲ କଥା କହୁଛି ।
ଘର ଗୁଜୁରାଣ ମେଣ୍ଟାଇବା ପାଇଁ
ବିଦେଶରେ ପୁଅ ରହୁଛି ।।
କାହାକୁ କିଏ ସେ ଚିହ୍ନି ପାରୁନାହିଁ
ସହରର ଢାଂଚା ବାସୁଛି ।
ଗର୍ବ ଅହଂକାର ଏତେ ବଢିଲାଣି
ଝୁରି ଝୁରି ମୋ ଗାଁ ହସୁଛି ।।
