ବର୍ଷାଭିଜା ମାଟି
ବର୍ଷାଭିଜା ମାଟି
ଅପୂର୍ବ ସେ ସଂଯୋଗ ବାରି ମେଦିନୀର,
ଦୁର୍ଲଭ ସେ ବାସ୍ନା ବର୍ଷାଭିଜା ମାଟିର ।
ଆଙ୍କି ହୁଏ ନାହିଁ ସେ ବାସ୍ନାକୁ ଶବ୍ଦତୁଳୀର ସ୍ପର୍ଶରେ,
ମନ ହଜିଯାଏ ମୋର ବରଷାରାଣୀର ନୃତ୍ୟରେ ।
ସାତରଙ୍ଗେ ଇନ୍ଦ୍ରଧନୁ କରେ ପଦାର୍ପଣ,
ଦେବ ଗନ୍ଧର୍ବଯକ୍ଷ କରନ୍ତି ଧରାପୃଷ୍ଠେ ପୁଷ୍ପବର୍ଷଣ,
ବର୍ଷଭିଜା ପ୍ରକୃତିର ଅନନ୍ୟ ସେ ଆକର୍ଷଣ
ସୃଷ୍ଟି କରେ କବି ମନେ ଏକ ନବ୍ୟ ଶିହରଣ,
ସାତସୁରେ ନାଚି ଉଠେ ତନ ମନ ପ୍ରାଣ ।
ନାଚନ୍ତି ସ୍ଥାବର ଜଙ୍ଗମ ସଭିଏଁ ବର୍ଷା ଆଗମନେ,
ସ୍ପନ୍ଦିତ ହୁଏ ମନର ଆକାଶ ଇନ୍ଦ୍ରିୟ ଗର୍ଜନେ ।
ସତେ କି ବା ସେ ଗର୍ଜନ ଅଟେ ଚେତାବନୀ,
ସାବଧାନ ହେ ମଣିଷ କର ନାହିଁ ଧର୍ମଗ୍ଲାନି ।
କର ନାହିଁ ବାଧ୍ୟ ମୋତେ ନେବା ପାଇଁ ଅବତାର,
ନଚେତ କଳକୀ ଅବତାରେ ଘଟିବ ସୃଷ୍ଟି ସଂହାର ।
ଶୁଣିବାର ଇଛା ନାହିଁ ଯଦି ପ୍ରଳୟର ଧ୍ବନି,
ତେବେ କର୍ମ କରିଚାଲ ସୃଷ୍ଟିନିୟମ ମାନି ।
ବେଳୁ ହୁଅ ସାବଧାନ କର ପ୍ରକୃତି ସଂରକ୍ଷଣ,
ଅନ୍ୟଥା ସାମ୍ନାକର କଳକୀପୁରୁଷ ର ଧରାବତରଣ ।
ମନ ଆଜି ଆଚମ୍ବିତ ଶୁଣି ଆକାଶବାଣୀ,
ଖୋଜେ ଆଶ୍ରୟ ଖୋଜେ ମା'ର ପଣତକାନି ।
ମମତାମୟୀ ସୃଷ୍ଟିଜନନୀ ମା ପ୍ରକୃତି,
ଆଦରିନିଏ ସଭିଙ୍କୁ ଧନ୍ୟ ତାର ମାତୃଶକ୍ତି ।
ମନ ଶାନ୍ତ ହୁଏ ଦେଖି ପ୍ରକୃତିର ଶୋଭା,
ସତ୍ୟ ଶିବ ସୁନ୍ଦର ସେ ଆହା କେଡେ ମନଲୋଭା ।
ପ୍ରକୃତି ଦର୍ଶନରେ ମିଳେ ଜୀବନ ଦର୍ଶନ,
ପ୍ରକୃତି ଗର୍ଭରେ ନିହିତ ସୃଷ୍ଟିର ଦର୍ଶନ ।
ଫରକ ଖାଲି ଏତିକି,
ସ୍ତୁଳ ଦର୍ଶନରେ ମିଳେ ମନକୁ ଶାନ୍ତି,
ଆଉ ସୂକ୍ଷ୍ମ ଦର୍ଶନରେ ମିଳେ ଆତ୍ମାକୁ ମୁକ୍ତି,
ମୁକ୍ତି ବନ୍ଧନରୁ,ଅଜ୍ଞାନରୁ,ଅନ୍ଧକାରରୁ ।
ପ୍ରକୃତି ହିଁ ଶକ୍ତି, ପ୍ରକୃତି ହିଁ ମୁକ୍ତି,
ଫରକ ଖାଲି ଏତିକି,
କିଏ ଖୋଜେ ପ୍ରକୃତିରୁ ମୁକ୍ତି,
ଆଉ କିଏ ଖୋଜେ ପ୍ରକୃତିରେ ମୁକ୍ତି |
