STORYMIRROR

#କବିତା ଆଳାପ

SEE WINNERS

Share with friends

ପ୍ରସ୍ତାବନା :


'କବିରେବ ପ୍ରଜାପତିଃ' । କବିଙ୍କ ଭାବଚେତନାକୁ ବନ୍ଦୀକରି ରଖିବା କାହାରି ପକ୍ଷେ ମଧ୍ୟ ସମ୍ଭବ ନୁହେଁ । କବି ନିଜସ୍ୱ ସର୍ଜନ ଶକ୍ତିରେ ମହିମାମଣ୍ଡିତ । ନା ସେ କେବେ କୋଉ ଛନ୍ଦରେ ବନ୍ଧା; ନା କୋଉ ଶବ୍ଦରେ । କବି ପାଇଁ ଭାବ ସମ୍ପଦ ହିଁ ସବୁଠୁ ଉର୍ଦ୍ଧ୍ବରେ । ତଥାପି କବିତା ସୁନ୍ଦରୀକୁ ଆହୁରି ସୁନ୍ଦର କରି ଗଢି ତୋଳିବା ନିମନ୍ତେ କବି ପ୍ରୟୋଗ କରେ ବିଭିନ୍ନ ଛନ୍ଦ ଆଉ ଶୈଳୀର । ଯାହା କବିଙ୍କ ସର୍ଜନାକୁ ଦିଏ ଆହୁରି ଉଚ୍ଚ ଆସନ । ରସଗ୍ରାହୀ ପାଠକଙ୍କ ପାଇଁ ତାହା ହୁଏ ଆହୁରି ରସାଳ ।


ସେହି ଉଦ୍ଦେଶ୍ୟର ଚରିତାର୍ଥ ପାଇଁ ଷ୍ଟୋରୀମିରର୍ ଆପଣଙ୍କ ପାଇଁ ନେଇ ଆସିଛି ଏକ ଅଭିନବ କବିତା ପ୍ରତିଯୋଗିତା । ଯାହା ଆପଣଙ୍କ ସର୍ଜନ ଯାତ୍ରାକୁ ଆହୁରି ସମ୍ପ୍ରସାରିତ କରିବା ସହ ଏକ ଅଭିନବ ଲିଖନ ଅନୁଭୂତି ପ୍ରଦାନ କରିବ ବୋଲି ଆମ ଆଶା ।



ଅବତାରଣା :


ଏହି ପ୍ରତିଯୋଗିତାରେ ଆମେ ସମୁଦାୟ ପାଞ୍ଚଟି କବିତା ଶୈଳୀରେ ଆପଣଙ୍କ କବିତା ଉପସ୍ଥାପନା ପାଇଁ ଆହ୍ୱାନ କରୁଛୁ । ପ୍ରତି ଶୈଳୀ ପାଇଁ ଆମେ ୭ଟି ବିଷୟ ସହ ଏକ ସପ୍ତାହର ସମୟ ସୀମା ଧାର୍ଯ୍ୟ କରିଛୁ । ଆପଣଙ୍କୁ ଏହି ସମୟ ମଧ୍ୟରେ ପ୍ରଦତ୍ତ ଶୈଳୀରେ ନିଜର କବିତା ଦାଖଲ କରିବାକୁ ପଡ଼ିବ ।


ଏହି ପରିଭାବେ ସମୁଦାୟ ପାଞ୍ଚଟି ଶୈଳୀ ନିମନ୍ତେ ଆମେ ନିମ୍ନରେ ଆପଣଙ୍କ ପାଇଁ ପାଞ୍ଚଟି ମହାସପ୍ତାହର ଲିଖନ ଆହ୍ୱାନ ପ୍ରସ୍ତୁତ କରୁଛୁ ।



ପ୍ରଥମ ମହାସପ୍ତାହ : ଉଦବୋଧନ କବିତା

( ଡିସେମ୍ବର ୬, ୨୦୨୦ ରୁ ଡିସେମ୍ବର ୧୨, ୨୦୨୦ )


[ କବିତା ପ୍ରସ୍ତୁତି ପାଇଁ ବିଷୟ : ନାରୀ । ତରୁଣ । ଶିଶୁ । ବିଦ୍ୟାର୍ଥୀ । ଶିକ୍ଷକ । ନାଗରିକ ]


ଉଦବୋଧନ କବିତା ସମ୍ପର୍କରେ କିଛି : ଓଡ଼ିଆ ପଦ୍ୟ ସାହିତ୍ୟରେ ଏହା ଏକ ଜନପ୍ରିୟ କବିତା ଶୈଳୀ । ଏହି ପ୍ରକାର କବିତା ଲିଖନର ମୂଳ ଉଦ୍ଧେଶ୍ୟ ହେଉଛି କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ଜାତିକୁ ଜାଗ୍ରତ ଅଥବା ଲକ୍ଷ୍ୟସିଦ୍ଧି ନିମନ୍ତେ କର୍ମଚଞ୍ଚଳ କରିବା । ମୂଳତଃ ଏହା ଛନ୍ଦବଦ୍ଧ କବିତା ଶୃଙ୍ଖଳାରେ ରଚିତ ହୋଇଥାଏ ।


....................


ଦ୍ଵିତୀୟ ମହାସପ୍ତାହ : ସମ୍ବୋଧନମୂଳକ କବିତା

( ଡିସେମ୍ବର ୧୩, ୨୦୨୦ ରୁ ଡିସେମ୍ବର ୧୯, ୨୦୨୦ )


[ କବିତା ପ୍ରସ୍ତୁତି ପାଇଁ ବିଷୟ : ଜହ୍ନ । ଗୋଲାପ । ନଈ । ପାହାଡ଼ । ମେଘ । ଗଛ । ଆକାଶ ]

ସମ୍ବୋଧନମୂଳକ କବିତା ସମ୍ପର୍କରେ କିଛି : ଏହି ଶୈଳୀର କବିତାକୁ ଇଂରାଜୀରେ ଓଡ୍ (Ode) କୁହାଯାଏ । ଏହି ଧରଣର କବିତାରେ କୌଣସି ବସ୍ତୁ / ବ୍ୟକ୍ତି / ଅଦୃଶ୍ୟ ସତ୍ତାକୁ ସମ୍ବୋଧନ କରି କବିତା ଆରମ୍ଭ କରାଯାଏ । ଏହା କେବଳ ଗୋଟିଏ ଭାବକୁ କେନ୍ଦ୍ରକରି ଲେଖାଯାଏ । ଏହା ଏକ ଜନପ୍ରିୟ କବିତା ଶୈଳୀ ।


....................


ତୃତୀୟ ମହାସପ୍ତାହ : ଗାଥା କବିତା

( ଡିସେମ୍ବର ୨୦, ୨୦୨୦ ରୁ ଡିସେମ୍ବର ୨୬, ୨୦୨୦ )


[ କବିତା ପ୍ରସ୍ତୁତି ପାଇଁ ବିଷୟ : ରାମାୟଣର ଯେକୌଣସି କାହାଣୀ । ମହାଭାରତର ଯେକୌଣସି କାହାଣୀ । ଜଣେ ଗରୀବର ଜୀବନ ଉପରେ, ଜଣେ ପାଗଳୀ ମା' ଉପରେ । କରୋନା ସଂଘର୍ଷ ଉପରେ, ଆପଣଙ୍କ ସଂଘର୍ଷମୟ କାହାଣୀରୁ କିଛି । ଜଣେ ନାରୀର ଜୀବନ କାହାଣୀ ଉପରେ ]


ଗାଥା କବିତା ସମ୍ପର୍କରେ କିଛି : ଗାଥା କବିତାକୁ ଇଂରାଜୀରେ ବାଲାଡ଼ (Ballad) କୁହାଯାଏ । ଏହି ଶୈଳୀ ନିଜ ଜୀବନର ନିବିଡ଼ ଅନୁଭୂତି / କୌଣସି ଲୋକପ୍ରିୟ କାହାଣୀ / କୌଣସି ବ୍ୟକ୍ତିର ପରିସ୍ଥିତିକୁ ନିଜ କବିତା ରୂପରେ ଉପସ୍ଥାପନ କରିବାକୁ ପ୍ରୟୋଗ କରାଯାଏ । ଏହା ସାଧାରଣତଃ ବସ୍ତୁନିଷ୍ଟ ହୋଇଥାଏ । ଏହି ଶୈଳୀରେ କବିତାରେ ଏକ କାହାଣୀ ପରି ଧାରାବାହିକତା ରହିଥାଏ । ଏହା ମୁଖ୍ୟତଃ ଛନ୍ଦବଦ୍ଧ ହୋଇଥାଏ ।


....................


ଚତୁର୍ଥ ମହାସପ୍ତାହ : ଚତୁର୍ଦ୍ଦଶପଦୀ କବିତା

( ଡିସେମ୍ବର ୨୭, ୨୦୨୦ ରୁ ଜାନୁଆରୀ ୦୨, ୨୦୨୧ )


[ କବିତା ପ୍ରସ୍ତୁତି ପାଇଁ ବିଷୟ : ପ୍ରେମ । ଭକ୍ତି । ମୃତ୍ୟୁ । ଜୀବନ । ବିରହ । ଅନୁତାପ । ଦୁଃଖ ]


ଚତୁର୍ଦ୍ଦଶପଦୀ କବିତା ସମ୍ପର୍କରେ କିଛି : ଆଧୁନିକ ଓଡ଼ିଆ କବିତାର ଏକ ବିଶିଷ୍ଟ ଅଙ୍ଗିକ ରୂପ ହେଉଛି ଚତୁର୍ଦ୍ଦଶପଦୀ କବିତା ବା ସନେଟ୍ । ଏହି ଶୈଳୀର କବିତାରେ ସମୁଦାୟ ୧୪ ଧାଡ଼ି ବା ପାଦ ବିଶିଷ୍ଟ । ଏହି ଧରଣ କବିତା ଲିଖନ ପାଇଁ ଆଜି ସମୁଦାୟ ତିନୋଟି ଶୈଳୀର ବ୍ୟବହାର ହେଉଛି । କିନ୍ତୁ ଏସବୁ ମଧ୍ୟରେ ମହାକବି ସେକ୍ସପିଅରଙ୍କ ଶୈଳୀ ଖୁବ୍ ଜନାଦୃତ । ଯାହାର ପାଦକୁ ସେ +୪ +୪ +୪ +୨ ଭାବେ ବିଭକ୍ତ କରିଥିଲେ । କିନ୍ତୁ ଆପଣ ଯେକୌଣସି ଶୈଳୀରେ ନିଜ କବିତା ପ୍ରସ୍ତୁତ କରିପାରିବେ ।


....................


ପଞ୍ଚମ ମହାସପ୍ତାହ : ଆଧୁନିକ ଛନ୍ଦମୁକ୍ତ କବିତା

( ଜାନୁଆରୀ ୦୩, ୨୦୨୧ ରୁ ଜାନୁଆରୀ ୯, ୨୦୨୧ )


[ କବିତା ପ୍ରସ୍ତୁତି ପାଇଁ ବିଷୟ : ଯନ୍ତ୍ରଣା । ସମୁଦ୍ର । ବନ୍ଦୀ । ସମୟ, ଆତ୍ମନେପଦୀ । ବଳାତ୍କାର । ଆଶା ]


ଆଧୁନିକ ଛନ୍ଦମୁକ୍ତ କବିତା ସମ୍ପର୍କରେ କିଛି : ବର୍ତ୍ତମାନ ସମୟରେ ବହୁ ଚର୍ଚ୍ଚିତ ଓ ବ୍ୟବହୃତ କବିତା ଶୈଳୀ ହେଉଛି ଆଧୁନିକ ଛନ୍ଦମୁକ୍ତ କବିତା ଶୈଳୀ । ଏହି ଶୈଳୀ ମାଧ୍ୟମରେ କବି ନିଜ ମନର ଭାବକୁ ଅତି ସୂକ୍ଷ୍ମ ଓ କଳାତ୍ମକ ଭାବେ ନିଜ ପାଠକଙ୍କ ଆଗରେ ଉପସ୍ଥାପନ କରିପାରେ । ଏହି ଶୈଳୀରେ ଛନ୍ଦ କିମ୍ବା ବୃତ୍ତ ଆଦିର ପ୍ରୟୋଗ ନାହିଁ ।



ଆପଣଙ୍କ ପାଇଁ କିଛି ନିୟମ :


  1. ଏହି ପ୍ରତିଯୋଗିତା କେବଳ କବିତା ନିମନ୍ତେ ।
  2. ପ୍ରତି ମହାସପ୍ତାହ ନିମନ୍ତେ ସ୍ଥିରୀକୃତ ଶୈଳୀରେ ପ୍ରଦତ୍ତ ବିଷୟକୁ ନେଇ ଆପଣଙ୍କୁ ନିଜ କବିତା ଦାଖଲ କରିବାକୁ ପଡ଼ିବ ।
  3. ପ୍ରତିମହାସପ୍ତାହ ନିମନ୍ତେ କବିତା ସଂଖ୍ୟା ପାଞ୍ଚରୁ କମ୍ ହେବା ଉଚିତ ନୁହଁ । ଆପଣ ଯଦି ଚାହିଁବେ ଅଧିକ ସଂଖ୍ୟକ କବିତା ଦାଖଲ କରିପାରିବେ ।
  4. ବିଜୟୀ ଚୟନରେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ।
  5. କବିତା ଦାଖଲ ସମୟରେ ପ୍ରତି ମହାସପ୍ତାହ ପାଇଁ ସ୍ୱତନ୍ତ୍ର ଟେଗ୍ ଯୋଡ଼ନ୍ତୁ । ଯେମିତି କି - #ଗାଥା କବିତା, #ଚତୁର୍ଦ୍ଦଶପଦୀ କବିତା ।
  6. କବିତାରେ ଶବ୍ଦ ସଂଖ୍ୟା ୫୦ରୁ କମ୍ ହେବା ଉଚିତ ନୁହଁ ।
  7. ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।
  8. ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହଁ ।


ପୁରସ୍କାର :


  1. ସାମଗ୍ରିକ ଭାବେ ପ୍ରତି ମହାସପ୍ତାହରେ ଅଧିକ ସଂଖ୍ୟକ କବିତା ଦାଖଲ କରିଥିବା ପାଞ୍ଚ ଜଣ କବିଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ INR 250ର ସପ୍ ଭାଉଚର୍ ପ୍ରଦାନ କରାଯିବ ।
  2. ଯେଉଁମାନେ ପ୍ରତି ମହାସପ୍ତାହରେ ପାଞ୍ଚ କିମ୍ବା ତା'ଠୁ ଅଧିକ କିମ୍ବା ସମୁଦାୟ ୨୫ରୁ ଉର୍ଦ୍ଧ୍ଵ କବିତା ଦାଖଲ କରିଥିବେ ତାଙ୍କୁ ଉତ୍କୃଷ୍ଟତାର ମାନପତ୍ର ସହ INR 150ର ସପ୍ ଭାଉଚର୍ ପ୍ରଦାନ କରାଯିବ ।
  3. ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ ।


ବିଭାଗ : କବିତା

ଭାଷା : ଓଡ଼ିଆ


ପ୍ରତିଯୋଗିତାର ସମୟ ଅବଧି :

ଡିସେମ୍ବର ୬, ୨୦୨୦ ରୁ ଜାନୁଆରୀ ୦୯, ୨୦୨୧


ଫଳାଫଳ: ଫେବୃଆରୀ ୨୦୨୧


କୃତଜ୍ଞତା :


ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗର ହାତ ବଢ଼େଇ ଓଡ଼ିଆ ସାହିତ୍ୟର ଉନ୍ନତି କଳ୍ପେ ନିଜର ବହୁମୂଲ୍ୟ ସମୟ ଦେଇଥିବାରୁ 'କବିତାର ନୂଆ ସ୍ୱର' ପରିବାର ଓ ସଂଚାଳକ ତପନ କୁମାର ସାହୁଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ଅର୍ପଣ କରୁଛୁ ।  


ଯୋଗାଯୋଗ : 

ଇ-ମେଲ - odia@storymirror.com

ଫୋନ - 8637256608


ବି.ଦ୍ର : ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।