ଝରାଉ ଯଦି ତୁ ଆଖିରୁ ଲୋତକ
ହସେ କେବେ କାନ୍ଦେ ଚାଷୀ
ହସେ ଗଛ ଲତା, ଫୁଟେ କେତେ ଫୁଲ
ଅଗଣା ଉଠେ ମୋ ହସି l
ମାଆର ପଣତ ଯା ରକ୍ଷା କବଚ
ହସି ହସାଏ ଯେ ଧରା
ତାପାଇଁ ଘରଟି ଲାଗଇ ସରଗ
ସଭିଙ୍କ ନୟନ ତାରା l
ଦରୋଟି କଥାରେ ମନ ନିଏ କିଣି
ନ ଜାଣେ ପର ଆପଣା
ଚପଳମତି ସେ କରେ କେତେ ଅଳି
କିଣିବାପାଇଁ ଖେଳନା l
କର୍ମଠ ମଣିଷ ହୋଇଥାଏ ଖୁସି
ପାଇ ଅତିରିକ୍ତ ଦିନ
ଅଳସୁଆ ଭାବେ କାମ ବଢିଗଲା
କରିବି ମୁଁ ଆଜି କ'ଣ ?
ସୁଖେ ହୁଏ ସୁଖୀ, ଦୁଃଖେ ହୁଏ ଦୁଃଖୀ
ଅତି ଆପଣାର ସେହି
ତା' ଋଣ ଶୁଝିବା ନୁହେଁ ତ ସହଜ
କଥାରେ କେ ପାରେ କହି ?
ବଞ୍ଚିବାର ପାଇଁ ଖାଦ୍ୟ ଦରକାର
ଭିକାରି କରେ ମିନତି
ଜାଣି ନ ଜାଣିଲା ପରି ହୋଇ କିଏ
ଆହାର ଫୋପାଡେ ନିତି l
ଜୀବନ ଧାରଣ ଯା ବିନା ସମ୍ଭବ
କରି ତ ପାରେନି କେହି
ପେଟ ଚାଖଣ୍ଡକ ପାଇଁ ସବୁ ନାଟ
ଖାଦ୍ୟ ନ ଫୋପାଡ କେହି l
ସୃଷ୍ଟିର ପ୍ରଥମ ଇଙ୍ଗିତ ଦେଲା ଯେ
ସେ ଆମ ଧନ ସମ୍ପତ୍ତି
ମାନସିକ ରୋଗୀ ଶୁଣିଲେ ସଂଗୀତ
ରୋଗରୁ ପାଏ ମୁକତି l
ଭୂମିରୁ ଭୂମାକୁ ଯିବାପାଇଁ କେତେ
ସାଧନା କରେ ସାଧକ
ଶାନ୍ତି, ମୈତ୍ରୀ, ପ୍ରୀତି ଧ୍ବଜାକୁ ଉଡାଇ
ସାଜେ ତା'ର ଉପାସକ l